/odishatv-khabar/media/media_files/2025/12/31/bhadrak-get-together-2025-12-31-17-01-30.jpg)
Bhadrak-get-together Photograph: (OTV)
ଚାଲିଛି ନାଚଗୀତ, ଭୋଜିଭାତ । ପିଲାଦିନର ସାଙ୍ଗକୁ ପାଖରେ ପାଇ ସମସ୍ତେ ଖୁସିରେ ବିଭୋର । କାହାର ମୁଣ୍ଡ ଚୁଟି ପାଚିଗଲାଣି ତ କାହା ଆଖିର ଚଷମା ମୋଟା ହେଲାଣି । ତଥାପି ଏମାନେ ସମସ୍ତେ ସେଦିନର ସ୍କୁଲ ଯାଉଥିବା ପିଲା । ସମୟର ବାଲିଘର କେତେବେଳେ ଯେ ବୟସର ସମୁଦ୍ରରେ ମିଶିଗଲା, କେହି ଜାଣିପାରିଲେନି । ହେଲେ ସଂସାର ଜଞ୍ଜାଳ ଓ ବୟସର ଅପରାହ୍ନ ଏମାନଙ୍କୁ ଏକଜୁଟ କରିବାରେ ପ୍ରତିବନ୍ଧକ ହୋଇନାହିଁ । ହୃଦୟରେ ସେହି ପିଲାଦିନର ସ୍ମୃତି ଆଜି ବି ସତେଜ ।
ଫଳପୁର ଜଙ୍ଗଲରେ ଲେଖା ହେଲା ସ୍ମୃତିର ଏକ ନୂଆ ଅଧ୍ୟାୟ । ଏଇ ବଣୁଆ ପରିବେଶରେ ଯେତେବେଳେ ୫୦୦ରୁ ଅଧିକ 'ବୟସ୍କ ପିଲା' ଏକାଠି ହେଲେ, ସେଠି ସମୟ ଯେମିତି ୪୦ ବର୍ଷ ପଛକୁ ଫେରିଗଲା । ହାତରେ ଏବେ ଦାମୀ ଘଣ୍ଟା, ପକେଟରେ ମାଳ ମାଳ କ୍ରେଡିଟ୍ କାର୍ଡ, କିନ୍ତୁ ମନଟା ସେଇ ୧୯୭୮ ମସିହାର ଜନତା ହାଇସ୍କୁଲର ଧୂଳିଆ ବେଞ୍ଚରେ ଅଟକି ଯାଇଛି । ଭଦ୍ରକ ଜିଲ୍ଲା ଧାମନଗର ଜାହାଙ୍ଗୀରସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟର ୧୯୭୮ରୁ ୧୯୯୦ ବ୍ୟାଚର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ସେଇ ହଜିଲା ଦିନକୁ ଫେରିଯିବାର ଏକ ସେତୁ ।
କେହି ଆମେରିକାରେ ପ୍ରତିଷ୍ଠିତ ନାଗରିକ ତ କେହି ଗାଁ ମାଟିରେ ହଳ ଧରିଥିବା ଚାଷୀ । ହେଲେ ପଦପଦବୀକୁ ନେଇ ହୀନମନ୍ୟତା ଆଜି କାହାରି ପାଖ ମାଡ଼ିନଥିଲା । ୪୭ ବର୍ଷ ତଳେ ସ୍କୁଲ ଛାଡ଼ିଥିବା ବନ୍ଧୁମାନେ ଯେତେବେଳେ ପରସ୍ପରକୁ ଭେଟିଲେ, ସେତେବେଳେ ଭାଷା ହଜିଯାଇଥିଲା, କେବଳ ଆଖିର ଲୁହ ବନ୍ଧୁତାର ଗଭୀରତାକୁ ବର୍ଣ୍ଣନା କରୁଥିଲା । ସ୍ତ୍ରୀ, ପିଲାଛୁଆ ଓ ନାତି-ନାତୁଣୀଙ୍କୁ ଧରି ପହଞ୍ଚିଥିବା ପ୍ରତିଟି ବନ୍ଧୁ ଆଜି ପୁଣି ସେଇ ୧୫ ବର୍ଷର କିଶୋର ହୋଇଯାଇଥିଲା ।
ଆଜିର ଏହି ବ୍ୟସ୍ତବହୁଳ ଯୁଗରେ ଯେତେବେଳେ ସମ୍ପର୍କର ସଂଜ୍ଞା ବଦଳିଯାଇଛି, ସେଠାରେ ୫୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ନିଜର ବୃଦ୍ଧ ଗୁରୁଜୀ ଓ ଗୁରୁମାଙ୍କୁ ଫୁଲମାଳ ଦେଇ ପାଦତଳେ ପଡ଼ି ପ୍ରଣାମ କରିବାର ଦୃଶ୍ୟ ପରିବେଶକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କରିଦେଇଥିଲା । ବୟସର ଅପରାହ୍ନରେ ବି ସାଙ୍ଗମାନଙ୍କୁ ଦେଖି କେହି କେହି କାନ୍ଦି ପକାଇଥିଲେ ତ ଆଉ କେହି ସ୍କୁଲ ବେଳର ମିଠା ସ୍ମୃତିକୁ ଗପି ଚାଲିଥିଲେ । ଫଳପୁର ଜଙ୍ଗଲର ଏହି ଦିନଟି ସମସ୍ତଙ୍କ ପାଇଁ ଏକ ସ୍ମୃତିର ସାଇତା ପେଡ଼ି ହୋଇ ରହିଗଲା ।
Abhijit Majumdar on the Mend: ସୁସ୍ଥ ହେଉଛନ୍ତି ଅଭିଜିତ୍ ମଜୁମଦାର, ୨-୩ ଦିନରେ ଭୁବନେଶ୍ବର ଏମ୍ସରୁ ହେବେ ଡିସଚାର୍ଜ

Khaleda Zia: କାହିଁକି ଦିଲ୍ଲୀଠୁ ଦୂରତା ରଖୁଥିଲେ ଖଲିଦା ? ମାଆଙ୍କ ରାସ୍ତାରେ ଚାଲିବେ କି ଖଲିଦାଙ୍କ ପୁଅ ରେହମାନ୍ ?

Aviva Baig: ଚର୍ଚ୍ଚାରେ ଅବିବା ବେଗ୍ , ହେବେ ପ୍ରିୟଙ୍କା ଗାନ୍ଧିଙ୍କ ବୋହୂ !

Tulasi Farming: ମହ ମହ ବାସୁଛି ଟଙ୍କା ଦେଉଛି , ଲୋକଙ୍କୁ ଯୋଗାଉଛି ରୋଜଗାର

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)