Advertisment

Mahashtami Sandhi Puja: ଚଣ୍ଡିପାଠ ସାଙ୍ଗକୁ ମହିଷାମର୍ଦ୍ଦିନୀଙ୍କୁ କୁଷ୍ମାଣ୍ଡ ଅର୍ପଣ , ପଶୁ ବଳିରେ ରକ୍ତରଂଜିତ ହେଲା ଭବାନୀପାଟଣାର ଛତର୍ ଯାତ୍ରା

ମା’ ଦୁର୍ଗାଙ୍କ ଆରାଧନାରେ ପ୍ରକମ୍ପିତ ହେଉଛି ଗଗନ ପବନ । ମହାମାୟୀଙ୍କ ମହାଷ୍ଟମୀ ସହ କରାଯାଇଛି ସନ୍ଧିପୂଜା। ଏହି ସନ୍ଧିକ୍ଷଣରେ ଚଣ୍ଡିପାଠ ସାଙ୍ଗକୁ ଅର୍ପଣ କରାଯାଇଛି କୁଷ୍ମାଣ୍ଡ ବଳି ଏବଂ ନୈବେଦ୍ୟ ।

author-image
Manas Ranjan Mohanty
KUSHMANDA

KUSHMANDA Photograph: (OTV)

ମହାମାୟୀଙ୍କ ମହାଷ୍ଟମୀରେ ଉଚ୍ଛୁଳି ପଡୁଛି ମଣ୍ଡପ...ଶ୍ରଦ୍ଧାଳୁଙ୍କ ସମାଗମରେ ପୁରି ଉଠିଛି ସାରା ପରିବେଶ...ଘଣ୍ଟ...ଶଙ୍ଖ ସହ ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ଗଗନ ପବନ। ଷୋଡ଼ଶ ଉପଚାର କ୍ରମରେ ଆଜି ଅଷ୍ଟମୀ ତିଥିରେ କେଉଁଠି ପ୍ରତୀକ ଭାବେ କୁଷ୍ମାଣ୍ଡ ବଳି ଦିଆଯାଇଛି ତ ଆଉ କେଉଁଠି ମହାନବମୀର ସନ୍ଧିକ୍ଷଣରେ କରାଯାଇଛି ମା’ଙ୍କ ସ୍ବତନ୍ତ୍ର ପୂଜା।ତାହାରି ଭିତରେ ନିଜର ଶଙ୍ଖା ସିନ୍ଦୂରର ସୁରକ୍ଷା ପାଇଁ ସଧବା ମାନେ ଡାଲା ଭୋଗ ଲାଗି କରିଛନ୍ତି। ଫୁଲଫଳ ସହ ନୈବେଦ୍ୟ ଚଢ଼ାଇ ସିନ୍ଦୁର, ଶାଢ଼ୀ ଏବଂ ଶଙ୍ଖା ଲାଗି କରିଛନ୍ତି ମା’ଙ୍କୁ। ବମିଖାଲ ହେଉ ଅବା ଷ୍ଟେସନ ବଜାର, ରାଜଧାନୀର ସବୁ ମଣ୍ଡପରେ ହାତରେ ପୂଜାଥାଳି ଧରି ଭୋଗ ଲଗାଇଛନ୍ତି ଶ୍ରଦ୍ଧାଳୁ। ଏହାପରେ ଲଗ୍ନ ଅନୁସାରେ ମଣ୍ଡପରେ କରାଯାଇଛି ଜଗଜ୍ଜନନୀଙ୍କ ମହାନବମୀ ପୂଜା।  

