Advertisment

Samba Dashami: ଶାମ୍ବଦଶମୀ; ପୁରାଣର ଏକ ଦୁଷ୍ଟ ପୁଅର କଥା

ଭଗବାନ କୃଷ୍ଣ ନିଜ ପୁଅକୁ ଦେଇଥିଲେ ଅଭିଶାପ, ଘଟିଥିଲା ଏମିତି । ଋଷିଙ୍କ ସହ ଥଟ୍ଟା କଲେ ରାଜାପୁଅ, ଧ୍ଵଂସ ହୋଇଗଲା ପୁରା ରାଜବଂଶ।

author-image
Sarojini Sankhua
Samba Dashami

Samba Dashami Photograph: (OTV)

ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁଅମାନଙ୍କ ମଧ୍ୟରେ ଶାମ୍ବ ଏକ ବିଶେଷ ଚରିତ୍ର । ସେ ଥିଲେ ଶ୍ରୀକୃଷ୍ଣ ଏବଂ ତାଙ୍କ ଦ୍ଵିତୀୟ ପତ୍ନୀ ଜାମ୍ବବତୀଙ୍କ ପୁତ୍ର । ମହାଭାରତ, ଭାଗବତ ପୁରାଣ, ବିଷ୍ଣୁ ପୁରାଣ ଏବଂ ବିଶେଷକରି ଶାମ୍ବ ପୁରାଣରେ ତାଙ୍କ କାହାଣୀ ବର୍ଣ୍ଣିତ ହୋଇଛି। ଶାମ୍ବ ଖୁବ ସୁନ୍ଦର ଏବଂ ବଳବାନ୍ ଥିଲେ, କିନ୍ତୁ ତାଙ୍କର ଦୁଷ୍ଟା ସ୍ବଭାବ ଦିନେ ଯଦୁବଂଶର ଧ୍ବଂସର କାରଣ ହୋଇଥିଲା। 

Advertisment

ଶାମ୍ବଙ୍କ ଜନ୍ମ କଥା -

ମହାଭାରତ ଏବଂ ଦେବୀ ଭାଗବତ ପୁରାଣ ଅନୁସାରେ ଜାମ୍ବବତୀଙ୍କ ବ୍ୟତୀତ କୃଷ୍ଣଙ୍କ ଅନ୍ୟ ସମସ୍ତ ରାଣୀ ସନ୍ତାନବତୀ ଥିଲେ । ତେଣୁ ଜାମ୍ବବତୀ ପ୍ରଦ୍ୟୁମ୍ନଙ୍କ ପରି ସୁନ୍ଦର ଗୋଟିଏ ପୁଅର ମା ହେବାକୁ  କୃଷ୍ଣଙ୍କ ନିକଟରେ ଇଛା ପ୍ରକାଶ କରିଥିଲେ । କୃଷ୍ଣ ଜାଣିଥିଲେ ଯେ ଜାମ୍ବବତୀଙ୍କ ପୁତ୍ର ହିଁ ଭବିଷ୍ୟତରେ ଯଦୁ ବଂଶର ବିନାଶ ଘଟାଇବ, ଏବଂ ସେଥିପାଇଁ ସେ ଶିବଙ୍କର ବିନାଶକାରୀ ଶକ୍ତିର ଏକ ରୂପ ହେବା ଆବଶ୍ୟକ । ଏହାର ଉପାୟ ପାଇବା ପାଇଁ କୃଷ୍ଣ ହିମାଳରରେ ଥିବା ଉପମନ୍ୟୁ ଋଷିଙ୍କ ଆଶ୍ରମକୁ ଗଲେ ଏବଂ ଋଷୀଙ୍କ ପରାମର୍ଶ ଅନୁଯାୟୀ ସେ ମହାଦେବଙ୍କ ନିକଟରେ ତପସ୍ୟା କରିବାକୁ ଲାଗିଲେ । କୃଷ୍ଣଙ୍କ କଠିନ ତପରେ ସନ୍ତୁଷ୍ଟ ହୋଇ ଶିବ କୃଷ୍ଣଙ୍କ ନିକଟରେ ଅର୍ଦ୍ଧନାରୀଶ୍ୱର ରୂପରେ ଦେଖାଦେଲେ, ଏବଂ ତାଙ୍କୁ ଏକ ବର ମାଗିବାକୁ କହିଥିଲେ । ବର ପ୍ରାପ୍ତିପରେ କୃଷ୍ଣ ଓ ଜାମ୍ବବତୀଙ୍କଠାରୁ ଏକ ପୁତ୍ର ଜନ୍ମଲାଭ କରିଥିଲା, ଯାହାର ନାମ ଦିଆଯାଇଥିଲା ଶାମ୍ବ ।ଶାମ୍ବ ଠିକ୍ ଭଗବାନ କୃଷ୍ଣଙ୍କ ପରି ଦେଖାଯାଉଥିଲେ ଏବଂ ଭଗବାନ କୃଷ୍ଣ ତାଙ୍କୁ ତାଙ୍କର ସମସ୍ତ ଲୀଳା ଶିଖାଇଥିଲେ ।  ଭଗବାନ କୃଷ୍ଣ ଶିବଙ୍କଠାରୁ ସନ୍ତାନ ପାଇଁ ବର ମାଗିଥିଲେ ସେତେବେଳେ ଶିବ ଉତ୍ତର ଦେଇଥିଲେ ଯେ ଜାମ୍ବବତୀଙ୍କ ପୁଅ ଶାମ୍ବ ଏକାଦଶ ରୁଦ୍ର ମଧ୍ୟରୁ ଜଣେ ହେବ ଯିଏ ବିନାଶ ପାଇଁ ଉଦ୍ଦିଷ୍ଟ । 

