• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ପୂର୍ଣ୍ଣାଙ୍ଗ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି । ୨୦୨୩ -୨୪ ମସିହା ପାଇଁ ସେ ବଜେଟ ଉପସ୍ଥାପନ କରୁଛନ୍ତି । ଏହି ଅବସରରେ ସୀତାରମଣ ଘୋଷଣା କରିଛନ୍ତି ଯେ, ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ । ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ ସିକଲ୍ ସେଲ ଆନେମିଆ ରୋଗ ସମୂଳେ ନାଶ ହେବ ।

ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବଜେଟ୍‌ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୮୯ ହଜାର ୧୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ୮୬ ହଜାର ୧୭୫ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଥିବା ବେଳେ ସ୍ୱାସ୍ଥ୍ୟ ଗବେଷଣା ବିଭାଗକୁ ୨ ହଜାର ୯୮୦ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି ।

ଅଧିକ ପଢ଼ନ୍ତୁ: ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

ନିଜ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଦେଶର ବଡ଼ ବଡ଼ ସହରରେ ଏହି ୧୫୭ ନର୍ସିଂ କଲେଜ ପ୍ରତିଷ୍ଠା ହେବ । ୨୦୧୪ ସୁଦ୍ଧା ଦେଶରେ ଯେଉଁ ୧୫୭ ସ୍ଥାନରେ ମେଡିକାଲ କଲେଜ ଖୋଲାଯାଇଛି ସେଠାରେ ଏହି ନର୍ସିଂ କଲେଜ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ।

୨୦୪୭ ସୁଦ୍ଧା ସିକଲ ସେଲ୍‌ ଆନେମିଆ ରୋଗର ମୂଳ ପୋଛ ପାଇଁ ଚଳିତ ବର୍ଷରୁ ମିଶନ ଆରମ୍ଭ ହେବ । ଏଥିପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯିବ । ଟ୍ରାଇବାଲ ଅଞ୍ଚଳରେ ରହୁଥିବା ପ୍ରାୟ ୦-୪୦ ବର୍ଷ ବୟସର ୭ କୋଟି ଲୋକଙ୍କୁ ଏଥିପାଇଁ ସଚେତନ କରାଯିବ । ରାଜ୍ୟ ସରକାରଙ୍କ ଦ୍ୱାରା ସେମାନଙ୍କର କାଉନ୍‌ସେଲିଂ କରାଯିବାକୁ ମଧ୍ୟ ସ୍ଥିର ହୋଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ICMR ଲ୍ୟାବ୍‌ ଗୁଡ଼ିକ ଗବେଷଣା ପାଇଁ ଅଧିକ ଗୁରୁତ୍ୱ ଦେବେ । ଏହାସହ ବେସରକାରୀ ମେଡିକାଲ କଲେଜ ଏବଂ ଏହାର ଲେକ୍ଚର -ପ୍ରଫେସରଙ୍କ ସହ ମିଶି ଗବେଷଣାକୁ ଆହୁରି ଆଗକୁ ନେବା ସହ ନୂଆ ନୂଆ ଗବେଷଣାର ଯୋଜନା କରାଯାଉଛି । ଅନ୍ୟପଟେ ଗବେଷଣା କ୍ଷେତ୍ରରେ ନିବେଶ କରିବା ପାଇଁ ମଧ୍ୟ ବିଭିନ୍ନ ସଂସ୍ଥାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯିବ ।