/odishatv-khabar/media/media_files/2025/10/07/mahabharat-2025-10-07-17-19-13.jpg)
Mahabharat Photograph: (OTV)
ଯୁଧିଷ୍ଠିରଙ୍କ ସହ କଥା ହେଇସାରି ଓ ପାଣ୍ଡବମାନଙ୍କ ସହ କିଛି ସମୟ ବିତାଇ ମାମୁ ଶଲ୍ୟ କଥା ଅନୁସାରେ ଦୁର୍ଯ୍ୟୋଧନଙ୍କ ପାଖକୁ ଫେରିଗଲେ । ଭିନ୍ନ ଭିନ୍ନ ଦେଶର ରାଜାମାନେ ସେମାନଙ୍କ ସୈନ୍ୟସାମନ୍ତ ଘୋଡ଼ା ହାତୀ ଧରି କୌରବ ଓ ପାଣ୍ଡବମାନଙ୍କ ପାଖରେ ପହଞ୍ଚିବାକୁ ଲାଗିଲେ । ଚେଦି ଶ୍ରେଷ୍ଠ ଶିଶୁପାଳଙ୍କ ପୁଅ ଧୃଷ୍ଟକେତୁ, ମଗଧ ରାଜା ଜରାସନ୍ଧଙ୍କ ପୁଅ ଜୟନ୍ତସେନ, ପାଞ୍ଚାଳ ମହିପତି ଦ୍ରୁପଦ ଓ ମତ୍ସ୍ଯଦେଶର ରାଜା ବିରାଟ ଆଦି ସେମାନଙ୍କ ଯୋଦ୍ଧାମାନଙ୍କୁ ଧରି ପାଣ୍ଡବ ଶିବିରରେ ପହଞ୍ଚିଲେ ।
ସେହିପରି କୃତବର୍ମା ସାଙ୍ଗରେ ଅନ୍ଧକ ଓ ଭୋଜମାନଙ୍କୁ ସାଙ୍ଗରେ ଧରି ଦୁର୍ଯ୍ୟୋଧନଙ୍କ ପାଖରେ ପହଞ୍ଚିଲେ । ସିନ୍ଧୁ ରାଜା ସୁଦକ୍ଷିଣ, ଜୟଦ୍ରଥ, ଶଲ୍ୟ, ଭୁରିଶ୍ରବା, କମ୍ବୋଜ ଅଧିଶ୍ୱର ସାଙ୍ଗରେ ଯବନ ଓ ଶକମାନଙ୍କୁ ସାଙ୍ଗରେ ଧରି ଆସିଲେ । ମାହିଷ୍ମତୀ ରାଜା ନୀଳଧ୍ୱଜ ମଧ୍ୟ ତାଙ୍କ ସୈନ୍ୟଙ୍କୁ ଧରି କୌରବମାନଙ୍କ ପାଖରେ ପହଞ୍ଚିଲେ ।
ଉଭୟ କୌରବ ଓ ପାଣ୍ଡବମାନଙ୍କ ଯୁଦ୍ଧ ପ୍ରସ୍ତୁତି ଏବଂ ଆୟୋଜନ ଚାଲିଥିବା ବେଳେ ପାଣ୍ଡବମାନଙ୍କ ପକ୍ଷରୁ ରାଜା ଦ୍ରୁପଦଙ୍କ ପୁରୋହିତ ଶାନ୍ତି ପ୍ରସ୍ତାବ ନେଇ ହସ୍ତିନାପୁରର ରାଜ ଦରବାରକୁ ଆସିଲେ । ପୁରୋହିତ ରାଜ ଦରବାରରେ ପହଞ୍ଚି ସେଠାରେ ଉପସ୍ଥିତ ଥିବା ପିତାମହ ଭୀଷ୍ମ, ରାଜା ଧୃତରାଷ୍ଟ୍ର ଓ ବିଦୁର ଆଦିଙ୍କ କୁଶଳ ଜିଜ୍ଞାସା କଲାପରେ ପୂରା ସଭାକୁ ଉଦ୍ଦେଶ୍ୟ କରି କହିଲେ, ‘ହେ ସଦାଶୟବୃନ୍ଦ, ଆପଣମାନେ ସମସ୍ତେ ସନାତନ ରାଜଧର୍ମ ବିଷୟରେ ଅବଗତ । ତଥାପି ପ୍ରସଙ୍ଗ ଅଛି ବୋଲି ମୁଁ କିଛି କହୁଛି ।
