/odishatv-khabar/media/media_files/2025/11/28/crime-2025-11-28-10-40-00.jpg)
CRIME Photograph: (OTV)
ସାଇବର କ୍ରାଇମର ହଟସ୍ପଟ୍ ଇଂଜିନିୟରିଂ କଲେଜ ! ୯୦ କୋଟି ସାଇବର ଫ୍ରଡରେ ବନ୍ଧା ହେଲେ ଇଂଜିନିୟରିଂ ଛାତ୍ର ! କଲେଜ ଭିତରେ ପାଠ କମ୍ ଚାଲିଥିଲା, ଅଧିକ ଚାଲିଥିଲା ଅପରାଧିକ କାର୍ଯ୍ୟକଳାପ। ସାଙ୍ଗକୁ ଭୂଆଁ ବୁଲାଇ ସାଙ୍ଗ ଲୁଟିଲା ଟଙ୍କା। ପାଠୁଆ ପିଲାଙ୍କ ସାଂଘାତିକ ଠକାମୀ ଦେଖି ବାଇଆ ହେଲା ପୋଲିସ। ସାଇବର କ୍ରିମିନାଲଙ୍କ ସାଙ୍ଗ ସାଜିଥିଲେ ଇଂଜିନିୟରିଂ ଛାତ୍ର ! ଭାରତରୁ ଦୁବାଇ ଆଉ ଚେନ୍ନାଇ ଯାଏଁ ଲମ୍ବିଛି ଚେର। ବାପା- ମା’ ଛାଡ଼ିଥିଲେ ପାଠ ପଢିବାକୁ ହେଲେ ପିଲା କଲେଜରେ କରୁଥିଲେ ଅପରାଧ। ଇନଜିନିୟରିଂ ପଢୁଆ ଛୁଆଙ୍କ ଏନଲାର୍ଜ ଚାଲାକୀ ଦେଖି ତାଜୁବ୍ ହେଲା ପୁଡ଼ୁଚେରି ସାଇବର କ୍ରାଇମ ପୋଲିସ ।
ଏବେ ସାଇବର ଅପରାଧ ସାରା ବିଶ୍ବରେ ବଢିଚାଲିଛି। ତାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସମସ୍ତଙ୍କୁ ସଚେତନ ମଧ୍ୟ କରାଯାଉଛି। ହେଲେ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ବିଚଳିତ କରିବ ନିଶ୍ଚୟ। ସାଇବର କ୍ରିମିନାଲଙ୍କ ସହ ହାତ ମିଳାଇ ଆମ ଭାରତର କିଛି ଇଂଜିନିୟରିଂ ଛାତ୍ର ଘଟାଇଛନ୍ତି ଅପରାଧ। ପୁଡ଼ୁଚେରିରୁ ଆସିଛି ଏଭଳି ଖବର, ଯାହା ସମସ୍ତଙ୍କୁ ଚକିତ କରିଛି। ପୁଡ଼ୁଚେରିରେ ଥିବା ଗୋଟେ ଇଂଜିନିୟରିଂ କଲେଜରେ ହିଁ ଚାଲିଥିଲା ପୂରା ନେଟୱାର୍କ। କିଛି ଛାତ୍ର ତାଙ୍କ ସାଙ୍ଗ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନେଇ ଏହି କାରନାମା ଚଲାଇଥିଲେ। ଖାଲି ସାଙ୍ଗ ମାନଙ୍କର ନୁହେଁ, କଲେଜ ବାହାର ଲୋକଙ୍କୁ ମଧ୍ୟ ପାଲରେ ପକାଇ ଚଳାଇଥିଲେ ଧନ୍ଦା। ଏହି ଅଭିଯୋଗରେ ପୋଲିସ ଏପର୍ଯ୍ୟନ୍ତ ୭ଜଣଙ୍କୁ ଗିରଫ କରି ଜେଲକୁ ପଠାଇଛି। ପୋଲିସ ଜାଣିବାକୁ ପାଇଛି ଏଥିରେ ପ୍ରାୟ ୯୦ କୋଟି ଟଙ୍କା ଠକେଇ ହୋଇଛି। ୭ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୫ ଲକ୍ଷ ଟଙ୍କା ସହ ୧୭୧ଟି ଚେକ୍ ବୁକ୍, ୭୫ଟି ଏଟିଏମ୍ କାର୍ଡ, କ୍ରେଡିଟ୍ କାର୍ଡ, ୨୦ଟି ମୋବାଇଲ ଫୋନ୍, ଲାପଟପ୍, କମ୍ପ୍ୟୁଟର ଏବଂ କିଛି ବ୍ୟାଙ୍କ ପାସ୍ ବୁକ୍ ଜବତ ହୋଇଛି।
ତେବେ ଏ ଘଟଣା ସାମ୍ନାକୁ ଆସିଲା କେମିତି ? ସଂପୃକ୍ତ ଇଂଜିନିୟରିଂ କଲେଜର ଦୁଇ ଜଣ ଛାତ୍ର ଦିନେଶ ଓ ଜୟପ୍ରତାପ ଥାନାକୁ ଯାଇ ଜଣାଇଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫିଜ୍ ହୋଇଯାଇଛି। ପୋଲିସ ଅନୁସନ୍ଧାନ କଲା। ପୋଲିସ ପଚାରିଲା ତମେ କାହାକୁ ବ୍ୟାଙ୍କ ଡିଟେଲ୍ସ ଦେଇଥିଲ କି ?
