Advertisment

Mohsin Naqvi: ଟ୍ରଫି ଚୋରଙ୍କୁ ମିଳିବ ଗୋଲ୍ଡ ମେଡାଲ

ଭାରତକୁ ଏସିଆ କପ୍ ଚାମ୍ପିୟନ ଟ୍ରଫି ନ ଦେବାରୁ ସମ୍ମାନିତ ହେବେ ପିସିବି ମୁଖ୍ୟ ତଥା ଏସିସି ସଭାପତି ମୋହସିନ ନକଭି। ସେ ସହିଦ ଜୁଲଫିକର ଅଲି ଭୁଟ୍ଟୋ ଉତ୍କର୍ଷ ସ୍ୱର୍ଣ୍ଣ ପଦକ ପାଇବେ।

author-image
Chinmayee Sahoo
Mohsin Naqvi

Mohsin Naqvi Photograph: (OTV)

ନିକଟରେ ଏସିଆ କପ୍ ୨୦୨୫ ମ୍ୟାଚ୍ ସମାପ୍ତ ହୋଇଛି। ଚଳିତ ମ୍ୟାଚରେ ଖେଳ ଅପେକ୍ଷା ବେଶୀ ଚର୍ଚ୍ଚାର ପରିସରକୁ ଆସିଥିଲା ଭାରତପାକିସ୍ତାନ ମଧ୍ୟରେ ହୋଇଥିବା ଡ୍ରାମା। ଏହି ଡ୍ରାମାରେ ମୁଖ୍ୟ ନାୟକ ଥିଲେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ତଥା ଏସିଆ କ୍ରିକେଟ କାଉନସିଲ (ACC) ର ସଭାପତି ମୋହସିନ୍ ନକଭି। ନକଭି ବର୍ତ୍ତମାନ ପାକିସ୍ତାନ (Pakistan)ର ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି। ଭାରତର ଏସିଆ କପ୍ ଚାମ୍ପିୟନ ଟ୍ରଫି ନେଇ ଯାଇଥିବାରୁ ତାଙ୍କୁ କଡା ସମାଲୋଚନା କରିଥିଲା ଭାରତ। ତେବେ ବର୍ତ୍ତମାନ ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। କିନ୍ତୁ ଏକ ଭିନ୍ନ ପ୍ରସଙ୍ଗରେ। ଭାରତକୁ ହଇରାଣ କରିଥିବାରୁ ଓ ଭାରତୀୟ ଖେଳାଳୀଙ୍କ ଟ୍ରଫି ନେଇ ଯାଇଥିବାରୁ ପାକିସ୍ତାନ ସରକାର ତାଙ୍କୁ ସମ୍ମାନିତ କରିବାକୁ ଯାଉଛି। 
ଏସିଆ କପ୍ ଫାଇନାଲରେ ଟ୍ରଫି ହସ୍ତାନ୍ତର ବିବାଦ ସମୟରେ ଟ୍ରଫି ନ ଫେରାଇବା ପ୍ରସଙ୍ଗକୁ ମୋହସିନ୍ ନକଭିଙ୍କ "ନୀତିଗତ ଏବଂ ସାହସିକ ମନୋଭାବ" ବୋଲି ବର୍ଣ୍ଣନା କରିବା ସହ ତାଙ୍କୁ ସହିଦ ଜୁଲଫିକର ଅଲି ଭୁଟ୍ଟୋ ଉତ୍କର୍ଷ ସ୍ୱର୍ଣ୍ଣ ପଦକରେ ସମ୍ମାନିତ କରିବାକୁ ଯାଉଛନ୍ତି ପାକିସ୍ତାନ ସରକାର।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ , ସିନ୍ଧ ଏବଂ କରାଚୀ ବାସ୍କେଟବଲ୍ ଆସୋସିଏସନର ସଭାପତି ଆଡଭୋକେଟ୍ ଗୁଲାମ ଆବାସ ଜମାଲ୍ ଏହି ଘୋଷଣା କରିଛନ୍ତି। ଜମାଲ୍ କହିଛନ୍ତି ଯେ ଭାରତ ସହିତ ରାଜନୈତିକ ଏବଂ କ୍ରୀଡା ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ନକଭିଙ୍କ କାର୍ଯ୍ୟ "ଜାତୀୟ ଗର୍ବକୁ ପୁନରୁଦ୍ଧାର" କରିଛି।
