/odishatv-khabar/media/post_attachments/uploadimage/library/16_9/16_9_0/BBSR_1738683490.jpg)
BBSR
ରାସ୍ତାରେ ଲୋଟିଛି ସାଇକେଲ୍। ଏବେବି ଆଗରେ ଝୁଲିଛି ବିସ୍କୁଟ ଜରି। ବିସ୍କୁଟ ଖାଇବ ଜିଦ କରି ଆଜି ସକାଳୁ ବଜାର ଯାଇଥିଲା ମୁନୀ। ଆଉ ମନଖୁସିରେ ଘରକୁ ଫେରିବା ବେଳେ କୁନି ଝିଅର ଖୁସିକୁ ଦଇବ ସହିଲାନି। ଆଗରୁ ମାଡ଼ି ଆସିଥିଲା ମୃତ୍ୟୁର ଦୂତ। ଆଉ କୁନି ଝିଅ ଉପରେ ମାଡ଼ିଗଲା। ଆଜି ସକାଳେ ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ଘଟିଥିଲା।
ଦୁର୍ଘଟଣା ପରେ ଡ୍ରାଇଭର ଦ୍ରୁତ ଗତିରେ ବସ ଚଳାଇ ସିଧା ନନ୍ଦନକାନନ ଥାନା ଭିତରେ ଶରଣ ପଶିଥିବା ବେଳେ, ସେହି ବାଟ ଦେଇ ଯାଉଥିବା ଅନ୍ୟ ମୋ’ ବସ ଗୁଡ଼ିକୁ ଅଟଲାଇଥିଲେ ଲୋକେ। ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ସକାଳ ସାଢ଼େ ୮ଟାରୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଗମନା ଗମନ ଦୀର୍ଘ ସମୟ ଧରି ଠପ୍ ହୋଇଯାଇଥିଲା ରାଜଧାନୀର ଏହି ବ୍ୟସ୍ତବହୁଳ ରାସ୍ତାରେ।
ଅଧିକ ପଢ଼ନ୍ତୁ: ବାରବାଟୀ ବ୍ୟାଟେଲ ପାଇଁ କାଉଣ୍ଟଡାଉନ୍; ସ୍ବତନ୍ତ୍ର ପ୍ୟାଭେଲିୟନରେ ମ୍ୟାଚ୍ ଦେଖିବେ ରାଜ୍ୟର ଗୌରବ
ମିଳିଥିବା ସୂଚନା ଅନୁସାରେ, ଏକ ଦୋକାନକୁ ଫୁଲ ଦେବା ପାଇଁ ଓ ବିସ୍କୁଟ ନେବା ପାଇଁ ଆସିଥିଲା ମୀନତି ଓରଫ୍ ମୁନୀ। ସାଇକେଲରେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ଏହାକୁ ନେଇ ଉତ୍ତେଜନା ଦେଖାଦେବା ପରେ ଟ୍ରାଫିକ୍ ଡିସିପି, ଜୋନ୍-୬ ଏସିପି, ନନ୍ଦନକାନନ ଥାନା ଅଧିକାରୀ ଓ କ୍ରୁଟ ଅଧିକାରୀ ପହଞ୍ଚିଥିଲେ। ମୃତକଙ୍କ ମା’ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଥିଲା। ଏଥିସହ ଡ୍ରାଇଭର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ସମ୍ପୃକ୍ତ ଅଞ୍ଚଳରେ ସ୍ପିଡ୍ ବ୍ରେକର ନିର୍ମାଣ ନେଇ ପୋଲିସ ଅଧିକାରୀ ପ୍ରତିଶ୍ରୁତି ଦେବା ପରେ, ହଟିଥିଲା ରାସ୍ତାରୋକ। ଏଥିପାଇଁ ଡ୍ରାଇଭରକୁ ଗିରଫ କରିଛି ପୋଲିସ୍।
ଅଧିକ ପଢ଼ନ୍ତୁ: 'ମୋ ବସ୍' ଚକା ତଳେ ଗଲା ନାବାଳିକା ଜୀବନ; ତାତିଲେ ଲୋକେ
ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦବେଗ। ଗତବର୍ଷ ଚନ୍ଦ୍ରଶେଖରପୁର, କଟକ ନେତାଜୀ ଟର୍ମିନାଲ୍ ଓ ଖୋର୍ଦ୍ଧା ପିତାପଲ୍ଲୀରେ ମୋ ବସ୍ ଦୁର୍ଘଟଣାରେ ଅନେକ ମୃତାହତ ହୋଇଥିବା ବେଳେ ଗତମାସ ଜନପଥରେ ୨ଟି ମୋ ବସ୍ ଘଟାଇଥିଲା ସିରିଜ୍ ଦୁର୍ଘଟଣା। ସେପଟେ ଗତ ନଭେମ୍ବରରେ ବେପରୁଆ ମୋ ବସ୍ ଚାଳନା ସମ୍ପର୍କିତ ମାମଲାର ଶୁଣାଣି ବେଳେ କ୍ରୁଟ୍ ଦେଇଥିବା ସତ୍ୟପାଠକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ସଡ଼କ ସୁରକ୍ଷା କର୍ମୀ ମୋ ବସ୍ ଦୁର୍ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଡ୍ରାଇଭରମାନଙ୍କ ପାଇଁ ବିଭାଗ ପକ୍ଷରୁ ଟ୍ରେନିଂ ଓ ସଚେତନତା କ୍ୟାମ୍ପ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)