• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ଚାହୁଁ ଚାହୁଁ ଆକାଉଣ୍ଟରୁ ଗାଏବ ହୋଇ ଗଲା ହଜାରେ କି ଦୁଇ ହଜାର ନୁହେ ପୂରା ୮୫ ହଜାର ଟଙ୍କା । ତା’ପୁଣି ଜଣେ ଦାଦନ ଶ୍ରମିକଙ୍କ ଆକାଉଣ୍ଟରୁ। ୧୦ ମିନିଟ୍ ମଧ୍ୟରେ ଥର ଥର କରି ୪ ଥର ଆକାଉଣ୍ଟରୁ କେମିତି ଏବଂ କିଏ ନେଲା, ସେଇ କଥା ଭାବି ଭାବି ଭୋ ଭୋ ହୋଇ କାନ୍ଦୁଛନ୍ତି ଜଣେ ଯୁବକ। ଦାଦନ ଖଟି ସଞ୍ଚିତ ରଖିଥିବା ଧନ ହଠାତ୍ ଲଗାତାର ଭାବେ ଆକାଉଣ୍ଟରୁ କଟି କଟି ଚାଲିଥିଲା। ତାହା ପୁଣି ବିନା ଓଟିପିରେ ହାତରେ ଧରି ଥିବା ମୋବାଇଲରୁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନସ୍ଥ ବିଜୟନଗର ପଞ୍ଚାୟତ ବିଜୟନଗର ଗାଁରେ।

ବିଜୟ ନଗର ଗାଁର ବଳରାମ ସାହାଣୀଙ୍କ ପୁଅ ପଦ୍ମଲୋଚନ ସାହାଣୀ। ଗାଁ ନିକଟରେ ଥିବା ଏକ ମନ୍ଦିରରେ ସାଙ୍ଗ ମାନଙ୍କ ସହିତ ଖୁସିମଜାରେ ବ୍ୟସ୍ତ ଥିଲେ। ଠିକ୍ ଏଇ ସମୟରେ ସବୁ କିଛି ଓଲଟପାଲଟ ହୋଇଗଲା। ଥରକୁ ଥର ଟଙ୍କା କଟୁ ଥିବା ମେସେଜ ମୋବାଇଲକୁ ଆସିଥିଲା। ମୋବାଇଲରେ କିଛି ଓଟିପି ନ ଦେଇ ୮୫ ହଜାର ଟଙ୍କା କେମିତି କଟିଲା ସାଥୀରେ ଥିବା ବନ୍ଧୁମାନଙ୍କ ନିକଟରେ କହିଲା ପରେ ଏହାକୁ ଵିଶ୍ଵାସ ନକରି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଏମିତି ପୁଣି ଗୋଟିଏ ଆକାଉଣ୍ଟରେ ନ କଟି ଲଗାତାର ଭାବେ ତାଙ୍କର ଦୁଇଟି ଆକାଉଣ୍ଟରୁ କଟି ଚାଲି ଥିଲା । ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ମୋଟ ୮୫ ହଜାର ଟଙ୍କା କୁଆଡେ ଉଭାନ ହୋଇ ଗଲା।

HDFC ବ୍ୟାଙ୍କରେ ଥିବା ଦୁଇଟି ପୃଥକ ଆକାଉଣ୍ଟରୁ କେମିତି ବିନା ଓଟିପିରେ ଟଙ୍କା ଗାଏବ ହୋଇଗଲା, କେହି କିଛି ବୁଝିପାରୁନାହାଁନ୍ତି। ଯାହାକୁ ନେଇ ପଦ୍ମଲୋଚନ ଖାଇବା ପିଇଵା ଭୁଲି ଗଲେଣି। ବାହାରେ ଦାଦନ ଖଟି ରଖିଥିଲେ ଟଙ୍କା, କିନ୍ତୁ ଖର୍ଚ୍ଚ କରିଵା ପୂର୍ବରୁ ଘର ତିଆରି ଏବଂ ପିଲାଙ୍କ ପାଠପଢା ପାଇଁ ଯାହା ସବୁ ଥିଲା ଦୁଇଟି ଆକାଉଣ୍ଟରୁ ସବୁ ଟଙ୍କା ୨୬ ତାରିଖରେ କଟି ଯାଇଥିଲା। କରେଣ୍ଟ ଆକାଉଣ୍ଟରୁ ୭ ଶହ, ପରେ ୪୧ ହଜାର, ପୁଣି ୩୯ ହଜାର ଏବଂ ଅନ୍ୟ ଏକ ସେଭିଂ ଆକାଉଣ୍ଟରୁ ୪ ହଜାର ୩ ଶହ ଟଙ୍କା କଟି ଥିବା ମେସେଜ ଆସି ଥିଲା। ସ୍କ୍ରିନ୍ ସଟ୍ ନେବାର କିଛି ମିନିଟ ସମୟ ଅନ୍ତରରେ ମୋବାଇଲରେ ଥିବା ମେସେଜ ଇନ୍ ବକ୍ସରୁ ମଧ୍ୟ ଅଟୋମେଟିକ ଡିଲିଟି ହୋଇଯାଇଥିଲା।

ଇତି ମଧ୍ୟରେ ସପ୍ତାହେ ଵିତିବାକୁ ବସିଲାଣି। ଥାନାଠୁ ବ୍ୟାଙ୍କ ଓ ବ୍ୟାଙ୍କଠୁ ଥାନାକୁ ଯାଇ ଯାଇ ହତାଶ ପଡିଲେଣି ପଦ୍ମ ଲୋଚନ ସାହାଣୀ। ପାସ୍‌ବୁକ୍ ପ୍ରିଣ୍ଟ କରି ଦେଖିବା ବେଳେ ସୂତାର ପେଟ୍ରୋଲିୟମ ୪୧ ହଜାର, ହିମାଂଶୁ ଫିୱେଲ ୩୯ ହଜାର ଏବଂ ୭ ଶହ ଟଙ୍କା ଉଠାଣ ପରେ ଆଉ ୧୯୨ ଟଙ୍କା ଖାତାରେ ଜମା ରହିଥିଲା। ସେହିପରି ଅନ୍ୟ ଏକ ଖାତାକୁ ହିମାଂଶୁ ଫିୱେଲ ୪ ହଜାର ୩୦୦ ଟଙ୍କା ଉଠାଣ କରିଥିବା ବେଳେ ଆକାଉଣ୍ଟରେ ୨୧ ଟଙ୍କା ଥିଲା। ତାଙ୍କର ଏଭଳି ଅବସ୍ଥା ଦେଖି ଭିନ୍ନକ୍ଷମ ବାପା ଦୁଃଖରେ ଭାଙ୍ଗି ପଡିଛନ୍ତି। ମା’ ମଧ୍ୟ ଏପରି ସ୍ଥିତିରେ ପୁଅର ସଞ୍ଚୟ ଧନ ଫେରି ପାଇବାକୁ ଗୁହାରି କରିଛନ୍ତି। ତୁରନ୍ତ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ପଦ୍ମଲୋଚନ।

ପେଟରୁ କାଟି ଏବଂ ପକେଟ୍ ଖର୍ଚ୍ଚକୁ ବଞ୍ଚାଇ ରଖିଥିବା ଯୁବକ ସ୍ତ୍ରୀ, ପିଲାଛୁଆ ଏବଂ ବାପ ମା'ଙ୍କୁ ନେଇ କେମିତି ପରିବାର ପ୍ରତିପୋଷଣ କରିବେ ଏବେ ଚିନ୍ତାର କାରଣ ହୋଇଛି। ସବୁ ସ୍ଵପ୍ନ ସବୁ ଏବେ ଧୂଳି ସାତ ହୋଇ ଯାଇଛି । ବିନା ସ୍କାନ ଏବଂ ବିନା ଓଟିପିରେ ଟଙ୍କା କେମିତି ଗାଏବ ହୋଇ ଗଲା,ଏଇ କଥା ଭାବି ଭାବି ନିରାଶ ହୋଇ ପଡ଼ିଛନ୍ତି ଯୁବକ। ଘରେ ରଖିଲେ ଟଙ୍କା ସୁରକ୍ଷିତ ନୁହେଁ । ବ୍ୟାଙ୍କରେ ରଖିଲେ ବି ସୁରକ୍ଷିତ ରହୁ ନାହିଁ। ତେବେ ବ୍ୟାଙ୍କରେ କେଉଁ ଭରସାରେ ଟଙ୍କା ସଞ୍ଜୟ କରିବେ ବୋଲି ଏବେ ପ୍ରଶ୍ନ କରିଛନ୍ତି ପଦ୍ମଲୋଚନଙ୍କ ପରିବାର । କେଉଁ ପରିସ୍ଥିତିରେ କିଏ ନେଲା ଟଙ୍କା ଘଟଣା ସମ୍ପର୍କରେ ଚାନ୍ଦବାଲି HDFC ଶାଖାର ପରିଚାଳକ ତଦନ୍ତ ଚାଲିଥିବା କହିଛନ୍ତି । ଏ ସମ୍ପର୍କରେ ଚାନ୍ଦବାଲି ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି। 

(ରିପୋର୍ଟ- ତ୍ରିଲୋଚନ ସାହୁ, ଚାନ୍ଦବାଲି)

 

OTV is now on Whatsapp

Join and get latest news update delivered to you via whatsapp

Join Now