/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749804573.jpg)
ବିମାନ ଦୁର୍ଘଟଣା
ଠିକ୍ ସପ୍ତାହକ ତଳେ ପ୍ରାଣ ହରାଇଥିଲେ ପତ୍ନୀ । ବିମାନ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ବାପାମାଆଙ୍କ ମତ୍ୟୁ ପରେ ଏବେ ତାଙ୍କ ପରିବାରରେ କେବଳ ଦୁଇ ଝିଅ । ଏହି ଅନାଥ ଦୁଇ ଝିଅଙ୍କ ମଧ୍ୟରୁ ଜଣକର ବୟସ ୮ ବର୍ଷ ଓ ଅନ୍ୟ ଜଣକର ବୟସ ୪ ବର୍ଷ । ଏବେ ଅସହାୟ ହୋଇପଡିଛନ୍ତି ଏହି ଦୁଇ ଶିଶୁ ।
ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ଲଣ୍ଡନର ଅର୍ଜୁନ ପାଟୋଲିଆ । ସେ ଲଣ୍ଡନରେ ରୁହନ୍ତି । ଏକ ସପ୍ତାହ ତଳେ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା । ହେଲେ ବଞ୍ଚିଥିବା ବେଳେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଗୋଟିଏ ଅନୁରୋଧ କରିଥିଲେ । ମୋର ଦେହାନ୍ତ ପରେ ମୋ ଚିତାଭସ୍ମକୁ ଗୁଜରାଟର ଆମରେଲି ଜିଲ୍ଲାରେ ଥିବା ଆମ ଗାଁରେ ମୋ ଜନ୍ମସ୍ଥାନରେ ନେଇ ସଂସ୍କାର କରାଇବ ବୋଲି କହିଥିଲେ ପତ୍ନୀ ଭାରତୀବେନ୍ । ପରଲୋକଗତ ପତ୍ନୀଙ୍କ କଥା ରକ୍ଷା କରିବାକୁ ତାଙ୍କ ସ୍ୱାମୀ ଅର୍ଜୁନ ଲଣ୍ଡନରୁ ଗୁଜରାଟ ଆସିଥିଲେ । ଚିତାଭସ୍ମ ପାତ୍ରକୁ ଫୁଲରେ ସଜାଇ ଆଣିଥିଲେ ଗୁଜରାଟର ଆମରେଲିକୁ । ତାଙ୍କ ଗାଁକୁ ଯାଇ ଆତ୍ମୀୟସ୍ୱଜନଙ୍କ ସହ ମିଶି ସଂସ୍କାର ବି କରିଥିଲେ । ଗାଁରେ ସବୁ କାମ ସରିବା ପରେ ସେ ଫେରୁଥିଲେ ଲଣ୍ଡନ ।
ଅଧିକ ପଢ଼ନ୍ତୁ: ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...
ସେ ଭାରତ ଆସିବା ବେଳେ ତାଙ୍କ ଦୁଇ ଝିଅଙ୍କୁ ସାଙ୍ଗରେ ଆଣିନଥିଲେ । କହିଥିଲେ, ତୁମେ ରୁହ, ମୁଁ କାମ ସାରି ଫେରିଆସିବି । ଅର୍ଜୁନ ପତ୍ନୀଙ୍କ କଥା ରଖି ଭାରତ ଆସିଥିଲେ । ହେଲେ ଲଣ୍ଡନ ଫେରିଯିବେ ବୋଲି ଦୁଇ ଝିଅଙ୍କୁ ଦେଇଥିବା କଥା ରଖିପାରିଲେନି । ଜୁନ୍ ୧୨ ତାରିଖରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି ।
ସେହିପରି ରାଜସ୍ଥାନର ପ୍ରତୀକ ଯୋଶୀ ଗତ ୬ ବର୍ଷ ଧରି ଲଣ୍ଡନରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ। ସ୍ୱାମୀଙ୍କ ସହ ଲଣ୍ଡନରେ ରହିବାକୁ ସ୍ତ୍ରୀ ଡାକ୍ତର କୋମି ଦାସ୍ ଦୁଇଦିନ ତଳେ ଚାକିରିରୁ ଇସ୍ତଫା ଦେଇଥିଲେ। ତିନି ପିଲାଙ୍କୁ ନେଇ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲେ ପୂରା ପରିବାର । ହେଲେ ଭୟଙ୍କର ଦୁର୍ଘଟଣାରେ ପ୍ରତୀକଙ୍କ ପରିବାରର ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଭାଗ୍ୟପୂର୍ଣ ଘଟଣାକୁ ନେଇ ଏବେ ଶୋକରେ ବୁଡ଼ିଛି ସାରା ରାଜସ୍ଥାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)