Advertisment

From Disappointment to Diplomacy: ଭୋଜରାଜ ରୁକ୍ମଙ୍କ ନିରାଶା ଓ ଶକୁନିଙ୍କ ପୁଅ ଦୂତ ହେବା କଥା

କାହିଁକି କୋଉ ପକ୍ଷରେ ବି ଭୋଜରାଜ ରୁକ୍ମ ଯୁଦ୍ଧରେ ଯୋଗ ଦେଇ ପାରିଲେନି?  ଦୁର୍ଯ୍ୟୋଧନ କ'ଣ ପାଇଁ ଶକୁନି ପୁତ୍ର ଉଲ୍ଲୁକକୁ ପାଣ୍ଡଵ ଶିବିରକୁ ପଠେଇଥିଲେ?  ଉଲ୍ଲୁକ କ'ଣ ସବୁ ଅପମାନଜନକ କଥା କହିଲେ ଯେ ପାଣ୍ଡବ ଭାଇମାନେ ରାଗିଗଲେ? ସେକଥା ସବୁ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।

author-image
Ramakanta Samantaray
Mahabharat

Mahabharat Photograph: (OTV)

ଦ୍ୱାରକାରୁ ଆସି ତାଙ୍କ ଭଉଣୀ ରୁକ୍ମିଣୀଙ୍କୁ ରଥରେ ବସେଇ ଅପହରଣ କରିନେବାର ଖବର ପାଇ ବିଦର୍ଭର ରାଜକୁମାର ରୁକ୍ମ ଭୀଷଣ କ୍ରୋଧରେ କିଛି ଅଶ୍ୱାରୋହୀ ସୈନ୍ୟଙ୍କୁ ଧରି କୃଷ୍ଣଙ୍କ ପଛେ ପଛେ ଧାଇଁଲେ । କୃଷ୍ଣ ପ୍ରକୃତରେ ରୁକ୍ମିଣୀଙ୍କ ପାଖରୁ ଖବର ପାଇ ଲୁଚିକରି ଆସିଥିଲେ । କୃଷ୍ଣ କାଳେ କିଛି ଅସୁବିଧାରେ ପଡ଼ିବେ ବୋଲି ବଳରାମ ତାଙ୍କ ସାଙ୍ଗରେ ଯାଦବ ସୈନ୍ୟମାନଙ୍କୁ ଧରି କ୍ଷୀପ୍ରଗତିରେ ପଛେ ପଛେ ଆସୁଥା'ନ୍ତି । ବାଟରେ ରୁକ୍ମ ଓ ବଳରାମଙ୍କର ଭେଟ ହେଲା । ସେଇଠି ଯାଦବ ସୈନ୍ୟ ଓ ବିଦର୍ଭର ସୈନ୍ୟମାନଙ୍କ ଭିତରେ ତୁମୁଳ ଯୁଦ୍ଧ ଆରମ୍ଭ ହୋଇଗଲା । ଯାଦବ ସୈନ୍ୟମାନଙ୍କ ଆଗରେ ରୁକ୍ମଙ୍କ ସୈନ୍ୟ ବେଶି ସମୟ ଯୁଦ୍ଧ କରିନପାରି ପରାଜିତ ହେଲେ । କୃଷ୍ଣ ଓ ବଳରାମ ସେଇଠି ବିଦର୍ଭ ରାଜକୁମାରଙ୍କୁ ହୁଏତ ହତ୍ୟା କରିଥା'ନ୍ତେ । କିନ୍ତୁ ରୁକ୍ମିଣୀ ତାଙ୍କ ଭାଇଙ୍କ ଜୀବନ ରକ୍ଷା କରିବାକୁ କୃଷ୍ଣଙ୍କୁ ଅନୁରୋଧ କରିବାରୁ ରୁକ୍ମ ବଞ୍ଚିଗଲେ ।

