• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲେଡି ବ୍ଲାକ୍‌ମେଲ ର୍ ଅର୍ଚ୍ଚନାର ଏଣ୍ଡେଭର୍ କାର୍ ଲିଙ୍କ୍‌ର ଖୋଲୁଛି ଗୁମର । କାର୍ କିଣା ବାବଦକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁରାଗ୍ ଲାଗିଛି ଇଡି ହାତରେ । ମିଳିଥିବା ସୂଚନା ଅନୁଯାୟୀ ଉପହାର ସୂତ୍ରରେ କାର୍ କିଣିବାକୁ ଟଙ୍କା ଆସିଥିଲା ଅର୍ଚ୍ଚନା ଆକାଉଣ୍ଟକୁ ।

ତେବେ କିଏ ଓ କେଉଁ ସ୍ୱାର୍ଥରେ ଦେଇଥିଲେ ଏତେ ଟଙ୍କା, ଇଡି ତାର ତନାଘନା କରିବା ସହ ଗତ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟକୁ ଆସିଥିବା ଅଢ଼େଇ କୋଟିର ବି ଖୋଳତାଡ଼ କରୁଛି । ଏସବୁ ଭିତରେ ନାଗ-ଚାନ୍ଦ ଦମ୍ପତିଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଠୁ ୧୦ ଦିନିଆ ରିମାଣ୍ଡ ଭିତରେ ଇଡି ବହୁ ତଥ୍ୟ ହାତେଇବା ସହ ୧୨ ଜଣଙ୍କୁ ନୋଟିସ୍ କରିଛି ।

ଅଧିକ ପଢ଼ନ୍ତୁ: ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର

ନାଗ-ଚାନ୍ଦ ଦମ୍ପତିଙ୍କ ସହ ପ୍ରଭାବଶାଳୀଙ୍କ ଭାବ-ପୀରତିର ଭଣ୍ଡାଫୋଡ୍ କରିବ ଏଣ୍ଡେଭର୍ । ଏହି କାର୍ ଖୋଲିବ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍‌ର କଳାଚିଠା । ଗତ ରାତିରେ ନମ୍ବର ବିହୀନ ଅବସ୍ଥାରେ ଏହି କାର୍‌ ଠାବ ହୋଇଥିଲା ଭୁବନେଶ୍ୱର ମଞ୍ଚେଶ୍ୱରରୁ । ପୂର୍ବରୁ ଜଗବନ୍ଧୁ ଓ ଅର୍ଚ୍ଚନା ଯେତେବେଳେ ଏହି କାର୍ ସହ ସେଲ୍ଫି ନେଇଥିଲେ, ସେହି ଫଟୋରେ ସ୍ପଷ୍ଟ ଦେଖାଯାଉଛି ନମ୍ବର ପ୍ଲେଟ୍ । କିନ୍ତୁ ଗତ ରାତିରେ ଠାବ ହେବାବେଳକୁ କାର୍‌ରେ ନଥିଲା ନମ୍ବର ପ୍ଲେଟ୍ ।

ଆଜି କିନ୍ତୁ ରହସ୍ୟଜନକ ଭାବେ ପୁଣି ନମ୍ବର ପ୍ଲେଟ୍ ମିଳିଛି କାର୍ ଭିତରୁ । କିଏ କରୁଥିଲା ଏହି ନମ୍ବରପ୍ଲେଟ୍ କାରସାଦି ? ଏବେ ବି ସକ୍ରିୟ ରହିଛନ୍ତି କି ନାଗ-ଚାନ୍ଦ ଦମ୍ପତିଙ୍କ କ୍ରାଇମ ସିଣ୍ଡିକେଟ ସଦସ୍ୟ? ଫୋର୍ଡ କମ୍ପାନୀର ଏହି ଅଟୋମେଟିକ୍ ଏଣ୍ଡେଭର୍ କାର୍‌ର ଦାମ୍ ୩୬ ଲକ୍ଷ । ଯାହାର ମାଲିକାଣୀ ଅର୍ଚ୍ଚନା ନାଗ୍ । 

