Advertisment

Rajya Sabha Battle: ରାଜ୍ୟସଭା ନିର୍ବାଚନ ନେଇ ଅକଳରେ ନବୀନ, ସନା ମହାକୁଡ଼ ଓ ଅରବିନ୍ଦଙ୍କ ଉପରେ ସମସ୍ତଙ୍କ ନଜର

ବିଜେଡି ସର୍ବଦା ପଦ୍ମ ଦଳକୁ ସମର୍ଥନ ଦେଇଆସିଛି । ଦଳର ଏଭଳି ବିପରୀତଧର୍ମୀ ଆଭିମୁଖ୍ୟ ଅନେକଙ୍କ ପାଇଁ ଦୁର୍ବୋଧ୍ୟ ହୋଇଥିଲେ ମଧ୍ୟ ରାଜ୍ୟ ସ୍ୱାର୍ଥ ପାଇଁ ନବୀନ ଏହା କରିଆସିଛନ୍ତି ବୋଲି ତା’ଙ୍କ ଦଳର ନେତାମାନେ ସ୍ପଷ୍ଟୀକରଣ ରଖି ଆସିଛନ୍ତି ।

author-image
Akshaya Kumar Sahoo
BJD

BJD Photograph: (OTV)

ଆସନ୍ତା ଏପ୍ରିଲରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଲାଗି ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଶିବିରରେ କିଛିଟା ଉଷ୍ମତା ଦେଖାଦେଇଥିବା ବେଳେ ବିଜୁ ଜନତା ଦଳରେ ଅସମ୍ଭବ ନିରବତା ଦେଖାଯାଉଛି । କ’ଣ ଏବଂ କେଉଁ କାରଣ ପାଇଁ ବିଜୁ ଜନତା ଦଳ ନିରବ ରହୁଛି ଏବଂ କାହିଁକି ନବୀନ ଏ ନେଇ କିଛି ଏ ପର୍ଯନ୍ତ ସଙ୍କେତ ଦେଉନାହାଁନ୍ତି ସେ ନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଯାଇଛି ।

Advertisment

ଆସନ୍ତା ଏପ୍ରିଲରେ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାରେ ଚାରିଗୋଟି ଆସନ ଖାଲି ହେବାକୁ ଯାଉଛି । ରାଜ୍ୟରେ ଜଣେ ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ହେଲେ ବର୍ତ୍ତମାନ ସ୍ଥତିରେ ୩୧ଗୋଟି ପ୍ରଥମ ପସନ୍ଦ ଭୋଟ୍ ବା ଫାଷ୍ଟ ପ୍ରିଫରେନ୍ସ ଭୋଟର ଆବଶ୍ୟକତା ରହିଛି । ଏହି ଦୃଷ୍ଟିରୁ ବିଚାର କଲେ ବିଜେଡ଼ି ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଅତି ସହଜରେ ନିର୍ବାଚିତ କରି ରାଜ୍ୟସଭାକୁ ପଠାଇପାରିବ ।

ଏହାପରେ ଦଳ ନିକଟରେ ଆହୁରି ୧୯ଟି ପ୍ରଥମ ପସନ୍ଦ ଭୋଟ୍ ରହୁଛି । ଦଳ ଏହି ଭୋଟ୍ କାହାକୁ ଦେବ, ସେ ନେଇ ଏ ପର୍ଯ୍ୟନ୍ତ କିଛି ଆଭାସ ମିଳିପାରୁନାହିଁ । ଯଦି ୧୪ଟି ବିଧାୟକ ଥିବା କଂଗ୍ରେସ ଦଳ ସହିତ ଏହି ଆଞ୍ଚଳିକ ଦଳ ହାତ ମିଶାଏ, ତେବେ ଉଭୟ ଚତୁର୍ଥ ଆସନ ପ୍ରାର୍ଥୀଙ୍କୁ ଜିତାଇ ବିଜେପିକୁ ଏକ ଶକ୍ତ ରାଜନୈତିକ ଧକ୍କା ଦେବାର ସାମର୍ଥ୍ୟ ରଖୁଛନ୍ତି ।

