Advertisment

Davis Cup Victory Sparks Hopes of Change: ସ୍ୱିଜରଲାଣ୍ଡ ବିପକ୍ଷ ଡେଭିସ୍ କପ୍ ବିଜୟ ଭାରତୀୟ ଟେନିସରେ ପରିବର୍ତ୍ତନର ସଙ୍କେତ ଦେଉଛି କି ?

ଡେଭିସ୍ କପରେ ୩୨ ବର୍ଷ ପରେ ଏକ ୟୁରୋପୀୟ (ସ୍ୱିଜରଲାଣ୍ଡ) ଟିମକୁ ହରାଇଛି ଭାରତ । ଏବେ ପ୍ରଶ୍ନ ଉଠୁଛି, ଏହି ବିଜୟ ଭାରତୀୟ ଟେନିସରେ ପରିବର୍ତ୍ତନର ସଙ୍କେତ ଦେଉଛି କି? ଟେନିସରେ ଆଗକୁ ବଢ଼ିବ ତ ଭାରତ?

author-image
Biswajit Mohanty
Davis Cup

Davis Cup Photograph: (OTV)

ବହୁ ବର୍ଷ ପରେ ଭାରତୀୟ ଟେନିସ୍ ପାଇଁ ଖୁସି ମନାଇବାର ଅବସର ଆସିଛି । ନିକଟରେ ଭାରତୀୟ ଟିମ୍ ଡେଭିସ୍ କପ୍ ଟାଇରେ ସ୍ୱିଜରଲାଣ୍ଡକୁ ପରାଜିତ କରିଛି । ଏହି ବିଜୟ ଭାରତ ପାଇଁ ଐତିହାସିକ, କାରଣ ୩୨ ବର୍ଷ ପରେ ଘର ବାହାରେ କୌଣସି ୟୁରୋପୀୟ ଦେଶ ବିପକ୍ଷରେ ଏହି ସଫଳତା ମିଳିଛି । ଏହି ବିଜୟ ସହ ରୋହିତ ରାଜପାଲଙ୍କ ଟିମ୍ ଡେଭିସ୍ କପ୍ ୨୦୨୬ କ୍ୱାଲିଫାୟର୍ସକୁ ଉନ୍ନୀତ ହୋଇଛି ।

Advertisment

ଭାରତ ପୂର୍ବ ଥର ୧୯୯୩ରେ କୌଣସି ୟୁରୋପୀୟ ଟିମ୍ ବିପକ୍ଷରେ ଏକ ଟାଇ ଜିତିଥିଲା । ସେତେବେଳେ ରମେଶ କ୍ରିଷ୍ଣନ ଓ ଲିଆଣ୍ଡର ପେସଙ୍କ ଉପସ୍ଥିତିରେ ଟିମ୍ ୱାର୍ଲ୍ଡ ଗ୍ରୁପ୍ କ୍ୱାର୍ଟର୍-ଫାଇନାଲରେ ଚୀନକୁ ୩-୦ରେ ହରାଇଥିଲା ।
ସ୍ୱିଜରଲାଣ୍ଡ ବିପକ୍ଷରେ ବିଏଲ୍ରେ ହୋଇଥିବା ଇନ୍ଡୋର୍ ମୁକାବିଲାର ଫଳାଫଳ ଭାରତର ଉଚିତ ଯୋଜନା, ସାହସିକ ନିଷ୍ପତ୍ତି ଓ ଖେଳାଳିଙ୍କ ନିର୍ଭୀକ ଦୃଷ୍ଟିକୋଣ ଆଦି କାରକର ସମ୍ମିଶ୍ରଣ ଥିଲା ।
ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ଏହି ବିଜୟ ଭାରତୀୟ ଟେନିସରେ ପରିବର୍ତ୍ତନର ସଙ୍କେତ ଦେଉଛି କି? ଟେନିସରେ ଆଗକୁ ବଢ଼ିବ ତ ଭାରତ?