ଏସିଆ କପ୍ ଫାଇନାଲର ମ୍ୟାଚ୍ ପରବର୍ତ୍ତୀ ଟ୍ରଫି ବିତରଣ ସମାରୋହରେ ଭାରତୀୟ ଖେଳାଳିମାନେ ତାଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିବା ପରେ ନକଭି ନିଜ ସହିତ ଟ୍ରଫିକୁ ନେଇ ଯାଇଥିଲେ। ନକଭି ଟ୍ରଫିକୁ ନିଜ ପାଖରେ ରଖିଥିଲେ, ପରେ ସୋସିଆଲ ମିଡିଆରେ କହିଥିଲେ ଯେ, ଭାରତୀୟ ଦଳ ଯଦି ପ୍ରକୃତରେ ଟ୍ରଫି ନେବାକୁ ଚାହାଁନ୍ତି ତେବେ ସେମାନେ ACC ମୁଖ୍ୟାଳୟରୁ ଏହାକୁ ନେଇ ଯାଆନ୍ତୁ।” ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ କିଛି ଭୁଲ କରି ନାହିଁ ମକି ବିସିସିଆଇକୁ କ୍ଷମା ମାଗିବି ନାହିଁ। 
ତାଙ୍କର ଏହି ମନୋଭାବ ପାକିସ୍ତାନର ରାଜନୈତିକ ଏବଂ କ୍ରୀଡ଼ା ସମୁଦାୟ ମଧ୍ୟରେ ପ୍ରଶଂସାର ପାତ୍ର ହୋଇଛି, ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ମଧ୍ୟରୁ ଗୋଟିଏ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। 
କରାଚୀରେ ଏକ ଆନୁଷ୍ଠାନିକ ପୁରସ୍କାର ସମାରୋହର ଯୋଜନା କରାଯାଉଛି ବୋଲି ଜଣାପଡ଼ିଛି। ଯେଉଁଥିରେ ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କୁ ମୁଖ୍ୟ ଅତିଥି ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି। 
ସିନ୍ଧ ବାସ୍କେଟବଲ୍ ଆସୋସିଏସନ୍ ଅଧ୍ୟକ୍ଷ ଖାଲିଦ ଜମିଲ୍ ଶାମସିଙ୍କ ନେତୃତ୍ୱରେ ଏହି ଇଭେଣ୍ଟର ତଦାରଖ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। କରାଚିର କମିଶନର କ୍ରୀଡା ନିର୍ଦ୍ଦେଶକ ଗୁଲାମ ମହମ୍ମଦ ଖାନଙ୍କୁ କମିଟିର ସଚିବ ଭାବରେ ନିଯୁକ୍ତ କରାଯାଇଛି।
ସୂଚନା ଯୋଗ୍ୟ, ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ପରିସ୍ଥିତି ଉତ୍ତେଜନାମୂଳକ ରହିଥିଲା। ଏହା ଭିତରେ ଉଭୟ ଦେଶ ମଧ୍ୟରେ ଏସିଆ କପ୍ ମ୍ୟାଚ ଖେଳାଯିବାକୁ ଭାରତରେ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ବୟକଟ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା। କିନ୍ତୁ ଭାରତ ପାକିସ୍ତାନ ସହିତ ମ୍ୟାଚ୍ ଖେଳିଥିଲା ଓ ପାକିସ୍ତାନକୁ ଦୃଢ ଜବାବ ଦେଇଥିଲା। ପାକ୍ ପ୍ରତିଟି ମ୍ୟାଚରେ ହାରିବା ସହିତ ଭାରତ ନୋ ହ୍ୟାଣ୍ଡସେକ ପଲିସି ଆପଣାଇଥିଲା। ଯାହା ପାକିସ୍ତାନକୁ ଶକ୍ତ ଧକ୍କା ଦେଇଥିଲା।

Advertisment
Pakistan
Advertisment
Related Articles
Advertisment