Advertisment

Odisha Government Cracks: ମହାନଦୀର କିଲିପାଳ ବାଲି ଘାଟରେ ଅଚାନକ ରେଡ୍ , ୫୦ରୁ ଅଧିକ ହାଇୱା ଜବତ...୬ ଡ୍ରାଇଭର ଗିରଫ

ପ୍ରଶାସନ ଡାଳେ ଡାଳେ ଗଲେ , ମାଫିଆ ପତରେ ପତରେ ଚାଲୁଥିଲେ । ହେଲେ ଚୋର ଘର ସବୁଦିନେ ଅନ୍ଧାର ନୁହେଁ ।  ଯାହା କାଲି ପୁଣି ପ୍ରମାଣିତ ହୋଇଗଲା ଜଗତସିଂହପୁର ଜିଲା ମହାନଦୀର କିଲିପାଳ ବାଲି ଘାଟରେ ।

author-image
Manas Ranjan Mohanty
BIG-ACTION-SAND-MAFIA

BIG-ACTION-SAND-MAFIA Photograph: (OTV)

ପ୍ରଶାସନ ଡାଳେ ଡାଳେ ଗଲେ , ମାଫିଆ ପତରେ ପତରେ ଚାଲୁଥିଲେ । ହେଲେ ଚୋର ଘର ସବୁଦିନେ ଅନ୍ଧାର ନୁହେଁ ।  ଯାହା କାଲି ପୁଣି ପ୍ରମାଣିତ ହୋଇଗଲା ଜଗତସିଂହପୁର ଜିଲା ମହାନଦୀର କିଲିପାଳ ବାଲି ଘାଟରେ । ରାତି ଅଧରେ ସେଠି ହୋଇଥିଲା ଅଚାନକ ରେଡ୍। ଖୋଦ୍ କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ୍ ନାୟକଙ୍କ ସହ ସ୍ଥାନୀୟ ଜିଲାପାଳ ଓ ଏସପି ସଦଳବଳେ ପହଞ୍ଚିଥିଲେ। ଯାହା ଦେଖିଲେ ତାଜୁବ୍ ହୋଇଗଲେ। ୫୦ରୁ ଅଧିକ ହାଇୱାରେ ନନଷ୍ଟପ୍ ବାଲି ଲୋଡିଂ ଚାଲିଥିଲା। ରଙ୍ଗେହାଥ୍ ଧରି ସବୁ ସିଜ୍ କଲେ, ୩ଟି ପ୍ରୋକଲିନ୍ ମେସିନ୍ ବି ଜବତ କଲେ ଓ ୬ ଜଣ ହାଇୱା ଚାଳକଙ୍କୁ ବାନ୍ଧିଲେ। ଏ ବାଲିଘାଟର ଟେଣ୍ଡର ନେଇଥିବା ଠିକାଦାର ଜଣକ କୁଆଡ଼େ ସରକାରୀ ନିୟମକୁ ଫୁ କରି ମନଇଚ୍ଛା ବାଲି ଉଠାଉଥିବାର ଅଭିଯୋଗ ଥିଲା। ତେବେ ଗତକାଲିର ଆକ୍ସନ ପରେ କେନ୍ଦ୍ରାଞ୍ଚଳ ଡିଆଇଜି ରୋକଠୋକ୍ ଶୁଣାଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏଭଳି ଚଢ଼ାଉ ହେଉଛି, ମୁଠାଏ ବି ବାଲି ଚୋରା ଚାଲାଣ ହେବନି।...