ଡେଭିସ୍ କପରେ ଭାରତ ତିନି ଥର ରନର୍ସଅପ୍

ଡେଭିସ୍ କପ୍ ପୁରୁଷ ଟେନିସ୍ରେ ଏକ ଆନ୍ତର୍ଜାତିକ ଟିମ୍ ଇଭେଣ୍ଟ, ଯାହାକୁ ଟେନିସ୍ର ବିଶ୍ୱକପ୍ କୁହାଯାଏ । ୧୯୦୦ରେ ଗ୍ରେଟ୍ ବ୍ରିଟେନ୍-ଆମେରିକା ପ୍ରତିଯୋଗିତାରୁ ଏହା ଆରମ୍ଭ ହୋଇଥିଲା । ଆନ୍ତର୍ଜାତିକ ଟେନିସ୍ ମହାସଂଘ ପକ୍ଷରୁ ପ୍ରତିବର୍ଷ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏବେ ୧୫୦ରୁ ଅଧିକ ଦେଶ ଭାଗ ନେଉଛନ୍ତି ।

Advertisment

୧୯୨୧ରେ ଭାରତ ଏଥିରେ ପ୍ରଥମ ଥର ଅଂଶଗ୍ରହଣ କରିଥିଲା । ଟୁର୍ଣ୍ଣାମେଣ୍ଟ ଇତିହାସରେ ଭାରତ ତିନି ଥର - ୧୯୬୬, ୧୯୭୪ ଓ ୧୯୮୭ରେ ରନର୍ସଅପ୍ ହୋଇଛି । କିନ୍ତୁ ୧୯୮୭ ପରଠାରୁ ଭାରତ ଆଉ ଫାଇନାଲ୍କୁ ଯାଇ ନ ପାରିବା ବିଡ଼ମ୍ବନାର ବିଷୟ ।

୧୯୭୪ ଫାଇନାଲ୍ରେ ଭାରତ ପାଖରେ ମୁକୁଟ ଜିତିବା ପାଇଁ ବଡ଼ ସୁଯୋଗ ଥିଲା । ବିଜୟ ଅମୃତରାଜ ଓ ଆନନ୍ଦ ଅମୃତରାଜ ସେମାନଙ୍କର ଶ୍ରେଷ୍ଠ ଫର୍ମରେ ଥିଲେ । ତେବେ ଦକ୍ଷିଣ ଆଫ୍ରିକୀୟ ସରକାରଙ୍କ ‘ବର୍ଣ୍ଣବୈଷ୍ଣମ୍ୟ’ ନୀତି ଯୋଗୁଁ ଭାରତ ଫାଇନାଲ୍ ଖେଳିବା ପାଇଁ ମନା କରିଦେଇଥିଲା । ଏହା ଫଳରେ ଦକ୍ଷିଣ ଆଫ୍ରିକା ଡେଭିସ୍ କପ୍ ଜିତିଥିଲା ।  

ରାଜପାଲଙ୍କ ରଣନୀତି ଓ ସୁରେଶଙ୍କ ପ୍ରତିଭା ପ୍ରଦର୍ଶନ

ସ୍ୱିସ୍ ଟିମ୍ ବିପକ୍ଷରେ ଭାରତର ବିଜୟ ପଛରେ ନନ୍-ପ୍ଲେଇଙ୍ଗ୍ କ୍ୟାପ୍ଟେନ୍ ରୋହିତ ରାଜପାଲ୍ଙ୍କ ବଡ଼ ଭୂମିକା ଥିଲା । ତାଙ୍କୁ ଏହା ସୁନିଶ୍ଚିତ କରିବା ପାଇଁ କୋର୍ଟ ବାହାରେ  ବହୁତ କସରତ କରିବାକୁ ପଡ଼ିଥିଲା ଯେ ଭାରତୀୟ ଟିମରେ ପର୍ଯ୍ୟାପ୍ତ ଖେଳାଳି ରୁହନ୍ତୁ, କାରଣ ଆବଶ୍ୟକ ସ୍ଥଳେ ଟିମ୍ ପାଖରେ ଆଦର୍ଶ ବିକଳ୍ପ ରହିବ ।

ଯେତେବେଳେ ତାରକା ଖେଳାଳି ୟୁକି ଭାମ୍ବରୀ ଆଘାତ ଯୋଗୁଁ ଟିମ୍ରୁ ବାହାରି ଯାଇଥିଲେ, ସେତେବେଳେ ରାଜପାଲ୍ଙ୍କ ଯୋଜନା କାମରେ ଆସିଥିଲା । ଭାରତ ରିତ୍ତ୍ୱିକ ବୋଲିପଲ୍ଲୀଙ୍କୁ ଏନ୍. ଶ୍ରୀରାମ ବାଲାଜୀଙ୍କ ସହ ଡବଲ୍ସ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ କରିଥିଲା ।

