/odishatv-khabar/media/media_files/2025/11/13/nuapada-2025-11-13-15-21-03.jpg)
nuapada Photograph: (OTV)
ନୂଆପଡା ବିଧାନସଭା ଉପନିର୍ବାଚନରେ ହୋଇଥିବା ରେକର୍ଡ ୮୩.୪୫ ପ୍ରତିଶତ ଭୋଟିଂ ଓଡ଼ିଶାର ରାଜନୀତିକ ଦୃଶ୍ୟପଟ୍ଟକୁ ଏକ ଭିନ୍ନ ରଙ୍ଗରେ ରଙ୍ଗାୟିତ କରିଛି — ଏହି ଭୋଟିଂ ହାର କାହା ସପକ୍ଷରେ ଯିବାର ସଙ୍କେତ ଦେଉଛି? କେଉଁ ଦଳ ଏଥିରେ ଅଧିକ ଲାଭ ପାଇ ବିଜୟ ଲାଭ କରିବ ଏବଂ କେଉଁ ଦଳ ଏହାଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବ?
ଅଧିକ ପ୍ରତିଶତ ମତଦାନ ଶାସକ ଭାରତୀୟ ଜନତା ପାର୍ଟିର ସାଂଗଠନିକ ସଫଳତା ଓ ତୃଣମୂଳସ୍ତରରେ ମତଦାତାମାନଙ୍କର ସୁଚିନ୍ତିତ ରାଜନୈତିକ ମାନସିକତାର ପ୍ରତିଫଳନ - ନା ଏହା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କର ସହାନୁଭୂତିର ଏକ ସଙ୍କେତ? ମୋହନ ସରକାରଙ୍କ ପ୍ରତି ଏହି ବର୍ଦ୍ଧିତ ମତଦାନ ବୀତସ୍ପୃହତା ପ୍ରଦର୍ଶନ କରୁନାହିଁ ତ? ଉପରୋକ୍ତ ପ୍ରଶ୍ନମାନ ଏବେ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି । କିଛି ସମୀକ୍ଷକ ବର୍ଦ୍ଧିତ ମତଦାନ ବିଜେପି ସପକ୍ଷରେ ଯିବା ସପକ୍ଷରେ ମତ ଦେଉଥିବା ବେଳେ ଆଉ କିଛି ଏହା ବିଜେଡ଼ି ବା କଂଗ୍ରେସ ସପକ୍ଷରେ ଯିବ ବୋଲି ମତପ୍ରକାଶ କରୁଛନ୍ତି ।
ରଣନୀତି ବଦଳାଇଲା ବିଜେପି
ଉପନିର୍ବାଚନ ଘୋଷଣା ପରେ ବିଜେପି ପ୍ରଥମେ ଏକ ଅଡ଼ୁଆ ପରିସ୍ଥିତିରେ ଥିଲା । ବିଜେଡି ଶିବିରରୁ ଆସିଥିବା ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ଦଳ ମଧ୍ୟରେ ଏକ ପ୍ରକାର ବଡ଼ ଦ୍ୱନ୍ଦ୍ୱ ଜନ୍ମାଇଥିଲା। ପ୍ରଥମେ ପ୍ରଥମେ ଭାରତୀୟ ଜନତା ପାର୍ଟିର ସମର୍ଥକମାନେ ଢୋଲକିଆ ଏବଂ ତାଙ୍କର ସମର୍ଥକମାନଙ୍କୁ ଗ୍ରହଣ କରିବା ପାଇଁ ସେତେଟା ଆଗ୍ରହୀ ଥିଲା ପରି ମନେ ହେଲା ନାହିଁ । ହେଲେ ଦଳର ତୁଙ୍ଗ ନେତାମାନେ ଏହି ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରି ଆଗକୁ ବଢିଲେ। ଢୋଲକିଆଙ୍କ ସମର୍ଥକ ଓ ବିଜେପି ସମର୍ଥକମାନଙ୍କ ମଧ୍ୟରେ ଏକ ବୁଝାମଣା ହୋଇ ପ୍ରଚାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଗଲା ।