Advertisment

ବିଜୁ ଜନତା ଦଳ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ୍ କିମ୍ବା ସଂତୃପ୍ତ ମିଶ୍ରଙ୍କୁ ପ୍ରଥମ ପସନ୍ଦର ଭୋଟ୍ ଦେଇ ରାଜ୍ୟସଭାକୁ ପଠାଇବ ବୋଲି ଆକଳନ କରାଯାଉଛି । ହେଲେ ବଳକା ଭୋଟ୍ ବିଜେପି ଦ୍ୱାରା ନାମାଙ୍କିତ ହେଉଥିବା ପ୍ରାର୍ଥୀ ବା କଂଗ୍ରେସ ମନୋନୀତ ପ୍ରାର୍ଥୀଙ୍କୁ ଦଳ ସମର୍ଥନ ଦେଉଛି, ତାହା ଦେଖିବାର କଥା । 

ଭକ୍ତ ଆଗଭର, ନବୀନ ନିରବ

କିଛି ଦିନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚତୁର୍ଥ ପ୍ରାର୍ଥୀଙ୍କୁ ମିଳିତ ଭାବରେ ଚୟନ କରିବା ନେଇ ଆଲୋଚନା କରିବା ଲାଗି ସମୟ ମାଗିଥିଲେ । ହେଲେ ନବୀନଙ୍କ ତରଫରୁ ଏ ନେଇ କିଛି ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇନାହିଁ କି ସଙ୍କେତ ମିଳିନାହିଁ ।

ଭକ୍ତଙ୍କ ଅନୁରୋଧ ନେଇ ନବୀନ ନିରବ ରହିବା ନେଇ ରାଜନୈତିକ ମହଲରେ ଯେଉଁ ଚର୍ଚ୍ଚା ଆଲୋଚନା ହେଉଛି, ତାହା ଅନେକଙ୍କ ପାଇଁ ବେଶ୍ ରୋଚକ ଓ ଆମୋଦଦାୟକ ମନେହେଉଛି ।
କିଛି ରାଜନୈତିକ ସମୀକ୍ଷକଙ୍କ ମତ ଯେ ନବୀନ ରାଜ୍ୟସଭା ନିର୍ବାଚନ ହେଉ ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ, ଅଧିକାଂଶ ସମୟରେ ସେ ବିଜେପି ଦ୍ୱାରା ମନୋନୀତ ପ୍ରାର୍ଥୀଙ୍କୁ ସମର୍ଥନ ଦେଇଥାନ୍ତି ।

ଯଦିଓ ବିଜେଡ଼ି ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ, - ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ କରିବା ପାଇଁ ଏହା ସର୍ବଦା ପଦ୍ମ ଦଳକୁ ସମର୍ଥନ ଦେଇଆସିଛି । ଦଳର ଏଭଳି ବିପରୀତଧର୍ମୀ ଆଭିମୁଖ୍ୟ ଅନେକଙ୍କ ପାଇଁ ଦୁର୍ବୋଧ୍ୟ ହୋଇଥିଲେ ମଧ୍ୟ ରାଜ୍ୟ ସ୍ୱାର୍ଥ ପାଇଁ ନବୀନ ଏହା କରିଆସିଛନ୍ତି ବୋଲି ତା’ଙ୍କ ଦଳର ନେତାମାନେ ସ୍ପଷ୍ଟୀକରଣ ରଖି ଆସିଛନ୍ତି ।