ଏହା ଭିନ୍ନ କଥା ଯେ ଭାରତ ଡବଲ୍ସ ମ୍ୟାଚରେ ପଏଣ୍ଟ ଜିତିପାରି ନ ଥିଲା, କିନ୍ତୁ ଗୁଣାତ୍ମକତାର ଅଭାବ ନ ଥିଲା । ବୋଲିପଲ୍ଲୀ ଓ ବାଲାଜୀ ଜୋର୍ଦାର ମୁକାବିଲା କରିଥିଲେ ଏବଂ ସେମାନଙ୍କ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ବି ଥିଲା ।
ସଫଳ ଯୋଜନାର ଶ୍ରେୟ ଟିମ୍ ମ୍ୟାନେଜମେଣ୍ଟକୁ ଯାଏ । ଭାରତର ବିଜୟର ବଡ଼ କଥା ଥିଲା, ସିଙ୍ଗଲ୍ସ ଖେଳାଳିମାନଙ୍କର ଆତ୍ମବିଶ୍ୱାସଭରା ପ୍ରଦର୍ଶନ । ସୁମିତ ନାଗଲ ଦୁଇଟି ଓ ଦକ୍ଷିଣେଶ୍ୱର ସୁରେଶ ଗୋଟିଏ ସିଙ୍ଗଲ୍ସ ମ୍ୟାଚ୍ ଜିତିଥିଲେ । ଉଚ୍ଚ ମାନ୍ୟତାଧାରୀ ଆର୍ଯ୍ୟନ ଶାହ କି କରଣ ସିଂହଙ୍କ ପରିବର୍ତ୍ତେ ରିଜର୍ଭ ଖେଳାଳି ସୁରେଶଙ୍କୁ ଖେଳାଇବା ଏକ ରଣନୈତିକ ନିଷ୍ପତ୍ତି ଥିଲା ।

ପ୍ରଶିକ୍ଷଣ ସମୟରେ ରାଜପାଲ୍ ଏହା ଅନୁଭବ କରିଥିଲେ ଯେ ସୁରେଶଙ୍କ ବଡ଼ ସର୍ଭିସ ଓ କ୍ଷୀପ୍ର ପ୍ରହାର ଟିମ୍ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ, ଯାହାର ଦମରେ ସେ ସହଜରେ ନିଜ ସହଯୋଗୀମାନଙ୍କୁ ମାତ୍ ଦେଉଥିଲେ ।
ଏହା ସୁରେଶଙ୍କ ନିଜ କୋଚିଂ ଟିମ୍ ସହିତ ଦୀର୍ଘ ପରିଶ୍ରମର ଫଳ ଥିଲା । ଲକ୍ଷ୍ମଣ ଚକ୍ରବର୍ତ୍ତୀ ୧୬ ବର୍ଷରୁ କମ୍ ସ୍ତର ଯାଏଁ ସୁରେଶଙ୍କ ଖେଳ ଉପରେ ବହୁତ ଧ୍ୟାନ ଦେଇଥିଲେ । ପୂର୍ବତନ ଖେଳାଳି ସୋମଦେବ ଦେବବର୍ମନ ତାଙ୍କୁ ସ୍ୱଳ୍ପ ସମୟ ପାଇଁ ମାର୍ଗଦର୍ଶନ କରିଥିଲେ । ଏହାଛଡ଼ା କାର୍ତ୍ତି ଚିଦାମ୍ବରମ୍ ମଧ୍ୟ ଏହି ଯୁବ ପ୍ରତିଭାଙ୍କୁ ସହାୟତା କରିଥିଲେ ।

୨୦୨୧ରେ ସୁରେଶ ଆମେରିକାସ୍ଥିତ ୱେକ୍ ଫରେଷ୍ଟ ୟୁନିଭର୍ସିଟିରେ ଶିକ୍ଷାଲାଭ କରିଥିଲେ, ଯେଉଁଠି କୋଚ୍ ଟୋନୀ ବ୍ରେସ୍କି ତାଙ୍କ କ୍ରୀଡ଼ା-କୌଶଳରେ ସୁଧାର ଆଣିଥିଲେ । ତାଙ୍କୁ ୟୁନିଭର୍ସିଟି ପ୍ରାଙ୍ଗଣରେ ଆୟୋଜିତ ଏଟିପି ୨୫୦ ଇଭେଣ୍ଟ ପାଇଁ ୱାଇଲ୍ଡ କାର୍ଡ ବି ଦିଆଯାଇଥିଲା ।

