Advertisment

Unrest Malkangiri: ମୁଣ୍ଡବିହୀନ ମୃତଦେହକୁ ନେଇ ଅଶାନ୍ତ ମାଲକାନଗିରି , ଆଜି ବି ବହୁ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଅସନ୍ତୋଷ...ଅଶାନ୍ତି...ଉତ୍ତେଜନା...ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରଠୁ ତେଜୁଛି ମାଲକାନଗିରି MV-26 ଏବଂ ରାଖାଲଗୁଡ଼ା କଳି। ଜଳିପୋଡ଼ି ଧ୍ବଂସ ହୋଇଗଲାଣି MV-26 ଗାଁର କିଛି ଘରଦ୍ବାର। ଗତକାଲି ଅପେକ୍ଷା ଆଜି ପୁଣି ତେଜିଛି ଗଣ୍ଡଗୋଳ।

author-image
Manas Ranjan Mohanty
MALKANGIRI-MURDER

MALKANGIRI-MURDER Photograph: (OTV)

ଅସନ୍ତୋଷ...ଅଶାନ୍ତି...ଉତ୍ତେଜନା...ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ପରଠୁ ତେଜୁଛି ମାଲକାନଗିରି MV-26 ଏବଂ ରାଖାଲଗୁଡ଼ା କଳି। ଜଳିପୋଡ଼ି ଧ୍ବଂସ ହୋଇଗଲାଣି MV-26 ଗାଁର କିଛି ଘରଦ୍ବାର। ଗତକାଲି ଅପେକ୍ଷା ଆଜି ପୁଣି ତେଜିଛି ଗଣ୍ଡଗୋଳ। କୋରକୁଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତର MV-26 ଗାଁରେ ଗତକାଲି ୫୦ରୁ ଅଧିକ ଘର ପୋଡ଼ି ପରେ ଆଜି ପୁଣି ଜଳିଛି ଅସନ୍ତୋଷର ନିଆଁ। ପୋଲିସ ଉପସ୍ଥିତିରେ ଦେଖିବାକୁ ମିଳିଛି ଆକ୍ରୋଶମୂଳକ ପରିସ୍ଥିତି। ପୋଲିସ ସହ ଉପୁଜିଥିଲା ମୁହାଁମୁହିଁ ସ୍ଥିତି। ଶେଷରେ ଜନଶୂନ୍ୟ ହୋଇଯାଇଛି MV-26 ଗାଁ। ଚାରିଆଡ଼େ କେବଳ ଛାଇ ରହିଛି ଭୟ ଆଉ ଆଶଙ୍କା। କାରଣ ରାଖାଲଗୁଡ଼ା ଗାଁର ଲୋକେ ପଡ଼ିଆମୀଙ୍କୁ କିଏ ହତ୍ୟା କଲା ? କାହିଁକି ହତ୍ୟା କଲା ? କୁଆଡ଼େ ଗଲା ଲୋକେ ପଡ଼ିଆମୀଙ୍କ ମୁଣ୍ଡ ? ସେସବୁର ଅନୁସନ୍ଧାନ କରି ସତ ସାମ୍ନାକୁ ଆଣିବା ଦାବି କରି ଆସୁଛନ୍ତି ଗାଁ ଲୋକେ। ରାଖାଲଗୁଡାର ନଦୀ ତଟରେ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ନିଜର ପରବର୍ତ୍ତୀ ରଣନୀତି ସଂପର୍କରେ ବି ଆଲୋଚନା କରିଛନ୍ତି। ଆଉ ଏସବୁକୁ ସମର୍ଥନ ଜଣାଇଛି ଜିଲ୍ଲା ଆଦିବାସୀ ମହାସଂଘ।

Advertisment



 ସେପଟେ MV-26 ଗାଁରେ ଏଭଳି ପରିସ୍ଥିତି ପରେ ନିଜର ସୁରକ୍ଷା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଜିଲ୍ଲା ବଙ୍ଗୀୟ ସମାଜର ସଦସ୍ୟ। MV-3ରେ ପ୍ରଥମେ ମେଳି ପରେ ବିରାଟ ରାଲିରେ ଆସି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛି ବଙ୍ଗୀୟ ସମାଜ। ଲୋକେ ପଡ଼ିଆମୀ ହତ୍ୟାକାଣ୍ଡକୁ ସ୍ବୀକାର କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଏବଂ MV-26ରେ ଘରଦ୍ବାର ପୋଡ଼ିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାସହ ଶାନ୍ତି ବଜାୟ ପାଇଁ ଉଦ୍ୟମ କରିବାକୁ ବଙ୍ଗୀୟ ସମାଜ ଦାବି କରିଛି। 

ଡିସେମ୍ବର ୩। ରାଖାଲଗୁଡା ଗାଁର ଲାକେ ପଡିଆମି ନିଖୋଜ ହେବାପରେ ୪ ତାରିଖରେ ଡୁଡାମେଟଲା ନଦୀ କୂଳରେ ମିଳିଥିଲା ତାଙ୍କ ମୁଣ୍ଡ ବିହୀନ ମୃତଦେହ। କିନ୍ତୁ ଏଯାଏଁ ମୁଣ୍ଡ ଖୋଜି ପାଉନି ପୋଲିସ। ଅନ୍ୟପଟେ ମୁଣ୍ଡ ବିହୀନ ମୃତଦେହର ବ୍ୟବଛେଦ କରି ତଦନ୍ତ କରୁଛି ପୋଲିସ। ମାଲକାନଗିରି ଏସପି କହିଛନ୍ତି, ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଫେରାଇବା ଆଣିବା ପାଇଁ ଚେଷ୍ଟା କରାଯାଉଛି। ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି। ହତ୍ୟା ମାମଲାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେହିପରି ଜିଲ୍ଲାରେ ଉତ୍ତେଜନା ବଢୁଥିବାରୁ ଆଜି ସଂଧ୍ୟା ୬ରୁ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ୍ ସେବାକୁ ବି ବନ୍ଦ କରିବା ସହ ସାରା ଜିଲ୍ଲାକୁ ହାଇଆଲର୍ଟରେ ରଖିଛି ପୋଲିସ। 

Advertisment
Advertisment