ଅତୀତରେ ଅଶ୍ୱିନୀ ବୈଷ୍ଣବକୁ ନିଜ ପ୍ରାର୍ଥୀ ଭାବେ ବିଜେଡ଼ି ଘୋଷଣା କରିଥିଲେ ମଧ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଚାପରେ ଆସି ସେ ତାଙ୍କୁ ଉକ୍ତ ଦଳର ହାତରେ ରାଜ୍ୟ ସ୍ୱାର୍ଥ ସୁରକ୍ଷା ଆଳରେ ସମର୍ପି ଦେଇଥିଲେ । ଏବେ ଦେଖିବାର କଥା ଯେ ବିଜେଡ଼ି ସେହିଭଳି ଆଭିମୁଖ୍ୟ ଗ୍ରହଣ କରୁଛି ନା ସେଥିରେ କିଛି ଭିନ୍ନତା ପରିଲକ୍ଷିତ ହେଉଛି ।  

ଆଉ କେତେକ ସମୀକ୍ଷକ ମନେ କରନ୍ତି ଯେ ନବୀନ ଏବେ କୌଣସି ନିଷ୍ପତ୍ତି ତୁରନ୍ତ ନେବା ଅବସ୍ଥାରେ ନାହାଁନ୍ତି କି ପୂର୍ବଭଳି ଆଶ୍ଚର୍ଯ୍ୟ ଚକିତ କଲାଭଳି ପଦକ୍ଷେପ ନେବା ସ୍ଥିତିରେ ନାହାଁନ୍ତି । ସେ ଯାହା ନିଷ୍ପତ୍ତି ନେବେ, ତାହାକୁ ଦେଖି ଚାହିଁ କରି ନେବାକୁ ହେବ । କାରଣ ହିସାବ କିତାବରେ ଟିକିଏ ଅଡ଼ୁଆ ହୋଇଗଲେ, ତାହା ବିପରୀତ ଫଳ ଆଣିବ । ଏବେ ଦଳରୁ ସନତାନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲା ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେ ନେଇ ନବୀନ ପୂର୍ଣ୍ଣ ସଚେତନ ରହିଛନ୍ତି ।

ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ ହ୍ୱିପ୍ ଜାରି କରିବ କି ନାହିଁ, ତାହା ଦେଖିବାର କଥା । ଯଦି ଦଳ ହ୍ୱିପ୍ ଜାରି କରେ ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ତାହା ନମାନନ୍ତି, ତେବେ ତାହା ଦଳକୁ ଆହୁରି ଲୋକହସା କରିବ ଏବଂ ନବୀନଙ୍କ ନେତୃତ୍ୱ ଆହୁରି ଦୁର୍ବଳ ହେବ ।

ନିୟମ ଅନୁସାରେ ନିଲମ୍ବିତ ବିଧାୟକମାନେ ବିଧାନସଭା ଭିତରେ ଦଳର ହ୍ୱିପ୍ ମାନିବା ପାଇଁ ବାଧ୍ୟ । ଯେହେତୁ ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ବିଧାନସଭା ବାହାରେ ହେବ, ସେହି ଦୃଷ୍ଟିରୁ ସେମାନେ ହ୍ୱିପ୍ ମାନିବା ବା ନମାନିବା ସେମାନଙ୍କର ରାଜନୈତିକ ଦୃଷ୍ଟିଭଙ୍ଗୀ ଉପରେ ନିର୍ଭର କରେ ।

ଯଦି ସେମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଅନ୍ୟ କାହାକୁ ଭୋଟ୍ ଦିଅନ୍ତି, ତେବେ ଦଳ ସେମାନଙ୍କୁ ଦଳରୁ ବହିଷ୍କାର କରିପାରେ । ଏଭଳି ପରିସ୍ଥିତିରେ ଏହି ଦୁଇ ନେତାଙ୍କୁ ମୁକ୍ତ ହୋଇ ଆଗାମୀ ରାଜନୈତିକ କାର୍ଯ୍ୟକଳାପ କରିବା ପାଇଁ ସୁଯୋଗ ମିଳିଯିବ ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।  

Rajya Sabha Election BJD
Advertisment
Related Articles
Advertisment