ଗୋରୁ ମାଂସ ବୋଝେଇ ଟ୍ରକ ଜବତ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା-ବାଲିଆପାଳ ମୁଖ୍ୟ ରାସ୍ତାର ପୁଟୁରା ଛକ ନିକଟରୁ ଜବତ କଲା ସିଂଲା ଥାନା ପୋଲିସ । ଏହି ଟ୍ରକରେ ୫ ଟନରୁ ଅଧିକ ଗୋ-ମାଂସ ଥିବା ପୋଲିସ ଅନୁମାନ କରୁଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଟ୍ରକ ଭଦ୍ରକ ଅଞ୍ଚଳରୁ ଗୋ-ମାଂସ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ୬୦ ନମ୍ବର ଜାତୀୟ ରାଜପଥର ଗାନ୍ଧୀ ଛକ ନିକଟରେ ରାସ୍ତା ଅବରୋଧ କରି ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଟ୍ରକଟି ରାଜପଥରେ ନଯାଇ ବାଲିଆପାଳ ରାସ୍ତା ଦେଇ ଖସି ଯିବାକୁ ଉଦ୍ୟମ କରିଥିଲା । ଟ୍ରକଟି ଦ୍ରୁତ ଗତିରେ ଯାଉଥିବା ବେଳେ ଘନ କୁହୁଡି ଯୋଗୁଁ ପୁଟୁରା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଇ ଅଟକି ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ହେବା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଏବଂ ହେଲପର ଚମ୍ପଟ ମାରିଥିଲେ । ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରି ଥାନାକୁ ଆଣିଛି ।
ପ୍ରତିଦିନ ରାଜପଥ ଦେଇ ବହୁ ସଂଖ୍ୟାରେ ଗୋ-ମାଂସ ବୋଝେଇ ଗାଡ଼ି ପଶ୍ଚିମବଙ୍ଗକୁ ଯାଉଛି ବୋଲି ଅଭିଯୋଗ କରୁଛନ୍ତି ବଜରଙ୍ଗ ଦଳ କର୍ମକର୍ତ୍ତା । ଗୋ- ମାଂସ ପଶ୍ଚିମବଙ୍ଗକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଛି । ଅନେକ ଥାନା ଅତିକ୍ରମ କରି ଗୋ-ମାଂସ ଚାଲାଣକାରୀମାନେ ଅନାୟସରେ ଓଡ଼ିଶାରୁ ଯାଇ ପଶ୍ଚିମବଙ୍ଗରେ ପହଞ୍ଚୁଛନ୍ତି । ଏଥିରେ ସଂପୃକ୍ତ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ବଜରଙ୍ଗ ଦଳର କର୍ମକର୍ତ୍ତା ।
ଅଧିକ ପଢ଼ନ୍ତୁ: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର
କଟକ ଜିଲ୍ଲା ତିଗିରିଆର ବାରମାଣ ଜଙ୍ଗଲ ନିକଟରୁ ଗୋ-ମାଂସ ବେଆଇନ ଭାବେ ଚାଲାଣ କରାଯାଉଥିବାର ମଧ୍ୟ ଅଭିଯୋଗ ହୋଇଛି । ଏତେ ପରିମାଣର ଗୋ-ମାଂସ ଚାଲାଣ ହୋଇଛି ଯେ, ପାହାଡ଼ ଭଳି ପଡିରହିଛି ଗୋରୁଗାଈଙ୍କ ହାଡ଼ । ପୋଲିସ ଏହି ଘଟଣାରେ ତଦନ୍ତ କରୁଛି । ତେବେ ଗୋ-ମାଂସ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ନା ରାଜ୍ୟ ଭିତରେ ବିଭିନ୍ନ ଜିଲ୍ଲାକୁ ବି ପଠାଯାଉଥିଲା, ତାହା ଜଣାପଡିନାହିଁ ।
ତେବେ ଅନ୍ୟ ଏକ ଘଟଣାରେ, ଭଲ ମଟନ୍ ମିଲ୍ ପାଇଁ ପ୍ରସିଦ୍ଧି ଲାଭ କରିଥିବା ସାକ୍ଷୀଗୋପାଳର ଜୟା ହୋଟେଲ୍ ବିବାଦ ଘେରକୁ ଆସିଛି । ପୁରୀ ଜିଲ୍ଲାରେ ଧରା ପଡିଥିବା ଜଣେ ଗୋ-ମାଂସ ବେପାରୀ ଏହି ହୋଟେଲକୁ ଗୋ-ମାଂସ ଦେଉଥିବାର କହିଛି । ଏହା ପରେ ଆରମ୍ଭ ହୋଇଛି ତନାଘନା ।
ଜୟା ହୋଟେଲରେ ଗୋମାଂସ ଅଭିଯୋଗ ମାମଲାରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଜୟା ହୋଟେଲ ପରିସରରେ ଲାଗୁ ହୋଇଛି ୧୬୩ ଧାରା। ଏହି ହୋଟେଲ ଠାରୁ ୧ କିଲୋମିଟର ପରିଧିରେ କଟକଣା ଜାରି କରିଛି ପୁରୀ ଜିଲ୍ଲା ପ୍ରଶାସନ। ଜୟା ହୋଟେଲରେ ଗୋମାଂସ ଅଭିଯୋଗ ନେଇ ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଭାଇରାଲ୍ ପରେ ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ହୋଟେଲକୁ ସିଲ୍ କରିଥିଲା ପ୍ରଶାସନ। ଏହାସହିତ ରନ୍ଧା ଯାଇଥିବା ମାଂସ ନମୂନାକୁ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଛି ।