Advertisment

Deba Dipabali: ସାଧାରଣ ମଣିଷଙ୍କ ପରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ପିନ୍ଧନ୍ତି ଏହି ସ୍ୱତନ୍ତ୍ର ପୋଷାକ

ଓଡ଼ିଆଙ୍କର ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଶ୍ରାଦ୍ଧକର୍ମ ପାଳନ୍ତି। ଓଡ଼ିଆ ପର୍ବପର୍ବାଣୀ ସବୁ ତାଙ୍କୁ ନେଇ ପାଳନ ହୁଏ। ତାଙ୍କର ସବୁ ଲୀଳା ମାନବୀୟ। ସାଧାରଣ ମଣିଷ ପରି ସେ ଚଳନ୍ତି। ସେ ମଧ୍ୟ ପିତୃପୁରଷଙ୍କ ପ୍ରତି ଶ୍ରାଦ୍ଧ ଅର୍ପଣ ଓ ଦୀପଦାନ କରନ୍ତି।

author-image
Sarojini Sankhua
Deva Dipavali 2025

ଦେବ ଦୀପାବଳିର ମହତ୍ୱ Photograph: (OTV)

କୁହାଯାଇଥାଏ ଯେ ମଣିଷ ତା ମୃତ୍ୟୁ ପୂର୍ବରୁ ନିଜର ସବୁ ଇଛା ପୂରଣ କରିପାରି ନଥାଏ। ହିନ୍ଦୁ ଧର୍ମରେ ବିଶ୍ଵାସ ରହିଛି, ଶରୀରର ମୃତ୍ୟୁ ଅଛି, ହେଲେ ଆତ୍ମା ଅମର। ତେଣୁ ମୃତ୍ୟୁ ପରେ ମଧ୍ୟ ଆତ୍ମାର ଅପୂର୍ଣ୍ଣ ଇଛା କିଛି ରହିଯାଏ, ଯାହା ପାଇଁ ସେ ଶାନ୍ତି ପାଏନାହିଁ। ତେଣୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ଇଛା ପୂରଣ ପାଇଁ ଶ୍ରଦ୍ଧାରେ ଯେଉଁ କାର୍ଯ୍ୟ କରାଯାଏ, ତାକୁ ଶ୍ରାଦ୍ଧ କୁହାଯାଏ। ଭାରତୀୟ ଜନଜୀବନରେ ପୂର୍ବପୁରୁଷ ବା ବଡ଼ବଡ଼ିଆଙ୍କ ସ୍ମୃତି ଚାରଣ ସହ ସେମାନଙ୍କ ଉପାସନା କାହିଁ କେଉଁ ଆଦିମ କାଳରୁ ଚଳି ଆସୁଛି। ଶ୍ରାଦ୍ଧ ଦେବା ହେଉଛି ହିନ୍ଦୁ ଧର୍ମାଚାରର ଏକ ମୌଳିକ ଅନୁଷ୍ଠାନ।

Advertisment

ଓଡ଼ିଆ ପର୍ବ ପର୍ବାଣୀ (Odia Parba Parbani)ର ନାୟକ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆମ ଓଡ଼ିଆଙ୍କର ଇଷ୍ଟଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ମଣିଷମାନଙ୍କ ପରି ଶ୍ରାଦ୍ଧକର୍ମ ପାଳନ କରନ୍ତି। ମହାପ୍ରଭୁଙ୍କ ମାନବୀୟ ଲୀଳା ହିଁ ଆମ ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ। ସେଥିପାଇଁ ପ୍ରଭୁ ତାଙ୍କର ଜନ୍ମଠୁ ଆରମ୍ଭ କରି ସାଂସାରିକ ଜୀବନ ଏବଂ ଶରୀର ତ୍ୟାଗ ଓ ନୂତନ ଶରୀର ଧାରଣ ପରି ଦିବ୍ୟ ମାନବୀୟ ଲୀଳାମାନ ରଚନା କରିଥାନ୍ତି। ତା ମଧ୍ୟରେ ପିତୃପୁରଷଙ୍କ ପ୍ରତି ଶ୍ରାଦ୍ଧ ଅର୍ପଣ,ଦୀପଦାନ ପରି ନୀତି  ପାଳନ କରନ୍ତି। 

ଦେବ ଦୀପାବଳି

ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀଠାରୁ ଶୁକ୍ଳ ପ୍ରତିପଦା ମଧ୍ୟରେ ପ୍ରଭୁ ଜଗନ୍ନାଥ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବମାନଙ୍କ ପରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି। ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ମହାପ୍ରଭୁ ଅଦିତି ଓ କଶ୍ୟପଙ୍କୁ ଶ୍ରାଦ୍ଧ ଦେଇଥାନ୍ତି। ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା। ମହର୍ଷି କଶ୍ୟପ ଏହାଙ୍କ ସ୍ବାମୀ। ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା। ମହାପ୍ରଭୁ ଶ୍ରୀଜଗନ୍ନାଥ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି।

Advertisment

ଅମାବସ୍ୟା ଦିନ ରାଜା ଦଶରଥ, କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ, ପ୍ରତିପଦା ଦିନ ବସୁଦେବ, ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରନ୍ତି। ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ। ତିନିଦିନ ଧରି ମହାପ୍ରଭୁ ତାଙ୍କ ପିତୃ ପିତାମହ ଆଦିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଉତ୍ସର୍ଗ କରନ୍ତି। ଏହି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। 

