ଆଖିବୁଜିଲେ ବାଲେଶ୍ୱର ଏସିଡ୍ ପୀଡିତା; ଜହ୍ଲାଦ ସ୍ୱାମୀକୁ ଫାଶି ଦେବାକୁ ଦାବି

ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।

ଚନ୍ଦନକୁ ଫାଶି ଦେବାକୁ ପରିବାରର ଦାବି

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବନିତା । ଆଖିବୁଜିଲେ ବାଲେଶ୍ୱର ଏସିଡ୍ ପୀଡିତା। ୬ ଦିନ ଧରି ହସପିଟାଲ ବେଡରେ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଜୀବନ ଚାଲିଯାଇଛି। ଆଖିବୁଜିଛନ୍ତି ବାଲେଶ୍ୱର ଭୀମପୁରାର ଏସିଡ୍ ପୀଡିତା ବନିତା ସିଂ ।

ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଆଖି ଆଗରେ ଝିଅକୁ ଜଳି ପୋଡି ପ୍ରାଣ ହରାଉଥିବା ଦେଖି କୋହ ସମ୍ଭାଳି ପାରୁନାହାଁନ୍ତି ବାପା ।

ବାଲେଶ୍ୱର ସହଦେବଖୁଣ୍ଟା ଭୀମପୁରା ଅଞ୍ଚଳର ବନିତାଙ୍କୁ ପ୍ରେମ ବିବାହ କରିଥିଲେ ଚନ୍ଦନ ରଣା । କିନ୍ତୁ ପରେ ବନିତା ଜାଣିପାରିଥିଲେ ଯେ, ଚନ୍ଦନ ଆଗରୁ ବାହା ହୋଇଛନ୍ତି ଓ ତାଙ୍କର ଦୁଇଟି ପିଲା ଅଛନ୍ତି । ଏହା ଜାଣିବା ପରେ ବାପଘରକୁ ପଳାଇ ଆସିଥିଲେ ବନିତା । ଘଟଣା ଦିନ ଭୀମପୁରା ଗାଁରେ ରହୁଥିବା ବଡ଼ ଭଉଣୀଙ୍କ ଘରେ ଥିଲେ ବନିତା ।

ସେଠାକୁ ଆସି ଚନ୍ଦନ, ବନିତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହା ପରେ ହଠାତ ଉତକ୍ଷିପ୍ତ ହୋଇ ସେ ବନିତାଙ୍କ ଉପରକୁ ଏସିଡ ଫିଙ୍ଗି ଦେଇଥିଲା। ଏସିଡ୍ ମାଡରେ ଭଉଣୀ ବର୍ଷା ଓ ଦୁଇ ଛୁଆ ମଧ୍ୟ ଆହତ ହୋଇଥିଲେ । ବନିତା ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ । ବନିତାଙ୍କ ମୃତ୍ୟୁ ହେବା ପରେ ଅଭିଯୁକ୍ତ ସ୍ୱାମୀ ଚନ୍ଦନକୁ ଫାଶି ଦେବାକୁ ଦାବି କରିଛନ୍ତି ପରିବାର ।

ଏବେ ପ୍ରଶ୍ନ ଉଠୁଛି କୁଆଡେ ଗଲା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ? ଘଟଣାକୁ ୬ ଦିନ ବିତିଯାଇଥିଲେ ବି କାହିଁକି ତା ପାଖରେ ପହଞ୍ଚିପାରିନି ପୋଲିସ ? ଏସ୍ପି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଏବେ ରାଜ୍ୟ ବାହାରକୁ ଚାଲିଯାଇଛି । ଆନ୍ତଃରାଜ୍ୟ ପୋଲିସ ସହାୟତାରେ ଟିମ୍ ଗଠନ କରି ତାକୁ ଧରିବାକୁ ଉଦ୍ୟମ କରାଯାଉଛି।

NCRBର ରିପୋର୍ଟ କହୁଛି, ଦେଶରେ ୨୦୧୯ରେ ୧୫୦, ୨୦୨୦ରେ ୧୦୫ ଏବଂ ୨୦୨୧ରେ ୧୦୨ଟି ଏସିଡ୍ ଆକ୍ରମଣ ମାମଲା ରେକର୍ଡ ହୋଇଛି । ଗମ୍ଭୀର ସ୍ଥିତିକୁ ଦେଖି ‘ଏସିଡ’ ଆଟାକ୍ ମାମଲାରେ ତୁରନ୍ତ ନ୍ୟାୟ ଦେବାକୁ ୨୦୧୫ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସେପଟେ ଏସିଡ୍ କିଣାବିକାକୁ ନେଇ ୨୦୧୩ରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ ସବୋର୍ଚ୍ଚ ଅଦାଲତା କହିଥିଲେ, ବିନା ଉପଯୁକ୍ତ କାଗଜପତ୍ରରେ ବିକ୍ରି ହେବନି ଏସିଡ୍ । ଏତେସବୁ ସତ୍ତ୍ୱେ ବି ଏସିଡ୍ ଆକ୍ରମଣ ଉପରେ ଲଗାମ ଲାଗିପାରୁନି ।