Advertisment

ରୁକ୍ମଙ୍କ ଜୀବନ ରକ୍ଷା ସିନା ହେଇଗଲା, କିନ୍ତୁ ଅପମାନର ଲଜ୍ଜା ଓ ଜ୍ୱାଳାକୁ ସେ ସହି ପାରିଲେନି । ସେଥିପାଇଁ ରୁକ୍ମ ଶପଥ କଲେ ତାଙ୍କ ଭଉଣୀକୁ ଅପହରଣ କରି ନେଇଯାଇଥିବା ଓ ତାଙ୍କୁ ଯୁଦ୍ଧରେ ପରାସ୍ତ କରିଥିବା କୃଷ୍ଣଙ୍କୁ ପ୍ରାଣରେ ନମାରିଲା ଯାଏଁ ସେ ନିଜ ଦେଶକୁ ଫେରିବେନି । ରୁକ୍ମ ସେଇଠି ରହିଗଲେ ଓ ତାଙ୍କର ଅନୁଚର ଏବଂ ସୈନ୍ୟମାନଙ୍କୁ ଧରି ଗୋଟେ ନୂଆ ସହର ତିଆରି କଲେ । ନୂଆ ସହରର ନାମ ରଖାଗଲା ଭୋଜ କଟକ ।

କୁରୁକ୍ଷେତ୍ରରେ କୌରବ ଓ ପାଣ୍ଡବଙ୍କ ଭିତରେ ଭୟଙ୍କର ଯୁଦ୍ଧ ହେବାକୁ ଯାଉଛି ଏବଂ ଭିନ୍ନ ଭିନ୍ନ ଦେଶର ରାଜାମାନେ ସେମାନଙ୍କ ସୈନ୍ୟ ସାମନ୍ତଙ୍କୁ ଧରି କୁରୁକ୍ଷେତ୍ରରେ ପହଞ୍ଚିବାର ଖବର ପାଇ ରୁକ୍ମ ବି ସାଙ୍ଗରେ ତାଙ୍କ ସୈନ୍ୟଙ୍କୁ ଧରି ବାହାରିଲେ । ତାଙ୍କର ଇଚ୍ଛାଥିଲା ସେ ପାଣ୍ଡବମାନଙ୍କୁ ଯୁଦ୍ଧରେ ସହାୟତା କରିବେ । ଏଇ ସୁଯୋଗରେ କୃଷ୍ଣଙ୍କ ସହ ସମ୍ପର୍କ ଯୋଡ଼ିବା ତାଙ୍କର ଭିତିରି ଉଦ୍ଦେଶ୍ୟ ଥିଲା ।

Advertisment

ରୁକ୍ମ ଏକଦା ଦ୍ରୁମ ନାମକ ଋଷିଙ୍କ ପାଖରୁ ବିଜୟ ନାମରେ ଏକ ଶକ୍ତିଶାଳୀ ଧନୁ ଲାଭ କରିଥିଲେ । ସେ ଧନୁଟି କୃଷ୍ଣଙ୍କ  ଶାର୍ଙ୍ଗ ଓ ଅର୍ଜୁନଙ୍କ ଗାଣ୍ଡିବ ଧନୁ ସହ ସମକ୍ଷକ । ଭୋଜକଟକରୁ ରୁକ୍ମ ଆସି ଅର୍ଜୁନଙ୍କ ପାଖରେ ପହଞ୍ଚିଲେ ଓ କହିଲେ, "ହେ ଅର୍ଜୁନ! ତୁମେ ଯଦି ଏ ବିଶାଳ କୌରବ ସେନାକୁ ଦେଖି ମନରେ ଭୟ କରୁଛ ତେବେ ମୋତେ ଓ ମୋ ବୀର ଦୁର୍ଦ୍ଧଷ ସୈନ୍ୟବଳକୁ ଦେଖି ତୁମର ଭୟ ତ୍ୟାଗ କର । ଜାଣିରଖ ମୋ ବାଣକୁ ସହ୍ୟ କଲାପରି ବୀର ପୁରୁଷ କେହି ନାହାଁନ୍ତି । ଯୁଦ୍ଧ ସମୟରେ ତୁମେ ଆମକୁ ଯେଉଁ ଅଂଶକୁ ଆକ୍ରମଣ କରିବାକୁ କହିବ ଆମେ ସେଇ ଅଂଶକୁ ସହଜରେ ଧ୍ୱଂସ କରିଦେବୁ । ମୋ ସାମ୍ନାରେ କୌଣସି ବୀର ବେଶି ସମୟ ତିଷ୍ଠି ରହି ପାରିବେନି । ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଓ କୃପ ଆଦି କୌଣସି ବୀରଙ୍କୁ ମୁଁ ସହଜରେ ବିନାଶ କରିପାରିବି ।"