ଦୟାକରି ଆପଣମାନେ ଶୁଣିବା ହୁଅନ୍ତୁ । ଧୃତରାଷ୍ଟ୍ର ଓ ପଣ୍ଡୁ ଉଭୟେ ରାଜା ବିଚିତ୍ରବୀର୍ଯ୍ୟଙ୍କ ପୁଅ । ତେଣୁ ଦୁହିଁଙ୍କର ପୈତୃକ ସମ୍ପତ୍ତି ଉପରେ ସମାନ ଅଧିକାର ରହିଛି । କିନ୍ତୁ ଏବେ ଧୃତରାଷ୍ଟ୍ରଙ୍କ ପୁଅମାନେ ପୂରା ସମ୍ପତ୍ତି ଅଧିକାର କରି ରଖିଛନ୍ତି । ସେଥିରେ ପୁଣି ଦୁର୍ଯ୍ୟୋଧନ ନିରୀହ ପଣ୍ଡୁପୁତ୍ରମାନଙ୍କୁ ବିଭିନ୍ନ ସମୟରେ ଶଠତା ଓ ଛଳନାପୂର୍ଣ୍ଣ ବ୍ୟବହାର କରି ସେମାନଙ୍କ ପ୍ରାଣ ସଂହାର କରିବାକୁ ବି ଅନେକ ବାର ଚେଷ୍ଟା କରିଛନ୍ତି ।
ଅନେକ ପ୍ରକାରର କ୍ଳେଶ, ଗ୍ଲାନି, ଅପମାନ, କପଟ ପଶା ଖେଳ, ବସ୍ତ୍ରହରଣ, ବନବାସ ଓ ଅଜ୍ଞାତବାସ ପରି କଷ୍ଟ ପାଇଲା ପରେ ବି ପଣ୍ଡୁପୁତ୍ରମାନେ ସେସବୁ କଥା ଭୁଲି ସନ୍ଧି କରିବାକୁ ପ୍ରସ୍ତୁତ । ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । ଶାନ୍ତି ଚାହାଁନ୍ତି ।
ଆପଣମାନେ ଏବେ ପାଣ୍ଡବମାନଙ୍କ ଗୁଣ ଓ କୌରବମାନଙ୍କ ଗୁଣକୁ ବିଚାରକୁ ନେଇ ଉଚିତ ନିର୍ଣ୍ଣୟ ନିଅନ୍ତୁ । ଏଠାରେ ଉପସ୍ଥିତ ଥିବା ଅନେକ ଉଭୟେ କୌରବ ଓ ପାଣ୍ଡବମାନଙ୍କର ମଙ୍ଗଳ ଚାହାଁନ୍ତି । ଯୁଦ୍ଧ ନିଶ୍ଚୟ ଉଭୟ ପକ୍ଷର ପ୍ରଭୂତ କ୍ଷତି କରିବ । ଯୁଦ୍ଧ ଧ୍ୱଂସକୁ ଡାକି ଆଣିବ। କେହି ଭାବନ୍ତୁ ନାହିଁ ଯେ ପାଣ୍ଡବମାନେ ଯୁଦ୍ଧକୁ ଡରି ସନ୍ଧି ପ୍ରସ୍ତାବ ପଠାଇଛନ୍ତି । ଏବେ ସେମାନଙ୍କୁ ଯୁଦ୍ଧରେ ସହଯୋଗ କରିବାକୁ ସାତ ଅକ୍ଷୌହିଣୀ ସୈନ୍ୟ ଅପେକ୍ଷା କରି ଅଛନ୍ତି । ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବଙ୍କ ବୀରତ୍ୱ ବିଷୟରେ ଆପଣମାନେ ନିଶ୍ଚୟ ଅବଗତ ଅଛନ୍ତି । ତୁଳନା କଲେ ତ କେବଳ ଏକା ଅର୍ଜୁନଙ୍କ ସମ୍ମୁଖରେ ଦୁର୍ଯ୍ୟୋଧନଙ୍କ ଏଗାର ଅକ୍ଷୌହିଣୀ ସୈନ୍ୟ ପାସଙ୍ଗରେ ପଡିବେନି । ସ୍ୱୟଂ ଶ୍ରୀକୃଷ୍ଣ ପୁଣି ପାଣ୍ଡବମାନଙ୍କ ସହାୟତା କରୁଛନ୍ତି ।
ତେଣୁ ସଭାର ବିଦ୍ୱାନମାନଙ୍କ ପାଖରେ ମୋର ଅନୁରୋଧ ଯେ ଆପଣମାନେ ସୁବିଚାର କରି ଯଥାଶୀଘ୍ର ପାଣ୍ଡବମାନଙ୍କ ଦେଶ ସେମାନଙ୍କୁ ଫେରାଇଦେବାର ବ୍ୟବସ୍ଥା କରନ୍ତୁ । ସମ୍ଭାବ୍ୟ ଯୁଦ୍ଧକୁ ଟାଳି ଦିଅନ୍ତୁ ।’
