/odishatv-khabar/media/post_attachments/uploadimage/library/16_9/16_9_0/IMAGE_1731724270.jpg)
ଜୀଅନ୍ତା ଜଳିଗଲେ ୧୦ ଶିଶୁ
ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଶିଶୁ ରୋଗ ୱାର୍ଡରେ ନିଆଁ ଲାଗିବାରୁ ୧୦ ଜଣ ନବଜାତଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସଂଦେହ କରାଯାଉଛି । ହସ୍ପିଟାଲର NICUରେ ପ୍ରଥମେ ନିଆଁ ଲାଗିଥିଲା । ତୁରନ୍ତ ହସ୍ପିଟାଲ କର୍ମଚାରୀ ଝରକା ଭାଙ୍ଗି ରୋଗୀଙ୍କୁ ଉଦ୍ଧାର କରିଥିଲେ ।
ଗତକାଲି ରାତି ପ୍ରାୟ ୧୦ଟା ୩୫ ମିନିଟରେ ନିଆଁ ଲାଗିଥିବା ସୂଚନା ମିଳିଛି । ତେବେ ନିଆଁ ଲାଗିବା ମାତ୍ରେ ଶିଶୁ ରୋଗ ୱାର୍ଡରେ ଥିବା ୩୭ ଜଣଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା । ହସ୍ପିଟାଲରେ ଥିବା ୨ଟି ଶିଶୁରୋଗ ୱାର୍ଡରୁ ଗୋଟିଏ ୱାର୍ଡରେ ନିଆଁ ଲାଗିଥିବା ସୂଚନା ମିଳିଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।
ଏହା ସହ ପଢ଼ନ୍ତୁ: ମଝି ରାସ୍ତାରେ ଫାଟିଲା ଆମ୍ୱୁଲାନ୍ସ ଅକ୍ସିଜେନ୍ ସିଲିଣ୍ଡର; ବର୍ତ୍ତିଗଲେ ଗର୍ଭବତୀ
କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଏହା ଏକ ହୃଦୟବିଦାରକ ଘଟଣା ବୋଲି କହିଛନ୍ତି ଯୋଗୀ ।
ନିଆଁ ଲାଗିବା ପରେ ହସ୍ପିଟାଲ ପରିସରରେ ବହୁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। କିଏ ନିଜ ଛୁଆର ଜଳନ୍ତା ଶରୀର ଧରି ବୁଲୁଥିଲା ତ କିଏ ନିଜ ଛୁଆକୁ ଖୋଜି ଖୋଜି ମୁଣ୍ଡ ପିଟୁଥିଲା। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଯାଞ୍ଚ ରିପୋର୍ଟ ୧୨ ଘଣ୍ଟାରେ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହ ପଢ଼ନ୍ତୁ: ବିଭତ୍ସ, ବର୍ବର, ଭୟଙ୍କର!! ଗାଡ଼ି ମଡ଼ାଇ ୩୫ ଜଣଙ୍କୁ ହତ୍ୟା
ଖାଲି ସେତିକି ନୁହେଁ ଅଗ୍ନିକାଣ୍ଡ ଯୋଗୁଁ ମୃତ ଶିଶୁଙ୍କ ପରିବାର ପାଇଁ ୫ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ଏଥିସହ ଗୁରୁତରଙ୍କ ପରିବାର ନିମନ୍ତେ ୫୦ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ଗତ ରାତିରେ ଘଟିଥିବା ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏନେଇ ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାର ତ୍ରିସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ଯାଞ୍ଚ ସ୍ୱାସ୍ଥ୍ୟ ବିଭାଗ କରିବ। ଦ୍ୱିତୀୟ ଯାଞ୍ଚ ପୋଲିସ୍ ପ୍ରଶାସନ ଓ ଅଗ୍ନିଶମ ବିଭାଗ କରିବେ। ଏହାପରେ ମାଜିଷ୍ଟ୍ରେଟ ଶେଷ ଯାଞ୍ଚ କରିବେ। ଯେଉଁମାନଙ୍କ ଦାୟିତ୍ୱହୀନତା ନିମନ୍ତେ ଏପରି ଘଟଣା ଘଟିଥିବା ପ୍ରମାଣିତ ହେବ ସେମାନଙ୍କୁ ଚିହ୍ନଟ କରି କଡ଼ା ଶାସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)