/odishatv-khabar/media/media_files/2025/10/25/girl-education-2025-10-25-18-20-08.jpg)
Girl Education Photograph: (OTV)
ଝିଅର ଶିକ୍ଷା କେବଳ ପରିବାର ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ପ୍ରଗତିର ମୂଳଦୁଆ । ଝିଅମାନେ ଆମର ଗୌରବ, ଆଉ ପ୍ରତ୍ୟେକ ଝିଅ ଗୋଟିଏ ଗୋଟିଏ ରତ୍ନ । ଶିକ୍ଷିତ ଝିଅମାନେ ଆତ୍ମନିର୍ଭରଶୀ ଳ ହେବାସହ ପରିବାରକୁ ସଶକ୍ତ କରନ୍ତି ଏବଂ ସମାଜରେ ପରିବର୍ତ୍ତନ ଆଣନ୍ତି। ଜଣେ ଶିକ୍ଷିତ ଝିଅ ଭବିଷ୍ୟତ ପିଢ଼ିକୁ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିପାରେ ।
ସେଥିପାଇଁ ବାପାମାଆଙ୍କର କର୍ତ୍ତବ୍ୟ ହେଉଛି ପୁଅଙ୍କ ପରି ଝିଅମାନଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କୁ ପ୍ରଗତି ପାଇଁ ପ୍ରେରଣା ଦେବା। ଆମେମାନେ ମନେରଖିବା ଉଚିତ, ଶିକ୍ଷିତ ଝିଅମାନେ ଏକ ସମୃଦ୍ଧ ସମାଜର ପ୍ରମୁଖ ପରିଚୟ। ସେଥିପାଇଁ ଆମ ସମାଜ ପ୍ରତ୍ୟେକ ଝିଅକୁ ଶିକ୍ଷିତ କରିବା ଏବଂ ଏକ ସମୃଦ୍ଧ ଭବିଷ୍ୟତ ପାଇଁ ପଦକ୍ଷେପ ନେବା ଆବଶ୍ୟକ ।
ନିକଟରେ ଗୁଜରାଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଚାରିଥିଲେ, କେତେ ଜଣ ମହିଳା ପଞ୍ଚମ ଶ୍ରେଣୀରୁ ଅଧିକ ପାଠ ପଢ଼ିଛନ୍ତି । ସମବେତ ଜନତାଙ୍କ ମଧ୍ୟରୁ ଅନେକ ବୃଦ୍ଧ ମହିଳା ହାତ ଉଠାଇଥିବା ଦେଖି ସେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପୂର୍ବରୁ ଝିଅଙ୍କ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉନଥିଲା । ଛୋଟ ବେଳୁ ଘର କାମରେ ମା’କୁ ସାହାଯ୍ୟ କରିବା ସହ ଅଳ୍ପ ବୟସରୁ ସେମାନଙ୍କର ବିବାହ ହୋଇଯାଉଥିଲା ।
ହେଲେ ଗାୟକୱାଡ଼ ଶାସନକାଳରେ ଝିଅମାନଙ୍କୁ ପାଠ ନପଢ଼ାଇଲେ ବାପାଙ୍କୁ ଜୋରିମାନା ଦେବାକୁ ପଡ଼ୁଥିଲା । ସେଥିପାଇଁ ସେ ସମୟରେ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିଲା । ଏଥିଯୋଗୁଁ ଅନେକ ଶାଶୂ ପାଠୋଇ ହୋଇଥିବା ବେଳେ ବୋହୂମାନେ କିନ୍ତୁ ପାଠ ପଢ଼ିନାହାନ୍ତି ।
ଏପରି ଉଦାହରଣ ଏକ ଗଭୀର ସତ୍ୟକୁ ଉଜାଗର କରେ । କେବଳ ଭଲ ଉଦ୍ଦେଶ୍ୟ ଯଥେଷ୍ଟ ନୁହେଁ, କିଶୋରୀ ଶିକ୍ଷା ପାଇଁ ଦାୟିତ୍ୱ, ନେତୃତ୍ୱ ଓ ନୀତି ମଧ୍ୟ ଆବଶ୍ୟକ । ମୋଦିଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତରେ ଝିଅଙ୍କ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । କେବଳ ନିୟମ-କାନୁନର ପରିବର୍ତ୍ତନ ନୁହେଁ, ବରଂ ଏହା ସମାଜର ମାନସିକତା ପରିବର୍ତ୍ତନ ସହିତ ଜଡ଼ିତ । ଝିଅମାନଙ୍କୁ ସବୁବେଳେ ପରିବର୍ତ୍ତନର ବାହକ କରାଯାଇପାରିବ, ଯାହା କେବଳ ଶିକ୍ଷା ମାଧ୍ୟମରେ ହିଁ ସମ୍ଭବ ।