ମଜବୁତ ଆନୁଷ୍ଠାନିକ ବ୍ୟବସ୍ଥା ଜରୁରୀ

ସୁରେଶଙ୍କ ପ୍ରଗତିରେ ତାଙ୍କ କଠିନ ପରିଶ୍ରମ ଓ ତାଙ୍କ ଟେନିସ୍ ଯାତ୍ରାରେ କେତେକଙ୍କ ବ୍ୟକ୍ତିଗତ ପ୍ରୟାସର ଅଧିକ ଯୋଗଦାନ ରହିଛି । କୌଣସି ଆନୁଷ୍ଠାନିକ ବ୍ୟବସ୍ଥା ତାଙ୍କ ବିକାଶକୁ ଗତି ଦେଇ ନାହିଁ କି ତାଙ୍କ ଲକ୍ଷ୍ୟକୁ ମଜଭୁତ କରି ନାହିଁ ।
ସୁରେଶ ବିଶ୍ୱର ୧୫୫ତମ ଖେଳାଳି ଜେରୋମ୍ କିମ୍ଙ୍କ ବିପକ୍ଷରେ ପ୍ରାରମ୍ଭିକ ସିଙ୍ଗଲ୍ସ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲେ ଏବଂ ସେ ମ୍ୟାଚ୍ ସମୟରେ ଆଦୌ ବିଚଳିତ ହୋଇ ନ ଥିଲେ । ଏହାର କାରଣ ଥିଲା, ସେ ବିଏଲରେ କୋର୍ଟକୁ ଓହ୍ଲାଇବା ପୂର୍ବରୁ ତାଙ୍କ ପାଖରେ ନିଜ ପ୍ରତିଭାର ଦମରେ ଭଲ ଖେଳାଳିଙ୍କୁ ଚାଲେଞ୍ଜ୍ ଦେବାର ଅଭିଜ୍ଞତା ଓ ସାହସ ଥିଲା ।

ସୁରେଶଙ୍କୁ ଖେଳାଇବାର ରଣନୀତି ଫଳପ୍ରଦ ହୋଇଥିଲା । ଏଭଳି ସାହସିକ ନିଷ୍ପତ୍ତି ନେଇଥିବାରୁ ରାଜପାଲ୍ ପ୍ରଶଂସାର ହକ୍ଦାର ।
ନାଗଲଙ୍କ କ୍ଷେତ୍ରରେ ବି ଏ କଥା ଲାଗୁ ହୁଏ । ଯଦି ମହେଶ ଭୂପତି ପ୍ରତିଭାଖୋଜା କାର୍ଯ୍ୟକ୍ରମ ସମୟରେ ତାଙ୍କ କଥା ଶୁଣି ନ ଥା’ନ୍ତେ, ତା’ହେଲେ ଏଭଳି ଖେଳାଳିଙ୍କ ଅଭ୍ୟୁଦୟ ହୋଇ ନ ଥା’ନ୍ତା ।
ଭୂପତି, ନାଗଲଙ୍କ ଉପରେ ଫୋକସ୍ କରିଥିଲେ ଏବଂ ୟୁରୋପରେ ତାଙ୍କ ପ୍ରଶିକ୍ଷଣ ସୁନିଶ୍ଚିତ କରିଥିଲେ । ନାଗଲ ଜର୍ମାନୀରେ ସାସା ନେନ୍ସେଲ୍ଙ୍କ ଅଧୀନରେ ପ୍ରଶିକ୍ଷଣ ନେଉଛନ୍ତି ଏବଂ ମିଲୋସ ଗାଲେସିକ୍ ତାଙ୍କ ଫିଟ୍ନେସ୍ ଉପରେ ଧ୍ୟାନ ଦେଉଛନ୍ତି । ସିନ୍ଥିଆ ସ୍ମିଥ ତାଙ୍କ ମାନସିକ ପ୍ରଶିକ୍ଷକ ଓ ଯଶ ପାଣ୍ଡେ ଫିଜିଓ ରହିଛନ୍ତି ।

