ଫୋନ ପେ' ଅପଡେଟ୍ ନାଁରେ ୪ ଲକ୍ଷରୁ ଅଧିକ ଲୁଟ୍ । ବସ୍ ଟିକେଟ କାଉଣ୍ଟର ମାଲିକଙ୍କ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ । ଆଜିକାଲି ଉଠା ଦୋକାନୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସୋ'ରୁମ ଯାଏଁ ସଭିଙ୍କ ପାଖରେ ଫୋନ ପେ' । କିନ୍ତୁ ଏହି ଫୋନ ପେ' ବ୍ୟବହାର କରୁଥିବା ଦୋକାନୀ ଏବେ ନିଆରା ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି । ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ବାଣୀବିହାରର ଅଞ୍ଚଳରୁ ।
ବାଣୀବିହାରରେ ଜଣେ ବସ୍ ଟିକେଟ କାଉଣ୍ଟର ମାଲିକ ଏହି ସାଇବର ଲୁଟର ଶିକାର ହୋଇଛନ୍ତି । ଲୁଟେରା ଦୃଶ୍ୟମାନ ହୋଇ ଫୋନ ପେ' ଅପଡେଟ୍ କରିବା ନାଁରେ ୪ ଲକ୍ଷ ୧୦ ହଜାର ଲୁଟ୍ କରିଛି । ଲୁଟର ଶିକାର ବ୍ୟକ୍ତି ହେଲେ କଟକ ସଦର ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର ପ୍ରଶାନ୍ତ ମହାପାତ୍ର । ସେ ଅନେକ ବର୍ଷ ହେଲା ବାଣୀବିହାର ଅଞ୍ଚଳରେ ବସ୍ ଟିକେଟ କାଉଣ୍ଟର କରି ପରିବାର ପୋଷଣ କରନ୍ତି । ଡିଜିଟାଲ ପେମେଣ୍ଟ ପାଇଁ ପାଖରେ ଫୋନ ପେ' ରଖିଛନ୍ତି ।
ଦିନକ ତଳେ ଜଣେ ଯୁବକ ନିଜକୁ ଫୋନ ପେ' କର୍ମଚାରୀ କହିବା ସହ ଟିକେଟ କାଉଣ୍ଟର ନିକଟରେ ପହଞ୍ଚି KYC ଅପଡେଟ ପାଇଁ କହିଥିଲା । ପ୍ରଶାନ୍ତଙ୍କଠାରୁ ସମସ୍ତ କାଗଜପତ୍ର ସଂଗ୍ରହ କରିବା ପରେ ଚତୁରତାର ସହ ତାଙ୍କ ନାଁରେ ସାଢ଼େ ୩ ଲକ୍ଷର ଏକ ଲୋନ ଏବଂ ଆଉ ୬୦ ହଜାର ଟଙ୍କା ନିଜ ଆକାଉଣ୍ଟକୁ ନେଇଯାଇଥିଲା ।
ଅଧିକ ପଢନ୍ତୁ: ରାଜଧାନୀରେ ଦିନ ଦ୍ୱିପ୍ରହରେ ଲୁଟ୍, ଝାମ୍ପି ନେଲେ ୨ ଲକ୍ଷ ୫୦ ହଜାର ଟଙ୍କା
ଅଦୃଶ୍ୟ ନୁହେଁ, ବରଂ ଦୃଶ୍ୟମାନ ହୋଇ ଠକ ଜଣକ ୪ ଲକ୍ଷ ୧୦ ହଜାର ଲୁଟି ନେବା ପରେ ଏବେ ସହିଦନଗର ଥାନା ଓ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଠକେଇର ଶିକାର ଦୋକାନୀ ।
ଅନ୍ୟପଟେ ଫୋନ ପେ' ଅଫିସରୁ ମିଳିଥିବା ସୂଚନା ମୁତାବକ, ଠକ ଯୁବକ ଜଣଙ୍କ ଦୁଇ ମାସ ତଳୁ ଚାକିରି ଛାଡିସାରିଛି । କିନ୍ତୁ ନିଜକୁ କର୍ମଚାରୀ କହି ଏଭଳି ଚୂନା ଲଗାଉଛି । ଏ ନେଇ ସଂସ୍ଥା ପକ୍ଷରୁ ପୋଲିସକୁ ଜଣାଯାଇଛି । ଫେକ୍ ଆଇଡେଣ୍ଟିଟି କାର୍ଡ ଦେଖାଇ ଲୋକଙ୍କୁ ସେ ଠକିଥିବା ପୋଲିସ ମଧ୍ୟ ଜାଣିବାକୁ ପାଇଛି । ବର୍ତ୍ତମାନ ପୋଲିସ ଠକ ଜଣକୁ ଧରିବାକୁ ଛାନଭିନ୍ ଆରମ୍ଭ କରିଛି ।
ଦିନକୁ ଦିନ ଏବେ ବଢ଼ିବାରେ ଲାଗିଛି ସାଇବର ଠକେଇ । ବିଭିନ୍ନ ଉପାୟରେ ସାଧାରଣ ଲୋକଙ୍କୁ ଲୁଟ୍ କରଛନ୍ତି ସାଇବର ଲୁଟେରା । କେତେବେଳେ KYC ଅପଡେଟ୍ ତ ଆଉ କେତେବେଳେ ଅନଲାଇନ୍ରୁ ସପିଂ ଆଳରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହେଲେ ଅଦୃଶ୍ୟ ନୁହେଁ ବରଂ ସାମ୍ନାକୁ ଆସି ଲୁଟିବାର ବାଣୀବିହାରର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।