Advertisment

Miracle in Puri: ଧନ୍ୟରେ ତୁ ଜଗା, ଧନ୍ୟ ତୋ ମହିମା...ରତ୍ନସିଂହାସନରୁ ଓହ୍ଲାଇ ଆସିଲା ମୋ କାଳିଆ

ବର୍ଷେ ହେଲା କୋମାରେ ଥିଲା ପୁଅ । ଆଖି ଖୋଲୁନଥିଲା, ନିସ୍ତେଜ, ନିର୍ଜୀବ ଭଳି ପଡିଥିଲା ହସ୍ପିଟାଲ ଶେଯରେ । ଡାକ୍ତରମାନେ ଫେରାଇ ଦେଇଥିଲେ । ସବୁଠି ହାରିଗଲା ପରେ ଜଗା ଦୁଆରକୁ ଦୌଡି ଆସିଥିଲା ବାପା ।

author-image
Manas Ranjan Mohanty
Jagannath-blessed-sick-son

Jagannath-blessed-sick-son Photograph: (OTV)

ଧନ୍ୟରେ ତୁ ଜଗା, ଧନ୍ୟ ତୋ ମହିମା । ଏ ଭକ୍ତି ସମର୍ପଣର ମାନ ରଖିଛୁ, ଏ ଆରତ ଜନର ଆକୁଳ ଶୁଣିଛୁ । ଦେଖାଇ ଦେଉଛୁ, ତୋରି ଇଚ୍ଛାରେ ଏ ନିଶ୍ୱାସ ଚାଲେ, ବିଶ୍ୱାସ ଜିତେ, ଯମ ଦୁଆରୁ ଜୀବନ ଫେରେ । ଧନ୍ୟ ତୋ ବଡଦାଣ୍ଡ, ବଡଦେଉଳ, ଧନ୍ୟ ଏ ଭକ୍ତ... ରତ୍ନସିଂହାସନରୁ ତୁ ଓହ୍ଲାଇ ପଡିଛୁ । ଏ ବାପାଟାର କୋଳକୁ ତାର ପୁଅର ଜୀବନ ଫେରାଇ ତୋ ପତିତପାବନ ନାଁକୁ ସାର୍ଥକ କରିଛୁ । 

Advertisment

ସିଂହଦୁଆର ଆଗରେ ତୋ କରୁଣା ଗାଇ ଗାଇ ଏ ବାପା ଗଦଗଦ୍ । ତା’ ବିଶ୍ୱାସ ଜିତିଛି । ତା’ ଚଳନ୍ତି ଭଗବାନ ତାର ଡାକ ଶୁଣିଛନ୍ତି । ପଣ୍ଡା ପଢିହାରୀ ଆଖିରୁ ବି ଝରିଯାଉଛି ଧାର ଧାର ଲୁହ । କଣ୍ଠରୁଦ୍ଧ ହୋଇଯାଉଛି । ସତରେ ଏ ଦୃଶ୍ୟ ଅଲୌକିକ, ଚମତ୍କାର ।  

ବର୍ଷେ ହେଲା କୋମାରେ ଥିଲା ପୁଅ । ଆଖି ଖୋଲୁନଥିଲା, ନିସ୍ତେଜ, ନିର୍ଜୀବ ଭଳି ପଡିଥିଲା ହସ୍ପିଟାଲ ଶେଯରେ । ଡାକ୍ତରମାନେ ଫେରାଇ ଦେଇଥିଲେ । ସବୁଠି ହାରିଗଲା ପରେ ଜଗା ଦୁଆରକୁ ଦୌଡି ଆସିଥିଲା ବାପା ।  ପୁଅକୁ ହସ୍ପିଟାଲରୁ ଉଠାଇ ଆଣି ସୁଦୂର ରାଜସ୍ଥାନରୁ ଶ୍ରୀମନ୍ଦିରକୁ ଧାଇଁ ଆସିଥିଲା । ରେ ଜଗା ତୁ ରଖିଲେ ରଖିବୁ, ମାରିଲେ ମାରିବୁ । ମୋ ପୁଅର ଜୀବନ ତୋ ହାତରେ... ଭୋ ଭୋ କାନ୍ଦି କାନ୍ଦି ପତିତପାବନ ଗୁମୁଟ ଆଗରେ ଗଡାଇ ଦେଇଥିଲା ପୁଅକୁ । ଜଗତର ବାପା ଆଗରେ ପୁଅର ଜୀବନ ମାଗିଥିଲା ଏ ବାପା । ଗତ ୮ ତାରିଖ ଦିନ ଶ୍ରୀମନ୍ଦିରର ଏ ଘଟଣା ପୂଜାପଣ୍ଡା, ଉପସ୍ଥିତ ଶ୍ରଦ୍ଧାଳୁ, ସଭିଁଙ୍କ ହୃଦୟକୁ ବ୍ୟଥିତ କରିଥିଲା । ସମସ୍ତେ ମଣିମାଙ୍କୁ ଏ ନିଷ୍ପାପ ପିଲାଟିର ଜୀବନ ଭିକ୍ଷା ମାଗିଥିଲେ । ଏ ଅସହାୟ ବାପା ଦୁଃଖ ହାରିବାକୁ ଗୁହାରି କରିଥିଲେ । 

ସତକୁ ସତ ରତ୍ନସିଂହାସନରୁ ଓହ୍ଲାଇ ଏ ବାପାର ଦୁଃଖ ହରଣ କରିଛନ୍ତି ମହାପ୍ରଭୁ । ତାଙ୍କ କୃପାରୁ ପୁଅ ନୂଆ ଜୀବନ ପାଇଛି । ନିସ୍ତେଜ ଶରୀରରେ ଚେତା ପଶିଛି । ହାତଗୋଡ ହଲାଉଛି, ଆଖି ଖୋଲି ବାପା ମୁହଁକୁ ଚାହୁଁଛି । ପୁଅ ଧୀରେ ଧୀରେ ସୁସ୍ଥ ହେଉଛି । ସେଥିପାଇଁ ଜଗାକୁ କୃତଜ୍ଞତା ଜଣାଇବାକୁ ପୁଣିଥରେ ରାଜସ୍ଥାନରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଛି ବାପା । ସିଂହଦ୍ୱାର ଆଗରେ ପୁଅକୁ ଗଡାଇ ଜଗନ୍ନାଥଙ୍କୁ ଧନ୍ୟ ଧନ୍ୟ କହୁଛି । ଆଜି ବଡଦାଣ୍ଡରେ ଏ ଘଟଣା ସମସ୍ତଙ୍କୁ ବିସ୍ମିତ କରିଦେଇଛି ।  

Advertisment
Advertisment
Related Articles
Advertisment