Advertisment

Clouds To Arrive: ଦିଲ୍ଲୀରେ ବିଷ ବାୟୁ ମୁକାବିଲା ପାଇଁ ବଡ଼ ପଦକ୍ଷେପ, ପ୍ରଦୂଷଣ କମାଇବାକୁ କରାଯିବ କୃତ୍ରିମ ବର୍ଷା

ମାଡ଼ି ଆସିବ ବାଦଲ । ଦିଲ୍ଲୀରେ ହେବ କୃତ୍ରିମ ବର୍ଷା । ହଟିଯିବ ବିଷାକ୍ତ ଧୂଆଁ ବଞ୍ଚିଯିବ ଜୀବନ । କ୍ଲାଉଡ ସିଡିଂ ପାଇଁ ଉଡ଼ାଣ ଭରିଲା ସ୍ବତନ୍ତ୍ର ବିମାନ । ବିଷ ବଳୟ ଭିତରେ ଦେଶର ରାଜଧାନୀ ଦିଲ୍ଲୀ।

author-image
Manas Ranjan Mohanty
DELHI-RAIN

DELHI-RAIN Photograph: (OTV)

ମାଡ଼ି ଆସିବ ବାଦଲ । ଦିଲ୍ଲୀରେ ହେବ କୃତ୍ରିମ ବର୍ଷା । ହଟିଯିବ ବିଷାକ୍ତ ଧୂଆଁ ବଞ୍ଚିଯିବ ଜୀବନ । କ୍ଲାଉଡ ସିଡିଂ ପାଇଁ ଉଡ଼ାଣ ଭରିଲା ସ୍ବତନ୍ତ୍ର ବିମାନ । ବିଷ ବଳୟ ଭିତରେ ଦେଶର ରାଜଧାନୀ ଦିଲ୍ଲୀ। ଭୟଙ୍କର ପ୍ରଦୁଷଣରେ ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ। ଦୀପାବଳୀ ପରେ ବିଷାକ୍ତ ଧୂଆଁ ସାରା ଅଞ୍ଚଳକୁ ଘୋଡ଼ାଇ ରଖିଛି। ତେଣୁ ପ୍ରଦୂଷଣ କମାଇବାକୁ ଦିଲ୍ଲୀରେ କୃତ୍ରିମ ବର୍ଷା କରାଇବାକୁ ଅଣ୍ଟା ଭିଡ଼ିଛନ୍ତି ରେଖା ସରକାର। ଆଉ ଏଥିପାଇଁ କ୍ଲାଉଡ୍ ସିଡିଂ ପ୍ରକ୍ରିୟା ଶେଷ କରି ଉତ୍ତର ପ୍ରଦେଶର କାନପୁରରେ ଥିବା ବେସକୁ ଫେରିଛି ସ୍ୱତନ୍ତ୍ର ବିମାନ। ଆଉ ବିଷାକ୍ତ କୁହୁଡ଼ିର ଚାଦର ତଳେ ଶ୍ୱାସରୁଦ୍ଧ ହୋଇଥିବା ଦିଲ୍ଲୀ ସହର ଏବେ ସେହି ବର୍ଷାକୁ ଅପେକ୍ଷା କରିଛି। ଦିଲ୍ଲୀରେ କୃତ୍ରିମ ବର୍ଷା ପାଇଁ IIT କାନପୁର ସହ ଦିଲ୍ଲୀ ସରକାର ଗତ ସେପ୍ଟେମ୍ବରରେ ଏମଓୟୁ କରିଥିଲେ। ଏଥିପାଇଁ ୩ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନଭେମ୍ବର ୩୦ ଭିତରେ ଦିଲ୍ଲୀରେ ୫ ଥର କୃତ୍ରିମ ବର୍ଷା କରାଯିବ ।

