Advertisment

Instability in US Markets: ଅସ୍ଥିର ଆମେରିକା ଅର୍ଥନୀତି, ଟ୍ରମ୍ପଙ୍କ ସ୍ୱେଚ୍ଛାଚାରିତା ଯୋଗୁଁ ଅର୍ଥନୈତିକ ଭିତ୍ତିଭୂମି ଦୁର୍ବଳ

ଟାରିଫ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକୀୟ ଗ୍ରାହକଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି ଓ ଦରଦାମରେ ବୃଦ୍ଧି ଘଟିଛି । ବିଶ୍ୱ ବାଣିଜ୍ୟ ଗତିକୁ ମନ୍ଥର କରିଥିବା ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନ୍ୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇ ଏକ ବାଣିଜ୍ୟ ଯୁଦ୍ଧ ସୃଷ୍ଟି କରିଛନ୍ତି ।

author-image
Pragyan Paramita Behera
TRUMP

TRUMP Photograph: (OTV)

ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ପ୍ରଥମ’ ନୀତି ଯୋଗୁଁ ବିଶ୍ୱ ବାଣିଜ୍ୟ ପ୍ରଭାବିତ ହୋଇଛି । ଟାରିଫ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକୀୟ ଗ୍ରାହକଙ୍କ କ୍ରୟ ଶକ୍ତି ହ୍ରାସ ପାଇଛି ଓ ଦରଦାମରେ ବୃଦ୍ଧି ଘଟିଛି । ବିଶ୍ୱ ବାଣିଜ୍ୟ ଗତିକୁ ମନ୍ଥର କରିଥିବା ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନ୍ୟ ଦେଶମାନଙ୍କ ଉପରେ ଶୁଳ୍କ ଲଗାଇ ଏକ ବାଣିଜ୍ୟ ଯୁଦ୍ଧ ସୃଷ୍ଟି କରିଛନ୍ତି । ଟ୍ରମ୍ପଙ୍କ ଅନ୍ତର୍ଜାତୀୟ ଚୁକ୍ତିନାମା, ବାଣିଜ୍ୟ ନୀତି କିମ୍ବା ସୁରକ୍ଷା  ନିଷ୍ପତ୍ତି କେବଳ ଅନ୍ୟମାନଙ୍କ ଉପରେ ଚାପ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ନିଆଯାଇଛି । 
 
ଟ୍ରମ୍ପ ପ୍ରଶାସନ ଅନେକ ବହୁପକ୍ଷୀୟ ସଂସ୍ଥାନର ପାଣ୍ଠି କମ କରୁଛି ଅଥବା ଓହରି ଯିବାକୁ ଧମକ ଦେଇ ସେମାନଙ୍କ ଭୂମିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ତାଙ୍କ ଏହି ନୀତିର ପ୍ରଭାବ କେବଳ ଅନ୍ୟ ଦେଶରେ ସୀମିତ ନୁହେଁ ବରଂ ଯୁକ୍ତରାଷ୍ଟ୍ର ଆମେରିକାରେ ମଧ୍ୟ ବ୍ୟାପକ ଅର୍ଥନୈତିକ ଏବଂ ସାମାଜିକ ପ୍ରଭାବ ପକାଉଛି । ବାଣିଜ୍ୟ ଯୁଦ୍ଧ ବୈଦେଶିକ ବାଣିଜ୍ୟକୁ ବାଧା ଦେବାସହ ଘରୋଇ ବଜାରରେ ମୂଲ୍ୟ ବୃଦ୍ଧି ମଧ୍ୟ କରିଛି।
 
ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପ୍ରତି ଜବାବରେ ଅନ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିଶୋଧମୂଳକ ଶୁଳ୍କ ଯୋଗୁଁ ଆମେରିକୀୟ ଗ୍ରାହକଙ୍କ କ୍ରୟ ଶକ୍ତି ପ୍ରଭାବିତ ହେଉଛି। ଆମେରିକାରେ କେବଳ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ନୁହେଁ ବରଂ ଇଲେକ୍ଟ୍ରୋନିକ୍ ଉପକରଣ, ଖେଳଣା, ପୋଷାକ, ଯନ୍ତ୍ରପାତି ଇତ୍ୟାଦି ମଧ୍ୟ ମହଙ୍ଗା ହୋଇଛି । ମାର୍ଚ୍ଚ ୨୦୨୫ ପରଠାରୁ ଆମଦନୀ ସାମଗ୍ରୀର ମୂଲ୍ୟ ପ୍ରାୟ ଚାରି ପ୍ରତିଶତ ବୃଦ୍ଧି ପାଇଛି ଓ ଘରୋଇ ସାମଗ୍ରୀର ମୂଲ୍ୟ ପ୍ରାୟ ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ବୃଦ୍ଧି 
ପାଉଥିବା ଦରଦାମକୁ ଦୃଷ୍ଟିରେ ରଖି ଟ୍ରମ୍ପ ୨୦୦ ରୁ ଅଧିକ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।
 
ଆମେରିକାରେ ଶିଳ୍ପପାଇଁ କଞ୍ଚାମାଲରେ ମୂଲ୍ୟବୃଦ୍ଧି ହେତୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି ଏବଂ ଏହାର ପ୍ରଭାବରେ ଚାକିରି କ୍ଷେତ୍ର ଅଧିକ ପ୍ରଭାବିତ ହେଉଛି । କେବଳ ଏତିକି ନୁହେଁ ଏହା ଚାଷୀଙ୍କ ଆୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି । ଚୀନ୍, କାନାଡା ଏବଂ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିଶୋଧମୂଳକ ଶୁଳ୍କ ଯୋଗୁଁ ସୋୟା ଏବଂ ମକା ଭଳି ଆମେରିକୀୟ କୃଷି ସାମଗ୍ରୀର ଚାହିଦା ହ୍ରାସ ପାଇଛି, ଯାହା ଫଳରେ ଚାଷୀଙ୍କ ଆୟ ହ୍ରାସ ପାଇଛି ଏବଂ କୋଟି କୋଟି ଡଲାର ସରକାରୀ ସବସିଡି ହ୍ରାସ ପାଇଛି। ଆମେରିକୀୟ ଅର୍ଥନୀତି ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବେ ସ୍ପଷ୍ଟ ଦେଖିବାକୁ ମିଳୁଛି । 
 
ଏକ ରିପୋର୍ଟ ଅନୁଯାୟୀ, ଶୁଳ୍କ ଏବଂ ବିଦେଶୀ ପ୍ରତିଶୋଧମୂଳକ କର ଯୋଗୁଁ ୨୦୨୫ ମସିହାରେ ଆମେରିକାର ପ୍ରକୃତ ଜିଡିପି ଅଭିବୃଦ୍ଧି ଦର ପାଖାପାଖି ୦.୯ ପ୍ରତିଶତ ହ୍ରାସ ପାଉଛି । ଟାରିଫ ନୀତି କାରଣରୁ ଜଣେ ସାଧାରଣ ଆମେରିକୀୟ ପରିବାରକୁ ହାରାହାରି ୩,୮୦୦ ଡଲାର ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ୁଛି । ଅନ୍ୟପକ୍ଷରେ ଆଉ ଏକ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କ ବାଣିଜ୍ୟ ନୀତି ଯୋଗୁଁ ଆମେରିକାର ଜିଡିପି ଅଭିବୃଦ୍ଧି ଦୀର୍ଘକାଳୀନ ଭାବରେ ପ୍ରାୟ ଛଅ ପ୍ରତିଶତ ହ୍ରାସ ପାଇପାରେ ଏବଂ ମଜୁରୀ ପ୍ରାୟ ପାଞ୍ଚ ପ୍ରତିଶତ ହ୍ରାସ ପାଇପାରେ ବୋଲି ଆକଳନ କରାଯାଉଛି । 

Advertisment

ଆମେରିକାର ଜିଡିପି ଅଭିବୃଦ୍ଧି କମିବ !

