ସାବାଡ ହେବେ ବାଲି ମାଫିଆ । ବନ୍ଧା ହେବେ ଲଘୁ ଖଣିଜ ଲୁଟେରା। ବନ୍ଦ ହେବ ସମସ୍ତ ବେଆଇନ ବାଲିଘାଟ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ତମାମ ଚାଲିଛି ଧରପଗଡ । ଦୁଇଦିନ ଭିତରେ ୮୧ ମାମଲା ରୁଜୁ ହେଲାଣି । ଆଗକୁ ଆହୁରି ଜୋରଦାର ଚଢାଉ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଖଣି ମନ୍ତ୍ରୀ କହିଛନ୍ତି ଓଡ଼ିଶାର ସଂପଦକୁ ଲୁଟିବାକୁ ଦିଆଯିବନି ।
ରାଜ୍ୟ ସାରା ସବୁ ଆଡ଼େ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଦେଇ ବହିଯାଇଥିବା ସୁବର୍ଣ୍ଣରେଖା ନଦୀ ପଠାରୁ ବର୍ଷ ବର୍ଷ ଧରି ଚାଲିଛି ଚୋରାରେ ବାଲିଚାଲାଣ । ରାତି ଅଧରେ ବେଧଡ଼କ ଭାବେ ପଡୋଶୀ ପଶ୍ଚିମବଙ୍ଗକୁ ଯାଉଛି ଶହ ଶହ ଟ୍ରକ । ଆଉ ରାୟଗଡ଼ା ଜିଲ୍ଲାର ନାଗାବଳୀ ନଦୀ ଗର୍ଭକୁ ଚିରି ପାଣି ଭିତରୁ ବାଲି ଛାଣିଆଣୁଛନ୍ତି ମାଫିଆ । ଆନ୍ଧ୍ରପ୍ରଦେଶକୁ ବୋହିନେଉଛନ୍ତି କୋଟି କୋଟି ଟଙ୍କାର ବାଲି । ଖାଲି ଏ ଦୁଇଟି ନଦୀ ନୁହେଁ । ବୌଦ୍ଧରୁ ବାରିପଦା...କଟକରୁ କେନ୍ଦୁଝର ପର୍ଯ୍ୟନ୍ତ ଏମାନେ ସବୁଠି ଆକ୍ଟିଭ୍ ।
ମାଫିଆଙ୍କୁ ସାବାଡ଼ କରିବାକୁ ଖୋଦ୍ ପୋଲିସ ଡିଜିଙ୍କ କଡ଼ା ନିର୍ଦ୍ଦେଶ ପରେ ଏବେ ଗ୍ରାଉଣ୍ଡରେ ଚାଲିଛି ଧରପଗଡ଼ । ପୋଲିସଠୁ ରାଜସ୍ବ ବିଭାଗ ପର୍ଯ୍ୟନ୍ତ ସମସ୍ତେ ସତର୍କ ଆଉ ସଜାଗ ହୋଇଗଲେଣି । ଆଉ ଏ ସ୍ପେଶାଲ ଅପରେସନକୁ ମିଳିଛି ବଡ଼ ସଫଳତା । କେବଳ ଜଳେଶ୍ବରରେ ଦୁଇଦିନରେ ୩୩ ଗାଡ଼ି ଜବତ କରିଛି ଜିଲ୍ଲା ପ୍ରଶାସନ। ସେହିଭଳି ବୌଦ୍ଧରେ ୭ଟି ବାଲିବୋଝେଇ ଟ୍ରାକ୍ଟର ଧରାପଡ଼ିଥିବାବେଳେ ଡ୍ରାଇଭର ବି ବନ୍ଧା ହୋଇଛନ୍ତି । ସୂଚନା ଅନୁସାରେ, ଗତକାଲି ସୁଦ୍ଧା ରାଜ୍ୟରେ ୮୧ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ଟି ଗାଡି ଜବତ କରି ୮୮ ଜଣଙ୍କୁ ଗିରଫ କରାଯାଇଛି । ଏବେ ବାଲି ମାଫିଆଙ୍କ ଛାତି ଧଡ଼ଧଡ଼ ହେଲାଣି । ସାଲେପୁରରେ ବାଲିଘାଟରେ ଚଢାଉବେଳେ ପୋଲିସକୁ ଦେଖି ନଦୀକୁ ଡେଇଁପଡ଼ିଥିଲା ଜଣେ ଚାଲାଣକାରୀ ।
