ଇଡିରେ ହାଜର ହେଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର

ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗରେ ଆଉ ଜଣେ ବ୍ୟବସାୟୀ ।

Enforcement Directorate

ଅର୍ଚ୍ଚନା ମାୟାଜାଲରେ ଆଉ ଜଣେ ପ୍ରଭାବଶାଳୀ । ଗତକାଲି ଜଣେ ବ୍ୟବସାୟୀ ଇଡିରେ ହାଜର ହୋଇଥିବା ବେଳେ ଆଜି ଆଉ ଜଣେ ବ୍ୟବସାୟୀଙ୍କ ପାଳି ପଡ଼ିଛି । ଆଜି ଇଡିରେ ହାଜର ହୋଇଛନ୍ତି ବିଜେଡି ବିଧାୟକଙ୍କ ଭାଇ ଗଙ୍ଗାଧର । ସେ ହେଉଛନ୍ତି  ଢେଙ୍କାନାଳବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ  । କିଛି ସମୟ ତଳେ ସେ ଭୁବନେଶ୍ୱର ଇଡି ଅଫିସରେ ସେ ହାଜର ହୋଇଛନ୍ତି ।

ଗଙ୍ଗାଧର ସାମଲ ଜଣେ ବ୍ୟବସାୟୀ ତାଙ୍କର କାର୍ ସୋ ରୁମ୍ ଅଛି ।  ଅର୍ଚ୍ଚନା ନାଗ ସହିତ ତାଙ୍କର ୩୦ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି  ।  କେଉଁ ବାବଦରେ ଏତେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି, ତାକୁ ନେଇ ଉଠିଛି ପ୍ରଶ୍ନ। ଏ ସଂପର୍କରେ ଇଡି ଗଙ୍ଗାଧରଙ୍କୁ ପଚରା ଉଚରା କରିବ  ।

ସେପଟେ ଇଡି ଆଗରେ ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳି ଅନେକ ଗୁମର ଖୋଲିଥିବା ଜଣାପଡ଼ିଛି । କାହାଠାରୁ ଟଙ୍କା ଆଦାୟ କାରଯାଉଥିଲା, କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ସେ କହିଥିବାର ସୂଚନା ମିଳିଛି । ଏହା ସହିତ କିପରି ହନି ଟ୍ରାପ ପାଇଁ ତାକୁ ବ୍ୟବହାର କରାଯାଉଥିଲା, ଇଡିକୁ ତାର ସୂଚନା ଦେଇଛି ଶ୍ରଦ୍ଧାଞ୍ଜଳି । କେମିତି ଡିଲ୍ ହେଉଥିଲା, କେମିତି ଫଟୋ ଉଠାଯାଉଥିଲା, ଭିଡିଓ କରଯାଉଥିଲା, ଏସବୁ ସଂପର୍କରେ ଇଡିକୁ ଶ୍ରଦ୍ଧାଞ୍ଜଳି ଅବଗତ କରିଛି । ଗତକାଲି ପ୍ରାୟ ୧୨ ଘଣ୍ଟା ଧରି ତାକୁ ଜେରା କରାଯାଇଥିଲା । ତାର ବୟାନକୁ ଭିତ୍ତି କରି କିଛି ପ୍ରଭାବଶାଳୀ ଲୋକଙ୍କୁ ଇଡି ସମନ କରିବାର ସମ୍ଭାବନା ଅଛି । ଏହାର ତାଲିକା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ଜୋରଦାର ତଦନ୍ତ ! ଏବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ED

ଏହା ଛଡ଼ା ଅର୍ଚ୍ଚନାକୁ ମଧ୍ୟ ରିମାଣ୍ଡରେ ଆଣିପାରେ ଇଡି । ତେଣୁ ଆଜି କୋର୍ଟରେ ପ୍ରଡକ୍ସନ ରିମାଣ୍ଡ ପିଟିସନ ଦାଖଲ କରାଯିବ ବୋଲି ଜଣାପଡ଼ିଛି । ଖଗେଶ୍ୱର ପାତ୍ରକୁ ମଧ୍ୟ ଆଉ ଥରେ ରିମାଣ୍ଡରେ ଆଣିପାରେ । ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ତିନି ଦିନିଆ ରିମାଣ୍ଡ ସରୁଛି । ଆଗକୁ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରାଯିବ । ଗତକାଲି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ମାରାଥନ ଜେରା କରାଯାଇଥିଲା ।