OECDର ସାମ୍ପ୍ରତିକ ରିପୋର୍ଟ ଅନୁସାରେ , ଏହି ଟାରିଫ ଓ ଏକପାଖିଆ ବାଣିଜ୍ୟ ନୀତି ଜାରି ରହିଲେ ୨୦୨୬ ସୁଦ୍ଧା ଆମେରିକାର ଜିଡିପି ଅଭିବୃଦ୍ଧି ୧.୬ ପ୍ରତିଶତକୁ ହ୍ରାସ ପାଇପାରେ । ଏହି ହ୍ରାସ କେବଳ ଆମେରିକୀୟ ଅର୍ଥନୀତି ପାଇଁ ନୁହେଁ ବରଂ ବିଶ୍ୱ ଅର୍ଥନୀତି ପାଇଁ ମଧ୍ୟ ଚିନ୍ତାର କାରଣ ହେବ, କାରଣ ଆମେରିକୀୟ ଅର୍ଥନୀତି ବିଶ୍ୱ ବାଣିଜ୍ୟର ମୁଖ୍ୟ ଇଞ୍ଜିନ ଅଟେ । ଏହି ନୀତି ପରିବର୍ତ୍ତନ ପାଇଁ ସାଧାରଣ ଆମେରିକୀୟଙ୍କୁ ସବୁଠାରୁ ଅଧିକ ମୂଲ୍ୟ ଦେବାକୁ ପଡ଼ୁଛି । ଉଚ୍ଚ ମୂଲ୍ୟ, ହ୍ରାସ ପାଉଥିବା ଆୟ ଏବଂ ହ୍ରାସ ପାଇଥିବା ନିଯୁକ୍ତି ସୁଯୋଗ ଆମେରିକୀୟକୁ ଦୁର୍ବଳ କରିଦେଇଛି।
 
ଫଳରେ ଏବେ ଟ୍ରମ୍ପଙ୍କ ମନମୁଖୀ ନୀତି ବିରୋଧରେ ଆମେରିକାରେ ପ୍ରତିବାଦ ଆରମ୍ଭ ହୋଇସାରିଛି । ଏକ ସାମ୍ପ୍ରତିକ ସର୍ଭେରୁ ଜଣାପଡ଼ିଛି,  ପ୍ରାୟ ୫୫ ପ୍ରତିଶତ ଆମେରିକୀୟ ନାଗରିକ କହିଛନ୍ତି ଟ୍ରମ୍ପ ଏବେ ଜଣେ ବିପଜ୍ଜନକ ଏକଛତ୍ରବାଦୀ ପରି ବ୍ୟବହାର କରୁଛନ୍ତି। ସେ ତାଙ୍କର ବିରୋଧୀମାନଙ୍କୁ ଟାର୍ଗେଟ କରିବା ପାଇଁ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ବ୍ୟବହାର କରୁଛନ୍ତି । ଏହି କାରଣରୁ ତାଙ୍କ ନେତୃତ୍ୱରେ ଆମେରିକାର ଗଣତାନ୍ତ୍ରିକ ଢାଞ୍ଚା ପୂର୍ବ ତୁଳନାରେ ଅଧିକ ବିଭାଜିତ ହେଉଥିବା ଦେଖିବାକୁ ମିଳୁଛି ।   ହ୍ୟାଣ୍ଡସ୍ ଅଫ୍ ଏବଂ ନୋ କିଙ୍ଗ ଭଳି ଆନ୍ଦୋଳନରୁ ସ୍ପଷ୍ଟ, ଆମେରିକୀୟ ଜନସାଧାରଣ ଏବେ ଅତ୍ୟଧିକ ହସ୍ତକ୍ଷେପ ଏବଂ କେନ୍ଦ୍ରୀକୃତ କ୍ଷମତା ବିରୋଧରେ ଏକଜୁଟ୍ ହେଉଛନ୍ତି।
 