ଅଧିକ ପଢ଼ନ୍ତୁ: ବାଲି ମାଫିଆଙ୍କ ସାଂଘାତିକ କାରନାମା, ବଦଳାଇଦେଲେ ନଈର ଗତିପଥ
କେନ୍ଦୁଝର ଜିଲ୍ଲାରେ ବାଲି ମାଫିଆଙ୍କ ଉପରେ ଆକ୍ସନ ଆରମ୍ଭ ହୋଇଛି । ବାଲିଘାଟରେ ପ୍ରଶାସନ ଅଚାନକ ରେଡ୍ କରିଛି । ଜବତ ହୋଇଛି ଟ୍ରାକ୍ଟର, ହାଇୱା ଓ ଜେସିବି। କେନ୍ଦୁଝର ଜିଲ୍ଲାରେ ବୈତରଣୀ ଓ କୁଶେଇ ନଦୀର ବାଲିଘାଟରେ ଚଢ଼ାଉ କରି ଏସବୁ ଗାଡ଼ିକୁ ଜବତ କରିଛି ପ୍ରଶାସନ। ବେଆଇନ୍ ଭାବରେ ବାଲି ଚାଲାଣ ବେଳେ ୭ଟି ଟ୍ରାକ୍ଟର, ୨ଟି ହାଇୱା ଓ ଗୋଟିଏ ଜେସିବି ଜବତ ହୋଇଛି। ବୈତରଣୀ ଓ କୁଶେଇ ନଦୀରେ ୨୦ରୁ ଅଧିକ ବେଆଇନ ବାଲିଘାଟରୁ ଦୈନିକ ଶହ ଶହ ଟ୍ରାକ୍ଟର ଓ ହାଇୱlରେ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ହେଉଥିଲା। ବାଲି ମାଫିଆଙ୍କ ନିୟନ୍ତ୍ରଣରେ ଏହି କାରବାର ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ଓ ଅସନ୍ତୋଷ ପରେ ଆକ୍ସନ ମୋଡକୁ ଆସିଛି କେନ୍ଦୁଝର ଜିଲ୍ଲା ପ୍ରଶାସନ।
ଖଣିମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ଚୋରା ବାଲି ଚାଲାଣ ଉପରେ ରୋକ୍ ଲଗାଇବାକୁ ସରକାର ସମ୍ପୂର୍ଣ୍ଣ ତତ୍ପର । ସବୁ ବିଭାଗ ସହ ସମନ୍ବୟ ରଖି ଲୁଟ ରୋକିବାକୁ ପଦକ୍ଷେପ ନିଆଯାଉଛି । କେବଳ ଆର୍ଥିକ ଦଣ୍ଡ ଦେଲେ ଚାଲାଣକାରୀ ସାବାଡ ହେବେନି । ଏଥିପାଇଁ କଡା ଦଣ୍ଡବିଧାନ ଆଣିବାକୁ ସରକାର ପଦକ୍ଷେପ ନେଉଛନ୍ତି । OISF ଫୋର୍ସ ମଧ୍ୟ ନିୟୋଜିତ ହେବେ । ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ ହେବାକୁ ଦିଆଯିବନି ବୋଲି କହିଛନ୍ତି ଖଣି ମନ୍ତ୍ରୀ । ପୋଲିସର ଧରପଗଡ ଦେଖି ଛାନିଆ ହେଲେଣି ମାଫିଆ । ବଢିଲାଣି ବେଆଇନ ବାଲିଘାଟ ପଛରେ ଥିବା ନେତାଙ୍କ ବ୍ଲଡ ପ୍ରେସର୍ ।
ଅଧିକ ପଢ଼ନ୍ତୁ: ମାଫିଆଙ୍କ କବଜାରେ ମହାନଦୀ, ଜେସିବି ଲଗାଇ ଖୋଳା ଚାଲିଛି
- Reported by:
- CHANDAN PAIKRAY , Ajit Das , DEEPAK KUMAR ADAR , Jagannath Sahu , Maudi Barik