ରୋହନ ବୋପନ୍ନା ମଧ୍ୟ ନିଜ ଡବଲ୍ସ କାର୍ଯ୍ୟକ୍ରମ ଜରିଆରେ ଯୋଗଦାନ ଦେଇଛନ୍ତି, ଯାହା ଡବଲ୍ସ ଖେଳାଳିମାନଙ୍କୁ ସେମାନଙ୍କ ଯାତ୍ରା ଓ ପ୍ରଶିକ୍ଷଣରେ ସହାୟତା କରିଥାଏ ।
ଯଦି କିଛି ବ୍ୟକ୍ତି ପ୍ରଭାବ ସୃଷ୍ଟି କରିପାରୁଛନ୍ତି, ତା’ହେଲେ କଳ୍ପନା କରନ୍ତୁ ଯେ ଯଦି ଏକ ଆନୁଷ୍ଠାନିକ ବ୍ୟବସ୍ଥା ତିଆରି କରାଯାଏ, ତା’ହେଲେ ଭାରତୀୟ ଟେନିସ୍ କେତେ ଉପରକୁ ଉଠିପାରିବ ।

ଭାରତୀୟ ଖେଳାଳି ନିଶ୍ଚିତରୂପେ ନିଜ ବ୍ୟକ୍ତିଗତ ପ୍ରତିଭା ଆଧାରରେ ବିଜୟ ହାସଲ କରିଛନ୍ତି, ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିଜୟର ଶ୍ରେୟ ନେଇପାରିବନି । ଭାରତ ଏକ ୟୁରୋପୀୟ ଦେଶ ବିରୋଧରେ ଏହି ବିରଳ ସଫଳତାର ଖୁସି ମନାଇ ପାରିବ, କିନ୍ତୁ ଏହାଦ୍ୱାରା କ’ଣ ଭାରତୀୟ ଟେନିସରେ କିଛି ପରିବର୍ତ୍ତନ ଆସିବ?

ଆଗକୁ ନାଗଲ ଟୁର୍ରେ ସଂଘର୍ଷ ଜାରି ରଖିବେ ଏବଂ ଶୀର୍ଷ-୧୦୦କୁ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିବେ । ଅନ୍ୟ ଖେଳାଳିମାନେ ମଧ୍ୟ ସେଇଆ କରିବେ ।
ଏହା ଠିକ୍ ଯେ ଟେନିସ୍ ଏକ ବ୍ୟକ୍ତିଗତ ଖେଳ । ତେବେ ଦେଶରେ ଟେନିସ୍ର ସର୍ବୋଚ୍ଚ ସଂସ୍ଥା ‘ଅଖିଳ ଭାରତୀୟ ଟେନିସ୍ ସଂଘ’ (ଏଆଇଟିଏ) କେବଳ ବଡ଼ ଖେଳାଳିଙ୍କୁ ସମର୍ଥନ ନ କରି ପ୍ରତିଭାଙ୍କୁ ଖୋଜି ସେମାନଙ୍କ ବିକାଶ ଦିଗରେ ଧ୍ୟାନ ଦେବା ଆବଶ୍ୟକ । କେବଳ ଅଧିକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ଯଥେଷ୍ଟ ନୁହେଁ ।

ଯେତେବେଳ ଯାଏଁ ଏକ ମଜଭୁତ ଆନୁଷ୍ଠାନିକ ବ୍ୟବସ୍ଥା ତିଆରି ନ ହୋଇଛି, ସେତେବେଳ ଯାଏଁ ଟେନିସ୍ ଭଳି ଆହ୍ୱାନପୂର୍ଣ୍ଣ ଖେଳରେ ଭାରତ ଶକ୍ତିଶାଳୀ ହୋଇପାରିବ ନାହିଁ ।  
ଆମକୁ ସ୍ୱିଜରଲାଣ୍ଡରେ ମିଳିଥିବା ସଫଳତାରୁ ଆଗକୁ ବଢ଼ିବାକୁ ହେବ । ଭବିଷ୍ୟତରେ ଡେଭିସ୍ କପ୍ ଟ୍ରଫି ଜିତିବା ପାଇଁ ଏବେଠାରୁ ଲକ୍ଷ୍ୟଧାର୍ଯ୍ୟ କରିବା ଦରକାର । ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଟେନିସର ପ୍ରଶାସକମାନେ ଦୂରଦୃଷ୍ଟିସମ୍ପନ୍ନ ହେବା ନିହାତି ଜରୁରୀ ।

India Tennis Sports Davis Cup
Advertisment
Related Articles
Advertisment