ବିଜେପି ପ୍ରଥମେ କୋମନା ଅଞ୍ଚଳରେ ଅପେକ୍ଷାକୃତ ଭାବେ ଦୁର୍ବଳ ଥିଲା । କିନ୍ତୁ ନଭେମ୍ବର ୫ ତାରିଖ ବେଳକୁ ଦଳ ସ୍ୱତନ୍ତ୍ର ରଣନୀତି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ୬ ତାରିଖ ଦନ ପ୍ରଚାର ମଇଦାନରେ ଅବତୀର୍ଣ୍ଣ କରାଇଲା । ଦଳ ମତଦାତାମାନଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଲା ଯେ ସରକାର ଏହି ଅଞ୍ଚଳର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ । ମୁଖ୍ୟମନ୍ତ୍ରୀଙ୍କ ଏହି ରାଲିରେ ପ୍ରାୟ ୩୦ରୁ ୪୦ ହଜାର ଜନତା ସମବେତ ହୋଇଥିଲେ ।
କୋମନା ପରେ ନଭେମ୍ବର ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ଖଡ଼ିଆଳ ରୋଡ଼ ପର୍ଯ୍ୟନ୍ତ ଯେଉଁ ‘ରୋଡ଼ ସୋ’ କଲେ ତାହା ପୂରାପୂରି ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଅନୂକୁଳ ପରିବେଶ ସୃଷ୍ଟି କଲା ।
ନୂଆପଡ଼ାରେ ୧.୨୯ ଲକ୍ଷ ମହିଳା ଭୋଟର ଭୋଟ୍ ଦେଇଥିବା ବେଳେ ୧.୨୫ ଲକ୍ଷ ପୁରୁଷ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଯାହା ଆକଳନ କରାଯାଉଛି ଯେ ବିଜେପି ଯେଉଁଭଳି ଭାବେ ମହିଳାମାନଙ୍କୁ ନେଇ ‘ସୁଭଦ୍ରା ଶକ୍ତି ଗ୍ରୁପ୍’ ଗଠନ କରିଥିଲା, ତାହାର ପ୍ରତିଫଳନ ବର୍ଦ୍ଧିତ ମହିଳା ମତଦାନରେ ଦେଖିବାକୁ ମିଳିଛି ।
୨୦୨୪ ପର୍ଯ୍ୟନ୍ତ ରାଜ୍ୟର ରାଜନୀତିରେ ବିଜେଡି ଯେପରି ଏକ ପତିଆରା ରଖିଆସିଥିଲା, ନୂଆପଡ଼ାରେ ତାହା ସେମିତି ଦେଖିବାକୁ ମିଳିଲା ନାହିଁ । ଦଳ ନୂଆପଡାରେ ବେଶ୍ ଦୁର୍ବଳ ଦେଖାଗଲା। ବରଗଡ଼ ଜିଲ୍ଲା ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିବା ବିଜେଡ଼ି ପାଇଁ ମସ୍ତବଡ଼ ଭୁଲ ଥିଲା ବୋଲି ବିଶ୍ଲେଷକମାନଙ୍କ ଠାରୁ ଆରମ୍ଭ କରି ବିଜେଡ଼ି ଦଳ ମଧ୍ୟରେ ବହୁ ନେତା ଆଲୋଚନା କରୁଛନ୍ତି ।
ଭୁଲ୍ ନିଷ୍ପତ୍ତି ନେଇଥିଲା କି ବିଜେଡି ?
ଅତାବିରାରେ ବିଜେପିର ନିହାର ମହାନନ୍ଦଙ୍କ ଠାରୁ ହାରିଥିବା ସ୍ନେହାଙ୍ଗିନୀଙ୍କୁ କେଉଁ ପରିସ୍ଥିତିରେ ଦଳ ପ୍ରାର୍ଥୀ କଲା, ତାହା ଏବେ ବି ରହସ୍ୟାବୃତ୍ତ ରହିଛି । ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ାର ଅଧିବାସୀମାନେ ସହଜରେ ଗ୍ରହଣ କରିପାରୁନଥିବା ଦେଖାଯାଇଥିଲା । ଲୋକମାନଙ୍କର ଏତାଦୃଶ ମନୋଭାବ ଦେଖି ବିଜେଡ଼ିକୁ ରଣନୀତି ବଦଳାଇବାକୁ ପଡ଼ିଲା ।
