/odishatv-khabar/media/media_files/2025/10/07/pittabasha-panda-murder-2025-10-07-15-21-59.jpg)
Pittabasha-Panda-Murder Photograph: (OTV)
ବିଚ୍ ରାସ୍ତା ଉପରେ ମର୍ଡର୍ । ବିଜେପି ନେତାଙ୍କୁ ଗୁଳିକରି ହତ୍ୟା । ପୀତବାସ ପଣ୍ଡାଙ୍କୁ ମାରିଲା କିଏ ? ଗୁଳି କରିଥିବା ଦୁଇ ଦୁର୍ବୃତ ଥିଲେ କିଏ ? ଆଉ କେହି ନୁହେଁ, ଖୋଦ୍ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ସାରା ରାଜ୍ୟକୁ ଯେମିତି ସ୍ତବ୍ଧ କରିଦେଇଛି । ଗତକାଲି ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ । ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ। ଫଳରେ ସେଇଠି ହିଁ ଟଳିପଡ଼ିଥିଲେ ପୀତବାସ ।
ଦୁର୍ବୃତ୍ତଙ୍କ ଗୁଳିମାଡ଼ ପରେ ପୀତବାସଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୀତବାସଙ୍କ ଶରୀରରୁ ଗୋଟିଏ ଗୁଳି ବାହାରିଥିବା FMT ମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସବୁଆଡ଼େ ଦାବି ଜୋରଦାର ହୋଇଛି । ସେପଟେ ଏହି ଘଟଣାକୁ ନେଇ ବୁଧବାର ଅର୍ଥାତ୍ ଆସନ୍ତାକାଲି ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଆଇନଜୀବୀ ।
ତେବେ ଏଠି ପ୍ରଶ୍ନ ଉଠୁଛି, ବ୍ରହ୍ମପୁର ଓ ଗଞ୍ଜାମ କାହିଁକି ପାଲଟିଗଲାଣି ଅପରାଧ ପ୍ରବଣ ? ପ୍ରତ୍ୟେକ ଦିନ ବଡ଼ ବଡ଼ ଅପରାଧ ଘଟୁଥିଲେ ବି ପୋଲିସ ଅଟକାଇ ପାରୁନାହିଁ କାହିଁକି ? ଗଞ୍ଜାମରେ ଦୁଇଟି ପୋଲିସ ଜିଲ୍ଲା ହେଲେ ଗାଁ ଗାଁରେ ଘଟୁଛି ଅପରାଧ ? ଏ ସବୁ ପ୍ରଶ୍ନର ଉତ୍ତର ଦେବ କିଏ ? ଜଣେ ଜଣାଶୁଣା ଓ ବ୍ରହ୍ମପୁରର ଲୋକପ୍ରିୟ ନେତାଙ୍କୁ ବିଚ୍ ରାସ୍ତାରେ ହତ୍ୟା ପରେ ଏବେ ବ୍ରହ୍ମପୁରରେ ଯେମିତି ଆତଙ୍କ ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)