• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ସେଦିନ ଥିଲା ଜୁନ୍‌ -୨, ଶୁକ୍ରବାର । ସମୟ ସଂଧ୍ୟା ପ୍ରାୟ ୭ଟା ହେବ । କ୍ଷୀପ୍ର ଗତିରେ ମାଡିଚାଲିଥିଲା କରମଣ୍ଡଳ ଏକ୍ସପ୍ରେସ୍‌ । ହେଲେ ବାଲେଶ୍ୱର ଅତିକ୍ରମ କରି ଯେତେବେଳେ ବାହାନଗା ଷ୍ଟେସନ ପାଖରେ ପହଞ୍ଚିଥିଲା ଠିକ୍‌ ସେହି ସମୟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଆଉ ଏହା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ପ୍ରାୟ ୨୮୮ ଏବଂ ମେଡିକାଲରେ ପ୍ରାୟ ୫ ଜଣଙ୍କ ଜୀବନ ଯାଇଛି । ହେଲେ ଏଯାଏଁ ଅଧିକାଂଶ ପରିବାରକୁ ଶବ ମିଳୁନଥିବାରୁ ମାସେ ହେଲାଣି ଘରେ ଚୁଲି ଜଳୁନି କି ଶୁଦ୍ଧକ୍ରିୟା ହୋଇପାରିନି । ବଡ଼ ଦୁଃଖରେ ଦିନ କାଟୁଛନ୍ତି ତାଙ୍କ ପରିବାର ।

ବାହାନଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ହୋଇପାରୁନଥିବାରୁ ଡେଡବଡିକୁ ଭୁବନେଶ୍ୱର ଏମ୍ସରେ ରଖାଯାଇଛି । ଡେଡ୍‌ବଡିର ଚିହ୍ନଟ ହେବା ପରେ ପରିବାର ପକ୍ଷଙ୍କୁ ଶବ ହସ୍ତାନ୍ତର କରାଯାଉଛି । ହେଲେ ଏହାରି ମଧ୍ୟରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଆଖିରୁ ଝରାଇ ଦେଉଛି ଲୁହ ।

ବାଲେଶ୍ୱର ରେମୁଣା ବ୍ଲକ ପଦାବଡଗାଁର ମଞ୍ଜୁମଣୀ ପାତ୍ରଙ୍କ ଫଟୋ ଧରି ଏବେ କାନ୍ଦୁଛନ୍ତି ତାଙ୍କ ପରିବାର ଲୋକ । ମଞ୍ଜୁମଣୀ ସେଦିନ ଏକାକୀ ଝିଅର ଚିକିତ୍ସା ସଂପର୍କରେ ଡାକ୍ତରଙ୍କ ପରାମର୍ଶ ପାଇଁ କରମଣ୍ଡଳରେ ବାଲେଶ୍ୱରରୁ କଟକ ଯାଉଥିଲେ । ଟ୍ରେନ୍‌ରେ ବସିବା ପରେ ଘରକୁ ବି ଫୋନ କରି ଜଣାଇଥିଲେ । ହେଲେ ଦୃର୍ଘଟଣା ପରେ ମଞ୍ଜୁମଣୀଙ୍କର ପତ୍ତା ମିଳିନଥିଲା । ବହୁ ଖୋଜାଖୋଜି କରିବା ପରେ ପରିବାର ଲୋକ ଜାଣିବାକୁ ପାଇଥିଲେ କି, ମଞ୍ଜୁମଣୀଙ୍କ ମୃତ ଦେହ ଏମ୍ସରେ ଅଛି । ଏମିତିକି ମେଡିକାଲରେ ଥିବା ୧୩୯ ନମ୍ବର ଶବକୁ ନିଜର ବୋଲି ଦାବି କରିଥିଲେ ପରିବାର ଲୋକ ।

ଜାଣି ଆଶ୍ଚର୍ଯ୍ୟ ହେବେ କି, ସେହି ଶବର କେହି ଦାବିଦାର ନଥିବା ବେଳେ ପରିବାର ଲୋକଙ୍କୁ ଡିଏନ ଟେଷ୍ଟ କରିବାକୁ ମେଡିକାଲ କର୍ତ୍ତୃପକ୍ଷ କହିଥିଲେ । ଏହାପରେ ପରିବାର ଲୋକ ଡିଏନଏ ଟେଷ୍ଟ ବି କଲେ । କିନ୍ତୁ ଗତ ୯ ତାରିଖରେ ମଞ୍ଜୁମଣୀଙ୍କ ପୁଅ ଧମେର୍ନ୍ଦ୍ର ଡିଏନଏ ଟେଷ୍ଟ କରିବା ପରେ ଏପର୍ଯ୍ୟନ୍ତ ରିପୋର୍ଟ ଆସିନଥିବା କହି ଫେରାଉଛନ୍ତି କର୍ତ୍ତୃପକ୍ଷ । ଏପଟେ ମାସେ ହେଲାଣି ମାଆଙ୍କ ଶବ ପାଇଁ ଇତସ୍ତତଃ ଭାବରେ ଘୂରି ବୁଲୁଛନ୍ତି ସତ ହେଲେ ଶବ ପାଉନାହାନ୍ତି । ପ୍ରଶାସନକୁ କାନ୍ଦି କାନ୍ଦି ଶବ ଫେରେଇବାକୁ ପରିବାର ଲୋକ ନିବେଦନ କରୁଛନ୍ତି ।

କେବଳ ମଞ୍ଜୁମଣୀଙ୍କ ପରିବାରର ଏଇ ଅବସ୍ଥା ନୁହେଁ ବରଂ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ନିଜ ସମ୍ପର୍କୀୟଙ୍କ ଶବ ପାଉନାହାନ୍ତି । କେବଳ କାନ୍ଦି କାନ୍ଦି ଦିନ କାଟୁଛନ୍ତି ଆଉ ପ୍ରଶାସନକୁ ଅନୁରୋଧ କରୁଛନ୍ତି ଶବ ଫେରାଇ ଦେବାକୁ । 

  • Reported by:
  • RASHMIRANJAN DAS , Niranjan Behera