• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ଶୁଭଶ୍ରୀ ମୃତ୍ୟୁ ଘଟଣା । ଶୁଭଶ୍ରୀ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ଯୋଗୁଁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ଯୋଗୁଁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଲେଖାଅଛି । ଏହାସହ ଝୁଲନ୍ତା ଅବସ୍ଥାରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି ।

ତେବେ ହତ୍ୟା ନୁହେଁ ଏହା ଆତ୍ମହତ୍ୟା ବୋଲି ରିପୋର୍ଟରୁ ମଧ୍ୟ ଅନୁମାନ କରାଯାଉଛି । ମୃତଦେହ ପ୍ରଥମେ ଝୁଲନ୍ତା ଅବସ୍ଥାରେ ଥିଲା । ଏହାକୁ କଢ଼ାଯାଇ ବେଡ୍ ଉପରେ ରଖାଯାଇଥିଲା । ମୃତଦେହକୁ ବାହାର କରିବା ଲୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଟଣାରେ ଶୁଭଶ୍ରୀଙ୍କ ଜଣେ ନୟାଗଡ଼ର ପୁରୁଷବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି ଖାରବେଳନଗର ପୋଲିସ । ମୃତ୍ୟୁ ପୂର୍ବରୁ ଶୁଭଶ୍ରୀ ଏକାଧିକ ଥର ତାଙ୍କ ପୁରୁଷ ବନ୍ଧୁଙ୍କୁ ଫୋନ କଲ କରିଥିବାରୁ ଏହାକୁ ନେଇ ତଦନ୍ତ ଚାଲିଛି । ମୃତ୍ୟୁର ପ୍ରାୟ ଅଧଘଣ୍ଟା ପୂର୍ବରୁ ୨୭ ସେକେଣ୍ଡର ଏକ ଫୋନ୍ କଲ୍ ହୋଇଥିବା ଜଣାପଡିଛି । ପୁରୁଷବନ୍ଧୁ ଜଣକ ଘଟଣାସ୍ଥଳକୁ ଯାଇଥିବା ସନ୍ଦେହ କରାଯାଉଛି ।

ରାଜଧାନୀର ଶାସ୍ତ୍ରୀନଗର ଅଞ୍ଚଳରେ ଘଟିଥିବା ଏହି ମର୍ଡର ମାମଲାରେ ଖାରବେଳନଗର ପୋଲିସ୍‌କୁ ଗତକାଲି ବଡ଼ ସୁରାକ ମିଳିଥିଲା । ପୋଲିସ ସୂଚନା ଅନୁସାରେ ଏ ମାମଲାରେ ଅଟକ ଥିବା ନୟାଗଡ଼ ଅଞ୍ଚଳର ଜଣେ ଯୁବକଙ୍କୁ ମୃତ୍ୟୁର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ୭ ଥର କଲ କରିଥିଲେ ଶୁଭଶ୍ରୀ । ଆଉ ଶେଷ କଲରେ ୨୭ ସେକେଣ୍ଡ କଥା ବି ହୋଇଛନ୍ତି।

ପୋଲିସକୁ ଏ ସୂଚନା ମିଳିବା ପରେ ଖାରବେଳନଗର ଥାନାରେ ଅଟକ ଥିବା ସନ୍ଦିଗ୍ଧ ଯୁବକଙ୍କୁ ନିଜେ ପଚରାଉଚରା କରିଛନ୍ତି ଡିସିପି । ସେପଟେ ସଂପୃକ୍ତ ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ମଧ୍ୟ ଚିହ୍ନିଥିବା ସୂଚନା ମିଳିଛି । ପ୍ରଶ୍ନ ଉଠୁଛି, ଏ ମର୍ଡର ପ୍ଲଟ୍ ପଛର କାରଣ କଣ ? ପ୍ରେମ ନା ପୂର୍ବଶତ୍ରୁତା ? ପୋଲିସ ଏସବୁ ଦିଗକୁ ନେଇ ତଦନ୍ତ କରୁଥିବା ବେଳେ ତାଙ୍କ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କହିଛନ୍ତି ଶୁଭଶ୍ରୀଙ୍କ ସ୍ୱାମୀ ।

ଗତ ମଙ୍ଗଳବାର ସଂଧ୍ୟା ପ୍ରାୟ ୭ଟା ବେଳେ ଶାସ୍ତ୍ରୀନଗରର ଅଞ୍ଚଳରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଶୁଭଶ୍ରୀଙ୍କ ସ୍ୱାମୀ ଘରେ ନଥିବା ବେଳେ ତାଙ୍କ ୪ ବର୍ଷର ପୁଅ ପଡୋଶୀଙ୍କ ଘରକୁ ପାଠ ପଢିବାକୁ ଯାଇଥିଲା । ପୁଅ ଘରକୁ ଫେରିବା ବେଳକୁ ଖଟ ଉପରେ ପଡ଼ି ରହିଥିଲେ ମାଆ । ମାଆକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହେବାରୁ ବାପାଙ୍କୁ ଫୋନ୍ କରିଥିଲା ପୁଅ । ପରେ ପାଖ, ପଡୋଶୀଙ୍କୁ ଜଣାଇବାରୁ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।