• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ସେହି ଅଘଟଣ । ପୁଣି ସେହି ବାଣ ବିସ୍ଫୋରଣ । କେହି କିଛି ଭାବିବା ପୂର୍ବରୁ ବାଣ ନେଇଗଲା ଚାରି ଚାରି ଜଣଙ୍କ ପ୍ରାଣ । ଖୋର୍ଦ୍ଧା ଜିଲ୍ଲା ଭୁଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣରେ ଆଖିବୁଜି ଦେଇଛନ୍ତି ବାପା, ପୁଅଙ୍କ ସମେତ ୪ ଜଣ ବ୍ୟକ୍ତି । ବାଣ ଭିଡୁ ଭିଡୁ ୪ ଜଣ ଭିଡ଼ି ହୋଇଗଲେ ମରଣର କୋରଡ଼କୁ । ସାରା ଗାଁ ଏବେ ସ୍ତବ୍ଧ । ସମସ୍ତଙ୍କ ମନରେ ଆତଙ୍କ । ଗାଁର ଜନବସତି ଅଞ୍ଚଳରୁ ଅଧ କିଲୋମିଟର ଦୂରରେ ଥିବା ଏକ ଘରେ ଘଟିଥିଲା ଅଘଟଣ ।

ସମୟ ପୂର୍ବାହ୍ନ ସାଢ଼େ ୧୦ଟା । ମିଳିଥିବା ସୂଚନା ଅନୁଯାୟୀ, ସେହି ଘରେ ୮ଜଣ ଏକାଠି ବସି ମାଳ ମାଳ ବାଣ ଭିଡୁଥିଲେ ଲୁଚିଛପି । କିଏ ରକେଟ୍ ବାଣରେ ବାରୁଦ ଭର୍ତ୍ତି କରୁଥିଲେ ତ ଆଉ କିଏ କିଏ ଉପର ଚକ୍ରି ଏବଂ ସଟ୍ ବାଣ ପ୍ରସ୍ତୁତ କରୁଥିଲେ । ଚାରିଆଡ଼େ ଘେରିରହିଥିଲା ବାଣ ପ୍ରସ୍ତୁତି ବାରୁଦ ସହ ଦହନଶୀଳ ସରଞ୍ଜାମ । ତାଆରି ଭିତରେ କ’ଣ ଘଟିଗଲା କେଜାଣି ହଠାତ ପ୍ରଚଣ୍ଡ ଶଦ୍ଦ ସହ ବିସ୍ଫୋରଣ ହୋଇଥିଲା । ଉଡ଼ିଯାଇଥିଲା ଘରେ ଲାଗିଥିବା ଇଟା ସହ ମାଙ୍କଡ଼ା ପଥର । ଘର ଉପରେ ଲାଗିଥିବା ଟିଣ ଚାଦର ୨ଶହ ମିଟର ଦୂରରେ ଛିନ୍‌ଛତ୍ର ହୋଇପଡ଼ିଛି ।

ଅଧିକ ପଢ଼ନ୍ତୁ: କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ

ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଧାଇଁ ଆସିଲା ବେଳକୁ ଘଟଣାସ୍ଥଳରେ ୪ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଥାଇ ବି କୌଶଳକ୍ରମେ ବାହାରି ଆସିଥିଲେ ଘର ଭିତରୁ । ମୃତକମାନେ ହେଲେ ବୃନ୍ଦାବନ ସାହୁ, ବ୍ରଜ ବେହେରା, ସହଦେବ ବେହେରା ଏବଂ ତାଙ୍କ ୨୫ ବର୍ଷିୟ ପୁଅ ନିରଞ୍ଜନ ବେହେରା । ନିରଞ୍ଜନଙ୍କୁ ଛାଡ଼ି ଅନ୍ୟ ୩ ଜଣଙ୍କ ବୟସ ପ୍ରାୟ ୫୫ ବର୍ଷ ଭିତରେ । ବାପ, ପୁଅ ଭୁଷଣ୍ଡପୁରର ହୋଇଥିବା ବେଳେ ଅନ୍ୟମାନେ ନିରାକାରପୁର ଏବଂ କଣାସ ଅଞ୍ଚଳର ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, କାଲି ଦୋଳପୂର୍ଣ୍ଣିମାକୁ ଦେଖି ଏକ ନିଛାଟିଆ ଘରେ ଏହି ୮ ଜଣ ମିଶି ବାଣ ତିଆରି କରୁଥିଲେ । ଏହି ବାଣରେ ହୋଇଥାନ୍ତା ଆତସବାଜି, ଜମିଥାନ୍ତା ବାଣ ରୋଷଣୀର ଖେଳ । କିନ୍ତୁ ସମ୍ପୂର୍ଣ୍ଣ ବେଆଇନ ଭାବେ ଏବଂ ବିନା ଅନୁମତିରେ ତିଆରି ଚାଲିଥିଲା ବାଣ । ତେବେ ଜିଲ୍ଲାପାଳ କହିଛନ୍ତି, କେଉଁଠୁ କଞ୍ଚାମାଲ ଆଣୁଥିଲେ ଏମାନେ, କେମିତି ବେଆଇନ ଭାବେ ଚାଲିଥିଲା ଏଭଳି ବାଣ କାରବାର, ତାହାର ତଦନ୍ତ କରାଯିବ ।

୪ ଆହତଙ୍କ ମଧ୍ୟରୁ ଜଣଙ୍କୁ ଏସ୍‌ସିବି, ଅନ୍ୟ ୨ ଜଣଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଛି । ଏହି ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଆଉ ଜଣଙ୍କୁ ଖୋର୍ଦ୍ଧା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।