/odishatv-khabar/media/media_files/2025/12/04/pandu-osha-2025-12-04-13-51-47.jpg)
Pandu Osha Photograph: (OTV)
ପଣ୍ଡୁ ଓଷା ମାର୍ଗଶୀର ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ । ପୁରାଣ ବର୍ଣ୍ଣିତ ପଣ୍ଡୁ ବୋଧହୁଏ ମାର୍ଗଶୀର ପୂର୍ଣ୍ଣିମାରେ ବ୍ୟାସଙ୍କ ବୀର୍ଯ୍ୟରରୁ ଆମ୍ବାଳିକା ଗର୍ଭରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାମରେ ‘ପଣ୍ଡୁ ଓଷାର ପ୍ରଚଳନ ହୋଇଥିବା ଅନୁମାନ କରାଯାଏ । ଏହି ସମୟରେ ହେମନ୍ତ ଋତୁ ସରି, ଶୀତ ଋତୁ ଆରମ୍ଭ ହେଉଥାଏ । ସକାଳୁ ସକାଳୁ କୁହୁଡ଼ି ଯୋଗୁଁ ଚତୁର୍ଦ୍ଦିଗ ଫିକାଧଳା ବା ପାଣ୍ଡୁର ରଙ୍ଗ ଦିଶୁଥାଏ । ତେଣୁ ଏହି ପୂର୍ଣ୍ଣିମାର ନାଁ ପଣ୍ଡୁ ପୂର୍ଣ୍ଣିମା ବୋଲି ମଧ୍ୟ କୁହାଯାଏ । କିନ୍ତୁ ପ୍ରଚଳିତ ଓଷାକଥାରୁ ଜଣାପଡେ ଏହା ଯମଙ୍କର ପୂଜା । ଅପୁତ୍ରିକ ନାରୀ ଏହି ବ୍ରତ କଲେ ପୁତ୍ର ସନ୍ତାନ ଲାଭ କରନ୍ତି।
ଓଷା କଥା -
ଜମ୍ବୁଦ୍ଵୀପରେ କଳିଙ୍ଗ ନଗର । ସେ ନଗରର ରାଜାଙ୍କର ଧନଧାନ୍ୟ ଦାସ ଦାସୀର ଅଭାବ ନଥିଲା । ସେ ସୁଶାସକ ଥିଲେ । କିନ୍ତୁ ନିଃସନ୍ତାନ ଥିବାରୁ ମନରେ ସୁଖ ନଥୁଲା । ଦିନେ ସକାଳେ ଗୋଟିଏ ନିମ୍ନ ଜାତିର ସ୍ତ୍ରଲୋକ ତାଙ୍କୁ ଦେଖି - "କି ଯୋଗରେ ଅପୁତ୍ରିକର ମୁହଁ ଚାହିଁଲି" ବୋଲି କହିଲା । ରାଜା ମନଦୁଃଖ କଲେ । ମନ୍ତ୍ରୀଙ୍କୁ ରାଜ୍ୟଭାର ଦେଇ ଘଞ୍ଚ ଜଙ୍ଗଲରେ ରଣୀଙ୍କୁ ନେଇ ପହଞ୍ଚିଲେ। ସେଠାରେ କୁଟୀର କରି ରହିଲେ। ସେଠାରେ ରାଜା ଆତ୍ମହତ୍ୟା କରିବାର ଚେଷ୍ଟାକଲେ । କିନ୍ତୁ ବିଫଳ ହେଲେ । ଶେଷରେ କୁଟୀରକୁ ଫେରିଲେ । ରୋଷେଇ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରାଣୀଙ୍କ ସହିତ ଗୋଟିଏ ଗାଁ କୁ ଗଲେ । ସେଠାରେ ଅନେକ ସ୍ତ୍ରୀଲୋକ ଏକାଠି ହୋଇ ପଣ୍ଡୁଓଷା ପୂଜୁଥିବାର ଦେଖିଲେ । ସେ ସେମାନଙ୍କ ଠାରୁ ଓଷାର ବିଧିତ ବିଧାନ ବୁଝିଲେ । ଏହି ଓଷାକଲେ ପୁତ୍ରପ୍ରାପ୍ତି ହୁଏ ବୋଲି ଶୁଣିଲେ । ଏହା ଶୁଣିବା