/odishatv-khabar/media/media_files/2025/10/09/israel-hamas-2025-10-09-11-52-12.jpg)
Israel-Hamas Photograph: (OTV)
ଆମେରିକାର ମଧ୍ୟସ୍ଥତାରେ ହୋଇଥିବା ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲ ଓ ହମାସ ଗାଜାରେ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି ଯେ, ଏହି ଚୁକ୍ତି ଗାଜାରେ ଜାଲିଥିବା ସଂଘର୍ଷ ରୋକିବ ଏବଂ ବନ୍ଧକମାନଙ୍କୁ ମୁକ୍ତ କରିବ।
ଗୁରୁବାର ମିଶରରେ ସ୍ୱାକ୍ଷରିତ ହେବାକୁ ଥିବା ଏହି ଗାଜା ଚୁକ୍ତିନାମାକୁ ହମାସ ଅନୁମୋଦନ କରିଛି। ଏହା ଗାଜାରେ ମାନବିକ ସହାୟତା ପାଇଁ ପାଞ୍ଚଟି ସୀମା ପଥ ତୁରନ୍ତ ଖୋଲିବା, ପ୍ରତ୍ୟାହାର ଯୋଜନାରେ ପରିବର୍ତ୍ତନ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ଇସ୍ରାଏଲୀ ବନ୍ଧକଙ୍କୁ ଜୀବିତ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।
ଆମେରିକା, ମିଶର, କତାର ଓ ତୁର୍କୀ ଏହି ଚୁକ୍ତିର ନିରୀକ୍ଷଣ ଦାୟିତ୍ବରେ ରହିବେ। ଏହି ରାଷ୍ଟ୍ରଗୁଡିକ ଉଭୟଙ୍କ ଉପରେ ନଜର ରଖିବ ଏବଂ ନିଶ୍ଚିତ କରିବ ଯେ, ଉଭୟ ପକ୍ଷ ସର୍ତ୍ତ ପାଳନ କଲେ ହିଂସା ପୁନରାରମ୍ଭ ହେବ ନାହିଁ। ରିପୋର୍ଟ ଅନୁସାରେ, ଇସ୍ରାଏଲୀ ସେନା ଗାଜାରୁ ପ୍ରତ୍ୟାହାର ଆରମ୍ଭ କରିବ, ଏବଂ ହମାସ ଚଳିତ ସପ୍ତାହ ଶେଷ ସୁଦ୍ଧା ୨୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ।
ଟ୍ରମ୍ପ୍ ସୋସିଆଲ ମିଡିଆରେ କହିଛନ୍ତି, ଏହି ଚୁକ୍ତି ସମସ୍ତ ବନ୍ଧକଙ୍କୁ ଶୀଘ୍ର ମୁକ୍ତ କରିବ ଏବଂ ଇସ୍ରାଏଲ ସେନା ପ୍ରତ୍ୟାହାର କରିବ। ଏହା ସ୍ଥାୟୀ ଶାନ୍ତିର ପ୍ରଥମ ପଦକ୍ଷେପ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ଟ୍ରମ୍ପ୍ ଏହି ଐତିହାସିକ ସଫଳତା ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ନେତାନ୍ୟାହୁ ଟ୍ରମ୍ପ୍ଙ୍କୁ ଇସ୍ରାଏଲୀ ସଂସଦରେ ସମ୍ବୋଧନ ପାଇଁ ନିମନ୍ତ୍ରଣ କରିଛନ୍ତି।
ବୁଧବାର ରାତିରେ ଇସ୍ରାଏଲ, ହମାସ ଓ କତାର ଶାନ୍ତି ଚୁକ୍ତିର ପ୍ରଥମ ପର୍ଯ୍ୟାୟ ନିଶ୍ଚିତ କରିଛନ୍ତି। ତଥାପି, ଗାଜାର ଶାସନ ଓ ହମାସର ନିରସ୍ତ୍ରୀକରଣ ଉପରେ ସହମତି ହୋଇଛି କି ନାହିଁ, ତାହା ସ୍ପଷ୍ଟ ନୁହେଁ। ଏହି ପ୍ରସଙ୍ଗଗୁଡ଼ିକ ମିଶରରେ ଜାରି ଆଲୋଚନାରେ ନିର୍ଣ୍ଣୟ ହେବ। ସୋମବାରଠାରୁ ଶାର୍ମ ଏଲ୍-ଶେଖରେ ଆମେରିକା, ଇସ୍ରାଏଲ, ମିଶର ଓ କତାର ପ୍ରତିନିଧିମାନେ ଯୁଦ୍ଧବିରତି ଓ ବନ୍ଧକ ମୁକ୍ତି ପାଇଁ ଆଲୋଚନା କରୁଛନ୍ତି। କତାରର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ-ଥାନି ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଏହି ଚୁକ୍ତି ତାଙ୍କ ଦେଶ ପାଇଁ “କୂଟନୈତିକ ସଫଳତା ଏବଂ ଜାତୀୟ ଓ ନୈତିକ ବିଜୟ”। ହମାସ ଟ୍ରମ୍ପ୍ ଓ ମଧ୍ୟସ୍ଥିମାନଙ୍କୁ (କତାର, ମିଶର ଓ ତୁର୍କୀ) ଧନ୍ୟବାଦ ଜଣାଇଛି। ଗାଜାରେ ଥିବା ଇସ୍ରାଏଲୀ ବନ୍ଧକଙ୍କ ପରିବାର ଓ ପୂର୍ବରୁ ମୁକ୍ତ ହୋଇଥିବା ବନ୍ଧକମାନେ ଏହି ଖବରକୁ ଉତ୍ସବର ସହ ମନାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)