ଗୁଜରାଟରେ ମୋଦିଙ୍କ ମଡେଲ୍
କନ୍ୟା ଭୃଣହତ୍ୟା ଏବଂ ଝିଅମାନଙ୍କ ନିରକ୍ଷରତା ଭଳି ସମସ୍ୟା କେବଳ ଆଇନ ଦ୍ୱାରା ସମାଧାନ ହୋଇପାରିବ ନାହିଁ ବୋଲି ମୋଦି ଗୁଜରାଟରେ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ହୃଦୟଙ୍ଗମ କରିପାରିଥିଲେ । ଏଥିପାଇଁ ସାଧାରଣ ଜନତାଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ଥିଲା। ଉନ୍ନତ ସୁବିଧା ଏବଂ ପ୍ରୋତ୍ସାହନ ମଧ୍ୟ ଆବଶ୍ୟକ ଥିଲା । ୨୦୦୩ ମସିହାରେ ଆରମ୍ଭ ହୋଇଥିବା କନ୍ୟା କେଲବନି ଅଭିଯାନ ଏହି ପରିବର୍ତ୍ତନର ଏକ ମାଧ୍ୟମ ପାଲଟିଥିଲା। ଝିଅମାନଙ୍କ ଶିକ୍ଷାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲା ଏହି ଅଭିଯାନ ଏବଂ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଭଳି ପ୍ରମୁଖ ସମସ୍ୟାକୁ ସମାଧାନ କରିଥିଲା।
ଶୌଚାଳୟ ନଥିବାରୁ ଅନେକ ଝିଅ କିଶୋର ବୟସରେ ସ୍କୁଲ ଛାଡି ଦେଉଥିଲେ। ଏହି ଯୋଜନାର ଫଳାଫଳ ବହୁତ ସକାରାତ୍ମକ ଥିଲା । ଫଳରେ ଗୁଜରାଟର ମହିଳା ସାକ୍ଷରତା ହାର, ଯାହା ଏକଦା ଜାତୀୟ ହାରଠାରୁ କମ୍ ଥିଲା, ତାହା ୭୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସେତେବେଳେ ଜାତୀୟ ହାର ଥିଲା ୬୪ ପ୍ରତିଶତ । ଏହି ଅଭିଯାନ ଯୋଗୁଁ ପଛୁଆ ଜିଲ୍ଲାଗୁଡ଼ିକରେ ଝିଅମାନଙ୍କ ସ୍କୁଲ ଛାଡିବା ହାର ୯୦ ପ୍ରତିଶତ ହ୍ରାସ ପାଇଥିଲା।
ଏହି ନୀତିକୁ ସରକାରୀ ଯୋଜନାରେ ସୀମିତ ରଖିନଥିଲେ ମୋଦି, ଧୀରେ ଧୀରେ ଏହା ଏକ ଜନଆନ୍ଦୋଳନରେ ପରିଣତ ହୋଇଥିଲା । ସେ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରାପ୍ତ ଉପହାରକୁ ନିଲାମ କରି ବାଳିକା ଶିକ୍ଷା ପାଇଁ ୧୯ କୋଟି ସଂଗ୍ରହ କଲେ ଏବଂ ବ୍ୟକ୍ତିଗତ ଭାବରେ ୨୧ ଲକ୍ଷ ଦାନ କଲେ। ଏହି ପ୍ରୟାସ ଦ୍ୱାରା ସମାଜକୁ ଏକ ଏକ ଦୃଢ଼ ବାର୍ତ୍ତା ମିଳିଥିଲା । ଝିଅଙ୍କୁ ଶିକ୍ଷା ଦେବା ଓ ଶିକ୍ଷିତ କରିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ସମଗ୍ର ସମାଜର ଦାୟିତ୍ୱ।