ପୁରୋହିତ ଦୂତଙ୍କ ନିବେଦନ ଶୁଣି ପିତାମହ ଭୀଷ୍ମ କହିଲେ ‘ଯା ହେଉ ଈଶ୍ୱରଙ୍କ କୃପାରୁ ପାଣ୍ଡବମାନେ କୁଶଳ ଓ ନିରାପଦରେ ଅଛନ୍ତି । ଏ କଥା ସତ ଯେ, ଅସହ୍ୟ ଦୁଃଖ କଷ୍ଟରେ ଥାଇ ବି ସେମାନେ ଧର୍ମର ରାସ୍ତାରୁ ତିଳେ ମାତ୍ର ବିଚ୍ୟୁତ ହେଇନାହାଁନ୍ତି । ସମସ୍ତ ବୀରତ୍ୱ ଥିବା ସତ୍ତ୍ୱେ ଯୁଦ୍ଧକୁ ଏଡାଇ ଶାନ୍ତି ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ସେମାନଙ୍କ ପୈତୃକ ସମ୍ପତ୍ତି ପାଇବା ଉଚିତ । ଏଥିରେ କିଛି ସନ୍ଦେହ ନାହିଁ ।
ମୁଁ ଜାଣିଛି ଭଲରେ ଭଲରେ ସବୁ ନହେଲେ ଅର୍ଜୁନଙ୍କ ଗାଣ୍ଡିବ ଆଗରେ କେହି ଜଣେ ବି ବର୍ତ୍ତିପାରିବେନି । ତାଙ୍କ ପାଖରେ ଏକାକୀ ତ୍ରିଭୂବନର ସମସ୍ତ ବୀରଙ୍କୁ ପରାଜିତ କରିପାରିବାର ଶକ୍ତି ସାମର୍ଥ୍ୟ ରହିଛି ।’
ଦୂତଙ୍କ କଥା କର୍ଣ୍ଣଙ୍କ ମନକୁ ପାଇଲାନି । ସେ ସଙ୍ଗେ ସଙ୍ଗେ ରାଗି ତାଙ୍କ ସ୍ଥାନରେ ଠିଆ ହେଇ କହିଲେ, ‘ହେ ବ୍ରାହ୍ମଣ, ଯୋଉ କଥା ସମସ୍ତେ ଜାଣନ୍ତି ସେ କଥା କାହିଁକି ଉଠଉଛ? ସମସ୍ତେ ଜାଣନ୍ତି ଯୁଧିଷ୍ଠିର ପଶା ଖେଳି ତାଙ୍କ ପୈତୃକ ସମ୍ପତ୍ତି ହାରିଛନ୍ତି । ବନବାସ କଥା ସେ ନିଜେ ପଶା ଖେଳ ପୂର୍ବରୁ ଖେଳର ସର୍ତ୍ତ ଭାବରେ ରାଜି ହେଇଥିଲେ । ଖେଳରେ ହାରିଲେ ବୋଲି ତ ନିଜ ପ୍ରତିଜ୍ଞା ରଖି ବନବାସରେ ଗଲେ । ତଥାପି ସେମିତି ଦେଖିଲେ ସେ ତାଙ୍କ ପ୍ରତିଜ୍ଞା ପୂରା ବି କରିନାହାଁନ୍ତି ।
ଅଜ୍ଞାତବାସ ସରିବା ଆଗରୁ ଚିହ୍ନା ପଡିସାରିଛନ୍ତି। ଏବେ ଯୁଧିଷ୍ଠିର ପ୍ରତିଜ୍ଞା ଭଙ୍ଗ କରିଥିବାରୁ ଆଉଥରେ ବନବାସରେ ଯିବା କଥା । ତାପରେ ଯାଇଁ ତାଙ୍କ ଅନୁରୋଧ ବିଚାର କରାଯିବ। ଧର୍ମ ଅନୁସାରେ ଦୁର୍ଯ୍ୟୋଧନ ସମଗ୍ର ପୃଥିବୀ ଦେଇଦେବେ କିନ୍ତୁ ଡରେଇ ଧମକେଇଲେ ସେ ଏକ ଚତୁର୍ଥାଂଶ ବି କଦାପି କାହାକୁ ଦେବେନାହିଁ । ତାପରେ ବି ପାଣ୍ଡବମାନେ ଯଦି ମୁର୍ଖଙ୍କ ପରି ଯୁଦ୍ଧ କରିବାକୁ ବାହାରନ୍ତି ତେବେ ସେମାନଙ୍କ ବିନାଶ ନିଶ୍ଚୟ ହେବ । ଏଥିରେ ସନ୍ଦେହ ନାହିଁ ।’
