Advertisment

Rain Floods Bhubaneswar: ରାଜଧାନୀକୁ ବୁଡ଼ାଇଲା ପ୍ରାୟ ଦୁଇ ଘଣ୍ଟାର ନନଷ୍ଟପ ବର୍ଷା , ୧୦ ସୁଦ୍ଧା ଆଉ ଏକ ଘୂର୍ଣ୍ଣିବଳୟ ଆଶଙ୍କା

ସାଢ଼େ ୧୨ଟା ବେଳକୁ ଅଚାନକ ବିଗିଡ଼ିଥିଲା ପାଗ। କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଗର୍ଜନ ଛାଡିଥିଲା ବିଜୁଳି ଘଡ଼ଘଡ଼ି। ଆକାଶରୁ ଝରିଥିଲା ମୂଷଳଧାରାରେ ବର୍ଷା। ଏତେ ବର୍ଷିଲା ଯେ କିଛି ସମୟ ଭିତରେ ରାସ୍ତାଘାଟ ଉଛୁଳିଥିଲା।

author-image
Manas Ranjan Mohanty
RAIN

RAIN Photograph: (OTV)

ଛେଚିଲା, କାଚିଲା ଆଉ ବୁଡ଼ାଇଲା। ରାଜଧାନୀକୁ ବେହାଲ୍ କଲା ନନଷ୍ଟପ୍ ବର୍ଷା। ପ୍ରାୟ ଦୁଇ ଘଣ୍ଟା ନିର୍ଧୁମ ବର୍ଷିଲା। ମାଠିଆରୁ ପାଣି ଢାଳିଲା ଭଳି ବର୍ଷାରେ ସ୍ମାର୍ଟସିଟିରେ ନଈବଢ଼ିର ଦୃଶ୍ୟ। ଚାରିଆଡ଼େ ଜଳ ପ୍ରଳୟ, ଜଳବନ୍ଦୀ ଅବସ୍ଥା। ରାସ୍ତାରେ ଲହଡ଼ି ଭାଙ୍ଗିଲା, ଲୋକଙ୍କ ଘରେ ପଶିଲା। କେଉଁଠି ଅଣ୍ଟାଏ ତ ଆଉ କେଉଁଠି ବହିଲା ଆଣ୍ଠୁଏ ଲେଖାଏଁ ପାଣିର ପ୍ରଖର ସୁଅ। ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ଅବିଶ୍ରାନ୍ତ ବର୍ଷା ଏମିତି କିଛି ବିତ୍ପାତ ରଚିଥିଲା। ବେଶ କିଛି ସମୟ ଅତି ଭୀଷଣ ଭାବରେ ଜନଜୀବନ ଘାଣ୍ଟି ସନ୍ତୁଳି ହେବା ସହ ଠପ୍ ହୋଇଗଲା ଜୀବନଯାତ୍ରା।

Advertisment

ସାଢ଼େ ୧୨ଟା ବେଳକୁ ଅଚାନକ ବିଗିଡ଼ିଥିଲା ପାଗ। କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଗର୍ଜନ ଛାଡିଥିଲା ବିଜୁଳି ଘଡ଼ଘଡ଼ି। ଆକାଶରୁ ଝରିଥିଲା ମୂଷଳଧାରାରେ ବର୍ଷା। ଏତେ ବର୍ଷିଲା ଯେ କିଛି ସମୟ ଭିତରେ ରାସ୍ତାଘାଟ ଉଛୁଳିଥିଲା। ଜଳାର୍ଣ୍ଣବ ସ୍ଥିତିକୁ ବଳି ଯାଇଥିଲା ଭୟଙ୍କର ଟ୍ରାଫିକ୍ ଜାମ୍। ଯିଏ ଯେଉଁଠି ଥିଲେ ସେଠି ଅଟକିଗଲେ। ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରୁ ରାଜମହଲ ଭିତରେ ଟ୍ରାଫିକ୍ ଜାମ ଯୋଗୁଁ ମଝି ରାସ୍ତାରେ ଅଟକିଲା ଗାଡ଼ି, ଫସିଲେ ଯାତ୍ରୀ। ବାଟରେ ଥିବା ଲୋକ ଘରକୁ ଫେରି ପାରିଲେନି କି ଘରୁ କେହି ପାଦ କାଢ଼ି ପାରିଲେନି। ସେହିପରି ବାଣୀବିହାର, ଏଜି, କଳ୍ପନା, ରସୁଲଗଡ଼ ସବୁଠି ଟ୍ରାଫିକ୍ ଜାମରେ ଝଟପଟ ହୋଇଥିଲେ ସାଧାରଣ ଲୋକ। ... 

ଅସରାଏ ବର୍ଷାରେ ସହରୀ ବନ୍ୟା ଭୁବନେଶ୍ବରକୁ ନୟାନ୍ତ କରିଦେଲା। ଜୟଦେବ ବିହାରରୁ ରାଜଭବନ ରାସ୍ତାରେ ବିଭିନ୍ନ ସ୍ଥାନରେ ଲହଡ଼ି ଭାଙ୍ଗୁଥିଲା ବର୍ଷା ପାଣି। ଡ୍ରେନ୍ ଉଛୁଳି ରାସ୍ତାକୁ ପାଣି ଆସିବା ପରେ ସ୍ଥିତି ସଙ୍ଗୀନ ହୋଇଥିଲା। ଜୟଦେବ ବିହାର ଲେନ୍-୪ରେ ଘରେ ପାଣି ପଶି ଆସବାବପତ୍ର ବୁଡିଛି। ଶବର ସାହିରେ ବି ଲୋକଙ୍କ ଘରେ ପାଣି ପଶିବାରୁ ଓଦା ହୋଇଛି ଖାଦ୍ୟ ସାମଗ୍ରୀ, ପିଲାଙ୍କ ପଢ଼ା ବହି ଖାତା ଓ ଅନ୍ୟାନ୍ୟ ଜିନିଷପତ୍ର। ୟୁନିଟ୍ -୧ ଅଞ୍ଚଳ ସରକାରୀ କ୍ବାର୍ଟର୍ସରେ ବି ପଶିଥିଲା ପାଣି। ଓଲଡ ଟାଉନ ଅଞ୍ଚଳରେ ଦେଖିବାକୁ ମିଳିଥିଲା ବନ୍ୟା ଭଳି ଅବସ୍ଥା। ଜଳାର୍ଣ୍ଣବ ହୋଇଥିଲା ରାସ୍ତା। ହୀନସ୍ତା ଭୋଗିଥିଲେ ପଥଚାରୀ। ... 

କେବଳ ଭୁବନେଶ୍ବର ନୁହେଁ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି କିଛି ସ୍ଥାନରେ ଆଜି ବର୍ଷା ହୋଇଛି। ଆସନ୍ତା ୪ ଦିନ ରାଜ୍ୟରେ ଏଭଳିି ପାଗ ରହିବ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ୧୦ ତାରିଖ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ ତାରିଖ ଯାଏ ବର୍ଷା ହେବ। ଆସନ୍ତାକାଲି ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ସହ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିପାରେ। 

Advertisment
Related Articles
Advertisment