• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ତାକୁ ଦେଖି ବଜେଟ୍ ଆକଳନ। ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ଦେଶର ଆୟ-ବ୍ୟୟ ଅଟକଳ ଆସନ୍ତାବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ଅର୍ଥମନ୍ତ୍ରୀ ତାଙ୍କ ହିସାବ ପେଡିରେ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆବର୍ଗ ଓ ଷ୍ଟାର୍ଟଅପ୍ ସହ ଶିଳ୍ପ ଜଗତ ସବୁ କ୍ଷେତ୍ରକୁ ଦେଇଛନ୍ତି ଅଗ୍ରାଧିକାର।  ସହରାଞ୍ଚଳ ବିକାଶ ପାଇଁ ନୂଆକରି ହୋଇଛି ଅର୍ବାନ୍ ଇନଫା  ଫଣ୍ଡର ଘୋଷଣା ଯାହା ପାଇଁ ହୋଇଛି ୧୦ ହଜାର କୋଟିର ବ୍ୟବସ୍ଥା।

ସେହିପରି କୃଷି ଓ କୃଷକଙ୍କ ବିକାଶ ପାଇଁ ଏକାଧିକ ନୂଆ ବ୍ୟବସ୍ଥା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଯୁବ ନିବେଶକଙ୍କ ପାଇଁ ଏଗ୍ରି ଷ୍ଟାର୍ଟଅପ୍ ତିଆରି କରାଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ନ୍ୟାଚୁରାଲ୍ ଫାର୍ମିଂ ପାଇଁ ୧ କୋଟି ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଦେଶରେ ୧୦ ହଜାର ବାୟୋ ଇନପୁଟ୍ ରିସୋର୍ସ ସେଣ୍ଟର ସ୍ଥପନ କରାଯିବ। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚକୁ ସେଣ୍ଟର ଅଫ୍ ଏକ୍ସିଲେନ୍ସି ଭାବେ ବିକଶିତ କରାଯିବ। ୬୩ ହଜାର ପ୍ରାଥମିକ କୃଷି ଋଣ ସୋସାଇଟିକୁ କମ୍ପ୍ୟୁଟରିକରଣ କରାଯିବ। ମତ୍ସ୍ୟଜୀବୀ, ଗୋପାଳକ ଏବଂ ଅନ୍ୟ ସମସ୍ତ ପ୍ରକାର ପଶୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ ୨୦ ଲକ୍ଷ କୋଟି ଋଣ ପ୍ରଦାନ ପାଇଁ ଚଳିତ ବଜେଟରେ ଘୋଷଣା କରିଛନ୍ତି ନିର୍ମଳା।

ସେହିପରି ଅନ୍ୟ ଏକ ବଡ଼ ନିଷ୍ପତ୍ତିକ୍ରମେ ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚତ୍ ପତ୍ର। ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା ରହିବ, ଯେଉଁଥିରେ ୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ। ମଝିରୁ ଉଠାଣ ବ୍ୟବସ୍ଥା ରହିବ ଓ ଏହାର ସୁଧ ହାର ୭.୫% ହେବ। ସେମିତି ଆଉ ଏକ ବଡ଼ ନିଷ୍ପତ୍ତିକ୍ରମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ସୀତାରମଣ।

ଅଧିକ ପଢ଼ନ୍ତୁ: ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

୫୦ଟି ନୂଆ ଏୟାରପୋର୍ଟ ଓ ହେଲି ପୋର୍ଟ ପ୍ରତିଷ୍ଠା କରାଯିବ। KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ। 5Gର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ। ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯ ହଜାର ୭୦୦ କୋଟିର ବ୍ୟବସ୍ଥା ହୋଇଥିବାବେଳେ ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦, ୭୦୦ କୋଟି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ। ଦେଶର ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍। ପିଏମ୍ ଆବାସ୍ ଯୋଜନା ପାଇଁ ଖର୍ଚ୍ଚ ୬୬% ବୃଦ୍ଧି କରାଯାଇଥିବାବେଳେ ଏକଲବ୍ୟ ସ୍କୁଲ ପାଇଁ ୩୮,୮୦୦ ଶିକ୍ଷକ ସଂଖ୍ୟା ବଢ଼ାଯିବ ବୋଲି ସୂଚନା ଦେଇଛନ୍ତି ସୀତାରମଣ।

ବଜେଟରେ ଏଥର ରେଳ ମନ୍ତ୍ରଣାଳୟ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା ହୋଇଛି। ସେଥିରୁ ରେଳେଓ୍ୱର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ରହିବ। ତାସହ ୫୦ଟି ନୂଆ ବିମାନବନ୍ଦର ନିର୍ମାଣ କରାଯିବାକୁ ଲକ୍ଷ୍ୟ ରହିଛି। ଭାରତୀୟ ମିଲେଟ୍ ସଂସ୍ଥାନ ଗଠନ ସହ ୨୦୨୫ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୯%କୁ ଆଣିବାକୁ ଆକଳନ ରଖାଯାଇଛି। ସେପଟେ ଏଥରର ବଜେଟ୍ ଗରିବ, ଚାଷୀ, ମଧ୍ୟମବର୍ଗ, ପଛୁଆବର୍ଗ ସମସ୍ତଙ୍କ ସ୍ବପ୍ନ ପୂରଣ କରିବ ଓ ବଜେଟରେ ସବୁ ବର୍ଗଙ୍କ ପାଇଁ ଅନେକ ପ୍ରୋତ୍ସାହନ ଯୋଜନା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ତାସହ କହିଛନ୍ତି ଏ ବଜେଟ୍ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ସର୍ବାଙ୍ଗିନ ବିକାଶ କରିବା ସହ ବଚତ୍ ଯୋଜନା ସାଧାରଣ ମହିଳାଙ୍କୁ ବଡ଼ ତାକତ୍ ଦେବ। ଭିତ୍ତିଭୂମି ଉପରେ ବଡ଼ ନିବେଶ ବ୍ୟବସ୍ଥା ସହ ଯୁବବର୍ଗଙ୍କୁ ଏହା ରୋଜଗାର ଦେବ। ମଧ୍ୟମବର୍ଗଙ୍କ ସହ ରହିଥିବା ସରକାର ସେମାନଙ୍କୁ ବଡ଼ ଟିକସ ରିହାତି ଦେଇଛି।

 ୨୦୪୭ ସୁଦ୍ଧା ଦେଶରୁ ରକ୍ତହୀନତା ଦୂର ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ସିକଲ୍ସେଲ୍ ଆନେମିଆର ଦୂରୀକରଣ ପାଇଁ ଏକ ମିଶନ କାମ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଏଥିସହ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭% ଆକଳନ କରାଯାଇଛି, ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି ଓ ବିଶ୍ୱରେ ଭାରତ ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଥିବା କହିଥିଲେ ଅର୍ଥମନ୍ତ୍ରୀ। ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦାନ ସହ ୯.୬ କୋଟି ଏଲପିଜି କନେକ୍ସନ ଦିଆଯାଇଥିବା ସୂଚନା ଦେଇଥଲେ ସୀତାରମଣ।