ରୁକ୍ମଙ୍କ କଥା ଶୁଣି ଅର୍ଜୁନ ପ୍ରଥମେ ଥରେ କୃଷ୍ଣ ଓ ଥରେ ଯୁଧିଷ୍ଠିରଙ୍କ ମୁହଁକୁ ଚାହିଁଲେ । ତାପରେ କହିଲେ, "ହେ ଭୋଜରାଜ! ମୁଁ ରାଜା ପଣ୍ଡୁଙ୍କ ପୁଅ ଓ ଆଚାର୍ଯ୍ୟ ଦ୍ରୋଣଙ୍କର ପ୍ରିୟ ଶିଷ୍ୟ । ମୁଁ ଶ୍ରୀକୃଷ୍ଣଙ୍କ ସଖା ଓ ମୁଁ ଗାଣ୍ଡିବଧାରୀ । ମୁଁ କାହାକୁ ବି ଭୟ କରୁନି। ଘୋଷଯାତ୍ରା ସମୟରେ ଗନ୍ଧର୍ବମାନଙ୍କୁ ପରାଜିତ କଲାବେଳେ ମୋର କାହାର ସହାୟତା ଦରକାର ପଡ଼ିନଥିଲା । ଖାଣ୍ଡବବନ ଦହନ ସମୟରେ ଦେବ-ଦାନବଙ୍କ ସହ ଯୁଦ୍ଧ ବେଳେ ମଧ୍ୟ ମୋର କାହାର ସହାୟତା ଦରକାର ପଡ଼ିନଥିଲା । ବିରାଟଙ୍କ ଗୋଧନ ଅପହରଣ ବେଳେ ମୁଁ ଏକାକୀ କୌରବ ସେନାକୁ ପରାସ୍ତ କରିଥିଲି । ମୁଁ ଅବା ମୋର ପାଣ୍ଡବ ସେନା ଆଦୌ ଭୟଭୀତ ନୁହଁନ୍ତି । ହେ ଭୋଜରାଜ, ତେଣୁ ତୁମର ସହାୟତା ଆମର ଆଦୌ ଦରକାର ନାହିଁ । ତେଣୁ ସ୍ୱଇଚ୍ଛାରେ ଓ ସୁଯୋଗ ଅନୁସାରେ ତୁମେ ଏଠାରେ ରହିପାର ଅବା ଅନ୍ୟତ୍ର ଯାଇପାର ।"

ଅର୍ଜୁନଙ୍କ କଥାରେ ରୁକ୍ମ ଅପମାନିତ ବୋଧ କଲେ । ସେ ଭାବିଥିଲେ ପାଣ୍ଡବମାନେ ତାଙ୍କ ବୀରତ୍ୱ କଥା ଶୁଣି ତାଙ୍କୁ ସସମ୍ମାନେ ଡାକି ନେବେ । କୃଷ୍ଣ ବି ଖୁସି ହେବେ। ଫଳ କିନ୍ତୁ ଓଲଟା ଫଳିଲା । ରୁକ୍ମ ଏବେ ପାଣ୍ଡବମାନଙ୍କ ଉପରେ ରାଗି କୌରବମାନଙ୍କ ପାଖରେ ପହଞ୍ଚି କହିଲେ ସେ ସେମାନଙ୍କ ସପକ୍ଷରେ ରହି ଯୁଦ୍ଧ କରିବାକୁ ଚାହାଁନ୍ତି । ପୂର୍ବରୁ ରୁକ୍ମଙ୍କ ପ୍ରସ୍ତାବକୁ ଅର୍ଜୁନ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିବାର ଖବର ଦୁର୍ଯ୍ୟୋଧନ ପାଇସାରିଥିଲେ । ପାଣ୍ଡବମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ସାହାଯ୍ୟକୁ ଅଭିମାନୀ ଦୁର୍ଯ୍ୟୋଧନ କେମିତି ଅବା ଗ୍ରହଣ କରିଥା'ନ୍ତେ? ସେ ମଧ୍ୟ ସିଧାସଳଖ ମନା କରିଦେଲେ ।