 କୃତ୍ରିମ ବର୍ଷା କରାଇବା ପାଇଁ ବିମାନ ସହାୟତାରେ ବାଦଲରେ କେମିକାଲ ସିଞ୍ଚନ କରାଯାଏ। ଏଥିପାଇଁ ବାୟୁମଣ୍ଡଳରେ ସିଲଭର ଆଇଡାଇଡ୍ ନାନୋପାର୍ଟିକିଲ୍, ଆୟୋଡାଇଜ୍ଡ ସଲ୍ଟ ଓ ଡ୍ରାଏ ଆଇ୍ସ ଭଳି ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା କୃତ୍ରିମ ବର୍ଷା ହୋଇଥାଏ। ଜଳ ଅଭାବ ଅନୁଭବ ହେଉଥିବା ଅଞ୍ଚଳରେ କିମ୍ବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ବ୍ୟବହାର କରାଯାଏ। ବର୍ଷ ସାରା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଜଟିଳ ସ୍ଥିତିରେ ରହିଥାଏ। ବିଶେଷ କରି ଶୀତ ଦିନେ ପଡ଼ୋଶୀ ରାଜ୍ୟରେ ଚାଷ ପରେ ପରାଲୀ ଜାଳିବା ଦ୍ୱାରା ସେଥିରୁ ନିର୍ଗତ କ୍ଷତିକାରକ ଧୂଆଁ ଏହି ପରିସ୍ଥିତିକୁ ଆହୁରି ଜଟିଳ କରିଦିଏ। ସେପଟେ ବେଡ଼ି ଉପରେ କୋରଡ଼ା ସାଜେ ଦୀପାବଳିରେ ବାଣ ଫୁଟାରୁ ନିର୍ଗତ ବିଷାକ୍ତ ଧୂଆଁ। ଆଉ ପରିସ୍ଥିତି ଏପରି ହୁଏ କି ଦିଲ୍ଲୀ ସହରର ବାୟୁର ଗୁଣବତ୍ତା ବା AQI ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ଏକ୍ସପୋଜର ସୀମାଠାରୁ ପ୍ରାୟ ୧୦୦ ଗୁଣ ଅଧିକ ରହିଥାଏ। ତେଣୁ ଦିଲ୍ଲୀକୁ ଏହି ବିଷ ବଳୟରୁ ଉଦ୍ଧାର କରିବାକୁ ହେଲେ ଏପରି କୃତ୍ରିମ ବର୍ଷାର ଆବଶ୍ୟକତା ରହିଛି ।   

ଏବର୍ଷ ସୁପ୍ରିମକୋର୍ଟ ବାଣଫୁଟା ନେଇ ଥିବା ନିୟମକୁ ସାମାନ୍ୟ କୋହଳ କରିଥିଲେ। ନିର୍ଦ୍ଧାରିତ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ। ଏଥିପାଇଁ ସମୟ ମଧ୍ୟ ସ୍ଥିର ହୋଇଥିଲା। କିନ୍ତୁ ବହୁ ଲୋକ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲେ। ଆଇ ଦୀପାବଳି ପରଦିନ ସକାଳେ ସହରକୁ ଆଚ୍ଛାଦିତ କରିଦେଇଥିଲା ବିଷାକ୍ତ କୁହୁଡି ଓ ଧୂଆଁ। ଏପରିକି ଦୀପାବଳି ପରେ ଦିଲ୍ଲୀ ସହରର ବାୟୁର ଗୁଣବତ୍ତା ପାଞ୍ଚ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଯାଇଥିଲା। ତେଣୁ ଏଥିରୁ ଜନତାଙ୍କୁ ରକ୍ଷା କରିବାକୁ କୁତ୍ରିମ ବର୍ଷାର ସହାୟତା ନେଇଛନ୍ତି ସରକାର । ଆଉ ଯଦି ସବୁକିଛି ଠିକ ରୁହେ ଦିଲ୍ଲୀରେ ଖୁବଶୀଘ୍ର କୃତ୍ରିମ ବର୍ଷା ହେବ ।     

Advertisment
Advertisment
Related Articles
Advertisment