ପରେ ରାଣୀ ପୁତ୍ର କାମନା କରି ଓଷା କଲେ । ତାଙ୍କର ପୁତ୍ର ଜନ୍ମହେଲା । ସେ ରାଜ୍ୟକୁ ଫେରିଲେ ଓ ରାଜପୁତ୍ରକୁ ଧରି ଆନନ୍ଦରେ ସମୟ ବିତାଇଲେ । କିନ୍ତୁ ଓଷାକଥା ଭୁଲିଗଲେ । ଏହା ତ ଯମଙ୍କର ଉପାସ । ଆଉ ଏହି ଓଷା ନପାଳିବାରୁ ଯମ କ୍ରୋଧ କଲେ। ସେତେବେଳକୁ ରାଜପୁତ୍ର ଯୁବକ । ଯମଙ୍କର ଦୂତମାନେ ଯାଇ ତାକୁ ବାନ୍ଧି ନେଇ ଆସିଲେ ।
ଯମପୁରରେ ଯମଙ୍କର ମାଆ କିନ୍ତୁ ଏହା ଦେଖି ଦୁଃଖ ପ୍ରକାଶ କଲେ । ବୁଢା ବୁଢୀଙ୍କୁ ନଆଣି ଏପରି ଗୋଟିଏ ଯୁବକକୁ ନେଇ ଆସିବା ଅବିବେକ କାମ ବୋଲି କହିଲେ । ଯମକହିଲେ- '' ମାଆ ତୁମର ଏପରି କଥା କହିବା ଠିକ୍ ନୁହେଁ । ମୁଁ ଆଉ ଦିନେ ଏହାର ଉତ୍ତର ଦେବି ।"
ଥରେ ଯମ ତାଙ୍କ ମାଆଙ୍କୁ କହିଲେ ବାଡିରୁ କଦଳୀ ତୋଳି ଆଣ ଖାଇବା । ମାଆ ବାଡିକୁ କଦଳୀ ତୋଳିବାକୁ ଯାଇ ପାଚିଲା କଦଳୀ ଛାଡି କଞ୍ଚା କଦଳୀ ତୋଳି ଆଣିଲେ । ଯମ ତାଙ୍କୁ ସୂଚାଇ ଦେଇ କହିଲେ- 'ତୁମେ ‘ଯୁବକ' ନା 'ବୃଦ୍ଧ' କଅଣ ହାତରେ ଧରିଛ ?'' ସେ ପାଚିଲା ଛାଡି କଞ୍ଚା ଆଣିଥୁବାରୁ ପୁଅକଥା ଶୁଣି ସବୁ ବୁଝିଗଲେ ଓ ଚୁପ୍ ରହିଲେ । ତା'ପରେ କହିଲେ, ପିତାମାତା ସତ୍ୟଭଗ୍ନ କରିଥିବାରୁ ଏ ପୁଅଟିର ଦୁର୍ଦ୍ଦଶା ଦେଖି ମୋର ଦୟା ହେଇଥିଲା । ସେଥି ପାଇଁ କହିଥିଲି ।
ଥରେ ଯମରାଜା ପୂଜାରେ ବସିଥିଲେ । ସେତିକିବେଳେ ଯମ ମାତାଙ୍କର ପୂର୍ବ ସୂଚନା ଅନୁସାରେ ରାଜପୁତ୍ର ଛିଙ୍କି ଦେଲା । ଯମମାତା ତାକୁ ଅମର ହୋଇଥାଅ ବୋଲି ବରଦେଲେ । ଯମ ଦେଖିଲେ, ସେ ମୃତ୍ୟୁଦଣ୍ଡ ପାଇଁ ଧରିଆଣିଥିବା ରାଜକୁମାର ତାଙ୍କ ମାଆଙ୍କଠାରୁ ଅମରବର ପାଇ ଗଲେ । ସେ ମାଆଙ୍କୁ କହିଲେ- '' ରାଜା ମାନସିକ ପୂଜା ନଦେବାରୁ ମୁଁ ତାହାର ପୂତ୍ରକୁ ଲୁଚାଇ ଆଣିଛି । ଏବେ ତୁମେ ତାକୁ ଅମର ବର ଦେଇଦେଲ। ତେବେ ତ ମୋର ପୂଜା ଆଉ କେହି କରିବେନି।"