ଶାମ୍ବଙ୍କୁ ଅଭିଶାପ -

ଥରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାରଦେଶରେ ପୁତ୍ର ଶାମ୍ବଙ୍କୁ ଦ୍ଵାରପାଳ ରୂପେ ଜଗାଇ ଦେଇ ରାଣୀ ସତ୍ୟଭାମାଙ୍କ ସହ ରାଣୀ ଅନ୍ତପୁରରେ ପ୍ରେମାଶକ୍ତ ହେଲେ। ଶ୍ରୀକୃଷ୍ଣଙ୍କର ଶାମ୍ବଙ୍କ ପ୍ରତି ନିର୍ଦ୍ଦେଶ ଥିଲା ଯେ ଯେପରି କୌଣସି ବି ବ୍ୟକ୍ତି ଆସିଲେ ମଧ୍ୟ ତାଙ୍କର ସୁଖ ସମ୍ଭୋଗରେ ଯେପରି ବ୍ୟାଘାତ ନଘଟେ। କିନ୍ତୁ ଏହି ସମୟରେ ମହା ପ୍ରତାପୀ ୠଷି ଦୁର୍ବାସା ଆସି ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଚାହିଁଲେ। ମାତ୍ର ଶାମ୍ୱ ମନା କରିବାରୁ ୠଷି ଦୁର୍ବାସା ଅଗ୍ନିଶର୍ମା ହେଲେ। ଶାମ୍ବ ଅନୋନ୍ୟପାୟ ହୋଇ ଅନ୍ତପୁରରେ ପ୍ରେବଶ କଲେ। ଶୃଙ୍ଗାର କ୍ରୀଡାରତ ଶ୍ରୀକୃଷ୍ଣ ଶାମ୍ବଙ୍କୁ ଅତର୍କିତ ଭାବେ ଦେଖି କ୍ରୋଧରେ ଅଭିଶାପ ଦେଲେ ଯେ ଆଜି ଠାରୁ ତୁ କୁଷ୍ଠ ରୋଗରେ ପୀଡିତ ହୋ। 

