• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଧା ରହିଲା ଜଗା ଦର୍ଶନ । ପୁରୀ ଯାଉଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଆହତ ହୋଇଛନ୍ତି। ଯାଜପୁର ପାଣିକୋଇଲି ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଜଗା ଦର୍ଶନ ପାଇଁ ଭଦ୍ରକରୁ ଅଟୋରେ ପୁରୀ ଯାଉଥିଲେ  ଭଦ୍ରକ ଜିଲ୍ଲାର ୩ ପରିବାର । ପାଣିକୋଇଲିର ଏକ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ ।

ସୂଚନା ଅନୁସାରେ ଭଦ୍ରକରୁ ଛୋଟ ଛୁଆ ଓ ମହିଳାଙ୍କ ସମେତ ୭ ଜଣ ଜଗା ଦର୍ଶନ ପାଇଁ ଅଟୋରେ ବାହାରିଥିଲେ ।  ଆଜି ଭୋରରୁ ପୁରୀରେ ପହଞ୍ଚି ଜଗା ଦର୍ଶନ କରିବା ପାଇଁ ଚିନ୍ତା କରିଥିଲେ । ହେଲେ କିଏ ଜାଣିଥିଲା କାଳିଆକୁ ଦେଖିବାର ଆଶା ଆଶାରେ ହିଁ ରହିଯିବ ।  ଅଟୋଟି ଯାଜପୁର ପାଣିକୋଇଲି ଛକ  ଅତିକ୍ରମ କରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍‌ଟି ପିଟି ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚୁରମାର ହୋଇ ଯାଇଥିଲା ।

ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଅଟୋରୁ ସମସ୍ତ ଯାତ୍ରୀଙ୍କୁ ବାହାର କରିଥିଲେ । ହେଲେ ସେତେବେଳକୁ ୨ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷୀୟା ନାବାଳିକା ଓ ୭ ବର୍ଷର ନାବାଳକ ଅଛନ୍ତି  । ସେହିପରି ମୃତକଙ୍କ ମଧ୍ୟରେ ଜଣେ ବିଷମକଟକର ହୋଇଥିବା ବେଳେ ଅନ୍ୟଜଣେ ଭଦ୍ରକ ଜିଲ୍ଲା ସିମୁଳିଆ ଅଞ୍ଚଳର ବୋଲି ଜଣାପଡିଛି । ପୋଲିସ ୨ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

ସମସ୍ତ ଗୁରୁତରଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।