• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମାଲକାନଗିରି ଥାନାରେ ମଣିଷ ନୁହେଁ, ଗଞ୍ଜା ବନ୍ଧା ହୋଇଛି । ଦୁଇ ଦୁଇଟି ଗଞ୍ଜାର ଗୋଡ଼ରେ ବେଡ଼ି ପଡ଼ିଛି । ସମୟକୁ ଅପେକ୍ଷା କରିଛନ୍ତି ନିରୀହ ଗଞ୍ଜା ଦୁଇଟି । ଖାକି ବାବୁଙ୍କ ବନ୍ଧନରୁ କେବେ ମୁକ୍ତି ପାଇବେ, ଗତ ୨୪ ଘଣ୍ଟା ହେଲା ପଡ଼ିରହିଛନ୍ତି । ଯିଏ ଦେଖୁଛି, ଆଶ୍ଚଯର୍ୟ ହେଉଛି । 

ସମସ୍ତଙ୍କ ମନରେ ପ୍ରଶ୍ନ, ଗଞ୍ଜାକୁ ଥାନାକୁ ଆଣିଲା କିଏ ? ଏହି ଗଞ୍ଜା ଦୁଇଟିର ଭୁଲ୍ ହେଲା ମାଲିକର ନିର୍ଦ୍ଦେଶ ପାଳୁଥିଲେ । ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡା କୁକୁଡ଼ାଗାଲିରେ ସାମିଲ ହୋଇ ଗୋଡ଼ରେ ଛୁରୀ ବାନ୍ଧି ପରସ୍ପରକୁ ଆକ୍ରମଣ ପ୍ରତି ଆକ୍ରମଣ କରୁଥିଲେ । 

ଦର୍ଶକ ଦେଖି କୁରୁଳି ଉଠୁଥିଲେ, ତାଳି ମାଡ଼ କରୁଥିଲେ । ପରମ୍ପରାର ଆଳ ଦେଖାଇ ମଦ ଆଉ ଜୁଆର ଆସର ଜମାଇଥିଲା ମାଲିକ । ହେଲେ ତାହାରି ଭିତରେ ଲହୁଲୁହାଣ ହେଉଥିଲେ ନୀରହ ଗଞ୍ଜା ମାନେ । ଶେଷରେ ଜୀବ ନିଷ୍ଠୁରତା ଆଇନ ଆଧାରରେ ପୋଲିସ ଚଢ଼ାଉ କରିବା ସହ ମାଲିକକୁ ଗିରଫ କରିଛି । ଗଞ୍ଜା ଦୁଇଟିକୁ ଆଣି ଥାନାରେ ରଖିଛି । ତାସହ କୁକୁଡ଼ା ଗାଲିବେଳେ ଗଞ୍ଜା ଗୋଡ଼ରେ ଖଞ୍ଜା ହେଉଥିବା ଛୁରୀକୁ ଜବତ କରିଛି । 

ଅଧିକ ପଢ଼ନ୍ତୁ: ସହର ସାରା ନିଖୋଜ ବିଧାୟକଙ୍କ ନାଆଁରେ ପୋଷ୍ଟର; ଖୋଜି ଆଣିଲେ ମିଳିବ ‘ଗଞ୍ଜା’

ତେବେ ମାଲିକ ସିନା ଦୋଷ କଲା ବୋଲି ଜେଲ୍ ଗଲା, ଏହି ଦୁଇ ଗଞ୍ଜାର ଦୋଷ କଣ ? କେତେଦିନ ଏମିତି ଥାନାରେ ରଖିବ ମାଲକାନଗିରି ପୋଲିସ ? ଏବେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣୁ ଗଞ୍ଜା ଦୁଇଟିକୁ ଆଉ ଜଣେ ବ୍ୟକ୍ତି ପାଖରେ ଜିମାରେ ଛାଡ଼ିବା ପାଇଁ ପୋଲିସ ଉପାୟ ପାଞ୍ଚିଛି ।

କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏମିିତି ବହୁ ଜିଲ୍ଲାର କଳା ଓ ସଂସ୍କୃତି ମଧ୍ୟରେ ଗଞ୍ଜା ଲଢ଼େଇ ଅନ୍ୟତମ । ବଣଜଙ୍ଗଲ ଘେରା ଆଦିବାସୀ ଇଲାକାରେ ଏହି ଶୀତଦିନେ ଆରମ୍ଭ ହୋଇଯାଏ କୁକୁଡ଼ା ଓ ଗଞ୍ଜା ଲଢ଼େଇ । ଯେଉଁଥିରେ ବିଭିନ୍ନ ଅଞ୍ଚଳର କୁକୁଡ଼ା ମାଲିକ ସାମିଲ ହୋଇଥାନ୍ତି । କୁକୁଡ଼ା ଲଢ଼େଇବେଳେ ବାଜିରେ ଲାଗେ ଟଙ୍କା । ମଦ ସହ ଜୁଆର ଆସର ଜମେ । ହଜାର ହଜାର ଟଙ୍କା ଉଡ଼େ ଏହି ଗଞ୍ଜା ଲଢ଼େଇରେ । ଲଢ଼େଇରେ ଯେଉଁ ଗଞ୍ଜା ଜିତେ, ତାହାର ମାଲିକ ମାଲାମାଲ୍ ହୁଏ । 

ତେବେ ପରମ୍ପରା ଆଳରେ ହେଉଥିବା ଏହି ପ୍ରତିଯୋଗିତା ଭିତରେ ନିରୀହ କୁକୁଡ଼ା ଏବଂ ଗଞ୍ଜା ଲହୁଲୁହାଣ ହେବା ସହ ବେଳେବେଳେ ପ୍ରାଣ ହରାନ୍ତି । ତେଣୁ ଜୀବ ନିଷ୍ଠୁରତା ଆଇନ ଆଧାରରେ ଏହା ବେଅାଇନ । ପରମ୍ପରା ଆଳରେ ହେଉଥିବା ଏହି ବେଆଇନ କାର୍ଯ୍ୟକୁ ନେଇ ଏବେ ଭିନ୍ନ ଭିନ୍ନ ମତ ଉଠିଛି ।  

(ରିପୋର୍ଟର- ମାଲକାନଗିରିରୁ ଜିତେନ୍ଦ୍ର ବେଉରା)