Advertisment

Winter’s Third-Degree Punch: ଥଣ୍ଡାର ଥାର୍ଡଡିଗ୍ରୀ ଭିତରେ ଘନ କୁହୁଡ଼ିର କୋପ, ବିମାନସେବା ପ୍ରଭାବିତ

ଆଜି ସକାଳ ୬ଟାରେ ରନୱେରେ ଦୃଶ୍ୟମାନ ଦୂରତା ଥିଲା ମାତ୍ର ୫୦ ମିଟର୍। କୁହୁଡ଼ିରେ ସୁଧାର ଆସିବା ପରେ ପୁଣି ସଂପୃକ୍ତ ଫ୍ଲାଇଟ ଗୁଡ଼ିକ ଭୁବନେଶ୍ବରରେ ଲ୍ୟାଣ୍ଡିଂ କରିଛନ୍ତି। ଏଭଳି ବହୁ ବିମାନ ଆଜି ବିଳମ୍ବରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛନ୍ତି।

author-image
Tapan Swain
COLD-WAVE

COLD-WAVE Photograph: (OTV)

ବର୍ଷ ଆରମ୍ଭରେ ଘନ କୁହୁଡ଼ିର ଆତଙ୍କ। ବର୍ଷର ପ୍ରଥମ ଦିନରେ କଲବଲ କରିଛି ଜନଜୀବନକୁ। ଉପାନ୍ତରୁ ଉପକୂଳ, ପ୍ରଭାବିତ କରିଛି ଜୀବନଯାତ୍ରା। କୁହୁଡ଼ିର ଆସ୍ତରଣ ଭିତରେ ପାରଦ ଖସିବା ସହ ପରିବହନ ସେବା ଆଜି ସାଂଘାତିକ ପ୍ରଭାବିତ ହୋଇଛି। ଭୁବନେଶ୍ବର ଏୟାରପୋର୍ଟରେ ଦୃଶ୍ୟମାନ ଦୂରତା ହ୍ରାସ ପାଇବାରୁ ବିମାନସେବା ବିଳମ୍ବିତ ହୋଇଥିବାବେଳେ ବାଲେଶ୍ବର ବସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ପିକନିକ୍ ବସ୍। ପାଣିପାଗ ବିଭାଗ କହିଛି, ଆସନ୍ତା ୫ଦିନ ଯାଏଁ କାଳ କୁହୁଡ଼ିରୁ ନିସ୍ତାର ନାହିଁ।... 

Advertisment

ଥଣ୍ଡାର ଥାର୍ଡଡିଗ୍ରୀ ଭିତରେ କୁହୁଡ଼ିର ଭୟଙ୍କର କୋପ...ନୂଆବର୍ଷ ପହିଲାରୁ ଘାତକ ସାଜିଛି ଘନ କୁହୁଡ଼ି। ରାଜପଥରେ ନା ବାରି ହେଉଛି ଦିଗ...ଏୟାରପୋର୍ଟରେ ନା ରନୱେର ହେଉଛି ଦୃଶ୍ୟମାନ...ଚାରିଆଡ଼େ କେବଳ ଧଳା ଧୂଆଁର ଭ୍ରମ ସୃଷ୍ଟି କରିଛି କୁହୁଡ଼ି। ଫଳରେ କେଉଁଠି ଓଲଟି ପଡ଼ିଲା ପିକନିକ୍ ବସ୍...ତ ପ୍ରଭାବିତ ହୋଇପଡ଼ିଥିଲା ବିମାନ ସେବା...ଫ୍ଲାଇଟ୍ ଉଡ଼ାଣରେ ବିଳମ୍ବ ଯୋଗୁ କାହାକୁ ଭୁବନେଶ୍ବର ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଧରି ଆଜି ସକାଳୁ ଅପେକ୍ଷା କରିବାକୁ ପଡ଼ିଥିଲା ତ ଆଉ କାହା ଫ୍ଲାଇଟ୍ ଲ୍ୟାଣ୍ଡିଂ ନକରିବାରୁ ଦୀର୍ଘ ସମୟ ଯାଏଁ ୩୧ ହଜାର ଫୁଟ ଉଚ୍ଚରେ ଚକ୍କର କାଟିବାକୁ ପଡ଼ିଥିଲା ଫ୍ଲାଇଟ୍ ସହ। 