ଆମେରିକାର ଏକ ଦୁର୍ବଳ ଅର୍ଥନୀତି ପରିପ୍ରେକ୍ଷୀରେ ଟ୍ରମ୍ପଙ୍କ ଜାତୀୟତାବାଦୀ ନୀତିଗୁଡ଼ିକ ଆହୁରି ଚ୍ୟାଲେଞ୍ଜିଂ ପ୍ରମାଣିତ ହେଉଛି। ତାଙ୍କର ଆମେରିକା ପ୍ରଥମ ସ୍ଲୋଗାନ ଅସ୍ଥାୟୀ ଭାବରେ ଘରୋଇ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିଥିଲା, କିନ୍ତୁ ବିଶ୍ୱ ବାଣିଜ୍ୟ ସହଭାଗୀତାରୁ ତାଙ୍କର ପ୍ରତ୍ୟାହାର ଆମେରିକା ବଜାର ଉପରେ ନକରାତ୍ମକ ପ୍ରଭାବ ପକାଇଛି। ଫଳରେ ଆନ୍ତର୍ଜାତୀୟ ନିବେଶ ହ୍ରାସ ପାଇଛି, ରପ୍ତାନିରେ ଚାପ ପଡ଼ିଛି ଏବଂ ଡଲାରରେ ଅସ୍ଥିରତା ଆମଦାନୀକୁ ଅଧିକ ମହଙ୍ଗା କରିଛି। କେବଳ ଏତିକି ନୁହେଁ ଏହି ସମୟରେ ବର୍ଦ୍ଧିତ ବେକାରୀ ସମସ୍ୟା ଏବଂ ଲଗାତାର ଦର ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ବର୍ଗର କ୍ରୟ ଶକ୍ତିକୁ ଦୁର୍ବଳ କରିଦେଇଛି।

ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ, ପ୍ରାୟ ୬୦ ପ୍ରତିଶତ ଆମେରିକୀୟ ବିଶ୍ୱାସ କରନ୍ତି ଟ୍ରମ୍ପଙ୍କ ନୀତି ଆର୍ଥିକ ଅସମାନତା ବୃଦ୍ଧି କରିଛି । ଶ୍ରମିକ ବର୍ଗ ଟ୍ରମ୍ପଙ୍କ ପ୍ରତିଶ୍ରୁତିରୁ କୌଣସି ପ୍ରକୃତ ଲାଭ ପାଇନାହାଁନ୍ତି । ଅର୍ଥନୈତିକ ବିଶ୍ଳେଷକଙ୍କ ମତରେ, ଟ୍ରମ୍ପଙ୍କ ସଂରକ୍ଷଣବାଦୀ ନୀତି ଆମେରିକାର ଉତ୍ପାଦନ କ୍ଷମତାକୁ ସୀମିତ କରିଛି, ଯାହା ଫଳରେ ନୂତନ ନିଯୁକ୍ତି ସୃଷ୍ଟି ହେବା ପରିବର୍ତ୍ତେ ଶିଳ୍ପ ଗୁଡ଼ିକରେ ଛଟେଇ ବୃଦ୍ଧି ପାଇଛି । ଆର୍ଥିକ ଅସ୍ଥିରତା ଏବଂ ମୁଦ୍ରାସ୍ଫୀତି ଆମେରିକୀୟ ଜନସାଧାରଣଙ୍କ ଚିନ୍ତାକୁ ଆହୁରି ଗଭୀର କରିଛି । ଆଗାମୀ ସମୟରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ଆକଳନ କରାଯାଉଛି ।

Advertisment

...

Donald Trump USA Economy
Advertisment
Related Articles
Advertisment