ମାଆଙ୍କ ପରାମର୍ଶ ଅନୁଯାୟୀ ଯମ ରାଜପୁତ୍ରଙ୍କୁ ନେଇ ଯଥାସ୍ଥାନରେ ଛାଡିଦେଇ ଆସିଲେ । ଛାଡିଦେବା ବେଳେ ସେ ତାଙ୍କୁ କହିଥିଲେ ଯେ ବାପା ମାଆଙ୍କୁ ମନେ ପକାଇ ମାର୍ଗଶିର ପୂର୍ଣ୍ଣିମା ଦିନ ପୁଣି ଯଥାବିଧିା ଏହି ପଣ୍ଡୁ ଓଷା କରାଇବାକୁ ହେବ । ତା' ନହେଲେ ସେମାନେ ପୁତ୍ରକଷ୍ଟ ଭୋଗ କରିବେ । ରାଜାରାଣୀ ନିଜ ପୁତ୍ରଙ୍କ ଠାରୁ ସମସ୍ତ ଘଟଣା ଶୁଣି ନିଜର ଭୁଲ୍ ବୁଝି ପାରିଲେ ଏବଂ ପୁଣି ଯଥାବିଧି୍ରେ ପଣ୍ଡୁଓଷା କଲେ ।
ପଣ୍ଡୁ ଓଷାର ବିଧି -
ନାରୀମାନେ ଏହି ବ୍ରତ ମାଧ୍ୟମରେ ଯମରାଜାଙ୍କୁ ପୂଜା କରି ନିଜ ସନ୍ତାନ ମାନଙ୍କର ଦୀର୍ଘାୟୁ କାମନା କରିଥାଆନ୍ତି। ତେଣୁ ସେମାନଙ୍କ ପାଇଁ ପଣ୍ଡୁଓଷା ଏକ ଗୁରୁତ୍ୱପୂର୍ଣ୍ଣ ଓ ନିଷ୍ଠାର ବ୍ରତ । ତେବେ ଏହି ବ୍ରତ ପାଳନରେ କେତେକ ନିର୍ଦ୍ଦଷ୍ଟ ବିଧି ରହିଛି । ଏହି ଓଷା ପୂର୍ବରୁ ଘରର ଚଟାଣକୁ ଗୋବରରେ ଚିକ୍କଣ କରି ଲିପାଯାଏ । ସେଥିରେ ଚିତା ଓ ମୁରୁଜ ପକାଯାଏ । ସେଠାରେ ଏକ ଗଜକୁ ସ୍ଥାପନ କରାଯାଏ ।ଏହି ଓଷାରେ ପୁରୋହିତଙ୍କ ଦ୍ୱାରା ଯମରାଜଙ୍କୁ ଆବାହନ, ପୂଜନ ଏବଂ ନୈବେଦ୍ୟ ଅର୍ପଣ କରାଯାଏ । ଏହି ପୂଜାର ମୁଖ୍ୟ ଭୋଗ ହେଉଛି ମଣ୍ଡା ପିଠା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ନୂଆ ଗୋବର ଲିପା ଟୋକେଇ ବା ପାଛିଆରେ ପୂର୍ଣ୍ଣକରି ଧାନ ଆଣି ଢିଙ୍କିରେ କୁଟି ଚାଉଳ କରାଯାଏ । ଏହି ଚାଉଳକୁ ପୁଣି ଚୁନା କରି ସେଥିରେ ନଡ଼ିଆ ଦେଇ ନଡ଼ିଆ ମଣ୍ଡା କରାଯାଏ ଓ ପୂଜାଭୋଗ କରାଯାଏ । ଏହାସହିତ ଖଇ, କଦଳୀ, ଫଳ ଏବଂ ଛେନା ଆଦି ଭୋଗ ମଧ୍ୟ ବଢ଼ାଯାଏ ।
Minor Girl Found Dead: ସନ୍ଦେହଜନକ ଅବସ୍ଥାରେ ମିଳିଲା ନାବାଳିକାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ

Gold Rate Today: ସୁନା ଓ ରୁପା ଦରକୁ ନେଇ ବଡ ଖବର, କିଣିବା ପୂର୍ବରୁ ଜାଣନ୍ତୁ କେତେ ରହିଛି ମୂଲ୍ୟ

Fake Documents Case: ଜାଲ୍ ସାର୍ଟିଫିକେଟ୍ ଦେଇ ସ୍ଥଳସେନାରେ କରିଥିଲେ ଚାକିରି , ଭଉଣୀର ବାହାଘର ବେଳେ ଉଠାଇନେଲା ପୋଲିସ

Crime In Delhi: କାରରେ ଡେଡବଡି , ଘରେ ଶୋଇଥିଲା ବିବାହିତ ପ୍ରେମିକ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)