ଭୁବନେଶ୍ବରରେ ଦିଶିଲାନି ରନୱେ

ଘନ କୁହୁଡି ଯୋଗୁ ଆଜି ସକାଳେ ମୋଟ ୫ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା। ଭୁବନେଶ୍ବରକୁ ଆସୁଥିବା ୩ଟି ଫ୍ଲାଇଟକୁ ରାୟପୁର ଏବଂ ଅନ୍ୟ ୨ଟି ଫ୍ଲାଇଟକୁ କୋଲକାତାକୁ କରାଯାଇଥିଲା ଡାଇଭର୍ଟ। କାରଣ ଆଜି ସକାଳ ୬ଟାରେ ରନୱେରେ ଦୃଶ୍ୟମାନ ଦୂରତା ଥିଲା ମାତ୍ର ୫୦ ମିଟର୍। କୁହୁଡ଼ିରେ ସୁଧାର ଆସିବା ପରେ ପୁଣି ସଂପୃକ୍ତ ଫ୍ଲାଇଟ ଗୁଡ଼ିକ ଭୁବନେଶ୍ବରରେ ଲ୍ୟାଣ୍ଡିଂ କରିଛନ୍ତି। ଏଭଳି ବହୁ ବିମାନ ଆଜି ବିଳମ୍ବରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛନ୍ତି। ଫଳରେ ଯାତ୍ରୀ ସଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିନାହାଁନ୍ତି ଯାତ୍ରୀ।

Advertisment

ଘନ କୁହୁଡ଼ିର ଆସ୍ତରଣ ଭିତରେ ଆଜି ଆକ୍ତାମାକ୍ତା ହୋଇଛି ଉପାନ୍ତରୁ ଉପକୂଳ। ଭୁବନେଶ୍ବର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ପୂର୍ବାହ୍ନରେ ଭିଜିବିଲିଟି ହ୍ରାସ ପାଇଥିଲା। କୁହୁଡ଼ି ଯୋଗୁଁ ଭାରସାମ୍ୟ ହରାଇ ବାଲେଶ୍ବର ବସ୍ତା ଥାନା ଶୁଲପଟାରେ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା ଏକ ପିକନିକ୍ ବସ୍। ଦୁବଲାଗଡ଼ି ବେଳାଭୂମିକୁ ପିକନିକ ପାଇଁ ଯିବାବେଳେ ସକାଳୁଆ କୁହୁଡ଼ି ଯୋଗୁ ରାସ୍ତା ଜାଣିପାରିନଥିଲେ ଡ୍ରାଇଭର। ପରେ ବ୍ୟାକ କରିବାବେଳେ ରାସ୍ତା ପାର୍ଶ୍ବ ନୟନଯୋଡ଼ିକୁ ପଶିଯାଇଥିଲା ଏଭଳି। ସୌଭାଗ୍ୟକୁ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନାହିଁ। 

ପାଣିପାଗ ବିଭାଗର ସୂଚନା, ଆସନ୍ତା ୫ ଦିନ ଯାଏଁ ଲାଗିରହିବ ଏଭଳି କୁହୁଡ଼ି। ତେଣୁ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଜାରି କରିଛି ୱାର୍ଣ୍ଣିଂ। କାଲି ସକାଳ ଯାଏଁ ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଆଦି ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଗଜପତି, କନ୍ଧମାଳ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଆଦି ୧୦ଟି ଜିଲ୍ଲା ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ। ଅର୍ଥାତ ଏସବୁ ଜିଲ୍ଲାରେ କଲବଲ କରିବ ଘନ କୁହୁଡ଼ି। 

ଘନ କୁହୁଡ଼ି ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇ ଶୀତର ପ୍ରକୋପ ବି ବଢ଼ିବ। ଗତ ୫ ଦିନ ମଧ୍ୟରେ ଆଜି ସକାଳ ସାଢ଼େ ୧୧ଟାରେ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ କରାଯାଇଥିଲା। ଆସନ୍ତା ୭ ଦିନ ମଧ୍ୟରେ ବର୍ଷାର ସେଭଳି କୌଣସି ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ। 



Advertisment