ରୁକ୍ମ କୁରୁକ୍ଷେତ୍ର ଯୁଦ୍ଧରେ ଭାଗ ନେଇପାରିଲେନି

ଭୋଜରାଜ ରୁକ୍ମ କୌରବ ଓ ପାଣ୍ଡବ ଉଭୟ ପକ୍ଷରୁ ଉପେକ୍ଷା ଓ ଅପମାନ ପାଇ କୁରୁକ୍ଷେତ୍ର ଯୁଦ୍ଧରେ ଭାଗ ନେଇପାରିଲେନି । ପୂର୍ବରୁ ନିଜ ଇଚ୍ଛାରେ ରୋହିଣୀ ପୁତ୍ର ବଳରାମ ଯୁଦ୍ଧରେ ଯୋଗ ଦେଲେନି ଓ ରୁକ୍ମ ଇଚ୍ଛା କରି ବି ଯୁଦ୍ଧରେ ଯୋଗଦେଇ ପାରିଲେନି ।

କୌରବ ଓ ପାଣ୍ଡବ ଦୁଇ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତି ଜୋରସୋରରେ ଚାଲିଥାଏ । ପାଣ୍ଡବମାନେ ହିରଣ୍ମତୀ ନଦୀ ତଟରେ ଶିବିର ପକାଇଥା'ନ୍ତି । ଉଭୟ ପକ୍ଷର ସେନାପତି ନିଯୁକ୍ତ ହୋଇସାରିଥିଲେ । ସେତିକିବେଳେ ଶକୁନି, ଦୁଃଶାସନ, କର୍ଣ୍ଣ ଓ ଦୁର୍ଯ୍ୟୋଧନ ବସି ମନ୍ତ୍ରଣା କଲେ । କୁଟନୀତି ପ୍ରୟୋଗ କରିବାର ମନ୍ତ୍ରଣା ପରେ ଦୁର୍ଯ୍ୟୋଧନ ଶକୁନିଙ୍କ ପୁଅ ଉଲ୍ଲୁକଙ୍କୁ ଡାକି ଦୂତ ଭାବରେ ପାଣ୍ଡବ ଶିବିରକୁ ପଠେଇଲେ ।  

ଉଲ୍ଲୁକ ପାଣ୍ଡବ ଶିବିରରେ ପହଞ୍ଚିଲା ପରେ କହିଲା, ତା ହାତରେ ଦୁର୍ଯ୍ୟୋଧନ କିଛି ଖବର ପଠେଇଛନ୍ତି । ନିର୍ଭୟ ଦେଲେ ସେ ସେକଥା କହିବେ । ଯୁଧିଷ୍ଠିର ଦୂତ ଉଲ୍ଲୁକକୁ ନିର୍ଭୟରେ ଦୁର୍ଯ୍ୟୋଧନ କଥାସବୁ କହିବାକୁ କହିଲାରୁ ତାକୁ ଯେପରି କୁହାଯାଇଥିଲା ଉଲ୍ଲୁକ ସେଇପ୍ରକାରେ କହିବାକୁ ଲାଗିଲେ । ଉଲ୍ଲୁକ ପ୍ରଥମେ ଯୁଧିଷ୍ଠିରଙ୍କୁ କହିଲା, "ହେ ଭଣ୍ଡ ଧାର୍ମିକ ଯୁଧିଷ୍ଠିର, ତୁମକୁ ସମସ୍ତେ ଧାର୍ମିକ ବୋଲି କହୁଛନ୍ତି, ଅଥଚ ତୁମେ ଅଧର୍ମ କର୍ମ କରିବାକୁ ସମସ୍ତ ଯୋଜନା କରିବାରେ ଲାଗିଛ । ଧର୍ମରାଜର ପରିଚୟ ଧରି ପୂରା ସଂସାରକୁ ଧ୍ୱଂସ କରିବାକୁ ବାହାରିଛ ।"