ଦ୍ୱିତୀୟ ଦଫାରେ ଲାଗିଥିବା ଦଳର ପୋଷ୍ଟର ଓ ବ୍ୟାନରରେ ତାଙ୍କ ଫଟୋଚିତ୍ର ଆଉ ସ୍ଥାନ ପାଇଲା ନାହିଁ । ପୋଷ୍ଟର, ବ୍ୟାନର ଓ ହୋର୍ଡିଂରେ ନବୀନ ପଟ୍ଟନାୟକ, ରାଜେନ୍ଦ୍ର ଢୋଲାକିଆ ଓ ପୂର୍ବତନ ମନ୍ତ୍ରୀ ଘାସିରାମ ମାଝିଙ୍କ ଫଟୋ ଦେଖିବାକୁ ମିଳିଲା ।
ପୂର୍ବ ନିବାର୍ଚନଗୁଡ଼ିକରେ ବିଜେଡ଼ି ସ୍ଥାନୀୟ ଠିକାଦାର ଓ ବ୍ୟବସାୟୀମାନଙ୍କର ସହୟତା ନେଉଥିଲା । ସେମାନେ ସ୍ଥାନୀୟ ସ୍ତରରେ ଲୋକମାନଙ୍କ ସହିତ ରହି ମତଦାନକୁ ବେଶ୍ ପ୍ରଭାବିତ କରୁଥିଲେ । ଏଥରକ ବିଜେପି ଏମାନଙ୍କୁ ନିଜ ସପକ୍ଷକୁ ଆଣି ସମୀକରଣକୁ ଏକ ପ୍ରକାର ବଦଳାଇଥିଲା । ବିଜେଡ଼ି ସମର୍ଥକ ଠିକାଦାର ଓ ବ୍ୟବସାୟୀ ନିଜର ବ୍ୟବସାୟିକ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ସପକ୍ଷରେ ରହିବାକୁ ପସନ୍ଦ କଲେ ।
ଭୋଟରଙ୍କ ସହ କନେକ୍ଟ ହୋଇଛି କଂଗ୍ରେସ
ନିର୍ବାଚନ ପ୍ରଚାରରେ କଗ୍ରେସର ରଣନୀତି ଭିନ୍ନ ଥିଲା । ବିଜେଡ଼ି ଓ ବିଜେପି ଭଳି ଦଳ ହାଇଭୋଲ୍ଟେଜ୍ ପ୍ରଚାର ନକରି ଦଳ ଛୋଟଛୋଟ ବୈଠକ କରି ମତଦାତାମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଥିଲା । ଘାସିରାମ ଲୋକମାନଙ୍କର ସୁଖଦୁଃଖରେ ଛିଡ଼ା ହୋଇ ସେମାନଙ୍କର ବେଶ୍ ଶ୍ରଦ୍ଧାଭାଜନ ହୋଇଥିବା ମଧ୍ୟ ସମୀକ୍ଷକମାନେ ଅନୁଭବ କରିପାରୁଥିଲେ । କିନ୍ତୁ ଦେଖିବାର କଥା ସେ ମହିଳାମାନଙ୍କର ସମର୍ଥନ ପାଇଛନ୍ତି କି ନାହିଁ ?
ଆଉ କେତେ ଘଣ୍ଟା ପରେ ଅର୍ଥାତ୍ ଗୁରୁବାର ଦିନ ନୂଆପଡା ମତଦାତାମାନଙ୍କର ଫଳାଫଳ ପ୍ରକାଶ ପାଇବ । ଏହି ଫଳାଫଳ ସ୍ଥିର କରିବ ଆଗାମୀ ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଯଦି ଏହି ନିର୍ବାଚନ ଜିତୁଛନ୍ତି, ତାହାଲେ ସେମାନଙ୍କର ସ୍ଥିତି ଓ ପତିଆରା ଆଶାତୀତ ଭାବରେ ବୃଦ୍ଧି ପାଇବ । ସେହିପରି ଯଦି ବିଜୁ ଜନତା ଦଳ ଜିତୁଛି, ତେବେ ବ୍ରାଣ୍ଡ ନବୀନ ଓ ଶଙ୍ଖ ଚିହ୍ନର ଚମକ ଏବେ ବି ଅକ୍ଷତ ରହିଛି ବୋଲି ଜଣାପଡ଼ିବ । ଯଦି କଂଗ୍ରେସ ଜିତୁଛି, ତେବେ ଦଳ ପିନିକ୍ସ ଚଢେଇ ଭଳି ପୁଣିଥରେ ପାଉଁଶ ତଳୁ ପୁନଃଜନ୍ମ ଲାଭ କରିବ ବୋଲି କୁହଯାଇପାରେ ।
ସବୁଠାରୁ ବଡ଼ କଥା ଯେଉଁ ଦଳ ଏଠାରେ ତୃତୀୟ ସ୍ଥାନ ଅଧିକାର କରିବ, ସେହି ଦଳକୁ ଭବିଷ୍ୟତରେ ନିଜର ସ୍ଥିତି ରକ୍ଷା ପାଇଁ ଅଶେଷ ସଂଗ୍ରାମ କରିବାକୁ ପଡ଼ିବ ।
ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)