ସେପଟେ ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ରାଜବାଟୀ। କେଉଁଠି ଉତ୍କଳୀୟ ପରମ୍ପରା ତ ଆଉ କେଉଁଠି ବଙ୍ଗୀୟ ପରମ୍ପରା ଅନୁସାରେ ହେଉଛି ଶାରଦୀୟ ପୂଜା। ଯେମିତି କେନ୍ଦ୍ରାପଡା ଆଳିର ରାଜବାଟି। ୪ ଶହ ବର୍ଷର ପରମ୍ପରା କ୍ରମେ ମା’ ଦୁର୍ଗାଙ୍କ ଆରାଧନା କରାଯାଉଛି ଏଠି। ରାଜପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆଳି ରାଜା ବ୍ରଜକେଶରୀ ଦେବଙ୍କୁ ରାଜାଭିଷେକ କରାଯାଇଥାଏ। ରାଜାଭିଷେକ ପରେ ବଳି ଦିଆଯାଇଥାଏ ଏଠାରେ। ଏଠାକାର ବିଶେଷତ୍ୱ ହେଉଛି ମାଛ ସହିତ ବେଲପତ୍ର ଭୋଗ।...ସେହିଭଳି ପାରଳାଖେମୁଣ୍ଡି ସ୍ଥିତ ପାରଳା ରାଜନଅରରେ ବି ଶାରଦୀୟ ପୂଜାର ରହିଛି ସ୍ବତନ୍ତ୍ରତା। ମହାଷ୍ଟମୀ ଷୋଡ଼ଶ ଦିନାତ୍ମକ ପୂଜାବେଳେ ପାରଳା ରାଜବଂଶର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ନିକଟରେ ଚଣ୍ଡୀପାଠ ସହ ପ୍ରତିଦିନ ମାଗୁର ମାଛ ବଳି ଦିଆଯାଇଥାଏ। ଏହିଦିନ ମାଣିକେଶ୍ବରୀ ମନ୍ଦିରରୁ ଯଥା ରୀତିନୀତିରେ ପାଟଖଣ୍ଡାକୁ ଅଣାଯାଏ ରାଜନଅର। ମଧ୍ୟରାତ୍ର ଯାଏଁ ବଳି ଦିଆଯାଇଥାଏ ଏଠାରେ।...ନୀଳଗିରି ରାଜବାଟୀରେ ତ ପୂଜା ପାଆନ୍ତି ମା’ କନକ ଦୁର୍ଗା। କାରଣ ଏହି ରାଜବାଟୀର ସେ କୁଳଦେବୀ। ତେଣୁ ମା’ଙ୍କ ଦର୍ଶନ ପାଇଁ ରାଜବାଟିକୁ ସୁଅ ଛୁଟେ ଶ୍ରଦ୍ଧାଳୁଙ୍କର। 

ସେପଟେ ଭବାନୀପାଟଣାରେ ଶାନ୍ତି ଶୃଙ୍ଖଳାର ସହିତ ମା’ ମାଣିକେଶ୍ବରୀଙ୍କ ଛତରଯାତ୍ରା ସମ୍ପନ୍ନ ହୋଇଥିଲେ ବି ଶହ ଶହ ପଶୁ, ପକ୍ଷୀ ବଳି ପଡ଼ିଛି। ମହାଷ୍ଟମୀ ମଧ୍ୟରାତ୍ରୀରେ ମନ୍ଦିରରେ ଗୁପ୍ତପୂଜା ସହ ପୋଢ ବଳି ପରେ ଦେବୀଙ୍କ ବିଜୟ ପ୍ରତିମା ଛତରକୁ ସହର ଉପକଣ୍ଠ ଜେନାଖାଲକୁ ନିଆଯାଇଥିଲା। ଆଉ ସେଠାରେ ଗୁପ୍ତ ରୀତିନୀତିରେ ପୂଜା ପରେ ୫ଟା ୨୦ରେ ମା’ଙ୍କ ଛତରକୁ ଅଣାଯାଇଥିଲା ୩ କିଲୋମିଟର ଦୂର ମନ୍ଦିରକୁ। ଏହି ସମୟରେ କିଛି ଶ୍ରଦ୍ଧାଳୁ ପ୍ରତୀକାତ୍ମକ ଭାବେ ପାରା ଉଡ଼ାଇଥିଲେ ତ ଆଉ କିଏ ବୋଦା, କୁକୁଡ଼ା ବଳି ପକାଇଥିଲେ। ବଳି ଯୋଗୁ ରକ୍ତରଂଜିତ ହୋଇଥିଲା ରାଜପଥ।  

Advertisment

Advertisment
Related Articles
Advertisment