Advertisment

Tribal Student’s Death at KISS: କିସରେ ପୁଣି ଜଣେ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପହଞ୍ଚିବା ପୂର୍ବରୁ କାହିଁକି ମୃତଦେହକୁ ହସପିଟାଲକୁ ନିଆଗଲା?

କିସରେ ଥମୁନି ଛାତ୍ର ମୃତ୍ୟୁ ଧାରା। ପୁଣି ଜଣେ ପ୍ଲସଟୁ ଆଦିବାସୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହଇଚଇ। କିସ୍ ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବାବେଳେ, ସନ୍ଦେହ ପ୍ରକାଶ କରିଛନ୍ତି ମୃତକଙ୍କ ବାପା।

author-image
Tapan Swain
KISS-SUICIDE

KISS-SUICIDE Photograph: (OTV)

ପୁଣି ସେହି କିସ୍
ପୁଣି ଆଦିବାସୀ ଛାତ୍ର
ପୁଣି ସନ୍ଦେହଜନକ ମୃତ୍ୟୁ

ଦିନକୁ ଆଗରୁ ମାଆର ଦେହମନ୍ଦ କଥା ପଚାରୁଥିଲା, ଭଲରେ ଅଛି ବୋଲି କହିଥିଲା। ହେଲେ ହଠାତ୍ ଏମିତି କଣ ହୋଇଗଲା ଯେ, କିସରୁ ଗଲା ପୁଅର ମଲା ଖବର। ୧୭ ବର୍ଷୀୟ ଭେଣ୍ଡିଆ ପୁଅକୁ ହରାଇ ହତବାକ୍ ବାପା। ପାଟିରୁ ଭାଷା ବାହାରୁନି, ପୂରା ନିର୍ବାକ୍। ଗତକାଲି ପୁଣି ଜଣେ ଆଦିବାସୀ ଛାତ୍ରଙ୍କ ଜୀବନ ଯାଇଛି କିସ୍ ହଷ୍ଟେଲରେ। ମୃତକ ନୂଆପଡ଼ା ଜଅଙ୍କ ଅଞ୍ଚଳର। କିସରେ ଯୁକ୍ତ ଦୁଇ କଳା ଦ୍ବିତୀୟ ବର୍ଷରେ ପଢୁଥିଲେ। ଗତକାଲି ପୁଅ ଆତ୍ମହତ୍ୟା କରିଥିବା ନେଇ ଫୋନ୍ ଯୋଗେ ପରିବାରକୁ ଜଣାଇଥିଲେ କିସ୍ କର୍ତ୍ତୃପକ୍ଷ। ଇନଫୋସିଟି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି।   

Advertisment

ତେବେ ଏଥର କିସ୍ ରେ ଛାତ୍ର ମୃତ୍ୟୁର ସତ କଣ ? ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି ନା ସତକୁ ପୁଣିଥରେ ଚପାଯାଉଛି ? ପୁଣି ପ୍ରଶ୍ନଘେରରେ କିସ୍ କର୍ତ୍ତୃପକ୍ଷ। କାରଣ ଯେଉଁ ଆତ୍ମହତ୍ୟା ଥିଓରୀ କୁହାଯାଉଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ମୃତକଙ୍କ ବାପା।

ପରିବାରର ଅନୁପସ୍ଥିତିରେ କାହିଁକି ?