କର୍ଣ୍ଣଙ୍କ କ୍ରୋଧଭରା କଥା ଶୁଣି ପିତାମହ ଭୀଷ୍ମ କହିଲେ, ‘ହେ କର୍ଣ୍ଣ ତୁମେ ଜଣେ ନିରୋଳା ବାକ୍ୟ ବୀର । କାମ ନୁହେଁ ବରଂ ବଡ ବଡ କଥା କହିବା ବୋଧେ ତୁମର ବେଶି ପସନ୍ଦ । ବିରାଟ ଗୋଧନ ହରଣ ବେଳେ ତୁମେ ଅର୍ଜୁନ ହାତରେ ପରାସ୍ତ ହେଇ ଯୁଦ୍ଧଭୂମିରୁ ଲୁଚି ପଳାୟନ କରିବା କଥା କେହି ଭୁଲି ନାହାଁନ୍ତି । ଅର୍ଜୁନ ଏକା ଏକା ଛଅ ମହାରଥି ଓ ପୂରା କୌରବସେନାଙ୍କୁ ପରାସ୍ତ କରିବା କଥା ତୁମେ ବୋଧେ ଭୁଲି ଯାଇଛ । ଏବେ ଏହି ବ୍ରାହ୍ମଣ ଦୂତ ଭାବରେ ଯେଉଁ ଶାନ୍ତି ବାର୍ତ୍ତା ଆଣି ଆସିଛନ୍ତି ତାହାକୁ ଗ୍ରହଣ କରିବା ମଙ୍ଗଳକାରକ ହେବ । ତା' ନହେଲେ ତୁମେ ଯାହା କହୁଛ ସେଥିରେ ପୂରା କୁରୁକୂଳ ଧ୍ୱଂସ ପାଇଯିବ ।’
ଏଯାଏଁ ଚୁପ ଥିବା ଧୃତରାଷ୍ଟ୍ର କର୍ଣ୍ଣ ଓ ଭୀଷ୍ମଙ୍କ ବିବାଦ ଦେଖି କହିଲେ, ‘ଗଙ୍ଗା ପୁତ୍ର ଯାହା କହୁଛନ୍ତି ଠିକ ହିଁ କହୁଛନ୍ତି । କର୍ଣ୍ଣ ଏପରି କହିବା ଆଦୌ ଠିକ ହେଇନି । ଭୀଷ୍ମ ଉଭୟ ପକ୍ଷର ମଙ୍ଗଳ କଥା କହୁଛନ୍ତି ।’ ତାପରେ ଦୂତଙ୍କ ଆଡକୁ ଚାହିଁ କହିଲେ, ‘ଆମେ ଆମମାନଙ୍କ ଭିତରେ ଆଲୋଚନା କରି ସଞ୍ଜୟଙ୍କୁ ଖୁବ ଶୀଘ୍ର ଯୁଧିଷ୍ଠିରଙ୍କ ପାଖକୁ ପଠେଇବୁ । ତେଣୁ ଆପଣ ଫେରିଯାଇ ଏଇ ଖବର ସେଠାରେ ପହଞ୍ଚାଇ ଦିଅନ୍ତୁ।’
ବିରାଟଙ୍କ ପୁରୋହିତଙ୍କୁ ଉପଯୁକ୍ତ ସତ୍କାର ପରେ ବିଦାୟ ଦିଆଗଲା । ତାପରେ ରାଜା ଧୃତରାଷ୍ଟ୍ର ସଞ୍ଜୟଙ୍କୁ ଡାକିଲେ ଓ କହିଲେ –‘ହେ ସଞ୍ଜୟ ତୁମକୁ ପାଣ୍ଡବମାନଙ୍କ ପାଖକୁ ଯିବାକୁ ହେବ । ସେମାନେ ଏବେ ଉପପ୍ଲବ୍ୟ ନଗରରେ ଅଛନ୍ତି । ସେଠାରେ ପାଣ୍ଡବମାନଙ୍କୁ ସାକ୍ଷାତ କରି ସେମନଙ୍କ କୁଶଳ ମଙ୍ଗଳ ପଚାରି ବୁଝିବ । ତୁମେ ଅତ୍ୟନ୍ତ ମଧୁର ଭାଷାରେ ସେମାନଙ୍କ ସହ କଥା ହେବ ଓ ମୋର ସ୍ନେହ ଦେବ । ସେମାନେ ଏତେ ପ୍ରକାର ଦୁଃଖ, କଷ୍ଟ ଓ ଅପମାନ ସହି ବି ତଥାପି ସନ୍ଧି କାମନା କରିଛନ୍ତି ତା'ର ପୂର୍ଣ୍ଣ ସୁଯୋଗ ନେବ । ସେମାନଙ୍କୁ ଶାନ୍ତିର ମହତ୍ତ୍ୱ, ନିଜ ଲୋକଙ୍କ ବିନାଶ କିପରି ନିନ୍ଦନୀୟ ସେସବୁ କଥା ବିସ୍ତାରରେ ବୁଝାଇବ ।
