Advertisment

Garvana Sankranti: ଓଡ଼ିଆମାନେ କାହିଁକି ପାଳନ୍ତି ଗର୍ଭଣା ସଂକ୍ରାନ୍ତି, ଏହିଦିନ କାହାକୁ ପୂଜା କରାଯାଏ, କାହିଁକି ହୋଇଛି ଏମିତି ନାମକରଣ

ଗର୍ଭଣା ସଂକ୍ରାନ୍ତି ଗୋଟିଏ କୃଷି ପର୍ବ। ଗର୍ଭଣୀ ଶବ୍ଦରୁ ଗର୍ଭଣା ଶବ୍ଦର ଉତ୍ପତ୍ତି ହୋଇଛି। କାର୍ତ୍ତିକ ମାସ ତୁଳା ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ଏ ଗର୍ଭଣା ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହି ସମୟରେ ଧାନକେଣ୍ଡା ଧାନ ଗଛର ଗର୍ଭରେ ଲୁଚି ରହିଥାଏ।

author-image
Sarojini Sankhua
Significance of Garvana Sankranti

ଗର୍ଭଣା ସଂକ୍ରାନ୍ତିର ବିଶେଷତ୍ୱ Photograph: (OTV)

ଆମମାନଙ୍କର ସାମାଜିକ ଜୀବନକୁ ଅସଂଖ୍ୟ ପର୍ବପର୍ବାଣୀର ମହତ୍ତ୍ଵ, ସରସ, ସୁନ୍ଦର ଓ ମଧୁର କରିଥାଏ । ଫଳରେ ସେସବୁ ସାମାଜିକ ଜୀବନରେ  ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ କାଳକ୍ରମେ ଏକ ଐତିହାସିକ ପ୍ରସିଦ୍ଧି ଅର୍ଜନ କରିପାରିଛି। କର୍ମଜୀବି ଚାଷୀ କୂଳ ଜୀବନକୁ ଯଥାର୍ଥ ଭାବରେ ଉପଭୋଗ କରି  କର୍ମକ୍ଳାନ୍ତ ଓ ଭାରାକ୍ରାନ୍ତ ମନରେ ନୂଆ ପ୍ରେରଣା ସୃଷ୍ଟି କରିବା ପାଇଁ  ବିଭିନ୍ନ ପର୍ବପର୍ବାଣୀ ଲୌକିକ ଦୃଷ୍ଟିରୁ  ପାଳିତ ହେଉଥିଲେ  ହେଁ ସେ ସବୁର ଗୋଟିଏ ଗୋଟିଏ ତାତ୍ତ୍ୱିକ ମୂଲ୍ୟବୋଧ ରହିଛି।

Advertisment

ଆମେ ଉତ୍କଳୀୟମାନେ ସବୁବେଳେ ଆମୋଦ ପ୍ରମୋଦ ପ୍ରିୟ। ତେଣୁ ତିଥି, ବାର, ମାସ ଦିନ ଆଦି ସବୁ ଉତ୍ସବଗୁଡ଼ିକ ଗାଁ ଗହଳିର ପ୍ରତି ଘରେ ଘରେ ଏବଂ ପ୍ରତି ମନରେ ଅପୂର୍ବ ଆନନ୍ଦକୁ ଆକର୍ଷଣ କରେ। ଏହାଦ୍ୱାରା ସାମାଜିକ ଜୀବନ ମଧୁମୟ ହୁଏ, ମଣିଷ ମନରେ ଈଶ୍ୱରଙ୍କ ପ୍ରତି ଭକ୍ତି ଜନ୍ମେ ଓ ମଣିଷର ଧର୍ମ ପ୍ରତି ଆଗ୍ରହ ବଢ଼େ। 

ଉତ୍କଳୀୟ ପର୍ବପର୍ବାଣୀ ଗୁଡ଼ିକ ଆମ୍ଭେମାନେ ସାଧାରଣତଃ ଋତୁ କାଳୀନ ଊତ୍ସବ, ଧର୍ମୋତ୍ସବ ଏବଂ ସାମାଜିକ ଉତ୍ସବ ଭାବେ ପାଳନ କରୁ। ଏହା ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧୀୟ। ଚାଷ କାମ ଆରମ୍ଭଠୁ ନେଇ ଅମଳ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରି ଆମେ ପ୍ରକୃତି ମାଆକୁ କୃତଜ୍ଞତା ଜଣାଇଥାଉ। 

