Advertisment

ଓଡ଼ିଶାରେ ପିକ୍‌ ସ୍ତରରେ ପହଞ୍ଚିପାରେ କରୋନା ସଂକ୍ରମଣ, ଜାଣନ୍ତୁ କେବେ...

ଦେଶରେ କରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Corona Cases In Odisha

Corona Cases In Odisha

ଦେଶରେ କରୋନା ସଂକ୍ରମଣ ବଢିବା ସହ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ୁଛି। ମୁଖ୍ୟତଃ ରାଜ୍ୟର ୪ ରୁ ୫ଟି ଜିଲ୍ଲାରେ ଅଧିକ ସଂକ୍ରମଣ ହେଉଛି। ଏହାସହ ସବୁ ଜିଲ୍ଲାରେ ଓମିକ୍ରନ୍‌ର ଉପସ୍ଥିତି ବି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। 

Advertisment

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ‘ଦିଲ୍ଲୀ, ମହାରାଷ୍ଟ୍ରରେ ଜାନୁଆରୀ ୧୫ ସୁଦ୍ଧା ସଂକ୍ରମଣ ପିକ୍‌ ନେଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସେହି ଅନୁସାରେ, ଓଡ଼ିଶାରେ ଏହାର ୧୦ରୁ ୧୫ ଦିନ ପରେ ପିକ୍‌ ନେବାର ସମ୍ଭାବନା ରହିଛି। ଏହା ଭିତରେ ଟେଷ୍ଟ ସର୍ଭିଲାନ୍ସ, ଟିକାକରଣକୁ ମଧ୍ୟ ବଢା ଯାଇଛି। ଯେଉଁଭଳି ଭାବେ ଏବେ ସଂକ୍ରମଣ ବଢୁଛି, ଲୋକ ଏହାକୁ ହାଲୁକା ଭାବେ ନ ନେଇ ସଜାଗ ହୁଅନ୍ତୁ।’

କରୋନା ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ICMR ଦ୍ୱାରା ଅନୁମୋଦିତ ଟେଷ୍ଟିଂ କିଟ୍‌ ମାଧ୍ୟମରେ କରୋନା ଟେଷ୍ଟିଂ କରାଯିବା ଉଚିତ୍‌ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

Advertisment

ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିପାରନ୍ତି। ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି।  ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ଜାରି କରିଛନ୍ତି। ତଥାପି ବେକାବୁ କରୋନା। 

ଅନ୍ୟପକ୍ଷେ, ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ଆଜି ବି ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୮୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୮୨୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୦୬ ରହିଛି। 

ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆଜିଠୁ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ । ସାରା ଦେଶରେ ପୂର୍ବ ଭଳି ଟିକାକରଣ ଆଜିଠୁ ପୁଣି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ଆକ୍ରାନ୍ତଙ୍କୁ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ମୋଟ୍ ୧୭ ଲକ୍ଷ ୫୨ ହଜାର ୮୩୮ ଜଣ ପ୍ରିକସନ୍‌ ଡୋଜ୍ ନେବେ। ଜାନୁଆରୀ ଶେଷ ସୁଦ୍ଧା ୫,୨୫,୬୦୭ ଜଣ ପ୍ରିକସନ୍‌ ଡୋଜ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବର୍ତ୍ତମାନ ୩୬୧୬ଟି ସେସନ ସାଇଟ୍‌ରେ ଟିକାକରଣ ଚାଲିଛି। ୩,୬୧୬ଟିରୁ ୧୩୪୦ କେନ୍ଦ୍ରରେ କିଶୋରଙ୍କ ପାଇଁ ଟିକାକରଣ ଚାଲିଛି। ସବୁ ସେସନ ସାଇଟ୍‌ରେ ୨୦% କ୍ଷମତା ବୃଦ୍ଧି କରାଯାଇଛି।

COVID19 Corona Cases In Odisha
Advertisment
Advertisment