ପାଣ୍ଡବମାନଙ୍କ ପାଖରେ କୃଷ୍ଣ ନିଶ୍ଚୟ ଉପସ୍ଥିତ ଥିବେ । ଯୁଦ୍ଧ ହେଲେ କୃଷ୍ଣ ଓ ଅର୍ଜୁନ ଗୋଟେ ରଥରେ ବିରାଜମାନ କରିବେ ବୋଲି ଜାଣିବା ବେଳରୁ ମୁଁ ଭୟ କରୁଛି । ପାଣ୍ଡବମାନଙ୍କୁ ଯୁଦ୍ଧରେ ଜୟ କରିବା ସହଜ ନୁହେଁ । ତୁମେ କୃଷ୍ଣଙ୍କୁ ପ୍ରସନ୍ନ କରିବାର ପ୍ରଯତ୍ନ କରିବ । ସେ ଚାହିଁଲେ ପାଣ୍ଡବମାନେ ସହଜରେ ସନ୍ଧି କରିବେ । ତାଙ୍କ କଥା ଯୁଧିଷ୍ଠିର ଭାଙ୍ଗିପାରିବେନି ।’
ଧୃତରାଷ୍ଟ୍ର ଜାଣିଥିଲେ କେଉଁଟା ଠିକ ଓ କେଉଁଟା ଭୁଲ୍। କ'ଣ ନ୍ୟାୟ ଓ କ'ଣ ଅନ୍ୟାୟ ବି ଜାଣିଥିଲେ । କିନ୍ତୁ ସେ ତାଙ୍କର ପୁଅମାନଙ୍କ ପ୍ରତି ଏତେ ମାତ୍ରାରେ ଆସକ୍ତ ଥିଲେ ଯେ, ମନ ଭିତରେ ଚାହୁଁଥିଲେ ପାଣ୍ଡବମାନଙ୍କୁ କୌଣସି ପ୍ରକାର ବୁଝାଇ ସୁଝାଇ ସନ୍ତୁଷ୍ଟ କରେଇ ଯୁଦ୍ଧ କରେଇଦେବେନି କି ଏପଟେ ପୁଅ ଦୁର୍ଯ୍ୟୋଧନଙ୍କ ମାନ ଭଙ୍ଗ କରିବେନି ।
ଧୃତରାଷ୍ଟ୍ରଙ୍କ ଆଦେଶ ପାଇ ସଞ୍ଜୟ ପାଣ୍ଡବମାନଙ୍କ ପାଖରେ ପହଞ୍ଚିଲେ। ସେ ପ୍ରଥମେ ଯୁଧିଷ୍ଠିରଙ୍କୁ ଅଭିବାଦନ କଲେ । କହିଲେ, ‘ହେ ଧର୍ମରାଜ ଆପଣଙ୍କୁ ସୁସ୍ଥ ସବଳ ରୂପରେ ମୋ ଚର୍ମ ଚକ୍ଷୁରେ ଦର୍ଶନ କରି ଖୁସି ହେଲି । ମୋର ପରମ ସୌଭାଗ୍ୟ ଅନେକ ରାଜାଙ୍କ ଭିତରେ ଆପଣ ଇନ୍ଦ୍ରଦେବଙ୍କ ପରି ଶୋଭା ପାଉଛନ୍ତି । ଏ ଦୃଶ୍ୟ ଦେଖି ମନ ମୋର ଆନନ୍ଦରେ ପୂରି ଉଠୁଛି ।
ବୃଦ୍ଧ ରାଜା ଧୃତରାଷ୍ଟ୍ର ଆପଣମାନଙ୍କ ଭଲ ମନ୍ଦ ପଚାରି ବୁଝିବାକୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି । ଆପଣ, ଭୀମସେନ, ଅର୍ଜୁନ, ନକୁଳ ଓ ସହଦେବ କୁଶଳରେ ଅଛନ୍ତି ତ? ଦ୍ରୁପଦ ରାଜନନ୍ଦିନୀ ତାଙ୍କ ପାଞ୍ଚ ପୁଅଙ୍କ ସହ କେମିତି ଅଛନ୍ତି?