Advertisment

ଶାମ୍ୱଙ୍କ ସୂର୍ଯ୍ୟ ପୂଜା ଓ ଶାମ୍ବଦଶମୀ-

ଶ୍ରୀକୃଷ୍ଣ ନିଜ ପୁତ୍ରକୁ ଅଭିଶାପ ଦେଇଥିବାରୁ ଲଜ୍ଜା ଓ ଯନ୍ତ୍ରଣା ଅନୁଭବ କରନ୍ତି। କିପରି ଏହି ଦୁରାରୋଗ୍ୟ ବ୍ୟାଧିରୁ ପୁତ୍ର ଶାମ୍ବଙ୍କୁ ଆରୋଗ୍ୟ ଲାଭ କରିବ ସେକଥା ୠଷି ଦୁର୍ବାସାଙ୍କଠାରୁ ଜାଣିବାକୁ ଚାହିଁଲେ ଭଗବାନ ଶ୍ରୀକୃଷ୍ଣ। ଦୁର୍ବାସା ନିର୍ଦ୍ଦେଶ ଦେଲେ ଯେ ପବିତ୍ର ପଞ୍ଚତିର୍ଥର ସମାହାର କଳିଙ୍ଗ ଦେଶର ଅର୍କ କ୍ଷେତ୍ର ରେ ସୂର୍ଯ୍ୟ ପୂଜା କଲେ ଶାମ୍ବ ରୋଗ ମୁକ୍ତ ହେବେ। ଏପରି ଏକ ପୁଣ୍ୟ ଧାମରେ ନାରଦଙ୍କ ସହ ଶାମ୍ବ ଆସି ଉପସ୍ଥିତ ହେଲେ। ନାରଦଙ୍କ ଠାରୁ ଯୋଗମନ୍ତ୍ର ତୀର୍ଥ ପ୍ରଭୃତି ଜ୍ଞାତ ହୋଇ ଶାମ୍ବ ସୂର୍ଯ୍ୟଙ୍କୁ ଏକ ଲୟରେ ଚାହିଁ ଅର୍କ କ୍ଷେତ୍ର ଠାରେ ଧ୍ୟାନମଗ୍ନ ହେଲେ। ସମୁଦ୍ର କୂଳର ବାୟୁ ଓ ଜଳରେ ଶାମ୍ବଙ୍କ କ୍ଷତ ସ୍ଥାନ ପୁରି ଉଠିଲା। ଶାମ୍ବ ଜଳ ତର୍ପଣ କରି ସୂର୍ଯ୍ୟଙ୍କର ବିଭିନ୍ନ ନାମକୁ ଧ୍ୟାନ କଲେ ପରେ ସେ ସେହି ସମୁଦ୍ର ବେଳାରେ ରବି ନାରାୟଣ ବ୍ରତ କରିବା ଉଦ୍ଦେଶ୍ୟରେ ବାଲୁକାରେ ରବି ନାରାୟଣ ମୂର୍ତ୍ତି ଗଠନ କଲେ ଓ ବିବିଧ ପୁଷ୍ପ ଚନ୍ଦନ ଧୂପ ଗନ୍ଧାଦି ଶୋଡ଼ଶ ଉପଚାରରେ ପୂଜା ଉପାସନା କଲେ। ଯେଉଁଠାରେ ଶାମ୍ବ ଧ୍ୟାନରତ ଥିଲେ ପରବର୍ତ୍ତୀ କାଳରେ ତାହା କୋଣାର୍କ ରୂପେ ଖ୍ୟାତ ହେଲା। ଯେଉଁଦିନ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ବ୍ୟାଧିରୁ ମୁକ୍ତ ହେଲେ ସେହି ଦିନଟିକୁ ଶାମ୍ବ ଦଶମୀ ରୂପେ ପାଳନ କରାଗଲା। 