ଶ୍ରାଦ୍ଧ ବେଶ

ମହାପ୍ରଭୁଙ୍କ ଏହି ଦୀପ ଦାନ ସମୟରେ ଯେଉଁ ବେଶ ହୁଅନ୍ତି ତାହା ଶ୍ରାଦ୍ଧ ବେଶ ଭାବରେ ପରିଚିତ। ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ନାଗପୁରୀ ଶାଢ଼ୀ ଚାଦରରେ ଶ୍ରାଦ୍ଧ ବେଶରେ ଭୂଷିତ କରିଥାନ୍ତି। ଏଥିରେ ଶ୍ରୀଜୀଉମାନେ ଧଳା ଲୁଗା ପରିହିତ ହୋଇଥାନ୍ତି। କିନ୍ତୁ, ପ୍ରତି ଠାକୁରଙ୍କ ଲୁଗାର ଧଡ଼ିଗୁଡିକ ଭିନ୍ନ ରଙ୍ଗର ହୋଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲାଗି ହେଉଥିବା ଧଳା ଲୁଗାର ଧଡ଼ିର ରଙ୍ଗ ହଳଦିଆ। ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କୁ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲାଗି ହେଉଥିବା ଧଳା ଲୁଗାର ଧଡ଼ି ନୀଳ। ମା' ସୁଭଦ୍ରାଙ୍କ ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲାଗି ହେଉଥିବା ଧଳା ଲୁଗାର ଧଡିର ରଙ୍ଗ ନାଲି।

ଶ୍ରୀମନ୍ଦିରରେ ଦୀପାବଳି ନୀତି

ଚତୁର୍ଦ୍ଦଶୀ ଦିନ ସଂଧ୍ୟାଧୂପ ପରେ ଧୋପଖାଳ ହୋଇଥାଏ। ପରେ ଭଣ୍ଡାର ମେକାପ ସିଂହାସନ ତଳେ ଚାଉଳରେ ଏକ ଗଛ କରନ୍ତି। ପାଳିଆ ମେକାପ ବଇଠାମାନଙ୍କରେ ଘିଅ ଦେଇ ଚାଉଳ ଗଛରେ ବତୀ ବସାନ୍ତି। ପୂଜାପଣ୍ଡା ସେହି ଚାଉଳ ଗଛ ଓ ଦୀପମାନଙ୍କୁ ସଂସ୍କାର କଲା ପରେ ସିଂହାସନ ଉପରକୁ ଉଠି ପତି ଓ ମୁଦିରସ୍ତଙ୍କ ସମେତ ବନ୍ଦାପନା କରନ୍ତି। ପରେ ମହାଦୀପ ତିନିଟି ବନ୍ଦାପନା ହୁଏ।

ତିନିଜଣ ପୂଜାପଣ୍ଡା ମହାଦୀପ ତିନିଟି ହାତରେ ଧରି ଜୟ ବିଜୟ ଦ୍ୱାରର ଭିତର ପାଖକୁ ଆସନ୍ତି। ଏଠାରେ ମଧ୍ୟ ଚାଉଳର ଗଛ ଆସ୍ଥାନ ପଢିଆରୀ କରିଥାନ୍ତି। ଏହି ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରନ୍ତି। ଏହା ପରେ ମହାଦୀପ କଳସଗୁଡ଼ିକ ଚୂନରାଙ୍କୁ ଦେବା ପରେ ଚୂନରା ତେଲ ଓ ଘିଅ ନେଇ ମନ୍ଦିର ଉପରେ ତିନି ଦେଉଳରେ ଦୀପମାନ ଜାଳନ୍ତି ଓ ଚନ୍ଦ୍ର ଉଦିଆ ଜାଳି ହରିବୋଲ ଡାକନ୍ତି। 

ଅମାବାସ୍ୟା ଦିନ ଠିକ୍ ପୂର୍ବ ପରି ନୀତି ପାଳିତ ହୁଏ। କିନ୍ତୁ ପ୍ରତିପଦ ଦିନ ଚାଉଳ ଗଛ ହେବା ପରେ ମଦନମୋହନ ଭିତର ସିଂହାସନକୁ ବିଜେ କରନ୍ତି। ପ୍ରସାଦ ଲାଗି, ଚାଉଳଗଛ ସଂସ୍କାର ପରେ ତିନିବାଡ଼ରେ ବନ୍ଦାପନା ହୁଏ ଏବଂ ତା'ପରେ ମଦନମୋହନ ଲକ୍ଷ୍ମୀ ଓ ଭୂଦେବୀ ଆଜ୍ଞାମାଳ ପାଇ ଜୟ-ବିଜୟ ଦ୍ଵାର ଭିତର ପାଖେ ବିଜେ କରିଥିବା ବେଳେ ସେଠାରେ ଚାଉଳ ଗଛର ସଂସ୍କାର ହୁଏ। ତା'ପରେ ଜୟ-ବିଜୟ ଦ୍ବାର ଖୋଲାଯାଏ। ଏହି ତିନିଦିଅଁ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରନ୍ତି।

ରୁନ୍ଧା ପରେ ବିମାନବଡୁମାନେ ବିମାନକୁ ଜଗନ୍ନାଥ ବଲ୍ଲଭ ମଠକୁ ନିଅନ୍ତି। ଏଠାରେ କାଠର ଭଦ୍ରାସନ ଉପରେ ଚାଉଳର ଗଛ କରାଯାଇ ଦୀପ ବସାଯାଏ। ମୁଦିରସ୍ତଙ୍କ ଦ୍ବାରା ପ୍ରସାଦ ଲାଗି ଓ ପୂଜାପଣ୍ଡାଙ୍କ ଦ୍ବାରା ଗଛ ସଂସ୍କାର ପରେ, ମୁଦିରସ୍ତ ବନ୍ଦାପନା କରନ୍ତି। ଏହା ପରେ ଦିଅଁମାନେ ବଡ଼ ଦେଉଳକୁ ବାହୁଡ଼ା ବିଜେ କରନ୍ତି।

Odia Parba Parbani
Advertisment