ଦିନେଶ ଓ ଜୟପ୍ରତାପ କହିଲେ ହଁ ଆମ ଠାରୁ ହରିଶ୍ ନେଇଥିଲା ବ୍ୟାଙ୍କ ଡିଟେଲ୍ସ। ହରିଶ ହେଉଛି ସେହି ଇଂଜିନିୟରିଂ କଲେଜର ଛାତ୍ର। ସେ ଦିନେଶ ଓ ଜୟପ୍ରତାପଙ୍କ ସାଙ୍ଗ। ବାସ୍ ଏଇଠୁ ହିଁ ଆରମ୍ଭ ହେଲା ପୋଲିସର ତଦନ୍ତ। ଟିକିନିଖି କରି ପୋଲିସ ଭିତିରିଆ ତଦନ୍ତ ଚଳାଇଲା। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ହରିଶକୁ ପଚରାପଚରି କରିବା ପରେ ସବୁ କଥା ସାମ୍ନାକୁ ଆସିଲା। ହରିଶ୍ କେବଳ ଦିନେଶ କି ଜୟପ୍ରତାପଙ୍କ ବ୍ୟାଙ୍କ ଡିଟେଲ୍ସ ନେଇନି ସେ ୨୦ରୁ ଅଧିକ ଛାତ୍ର ଓ ବାହାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ନେଇ ସାଇବର ଠକଙ୍କୁ ଦେଇଛି। ଦୁବାଇ ଓ ଚାଇନାରୁ ପୂରା ସିଣ୍ଡିକେଟକୁ ଅପରେଟ କରୁଥିବା ଅପରାଧୀଙ୍କ ସହ ହରିଶ ଯୋଗାଯୋଗରେ ଥିଲା। ଟେଲିଗ୍ରାମ ମାଧ୍ୟମରେ ସେ ସବୁ ତଥ୍ୟ ପଠାଉଥିଲା। ହରିଶ ଦେଉଥିବା ଆକାଉଣ୍ଟ ସବୁକୁ ମ୍ୟୁଲ ଅକାଉଣ୍ଟ ଭାବେ ବ୍ୟବହାର କରି ଅପରାଧୀ ଠକି ଚାଲିଥିଲେ। ପ୍ରାୟ ୯୦ କୋଟି ଟଙ୍କାର ସାଇବର ସ୍କାନ ଏହା ମାଧ୍ୟମରେ ହୋଇଥିବା ଜଣାପଡ଼ିଛି।
ଏବେ ସବୁ ଗୁମର ଫିଟି ଯାଇଛି। ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରେ ରହିଛନ୍ତି ୪ଜଣ ଇଂଜିନିୟରିଂ ଛାତ୍ର। ଯାହା ସମସ୍ତଙ୍କୁ ଚକିତ କରିଛି। ପୁଡୁଚେରି ସାଇବର କ୍ରାଇମ ୟୁନିଟର ବରିଷ୍ଠ ଅଧିକାରୀ ନିଥ୍ୟା ରାଧାକ୍ରିଷ୍ଣନ୍ କହିଛନ୍ତି ଯେ ସାଇବର ଅପରାଧୀଙ୍କ ସହ ହାତ ମିଳାଇ ଛାତ୍ରମାନେ ଅପରାଧ କରିବା ଚିନ୍ତାଜନକ। କାହାଙ୍କୁ ବି ନିଜ ବ୍ୟାଙ୍କ ଡିଟେଲ୍ସ ନଦେବାକୁ ସେ ସମସ୍ତଙ୍କୁ ସଚେତନ କରିଛନ୍ତି।
Heartfelt Tribute: ଧର୍ମେନ୍ଦ୍ର ଜଣେ ଭଲ ସ୍ବାମୀ , ହେମାଙ୍କ ଦରଦଭରା ପ୍ରତିକ୍ରିୟା

Today Panchang 28th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Oats Idli: ସକାଳ ଜଳଖିଆରେ ବନାନ୍ତୁ ଓଟ୍ସ ଇଟଲି , ଜାଣନ୍ତୁ କେମିତି ହେବ ନରମ ଓ ଟେଷ୍ଟି

Daily Horoscope 28th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)