ଶାମ୍ବଙ୍କ ଦୁଷ୍ଟାମୀ ଓ ଯଦୁବଂଶର ଧ୍ବଂସର କାରଣ -

କୁହାଯାଏ ଯେ ଶାମ୍ବ ଦୁଷ୍ଟ ଏବଂ ଅହଂକାରୀ ଥିଲେ।  ସେ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣାଙ୍କୁ ସ୍ବୟମ୍ବରରୁ ଅପହରଣ କରିଥିଲେ । ଏହା କୌରବ ଏବଂ ଯାଦବମାନଙ୍କ ମଧ୍ୟରେ ଯୁଦ୍ଧର କାରଣ ହୋଇଥିଲା, କିନ୍ତୁ ବଳରାମଙ୍କ ହସ୍ତକ୍ଷେପରେ ଶାନ୍ତି ସ୍ଥାପନ ହୋଇ ଶାମ୍ବ ଲକ୍ଷ୍ମଣାଙ୍କୁ ବିବାହ କରିଥିଲେ। 

ମହାଭାରତର ମୂଷଳୀ ପର୍ବର ବର୍ଣ୍ଣନା ଅନୁସାରେ, ଦିନେ ନାରଦ, ବିଶ୍ବାମିତ୍ର ଓ କଣ୍ଠ ଆଦି ମହର୍ଷିମାନେ ଦ୍ଵାରକା ଆସିଥିଲେ। ଶାମ୍ବ ଏବଂ ଅନ୍ୟ ଯାଦବ ଯୁବକମାନେ ଦୁଷ୍ଟାମୀ କରି ଶାମ୍ବଙ୍କୁ ଗର୍ଭବତୀ ନାରୀ ରୂପରେ ସଜାଇ ଋଷିମାନଙ୍କ ଆଗରେ ଉପସ୍ଥାପନ କରି ପଚାରିଥିଲେ ଯେ ଏହି "ନାରୀ"ର ସନ୍ତାନ ପୁଅ ନା ଝିଅ ହେବ । ଋଷିମାନେ କୋପ କରି ଶାପ ଦେଇଥିଲେ ଯେ ଶାମ୍ବର ଗର୍ଭରୁ ଏକ ଲୌହ ମୁଷଳ ଜନ୍ମ ହେବ ଯାହା ଯଦୁବଂଶର ଧ୍ବଂସ ଘଟାଇବ।

ପରଦିନ ଶାମ୍ବର ଗର୍ଭରୁ ଲୌହ ମୁଷଳ ବାହାରିଲା । କୃଷ୍ଣ ଏହି  ଲୁହାକୁ ନଷ୍ଟ କରି ଦେବାକୁ ଭୀମଙ୍କୁ ଆଦେଶ ଦେଇଥିଲେ। ଭୀମ ଏହି ମୂଷଳକୁ ନେଇ  ଗୁଣ୍ଡ କରିଦେଇଥିଲେ । ସେହି ଗୁଣ୍ଡରୁ ସମୁଦ୍ର କୂଳରେ ଏରକା ଘାସ ରୂପେ ବଢ଼ିଥିଲା। ପରେ ସେହି ଏରକା ବନରେ ଯାଦବମାନେ ମଦ୍ୟପାନ କରି ଝଗଡା କରି ପରସ୍ପରକୁ ମାରିଥିଲେ । ବଳକା ଲୁହା ଖଣ୍ଡର ଶରରେ ଶେଷରେ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ହେଇଥିଲା।ଏହି ଘଟଣାରେ ପ୍ରାୟ ସମସ୍ତ ଯାଦବ ମରିଗଲେ ଏବଂ ଦ୍ବାରକା ସମୁଦ୍ରରେ ବୁଡ଼ିଗଲା । ଏହା ଗାନ୍ଧାରୀଙ୍କ ଶାପର ଫଳ ମଧ୍ୟ ଥିଲା ।

Samba Dashami
Advertisment
Related Articles
Advertisment