Advertisment

ଗର୍ଭଣା ସଂକ୍ରାନ୍ତି (Garvana Sankranti)

ଗର୍ଭଣା ସଂକ୍ରାନ୍ତି ସେମିତି ଗୋଟିଏ କୃଷି ପର୍ବ। ଗର୍ଭଣୀ ଶବ୍ଦରୁ ଗର୍ଭଣା ଶବ୍ଦର ଉତ୍ପତ୍ତି ହୋଇଛି। କାର୍ତ୍ତିକ ମାସ ତୁଳା ସଂକ୍ରାନ୍ତି ହେଉଛି ଗର୍ଭଣା ସଂକ୍ରାନ୍ତି। ଏ ଗର୍ଭଣା ସଂକ୍ରାନ୍ତିର ବିଶେଷତ୍ୱ ହେଉଛି, ଏହି ସମୟରେ ଧାନକେଣ୍ଡା ଧାନ ଗଛର ଗର୍ଭରେ ଲୁଚି ରହିଥାଏ। ଲୋକକଥା ଅନୁସାରେ- “ଆଗେ ବୁଣୁ ପଛେ ବୁଣୁ, ଗର୍ଭଣାକୁ ଟୁଣୁଟୁଣୁ।” ଅର୍ଥାତ୍, ଆଗ ପଛ ହୋଇ ଧାନ ବୁଣା ହେଲେ ମଧ୍ୟ ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛରେ ଥୋଡ଼ ଧରିଥାଏ। ଇଂରାଜୀ ମାସ ଅକ୍ଟୋବରରେ ପଡ଼େ ଏହି ସଂକ୍ରାନ୍ତି। ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜାକରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି। ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ।

କୃଷି ପର୍ବ ଗର୍ଭଣା ସଂକ୍ରାନ୍ତି

ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି।ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲାପରେ ଧାନକ୍ଷେତରେ ପୋତି ଦିଅନ୍ତି। ଜମିରେ ଖିରି ପ୍ରସ୍ତୁତ କରି ପୂଜା କରନ୍ତି। କେତେକ ସ୍ଥାନରେ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପୂଜା କରନ୍ତି। ଏହି ସମୟରେ ଚାଷ ହେଉଥିବା ଧାନର ଅନ୍ୟନାମ ‘ଶାରଦ’ ବା ‘ହୈମନ୍ତିକ’ ଧାନ। କାରଣ ଏହି ଧାନ ଫସଲର ମୁଖ୍ୟ ସମୟ ଶରତ ଓ ହେମନ୍ତ ଋତୁ।

ଥିବୀର ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ବିଚାର କରାଯାଏ କରାଯାଏ। କାରଣ ଏହା ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ, କୋଷ, ପୁଷ୍ପ ଓ କ୍ଷୀର ଅଟେ।ଲକ୍ଷ୍ମୀଙ୍କ ସହିତ ଧାନ ସର୍ବଦା ଜଡ଼ିତ ହୋଇଥିବାରୁ ଏହାକୁ ପ୍ରଜନନ ଶକ୍ତିର ପ୍ରତୀକ (ଧାନମେଣ୍ଟା, ମାଣଧାନ ଆଦି) ଭାବରେ ପୂଜା କରାଯାଇଥାଏ।ଏହା ସମସ୍ତ ପ୍ରାଣୀଙ୍କର ପ୍ରାଣର ଆଧାର ହୋଇଥିବାରୁ ଏହାର ମାନ୍ୟତା ସବୁବେଳେ ଆଗରେ ରହିଛି। 