ସେପଟେ ମୟୂରଭଞ୍ଜ ଜିଲ୍ଲାରେ ବାଲି ମାଫିଆଙ୍କ ଦବଙ୍ଗଗିରି କେଉଁ ସ୍ତରକୁ ଚାଲିଯାଇଛି, ତାର ଚିତ୍ର ବି ସାମ୍ନାକୁ ଆସିଛି। ଏକ ବେଆଇନ୍ ବାଲି ବୋଝେଇ ଟ୍ରାକଟରକୁ ଥାନାକୁ ହସ୍ତାନ୍ତର କରିଥିବାରୁ ବେତନଟୀ ତହସିଲଦାରଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ। ୧୫ଜଣ ଦୁର୍ବୃର୍ତ୍ତଙ୍କ ସଂଘବଦ୍ଧ ଆକ୍ରମଣରେ ତହସିଲଦାର ଚନ୍ଦ୍ରଜିତ୍ ବେହେରା ଓ ତାଙ୍କ ଗାଡ଼ି ଡ୍ରାଇଭର ଆହତ ହୋଇଛନ୍ତି। ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ବିଭିନ୍ନ ଘାଟରେ ମେସିନ ଲଗାଇ ବ୍ୟାପକ ବାଲି ଉତ୍ତୋଳନ ଚାଲିଛି। ତିନି ଜଣ ବାଲି ଲିଜଧାରୀଙ୍କଠୁ ୫୧ କୋଟିର ଫାଇନ୍ ଆଦାୟ ପାଇଁ ଏନଜିଟି ମଧ୍ୟ ଆଦେଶ ଦେଇଛନ୍ତି। ଏମିତିକି ପୂର୍ବରୁ ବାଲି ମାଫିଆଙ୍କ ସହ ସଲାସୁତରା ଅଭିଯୋଗରେ ବଡ଼ସାହି ଓ ବେତନଟୀର ପୂର୍ବତନ ତହସିଲଦାରଙ୍କୁ ସରକାର ନିଳମ୍ବିତ ବି କରିଥିଲେ। ବାରିପଦା ଉପ ଜିଲ୍ଲାପାଳ କହିଛନ୍ତି ଆଗକୁ ଚଢ଼ଉ ଆହୁରି ଜୋରଦାର ହେବ, ବାଲି ମାଫିଆଙ୍କୁ ସଫା କରାଯିବ।...

Advertisment



ଏଠି ପ୍ରଶ୍ନ- କାହିଁକି ଉଗ୍ରମୁଖା ହେଉଛନ୍ତି ବାଲି ମାଫିଆ ? ବାଲି ଘାଟ ଲିଜ୍ ନେଉଥିବା ଲିଜଧାରୀଙ୍କ ଉପରେ ରହୁନି କି ପ୍ରଶାସନର ଅଙ୍କୁଶ ? ସେମାନଙ୍କୁ ସାବାଡ଼ ପାଇଁ ଦରକାର ହେଉଛି କଠୋର ଆଇନ୍ ? ଏସବୁ ନାନାଦି ପ୍ରଶ୍ନ ଭିତରେ ଆଜି ଖଣିମନ୍ତ୍ରୀ ବି ମାଫିଆଙ୍କୁ ଶୁଣାଇଛନ୍ତି କଡ଼ା ଚେତାବନୀ। କହିଛନ୍ତି ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ ନକରିବା ପର୍ଯ୍ୟନ୍ତ ସରକାର ଚୁପ୍ ବସିବେନି। ଏ ସମ୍ପର୍କିତ ନୂଆ ଆଇନକୁ ଅତି କଡାକଡ଼ି ଭାବେ ପାଳନ କରାଯାଉଛି ଓ ରାଜ୍ୟସାରା ଚଢ଼ଉ ଚାଲିଛି। ବାଲି ମାଫିଆଙ୍କୁ ଦମନ ପାଇଁ ସ୍ଥାନୀୟ ପ୍ରଶାସନ ସହ ପୋଲିସ ମିଳିତ ଭାବେ କାମ କରୁଛି। ବେତନଟୀ ହେଉ କି ରାସଗୋବିନ୍ଦପୁର ଘଟଣାରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି।...

ଏବେ ଦେଖିବାର କଥା ଖଣିମନ୍ତ୍ରୀଙ୍କ ଚେତାବନୀ ଓ ପ୍ରଶାସନିକ ଅଧିକାରୀଙ୍କ ଅନସ୍ପଟ୍ ଆକ୍ସନ ପରେ କେତେ ସାବାଡ୍ ହେଉଛନ୍ତି ବାଲି ମାଫିଆ ? ବେଆଇନ୍ ବାଲି ଚାଲାଣରେ ଲାଗିବ ତ ବ୍ରେକ୍।

Advertisment
Advertisment