ଶୁଣେଇଲା ଉଲ୍ଲୁକ

ତାପରେ ଉଲ୍ଲୁକ ଗୋଟେ ଗପ କହିଲା । ଗୋଟେ ଧୂର୍ତ୍ତ ଚାଲାକ ବିଲେଇ କେମିତି ଶଠ ସାଧୁର ବେଶ ଧାରଣ କରି ପ୍ରଥମେ ଏକ ମୁଷାପଲଙ୍କ ବିଶ୍ୱାସ ଭାଜନ ହେଲା । ଆମିଷ ତ୍ୟାଗ କରି ସେ ଜପ ତପ କରୁଛି ବୋଲି ବିଶ୍ୱାସ ଜନ୍ମାଇଲା । ତାପରେ ତାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିବା ମୂଷା ପଲଙ୍କୁ ଲୁଚେଇ ଲୁଚେଇ ମାରି ଗୋଟି ଗୋଟି କରି ଖାଇବାକୁ ଲାଗିଲା । କିଛି ଦିନ ପରେ ସତ କଥା ଜଣାପଡ଼ିଲା ପରେ ଅବଶିଷ୍ଟ ମୂଷା ଅନ୍ୟ ସ୍ଥାନକୁ ପଳେଇ ଜୀବନ ରକ୍ଷା କଲେ । ହେ ଯୁଧିଷ୍ଠିର! ତୁମେ ମଧ୍ୟ ସେଇ ଛଦ୍ମବେଶୀ ବିରାଡ଼ି ପରି କପଟ ଆଚରଣ କରୁଛ ।

କୌରବ ସେନା ତୁମକୁ ଓ ତୁମର ଭାଇମାନଙ୍କୁ ବିନାଶ କରିବାକୁ ଚାହିଁ ବସିଛନ୍ତି । ତେଣୁ ଏ ମିଛ ଧର୍ମର ଆବରଣକୁ ତ୍ୟାଗ କରି ଯୁଦ୍ଧ କ୍ଷେତ୍ରରେ ଅସ୍ତ୍ରଶସ୍ତ୍ରର ସାମ୍ନା କର । ଦୁର୍ଯୋଧନ କହି ପଠେଇଛନ୍ତି ତୁମମାନଙ୍କୁ ଯୁଦ୍ଧରେ ସମ୍ପୂର୍ଣ୍ଣ ବିନାଶ କରିବାକୁ ସେ ଜାଣି ଜାଣି ପାଞ୍ଚଖଣ୍ଡି ଗ୍ରାମ ଦାନ କରିନାହାଁନ୍ତି । ତୁମେ ଦ୍ରୋଣଙ୍କ ପାଖରୁ ଯୁଦ୍ଧ ଅସ୍ତ୍ର ଚାଳନାର ଶିକ୍ଷା ପାଇଛ, ତେଣୁ ଏବେ ଆଉ ଧର୍ମ ଧର୍ମ ନ ହୋଇ ରଣକ୍ଷେତ୍ରରେ କୌରବ ବୀରଙ୍କୁ ସାମ୍ନା କର । ତୁମ ନିଜର ବଳ ଉପରେ ବିଶ୍ୱାସ ନାହିଁ ବୋଲି କୃଷ୍ଣଙ୍କ ଆଶ୍ରୟ ନେଇଛ ବୋଧେ ।