ତାପରେ ସଞ୍ଜୟ କହିଲେ, ‘ହେ ଧର୍ମରାଜ! ହସ୍ତିନା ରାଜ ଦରବାର ତୁମେ ଦୂତ ହାତରେ ପଠାଇଥିବା ବାର୍ତ୍ତା ପାଇଛି । ଆପଣଙ୍କ ପରି ଧୃତରାଷ୍ଟ୍ର ମଧ୍ୟ ଯୁଦ୍ଧ ଚାହାଁନ୍ତି ନାହିଁ । ପାଣ୍ଡବ ଓ କୌରବମାନଙ୍କ ଭିତରେ ମିତ୍ରତା ସ୍ଥାପନ ହେଉ ବୋଲି ତାଙ୍କର ମଧ୍ୟ ଇଚ୍ଛା ।’
ସଞ୍ଜୟଙ୍କର କଥା ଶୁଣି ଯୁଧିଷ୍ଠିର କହିଲେ, ‘ହେ ତାତ ସଞ୍ଜୟ, ଅନେକ ଦିନ ପରେ ଆପଣଙ୍କୁ ଦେଖି ଖୁସି ଲାଗୁଛି । ମୁଁ ମୋ ଭାଇମାନେ ସମସ୍ତେ ଭଲରେ ଅଛୁ । ଆମର ପିତାମହ ଭୀଷ୍ମ, ଗୁରୁ ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ରାଜା ଧୃତରାଷ୍ଟ୍ର, ଭୂରିଶ୍ରବା ଓ ସୋମଦତ୍ତ ଆଦି କେମିତି ଅଛନ୍ତି?’ ତାପରେ ଯୁଧିଷ୍ଠିର ଜଣ ଜଣ କରି ସମସ୍ତଙ୍କ ଭଲ ମନ୍ଦ ଜାଣିବାକୁ ସଞ୍ଜୟଙ୍କୁ ପ୍ରଶ୍ନ କଲେ । କହିଲେ, ‘ଆମେ ଶାନ୍ତି ଚାହୁଁଛୁ ବୋଲି ତ ହସ୍ତିନା ରାଜ ଦରବାରକୁ ଦୂତ ପ୍ରେରଣ କରିଥିଲୁ ।
ରାଜା ଧୃତରାଷ୍ଟ୍ର ଚାହିଁଲେ ଅଯଥା ଧ୍ୱଂସଲୀଳା ଓ ରକ୍ତପାତ ହେବନାହିଁ । ଆତ୍ମୀୟ ଆତ୍ମୀୟକୁ ହତ୍ୟା କରିବେନି । ଆମେ କେବଳ ଆମର ପୈତୃକ ସମ୍ପତ୍ତିରେ ଭାଗ ମାଗୁଛୁ । ଯାହାକୁ କପଟ ଓ ଶଠତା କରି ଦୁର୍ଯ୍ୟୋଧନ ଆମ ପାଖରୁ ହାସଲ କରନେଇଛନ୍ତି । ଆମ ଅଂଶ ଆମକୁ ଫେରାଇ ଦେଲେ ଆମେ ଆମ ପ୍ରତି ଅତୀତରେ କରାଯାଇଥିବା ସମସ୍ତ ଅନ୍ୟାୟ ଅତ୍ୟାଚାରକୁ ଭୁଲିଯିବୁ ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)