ବାପାଙ୍କ ଅଭିଯୋଗ- ହଷ୍ଟେଲ ରୁମରେ ପୁଅ ଫାଶୀ ଲଗାଇ ଜୀବନ ହାରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ପରିବାର ଲୋକ ପହଞ୍ଚିବା ଆଗରୁ ମୃତଦେହକୁ ତଳକୁ ନ ଆଣିବାକୁ ଫୋନ କରିଥିବା କର୍ମଚାରୀଙ୍କୁ କହିଥିଲେ। ହେଲେ ସେ ଆସିବା ବେଳକୁ ପୁଅର ମୃତଦେହକୁ କ୍ୟାପିଟାଲ୍ ହସପିଟାଲ୍ ନିଆସରିଥିଲା। ଯଦି ପୁଅ ଜୀବନ ହାରିଥିଲା, ତେବେ ପରିବାରର ଅନୁପସ୍ଥିତିରେ କାହିଁକି ମୃତଦେହକୁ ଖୋଲାଗଲା ? ଅନ୍ୟପଟେ ତିନି ଫୁଟିଆ ହଷ୍ଟେଲ ବେଡ୍ ରେ କେମିତି ଜଣେ ଆତ୍ମହତ୍ୟା କରିପାରିବ, ତାକୁ ନେଇ ବି ଉଠିଛି ବଡ଼ ସନ୍ଦେହ। 

Advertisment

ଗତବର୍ଷ ଡିସେମ୍ବର ୧୨ ତାରିଖରେ କିସ୍ ରେ କେନ୍ଦୁଝରର ନବମ ଶ୍ରେଣୀ ଛାତ୍ର ହତ୍ୟା ଘଟଣାକୁ ନେଇ ଉଠିଥିଲା ପଡ଼ିଥିଲା ସାରା ଓଡ଼ିଶା। ନୀରିହ ପିଲାଟିକୁ କିସ୍ ହଷ୍ଟେଲରେ ହତ୍ୟା କରାଯାଇଥିଲେ ବି ଅଘଟଣ ରୂପ ଦେଇ ମାମଲାକୁ ଚପାଇବାକୁ ଉଦ୍ୟମ କରିଥିଲେ କିସ୍ କର୍ତ୍ତୃପକ୍ଷ। ମାମଲାରେ ୮ ଜଣ କିସ୍ କର୍ମଚାରୀ ଗିରଫ ହୋଇଥିଲେ।

ଏବେ ପୁଣିଥରେ ଛାତ୍ର ମୃତ୍ୟୁ ମାମଲାରେ ଉଠିଛି ଅନେକ ପ୍ରଶ୍ନ- ପୂର୍ବ ଘଟଣା ଭଳି ଏଥର ବି ଲିପାପୋଛା ଉଦ୍ୟମ କରିନି ତ କିସ୍ ? ହତ୍ୟାକୁ ଦିଆଯାଉନି ତ ଆତ୍ମହତ୍ୟା ରୂପ ? ଯଦି ଆତ୍ମହତ୍ୟା ସତ- ତାହେଲେ କାହିଁକି ? ହଷ୍ଟେଲରେ ପିଲାଙ୍କ ମାନସିକ ଅବସ୍ଥା ଯାଞ୍ଚ କରାଯାଉଥିଲା ନା ନାହିଁ ? ଏଥର ବି ଘଟଣା ପଛରେ ଅନେକ ରହସ୍ୟ ଥାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ଚାଇଲ୍ଡଲାଇନ ସଦସ୍ୟ । ସେପଟେ ଶିକ୍ଷାବିତଙ୍କ କହିବା କଥା, କିସ୍ ଭିତରେ ଅଲ୍ ଇଜ୍ ନଟ୍ ୱେଲ୍। 

ନେପାଳୀ ଛାତ୍ରୀ ମୃତ୍ୟୁଠୁ ନୂଆପଡ଼ା ଯାଏଁ। କିଟ୍ ଓ କିସରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି। ତଥାପି ମୁହଁ ଖୋଲୁନାହାନ୍ତି କର୍ତ୍ତୃପକ୍ଷ। ପୁଳାପୁଳା ପ୍ରମାଣ ଥାଇ ବି ସରକାରୀ ଆକ୍ସନ୍ ଶୂନ୍। ଏ ସଂପର୍କରେ କିସର ପ୍ରତିକ୍ରିୟା ମିଳିପାରିନାହିଁ । ... 


KISS KISS Student death
Advertisment
Related Articles
Advertisment