ଗୁଜରାଟର ସଫଳତାରେ ଅନୁପ୍ରାଣିତ ହୋଇ ୨୦୧୫ ମସିହାରେ ଦେଶବ୍ୟାପି ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ ଆରମ୍ଭ ହୋଇଥିଲା। ଏହାର ଦୁଇଟି ଉଦ୍ଦେଶ୍ୟ ଥିଲା କନ୍ୟା ଭୃଣ ହତ୍ୟା ରୋକିବା ଏବଂ କନ୍ୟାଶିଶୁ ଶିକ୍ଷାକୁ ପ୍ରୋତ୍ସାହିତ କରିବା । ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମ ସବୁଠାରୁ ଖରାପ ଲିଙ୍ଗ ଅନୁପାତ ଥିବା ୧୦୦ଟି ଜିଲ୍ଲାରେ କାର୍ଯ୍ୟକାରୀ କରାଯାଇଥିଲା। ପରେ ଏହା ଦେଶବ୍ୟାପି କାର୍ଯ୍ୟକାରୀ ହୋଇଥିଲା। ଏହି କାର୍ଯ୍ୟକ୍ରମ ଲିଙ୍ଗ ଅନୁପାତରେ ଉନ୍ନତି ଆଣିବା ଉପରେ ସିଧାସଳଖ ପ୍ରଭାବ ପକାଇଥିଲା।
୨୦୧୫ରେ ପ୍ରତି ୧୦୦୦ ପୁଅରେ ଝିଅଙ୍କ ସଂଖ୍ୟା ଥିଲା ୯୧୯ । ୨୦୧୯-୨୧ ସୁଦ୍ଧା ଏହା ୯୨୯କୁ ବୃଦ୍ଧି ପାଇଥିଲା । ଲିଙ୍ଗ ଅନୁପାତରେ ଉନ୍ନତି ଏହି ଅଭିଯାନର କେବଳ ଗୋଟିଏ ଦିଗ। ବର୍ତ୍ତମାନ ଶିକ୍ଷା ମାଧ୍ୟମରେ ସବୁଠାରୁ ବଡ଼ ପରିବର୍ତ୍ତନ ଆକାର ନେଉଛି । ଝିଅମାନଙ୍କୁ ଶିକ୍ଷା ଦେବା ଫଳରେ ଅନେକ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବାଲ୍ୟ ବିବାହ ପରି କୁପ୍ରଥା ସମାଜରୁ ମୂଳପୋଛ ହେବା ଦିଗରେ ଗତି କରୁଛି । ଶିକ୍ଷିତ ମହିଳାମାନେ ସାଧାରଣତଃ ପରେ ବିବାହ କରିବା ସହ କମ୍ ସନ୍ତାନ ଜନ୍ମ ଦେଉଛନ୍ତି ।
ଭାରତର ମୋଟ ପ୍ରଜନନ ହାର ଏବେ ୨.୦ ରେ ପହଞ୍ଚିଛି, ଯାହା ଜନସଂଖ୍ୟା ସ୍ଥିରୀକରଣ ସୀମା ତଳେ ଅଛି। ଏହି ପରିବର୍ତ୍ତନ ସିଧାସଳଖ ମହିଳାମାନଙ୍କର ଶିକ୍ଷା ଏବଂ କାର୍ଯ୍ୟରେ ଅଂଶଗ୍ରହଣ ବୃଦ୍ଧି ସହିତ ଜଡ଼ିତ। ଶିକ୍ଷିତ ମହିଳାମାନେ ଗର୍ଭଧାରଣ ଏବଂ ପ୍ରସବ ସମୟରେ ଅଧିକ ଯତ୍ନବାନ ହୁଅନ୍ତି। ମହିଳା ଶିଶୁ ମୃତ୍ୟୁହାର ହ୍ରାସ ମଧ୍ୟ ଏହି ଧାରାକୁ ଆହୁରି ଦୃଢ଼ କରେ।
କର୍ମଜୀବୀ ମହିଳାମାନେ ଏବେ ବି ଅନେକ ଆହ୍ୱାନର ସାମ୍ନା କରୁଥିଲେ ସୁଦ୍ଧା ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗ ଭଳି କ୍ଷେତ୍ରରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମହିଳାମାନେ ବର୍ତ୍ତମାନ ସାମରିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଟେକ୍ ଷ୍ଟାର୍ଟଅପ୍ ଗୁଡ଼ିକର ସିଇଓ ପର୍ଯ୍ୟନ୍ତ ପଦବୀରେ ଅଛନ୍ତି।
ଅଧ୍ୟୟନରୁ ଜଣାପଡ଼େ, ପାଠୋଇ ମା’ର ଛୁଆମାନେ ପାଠରେ ଆଗୁଆ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହୁଛି । ଏହା ସଶକ୍ତୀକରଣର ଏକ ସକାରାତ୍ମକ ଚକ୍ର ସୃଷ୍ଟି କରେ, ଯାହା ପ୍ରତ୍ୟେକ ପିଢ଼ିକୁ ପ୍ରଭାବିତ କରିପାରିବ। ମଧ୍ୟପ୍ରଦେଶରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ୮୯.୫ ପ୍ରତିଶତ ଲୋକ ବେଟି ବଚାଓ, ବେଟି ପଢ଼ାଓ ଯୋଜନା ବିଷୟରେ ସଚେତନ ଏବଂ ୬୩.୨ ପ୍ରତିଶତ ଲୋକ କହିଛନ୍ତି ଏହି ଯୋଜନା ସେମାନଙ୍କୁ ସେମାନଙ୍କ ଝିଅମାନଙ୍କୁ ସ୍କୁଲ ପଠାଇବାକୁ ପ୍ରେରଣା ଦେଇଥିଲା।