ମିଳିଥିବା ପ୍ରାଥମିକ ସୂଚନାରୁ, ଏହି କାର୍‌କୁ ୨୦୨୦ରେ କିଣିଥିଲା ଅର୍ଚ୍ଚନା । ତେବେ କୌଣସି ଆଖିଦୃଶିଆ ଆୟ ନଥାଇ ଅର୍ଚ୍ଚନା ପାଖକୁ ଏତେ ଟଙ୍କା ଆସିଲା କେଉଁଠୁ? କୁହାଯାଉଛି, ବିଭିନ୍ନ ସମୟରେ ୪୦ ଲକ୍ଷରୁ ଅଧିକ ଟଙ୍କା ଡିପୋଜିଟ୍ ହୋଇଛି ଅର୍ଚ୍ଚନାର ବ୍ୟାଙ୍କ ଅାକାଉଣ୍ଟରେ । ଚର୍ଚ୍ଚା ହେଉଛି, ଅନେକ ସମୟରେ ଉପହାର ସୂତ୍ରରେ ପାଇଥିବା ଟଙ୍କାରେ ଏହି କାର୍ କିଣିଥିଲା ଅର୍ଚ୍ଚନା ।  ତେବେ କିଏ ଦେଇଥିଲା ଏହି ଉପହାର? ଇଡି ସେ ଦିଗକୁ ସସ୍‌ପେନ୍ସ ରଖିଛି ।  

କେତେ ଗଭୀରକୁ ଯାଇଛି ନାଗ-ଚାନ୍ଦଙ୍କ କଳା ସାମ୍ରାଜ୍ୟର ଚେର? ଗତ ୨ ସପ୍ତାହ ହେଲାଣି ଘାଣ୍ଟୁଛି ଇଡି । ଗତ ୫ ବର୍ଷ ଭିତରେ ନାଗ-ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟରେ କ୍ୟାସ୍ ଡିପୋଜିଟ୍ ହୋଇଛି ପ୍ରାୟ ଅଢ଼େଇ କୋଟି । ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଡିପୋଜିଟ୍ ହୋଇଛି ଏସବୁ । ଏହାର ତଦନ୍ତ ପାଇଁ ହେଉଛି ବ୍ୟାଙ୍କ ଓ ଏଟିଏମ୍‌ର ସିସିଟିଭି ଫୁଟେଜ୍ ଯାଞ୍ଚ । 

ସେପଟେ ପୋଲିସକୁ ଚକମା ଦେଇଥିବା ଖଗେଶ୍ୱର ପାତ୍ରକୁ ଧରି ଗତ ୧୦ ଦିନ ହେଲା ରିମାଣ୍ଡରେ ନେଇ ତଥ୍ୟ ଉଗାଳିଛି ଇଡି । କାଲି କୋର୍ଟରେ ହାଜର କରି ଇଡି ପୁଣି ରିମାଣ୍ଡ ଆବେଦନ କରିପାରେ । ତାପୂର୍ବରୁ ହନିଟ୍ରାପ୍ ଓ ବ୍ଲାକ୍‌ମେଲିଂ ମାମଲାରେ ଇଡି ୧୨ ଜଣଙ୍କୁ ନୋଟିସ୍ କରିଛି । ତାଲିକାରେ ଅଛନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଏଣ୍ଡେଭର୍ କାର୍ ସୋ ରୁମ୍ ମାଲିକ, ରାଜନେତା, ବ୍ୟବସାୟୀ ଓ ପରିବାର ସଦସ୍ୟ । ସେପଟେ ଝାରପଡ଼ା ଜେଲ୍‌ରେ ଆଜି ବି ରବିବାରିଆ ସାକ୍ଷାତ ହୋଇଛି ନାଗ-ଚାନ୍ଦ ଦମ୍ପତିଙ୍କର ।

(ରିପୋର୍ଟ- କଟକରୁ ଗୌତମ ପଣ୍ଡା ଏବଂ ଭୁବନେଶ୍ୱରରୁ ଅତୁଲ୍ୟ ବାଉତ)