ଏସିଡ୍ ମାଡ଼ରେ ଗୁରୁତର ଆହତ ହୋଇଥିବା ବାଲେଶ୍ୱର ଜିଲ୍ଲା ର ବନିତା ଶେଷରେ ଆଖି ବୁଜିଛନ୍ତି। ୬ ଦିନ ଧରି ସଂଘର୍ଷ ପରେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।
ସୂଚନାଥାଉ କି, ଗତ ୨୦ ତାରିଖରେ ସ୍ୱାମୀ ଚନ୍ଦନ ରଣା ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ। ଅଭିଯୋଗ ଅନୁସାରେ, ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ବନିତାଙ୍କୁ ଚନ୍ଦନ ପ୍ରେମ ବିବାହ କରିଥିଲେ। କିନ୍ତୁ ପରେ ବନିତା ଜାଣିପାରିଥିଲେ ଯେ, ଚନ୍ଦନ ପୂର୍ବରୁ ବାହା ହୋଇଛନ୍ତି ଓ ତାଙ୍କର ଦୁଇଟି ପିଲା ଅଛନ୍ତି। ଏହା ଜାଣିବା ପରେ ବନିତା ବାପ ଘରକୁ ପଳାଇ ଆସିଥିଲେ।
ଘଟଣା ଦିନ ଭୀମପୁରା ଗାଁରେ ରହୁଥିବା ବଡ଼ ଭଉଣୀଙ୍କ ଘରେ ବନିତା ଥିଲେ। ସେଠାକୁ ଆସି ଚନ୍ଦନ ବନିତାଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିଥିଲେ। ଏହାପରେ ହଠାତ୍ ଉତ୍କ୍ଷିପ୍ତ ହୋଇ ସେ ବନିତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ବନିତା ।
ବନିତାଙ୍କ ଶରୀରର ପ୍ରାୟ ୮୦% ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲା। ଦୁଃଖଦ ଘଟଣା ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ, ଏବେ ବି ଚନ୍ଦନ ପୋଲିସ ହାତରେ ଧରାପଡ଼ି ନଥିବା ବେଳେ ୨ ଜଣଙ୍କୁ ପୋଲିସ ଗିରଫ କରିଛି।