ପୂଜା ବିଧି

ଏହି ଦିନଟି ଓଡ଼ିଆ ଘରେ ଏକ ଉତ୍ସବମୁଖର ଦିନ ଭାବରେ ପାଳନ ହୁଏ। ସକାଳୁ ସକାଳୁ ଉଠି ଘର ଧୂଆପୋଛା କରାଯାଏ। ଦାଣ୍ଡ ଦୁଆରେ ଝୋଟି ଚିତା ଅଙ୍କାଯାଏ। ପୁରୁଷମାନେ ସକାଳୁ ଉଠି ଅଧୁଆ ମୁହଁରେ ଯାଇ ବତା ଗଛ, ଅଣୁଖା, ଗଡ଼ଗଡ଼ା, ଭୂଆଁଳ, ପଳାଶ, ନଟିକଣ୍ଟି, ସୁନାରି, ନେୱା, ଗହ୍ମାରୀ, ବାଉଁଶ ଆଦି ଗଛର ଡାଳପତ୍ର ଓ କଇଁଫୁଲ ସଂଗ୍ରହ କରି ଆଣନ୍ତି। ବିଶ୍ୱାସ ଅଛି ଯେ, ଏହିସବୁ ଗଛ ପରି, ଧାନଗଛ ହୃଷ୍ଟପୁଷ୍ଟ ଓ ଫଳନ୍ତି ହୁଏ।

ତାକୁ ସବୁ ବିଡ଼ା ବିଡ଼ା କରି ବାନ୍ଧନ୍ତି। ତା' ପରେ ଗାଧୋଇ ପାଧୋଇ ସେହି ବିଡ଼ା ସବୁକୁ ଲକ୍ଷ୍ମୀ ବା ତୁଳସୀ ଚଉରା ପାଖରେ ରଖି କଳସ ବସାଇ ପୂଜା କରନ୍ତି ଓ ଭୋଗ ଦିଅନ୍ତି। ତା'ପରେ ସେହି ବିଡ଼ା ଗୁଡ଼ିକୁ ଧରି ବାମ କାନ୍ଧରେ ରଖନ୍ତି। ସ୍ତ୍ରୀ ଲୋକମାନେ ଶଙ୍ଖ ହୁଳହୁଳି ପକାଇଲେ ପୁରୁଷମାନେ ଏହାକୁ ଧରି ଘରୁ ବାହାରନ୍ତି। ପ୍ରଥମେ ଘର ଚାଳ ଓ ଖତଗଦାରେ ଗୋଟିଏ ଗୋଟିଏ ବିଡ଼ା ପୋତିଲା ପରେ ବାକି ବିଡ଼ାକୁ ନେଇ ଧାନ କ୍ଷେତକୁ ଯାଆନ୍ତି।

ସେଠାରେ ପ୍ରତି କ୍ଷେତର ଐଶାନ୍ୟ କୋଣରେ ଜୁହାର ହୋଇ ଗୋଟିଏ ଲେଖାଏଁ ବିଡ଼ା ପୋତନ୍ତି । ଏହା କଲେ ଲକ୍ଷ୍ମୀ ମାଆ ପ୍ରସନ୍ନ ହୁଅନ୍ତି ଓ ଭଲ ଧାନ ଫସଲ ହୁଏ ବୋଲି ବିଶ୍ୱାସ ଅଛି । ଏହି ସଂକ୍ରାନ୍ତି ପୂର୍ବଦିନ ଜ୍ୟୋତିଷ ଶୁଭମୂହୁର୍ତ୍ତ ବିଷୟରେ ସୂଚନା ଦେବା ସହ ପ୍ରଥମେ କେଉଁ ଗଛର ଡାଳ କାଟିବାକୁ ହେବ ସେକଥା ମଧ୍ୟ କହିଥାନ୍ତି। ଅନେକ ଅଞ୍ଚଳର ଏହିଦିନର ମୁଖ୍ୟ ପିଠା ହେଉଛି ବିରି ଚକୁଳି। ଚାଷ କାମର ମୁଖ୍ୟ ସହାୟକ ବଳଦଙ୍କୁ ଏହିଦିନ ବିରି ଚକୁଳି ଖାଇବାକୁ ଦିଆଯାଏ।

Garvana Sankranti
Advertisment
Related Articles
Advertisment