ମାନସିକତାରେ ହୋଇଛି ପରିବର୍ତ୍ତନ
ବାଲ୍ୟ ବିବାହକୁ ସ୍ଥଗିତ ରଖିବା ଏବଂ ଝିଅମାନଙ୍କ ପାଇଁ ଉଚ୍ଚଶିକ୍ଷାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ସମାଜରେ ସମର୍ଥନ ବୃଦ୍ଧି ପାଉଛି। ଏହି ଧାରାଗୁଡ଼ିକ ମାନସିକତାରେ ପରିବର୍ତ୍ତନକୁ ପ୍ରତିଫଳିତ କରେ, ଯାହା ପୂର୍ବରୁ ଝିଅମାନଙ୍କୁ ସ୍କୁଲ ଯିବାରୁ ସମ୍ପୂର୍ଣ୍ଣ ଭାବରେ ବାଧା ଦେଉଥିଲା। ଝିଅଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଏବଂ ଏହି କ୍ଷେତ୍ରରେ ଆମେ କରିଥିବା ଅଗ୍ରଗତି ସମାଜର ବିକାଶ ଏବଂ ପରିବର୍ତ୍ତିତ ମାନସିକତାକୁ ନୂତନ ଦିଶା ଦେବାରେ ସକ୍ଷମ ହୋଇଛି ।
ସମାଜରେ ଚାଲିଥିବା ଏହି ପରିବର୍ତ୍ତନର ଧାରା ଗଭୀର ଏବଂ ସ୍ଥାୟୀ । ଯୁବତୀଙ୍କୁ ସଶକ୍ତ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଚିନ୍ତାଶୀଳ ଓ ପ୍ରଭାବଶାଳୀ ନୀତି ସକ୍ଷମ ହୋଇଛି। ଏହି ପଦକ୍ଷେପଗୁଡ଼ିକର ଦୀର୍ଘକାଳୀନ ପ୍ରଭାବ ଭବିଷ୍ୟତରେ ଆହୁରି ସ୍ପଷ୍ଟ ହେବ, କାରଣ ଏହି ସକାରାତ୍ମକ ଚକ୍ର କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ ବରଂ ସମଗ୍ର ସମ୍ପ୍ରଦାୟକୁ ଉନ୍ନତ କରିଥାଏ। ଆଜିର ଶିକ୍ଷିତ ଝିଅମାନେ କେବଳ ଛାତ୍ରୀ ନୁହଁନ୍ତି, ସେମାନେ ଆସନ୍ତାକାଲିର ସମ୍ଭାବ୍ୟ ନେତା, ନୀତି ନିର୍ଦ୍ଧାରକ ଏବଂ ପରିବର୍ତ୍ତନକାରୀ। ଭବିଷ୍ୟତରେ ଶିକ୍ଷିତ ଝିଅମାନେ ପରିବାରର ଆୟରେ ଯୋଗଦାନ ଦେବା ସହ ସେମାନଙ୍କ ପିଲାମାନଙ୍କ ଶିକ୍ଷାରେ ବିନିଯୋଗ କରିପାରିବେ ବୋଲି ଆଶା ରଖାଯାଉଛି ।
ମହିଳା ଶିକ୍ଷାରେ ଦୃଶ୍ୟମାନ ପ୍ରଗତି ସହିତ, ଆମେ ଭବିଷ୍ୟତ ବିଷୟରେ ଆଶାବାଦୀ ହୋଇପାରିବା । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ପରିବର୍ତ୍ତନଗୁଡ଼ିକ ଆହୁରି ଗତି ପାଇବ ବୋଲି ଆଶା କରାଯାଉଛି । ଏହା ଏପରି ଏକ ସମାଜ ଗଠନ କରିବ, ଯେଉଁଠାରେ ପ୍ରତ୍ୟେକ ଝିଅକୁ ଶିଖିବା, ବଢ଼ିବା ଏବଂ ସଫଳ ହେବା ପାଇଁ ସମାନ ସୁଯୋଗ ମିଳିବ। କାରଣ ଝିଅମାନେ ଶିକ୍ଷିତ ହେଲେ, ସମଗ୍ର ସମାଜକୁ ଆଗକୁ ବଢ଼ିବାର ସୁଯୋଗ ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)