/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748527408.jpg)
ଆମ୍ ବସ୍, ଆମ ବୋଲ ମାନୁନି
ରାଜଧାନୀରେ ପୁଣି ଘାତକ ସାଜିଲା ଯାତ୍ରୀ ପରିବହନର ଲାଇଫଲାଇନ ସାଜିଥିବା ‘ଆମ ବସ୍’ । ଖଣ୍ଡଗିରି ଛକରେ 'ଆମ ବସ୍' ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି । ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ, ଏପଟେ କିନ୍ତୁ କ୍ରୁଟ ଓ ପୋଲିସର ସମସ୍ତ ପ୍ରୟାସ ବିଫଳ । ୩ ମାସରେ ୭୦ ଦୁର୍ଘଟଣା ପରେ ବି ବୋଲ ମାନୁନି "ଆମ ବସ୍" । ଗତକାଲି ଖଣ୍ଡଗିରି ଛକରେ ତୁମୁଳକାଣ୍ଡ ପରେ ଡ୍ରାଇଭର ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।
ରାଜଧାନୀ ଭୁବନେଶ୍ବରରେ ଆମ ବସ୍ ସାଜିଛି କିଲର୍ ବସ । ଗତକାଲି ପୁଣି ଏକ ମୁଣ୍ଡ ନେଇଛି ଆମ ବସ୍ । ଖଣ୍ଡଗିରି ଛକରେ ତ୍ରିନାଥ ବେହେରା ନାମଙ୍କ ଜଣେ ବ୍ୟକ୍ତିଙ୍କୁ ଦଳିଦେଇଛି । ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ସଂପୃକ୍ତ ଡ୍ରାଇଭରକୁ ଗିରଫ କରିଛି । ପୂର୍ବରୁ ପାତ୍ରପଡ଼ା ଓ ନନ୍ଦନକାନନ ଅଂଚଳରେ ଜୀବନ ନେଇ ଥିଲା ଆମ ବସ୍ ।
ଅଧିକ ପଢ଼ନ୍ତୁ: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...
ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକଙ୍କ ଅସନ୍ତୋଷ ବଢୁଥିବା ବେଳେ, କ୍ରୁଟ୍ କର୍ତ୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେଇଥିଲେ । ମାତ୍ର ଦୁର୍ଘଟଣା ଥମିବାର ନାଁ ନେଉନି । ଏମିତି ବେପରୁଆ ଗାଡ଼ି ଚାଳନା ପାଇଁ ୧୮ ଜଣ ଡ୍ରାଇଭରଙ୍କୁ ନିଲମ୍ବନ କରାଯାଇଥିଲେ ମଧ୍ୟ ସୁଫଳ ମିଳିନି । ପୂର୍ବରୁ ଆମ ବସ ଡ୍ରାଇଭରଙ୍କୁ ଗାଡି ଚାଳନା ଟ୍ରେନିଂ ଦେଇଥିଲା ପୋଲିସ । ସୁରକ୍ଷିତ ଚାଳନା ପାଇଁ ସ୍ପିଡ୍ ଗଭର୍ଣ୍ଣାନସର ବି ବ୍ୟବସ୍ଥା ରହିଛି । ହେଲେ ବାରମ୍ବାର ଦୁର୍ଘଟଣା ପ୍ରମାଣିତ କରୁଛି ଯେ, ସବୁ ଯେମିତି ଫୁସ୍ ।
ସ୍ଥିତି ଏପରି ହୋଇଛି ଯେ, ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ ବସକୁ ଦେଖିଲେ ଛାନିଆ ହୋଇପଡୁଛନ୍ତି ରାଜଧାନୀ ବାସିନ୍ଦା । ଡ୍ରାଇଭରଙ୍କ ମଦ୍ୟପାନ ଅଭ୍ୟାସ, ମାନସିକ ଦୁଶ୍ଚିନ୍ତା, କାର୍ଯ୍ୟ ସମୟସୀମା, ଦକ୍ଷ ଓ ଅଭିଜ୍ଞ ଡ୍ରାଇଭର ଅଭାବ କଥାକୁ ପୂର୍ବରୁ ଦାୟୀ କରାଯାଇଥିଲା । ପରେ କ୍ରୁଟ କର୍ତ୍ତୃପକ୍ଷ ଓ ପୋଲିସ ତତ୍ପର ହୋଇ ବିଭିନ୍ନ ନିୟମାବଳୀ କରିଥିଲେ ।
ସହର ମଧ୍ୟରେ ସର୍ବାଧିକ ୪୦ କିମି ଓ ସହର ବାହାରେ ୫୦ କିମି ବେଗରେ ବସ୍ ଚାଳନା ପାଇଁ ନିର୍ଦ୍ଦେଶ ରହିଥିଲା । ଏପରକି ବ୍ୟାଟେରିଚାଳିତ ବସର ବେଗ ୩୫ କିମି ରଖିବାକୁ ନିୟମ ରହିଛି । ସବୁ ଡିପୋ ମାନଙ୍କରେ ବ୍ରିଥ ଆନାଲାଇଜର ବ୍ୟବସ୍ଥା ରହିଛି । ଗାଡି ଛାଡିବା ପୂର୍ବରୁ ଚାଳକମାନେ ମଦ୍ୟପାନ କରିଛନ୍ତି ନା ନାହିଁ ପରୀକ୍ଷା ବି କରାଯାଉଛି । ଏସବୁ ସତ୍ତ୍ବେ ବି ଦୁର୍ଘଟଣା କମିବ କ'ଣ ବଢିଚାଲିଛି । ହେଲେ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି କ୍ରୁଟ କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)