Advertisment

Shooter Shot Himself: ସିନିୟର ଆଣିଲେ ଚୋରି ଅଭିଯୋଗ, ସହି ନ ପାରି ନିଜକୁ ଗୁଳି ମାରିଦେଲେ ଛାତ୍ର

ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୪୦ହଜାର ଟଙ୍କା ଚୋରି ନେଇ ଜଣେ ସିନିୟର ଅଭିଯୋଗ ଆଣିଥିଲେ। ଛାତ୍ର ଜଣକ ଚୋରି କରିଥିବା ନେଇ ଅଭିଯୋଗ ହୋଇଥିଲା। ତା ପର ଦିନ ସେ ଅଭ୍ୟାସ ପାଇଁ ଯିବା ପରେ ନିଜକୁ ଗୁଳି କରିଦେଇଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Student Shoots Himself

Student Shoots Himself

ସହିପାରିଲେନି ମିଛ ଅପବାଦ। ଟଙ୍କା ଚୋରି ଅଭିଯୋଗ ଆସିବା ପରେ ନିଜକୁ ଗୁଳି କରିଦେଲେ ୧୭ ବର୍ଷୀୟ ଶୁଟିଂ ଏକାଡେମୀର ଛାତ୍ର। ସିନିୟରଙ୍କ ଟଙ୍କା ଚୋରି ଅଭିଯୋଗ ସହି ନପାରି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମଧ୍ୟପ୍ରଦେଶର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

Advertisment

ରବିବାର ସନ୍ଧ୍ୟାରେ ମଧ୍ୟପ୍ରଦେଶ ଶୁଟିଂ ଏକାଡେମୀରୁ ୧୭ ବର୍ଷୀୟ ଖେଳାଳିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସିନିୟରଙ୍କ ଟଙ୍କା ଚୋରି ଅଭିଯୋଗରେ ସେ ବିବ୍ରତ ଥିଲେ। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଶୁଟିଂ ଏକାଡେମୀରେ ଏହା ହେଉଛି ପ୍ରଥମ ଘଟଣା। ମୃତ ଛାତ୍ର ହେଲେ ଯଥାର୍ଥ ରଘୁବଂଶୀ। ସେ ବାପା-ମା’ଙ୍କର ଏକମାତ୍ର ସନ୍ତାନ। ଚୋରି ଅଭିଯୋଗ ନେଇ ସେ ବାପା ତଥା ଅଶୋକନଗର ଜିଲ୍ଲା କ୍ରୀଡା ଅଧିକାରୀ ଅରୁଣ ରଘୁବଂଶୀଙ୍କୁ ଜଣାଇଥିଲେ। ସେ ଏହି ବିଷୟରେ କଥା ହେବା ପାଇଁ ପୁଅ ପାଖକୁ ୧୮୦ କିଲୋମିଟର ଦୂର ଭୋପାଳ ଆସୁଥିଲେ। ମାତ୍ର ଏହାପୂର୍ବରୁ ସେ ନିଜକୁ ଗୁଳି କରିସାରିଥିଲେ।

ତେବେ ମୃତଦେହ ନିକଟରୁ କୌଣସି ସୁଇସାଇଡ୍ ନୋଟ ମିଳିନି। କିନ୍ତୁ ପୋଲିସ ତାଙ୍କ ହ୍ୱାଟସଆପ୍‌ରୁ ୪୦ହଜାର ଟଙ୍କା ଚୋରି ନେଇ ଆସିଥିବା ଅଭିଯୋଗ ବିଷୟରେ ଜାଣିବାକୁ ପାଇଛି। ରତିବାଡ SHO ଆର ବି ଶର୍ମାଙ୍କ ସୂଚନା ଅନୁଯାୟୀ, ଯଥାର୍ଥ ଦ୍ୱାଦଶ ଶ୍ରେଣୀରେ ପଢୁଥିଲେ। ଦୁଇ ବର୍ଷ ଧରି ଶୁଟିଂ ଏକାଡେମୀରେ ତାଲିମ ନେଉଥିଲେ ଏବଂ ନିକଟରେ ଜାତୀୟ ସ୍ତର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

Advertisment

ଡିସିପି (ଜୋନ୍ -୧) ପ୍ରିୟଙ୍କା ଶୁକ୍ଲା କହିଛନ୍ତି ଯେ, ଏକାଡେମୀର ଜଣେ ୨୧ ବର୍ଷୀୟ ସୁଟର ଯଥାର୍ଥଙ୍କ ବିରୋଧରେ ଚୋରି ଅଭିଯୋଗ ଆଣିଥିଲେ। ତାଙ୍କ ଏସୟୁଭିରେ ରଖାଯାଇଥିବା ୫୦ହଜାରରୁ ୪୦ହଜାର ଟଙ୍କା ଚୋରି କରିଥିବା ସେ ଅଭିଯୋଗ କରିଥିଲେ। ଏନେଇ ସିନିୟର ତାଙ୍କୁ ଧମକଚମକ ଦେବା ସହ ପୋଲିସ ନିକଟରେ ଅଭିଯୋଗ ନ କରିବା ପାଇଁ ତାଗିଦ୍ କରିଥିଲେ। ଏହି ଚୋରି ନେଇ କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ।