ତାପରେ ଉଲ୍ଲୁକ ସେଠାରେ ଉପସ୍ଥିତ ଶ୍ରୀକୃଷ୍ଣଙ୍କୁ କହିଲା, କୁରୁସଭାରେ ଦେଖାଇଥିବା ତୁମର ସେ ମାୟା ରୂପକୁ ଆଉଥରେ ଧାରଣ କରି ଅର୍ଜୁନଙ୍କୁ ସାଙ୍ଗରେ ଧରି ବୀର ଦୁର୍ଯୋଧନଙ୍କୁ ଯାଇ ସାମ୍ନା କର। ତୁମେ ପାଣ୍ଡବମାନଙ୍କ ସପକ୍ଷରେ ରହିବ ଅଥଚ ସିଧାସଳଖ ଯୁଦ୍ଧ କରିବନି । କାହିଁକି ? ହେ କୃଷ୍ଣ, ଦୁର୍ଯୋଧନଙ୍କୁ ତୁମର କେତେ ଭୟ ଏଇଥିରୁ ବୁଝା ପଡୁଛି । ତୁମର ଏ ମାୟା କୁହୁକକୁ କେହି ଭୟ କରୁନାହାଁନ୍ତି । ସିଧା ଯୁଦ୍ଧ କଲେ ସିନା ତୁମ ପୁରୁଷପଣିଆ ଜଣା ପଡ଼ନ୍ତା । ହେଲେ ନଂପୁସକ ପରି ତୁମେ ପାଣ୍ଡବଙ୍କ ସାଙ୍ଗରେ କେବଳ ରହିଲେ ତୁମ ବୀର ପଣିଆ କେମିତି ଜଣା ପଡ଼ିବ? ତୁମେ ତ କଂସ ରାଜାର ଚାକର । ତୁମ ସାଙ୍ଗରେ ଉଚ୍ଚବଂଶର କୌଣସି ରାଜା ଯୁଦ୍ଧ କରିବା କଥା ନୁହେଁ ।

ତାପରେ ଉଲ୍ଲୁକ ଅଳ୍ପ ଦୂରରେ ବସିଥିବା ଭୀମସେନଙ୍କୁ ଚାହିଁ କହିଲା, ମହାରାଜା ଦୁର୍ଯୋଧନ ତୁମକୁ ବିନା ଶିଙ୍ଗର ମୁର୍ଖ ଷଣ୍ଢ ବୋଲି ସମ୍ବୋଧନ କରି କହିଛନ୍ତି ବିରାଟ ରାଜାଙ୍କ ଘରେ ରୋଷେଇ ବାସ କରୁଥିବା ଭୀମକୁ କହିବ ସେ ତା'ର ପ୍ରତିଜ୍ଞା ଯେମିତି ଭୁଲି ନଯାଏ । ତୁମେ ଯଥା ଶୀଘ୍ର ତୁମ ଗଦାକୁ ଧରି ନିଶ୍ଚୟ ମାଟି କାମୁଡ଼ି ତଳେ ପଡ଼ିବ । ଭୀମଙ୍କୁ କଟୁକଥା କହିଲା ପରେ ଉଲ୍ଲୁକ ଅର୍ଜୁନଙ୍କୁ କହିଲା, ହେ ଧନଞ୍ଜୟ ତୁମେ କୁଆଡ଼େ ଶ୍ରେଷ୍ଠ ଧର୍ନୁଦ୍ଧର ପରା?  କୌରବମାନଙ୍କ ଦାସତ୍ୱ ସ୍ୱୀକାର କଲାବେଳେ ତମ ବୀରପଣ କୁଆଡ଼େ ଯାଇଥିଲା? କୋଉଠି ଥିଲା ତୁମ ଗାଣ୍ଡିବ? ନିଜକୁ ଏତେ ବଡ଼ ବୀର ଭାବୁଛ ଅଥଚ ବିରାଟ ରାଜାଙ୍କ ଘରେ ତାଙ୍କ ରାଣୀଙ୍କ ବେଣୀ ବାନ୍ଧୁଥିଲ କାହିଁକି? ନଂପୁସକ ବେଶରେ ନାଚ ଗୀତ ପୁଣି କୁଆଡ଼େ ଶିଖାଉଥିଲ ପରା । ହେ ଅର୍ଜୁନ, କୁରୁ ଶ୍ରେଷ୍ଠ ଦୁର୍ଯୋଧନ ତୁମମାନଙ୍କୁ କାହାକୁ ତିଳେ ହେଲେ ଭୟ କରନ୍ତିନି । ସେ କହିଛନ୍ତି ତୁମ ପରି ଶହେ ଅର୍ଜୁନ ଶହେ କୃଷ୍ଣଙ୍କୁ ଏକା ଯୁଦ୍ଧ କ୍ଷେତ୍ରରୁ ତଡ଼ିଦେଇ ପାରିବେ।

ଦୁର୍ଯୋଧନ ଆହୁରି କହିଛନ୍ତି ବୃଥାରେ ଯୁଦ୍ଧ କରି ନିଜ ସାଙ୍ଗରେ ନିଜ ପରିଜନମାନଙ୍କର ଜୀବନ ନାଶ କରିବ ସିନା କିନ୍ତୁ କିଛି ଲାଭ ହେବନି । ତୁମେ ମିଳିମିଶି କେବେ ବି ଭୀଷ୍ମ, ଦ୍ରୋଣ, ଶଲ୍ୟ, କର୍ଣ୍ଣଙ୍କ ପରି ବୀରମାନଙ୍କର କିଛି ବି କ୍ଷତି କରିପାରିବନି । ଶତ ଚେଷ୍ଟା ପରେ ବି ଦ୍ରୌପଦୀଙ୍କ ଅପମାନର ପ୍ରତିଶୋଧ ନେଇ ପାରିବନି । ଦୁର୍ଦ୍ଧଷ କୌରବ ସେନାଙ୍କ ସହ ଯୁଦ୍ଧ କରି ଅଚିରେ ସମସ୍ତେ ମୃତ୍ୟୁ ମୁଖରେ ପଡ଼ିବ ।

ତାପରେ ଉଲ୍ଲୁକ ସଭାରେ ଉପସ୍ଥିତ ଥିବା ନକୁଳ, ସହଦେବ, ରାଜା ବିରାଟ ଓ ଶ୍ରୀଖଣ୍ଡି ଆଦି ବୀରଙ୍କ ଉଦ୍ଦେଶ୍ୟରେ ଦୁର୍ଯୋଧନ ଯାହା ଯାହା ଅପମାନଜନକ ବାକ୍ୟମାନ କହିଥିଲେ ସବୁ କହିଲେ।

ପାଣ୍ଡବ ଭାଇମାନେ ଆଗରୁ ରାଗରେ ଥିଲେ । ଏବେ ଶକୁନି ପୁଅ ଉଲ୍ଲୁକକୁ ଦୂତ କରି ଦୁର୍ଯୋଧନ ତା' ହାତରେ ଯେଉଁ ଅତ୍ୟନ୍ତ ଅପମାନଜନକ କଟୁକଥା ସବୁ କହିବାକୁ ପଠାଇଥିଲା ସେଥିରେ ପାଣ୍ଡବ ଭାଇମାନଙ୍କର ରାଗ ଶହେଗୁଣ ବଢ଼ିଗଲା । ଭୀମସେନ ଆଖି ଲାଲ କରି ତୀବ୍ରବେଗରେ ନିଶ୍ୱାସ ପ୍ରଶ୍ୱାସ ସହ କୃଷ୍ଣଙ୍କୁ ଚାହିଁଲେ । କୃଷ୍ଣ ଉଲ୍ଲୁକକୁ କହିଲେ, ତୁମେ ଏବେ ଫେରିଯାଅ । ଫେରିଯାଇ ଦୁର୍ଯୋଧନଙ୍କୁ କହିବ ସେ ଯାହା ସବୁ ଖବର ଦେଇଛନ୍ତି ତାହା ପାଣ୍ଡବ ପାଇସାରିଛନ୍ତି ଓ ସେହି ଅନୁସାରେ ଖୁବ ଶୀଘ୍ର ପଦକ୍ଷେପ ନେବାକୁ ଯୋଜନା ମଧ୍ୟ ତିଆରି କରୁଛନ୍ତି । ତାଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନି । ଖୁବ ଶୀଘ୍ର ଆମର କୁରୁକ୍ଷେତ୍ରରେ ସାକ୍ଷାତ ହେବ ।

Mahabharat Mahabharat Story
Advertisment