ଯଥାର୍ଥଙ୍କ ଦାଦା ନିତିନ ରଘୁବଂଶୀ କହିଛନ୍ତି ଯେ ସେ ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ସୁଇସାଇଡ୍ ନୋଟ୍ ପଠାଇଥିଲେ, ଯିଏ ଏକାଡେମୀର ଜଣେ ଲୋକାଲ୍ ଛାତ୍ର। ସେହି ନୋଟ୍‌ରେ ୬ଜଣ ସିନିୟରଙ୍କ ନାମ ରହିଥିଲା। ଏହି ମେସେଜ୍‌କୁ ତାଙ୍କ ସାଙ୍ଗ ଘର ଲୋକଙ୍କ ନିକଟକୁ ଫରୱାର୍ଡ କରିଦେଇଥିଲେ। ଏ ବିଷୟରେ ଜାଣିବା ପରେ ଯଥାର୍ଥ ଭୟଭୀତ ହୋଇଯାଇଥିଲେ ସୁଦ୍ଧା ଅଭ୍ୟାସରେ ଯୋଗ ଦେବାକୁ ଯାଇଥିଲେ। ତାଙ୍କ ବାପା ତାଙ୍କୁ ଫୋନରେ ଅନେକ ଥର କଥା ହୋଇଥିଲେ ଏବଂ ତାଙ୍କୁ ଦେଖା କରିବାକୁ ବାହାରି ଯାଇଥିଲେ।

ଅଧିକ ପଢ଼ନ୍ତୁ: ଚୋରି ଅଭିଯୋଗ ଆଣିଲେ, ବିବସ୍ତ୍ର କରି ସର୍ଚ୍ଚ କଲେ; ଅପମାନ ସହି ନପାରି ଜୀବନ ହାରିଲେ ଛାତ୍ରୀ

ଡିସିପି ଶୁକ୍ଲା କହିଛନ୍ତି ଯେ, ଏକାଡେମୀର ଖେଳାଳିମାନଙ୍କୁ ସକାଳ ପ୍ରାୟ ୯ଟା ସମୟରେ ବନ୍ଧୁକ ଏବଂ ଗୁଳି ଦିଆଯାଏ। ସେମାନେ ଏହାକୁ ସନ୍ଧ୍ୟା ୬ଟା ପୂର୍ବରୁ ପୁଣି ଜମା କରନ୍ତି। ଏଥିପାଇଁ ଦୁଇଜଣ ପୋଲିସ କନଷ୍ଟେବଳ ଅସ୍ତ୍ରଶସ୍ତ୍ରର ରକ୍ଷଣାବେକ୍ଷଣ କରନ୍ତି ଏବଂ ଗୁଳି ଓ ବନ୍ଧୁକ ବଣ୍ଟନ ବିଷୟରେ ତଦାରଖ କରନ୍ତି। ଯଥାର୍ଥ ୧୨ ଗେଜ୍ ବନ୍ଧୁକ ସହିତ ଅଭ୍ୟାସ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ୫୫ରେ ନିଜକୁ ଗୁଳି କରିଦେଇଥିଲେ। ତାଙ୍କ ଆତ୍ମହତ୍ୟାର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା, କିନ୍ତୁ ସନ୍ଧ୍ୟା ସାଢେ ୫ଟା ପର୍ଯ୍ୟନ୍ତ କେହି ଏହା ଜାଣି ନଥିଲେ।

ଏନେଇ ସୁରକ୍ଷାକର୍ମୀ ପୋଲିସକୁ ସୂଚନା ଦେଇଥିଲେ, ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପରିବାର ଲୋକ ପହଞ୍ଚି ମୃତଦେହକୁ ଅଶୋକନଗରକୁ ନେଇଛନ୍ତି। ପୋଲିସ କହିଛି ଯେ, ତାଙ୍କ ଫୋନକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। SHO ଶର୍ମା କହିଛନ୍ତି ଯେ, ଯଦି ତାଙ୍କ ମୋବାଇଲରେ କୌଣସି ସୁଇସାଇଡ୍ ନୋଟ ଅଛି ତେବେ ଏହାକୁ ଖୋଜାଯିବ। ଯଦି ଏନେଇ କେହି କିଛି ଜାଣନ୍ତି ସେମାନେ ପୋଲିସକୁ ଜଣାଇ ପାରିବେ।

ଅଧିକ ପଢ଼ନ୍ତୁ: ଟିକିଏ ବିଳମ୍ୱ ପାଇଁ ପରୀକ୍ଷା ଦେଇପାରିଲେନି ଛାତ୍ର; କୋହଭରା ଚିଠି ଲେଖି ହାରିଲେ ଜୀବନ

Shooting Madhya Pradesh Student Suicide
Advertisment
Advertisment