/odishatv-khabar/media/media_files/2025/12/20/bjd-may-demolish-2025-12-20-17-45-34.jpg)
Bjd-may-demolish Photograph: (OTV)
୨୦୧୨ ମେ’ ୨୯ ଏପିସୋଡ୍ ରିପିଟ୍ । ସେବେ ପ୍ୟାରୀଙ୍କ ଘରେ ଏକାଠି, ଏବେ ଝୁମୁକା ଫାର୍ମ ହାଉସରେ । ଏକାଠି ହେଲେ ୫୫ରୁ ଅଧିକ ପୂର୍ବତନ ବିଧାୟକ ।
ବଡ଼ ରଣନୀତି ପ୍ରସ୍ତୁତ, ଫାଳ ଫାଳ ହୋଇଯିବ କି ବିଜେଡି ?
ବିଜେଡିରେ ପୁଣି ଥରେ ମେ ୨୯ ଏପିସୋଡ୍ । ଏକାଠି ହେଲେ ୫୫ରୁ ଅଧିକ ବରିଷ୍ଠ ନେତା । ଏକାଠି ହୋଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ଅଧିକାଂଶ ପୂର୍ବତନ ବିଧାୟକ ଏବଂ ପ୍ରାୟ ସମସ୍ତେ ଗଲା ସାଧାରଣ ନିର୍ବାଚନରେ ହାରିଥିଲେ । ପୂର୍ବରୁ ମଝିରେ ମଝିରେ ୪/୬ ଜଣ ନେତା ଏକାଠି ହେଉଥିଲେ । କୌଣସି ରେଷ୍ଟୁରାଣ୍ଟରେ ଏକାଠି ବସି କପେ ଦିକପ ଚା’ ପିଉଥିଲେ । ଫଟୋ ଛାଡୁଥିଲେ । କଣ ଚର୍ଚ୍ଚା ହେଉଛି ତାକୁ ମାପୁଥିଲେ । ବିଶେଷକରି ଚନ୍ଦ୍ରସାରଥି ବେହେରା, ସମ୍ବିତ ରାଉତରାୟ, ବିଷ୍ଣୁବ୍ରତ ରାଉତରାୟ ଇତ୍ୟାଦି ହାତ ଗଣତି କେଇ ଜଣ ଯୁବ ନେତା ଏକାଠି ବସୁଥିଲେ । ପଚାରିଲେ କହୁଥିଲେ ନାଇଁ ଏମିତି ଗପସପ କରିବାକୁ ବସିଥିଲୁ । ପୂର୍ବଭଳି ଏଥର ବି ବସିଲେ ଯେ ହେଲେ ପୂରା ପଲଟନ ଧରି । ଚନ୍ଦକା ନିକଟ ଏକ ଫାର୍ମ ହାଉସରେ ଏକାଠି ହେଲେ ୫୫ ସରିକି ନେତା । ଭୋଜିଭାତ ହେଲା ।
କୁହାଯାଉଛି ଚନ୍ଦ୍ରସାରଥି ବେହେରା ଭୋଜିର ଆୟୋଜନ କରିଥିଲେ । ଏଥିରେ ଚନ୍ଦ୍ରସାରଥିଙ୍କ ସହ ମହେଶ ସାହୁ, ସମ୍ବିତ ରାଉତରାୟ, ରାଜୁ ସାହୁ, ପ୍ରଣବ ବଳବନ୍ତରାୟ, ସୁକାନ୍ତ ନାୟକ, ପ୍ରୀତିରଂଜନ ଘଡ଼ାଇ, ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଏକାଠି ହୋଇଥିଲେ । ଏକାଠି ହୋଇଥିବା ପ୍ରାୟ ସମସ୍ତେ ଯୁବ ନେତା ହୋଇଥିବା ବେଳେ ଯୁବ ନେତୃତ୍ବ ଆଗକୁ ଆସିବା ଦରକାର, ଯୁବ ନେତୃତ୍ବ ନେଇ ଆଜିଠୁ ଏକ ସମୀକରଣ ଆରମ୍ଭ ହେବ ବୋଲି ଖୋଲାଖୋଲି କହିଥିଲେ ପୂର୍ବତନ ବିଜେଡି ବିଧାୟକ ପ୍ରଭୁ ଜାନି ।
ନେତାଙ୍କ ମେଳିରେ ରାଜନୈତିକ ଆଲୋଚନା କିଛି ହୋଇନି ବୋଲି ଅଧିକାଂଶ ନେତା ନେତ୍ରୀ କହୁଥିଲେ ବି ସମ୍ବିତ ରାଉତରାୟ କିନ୍ତୁ ଗୁମର ଫିଟେଇ ଦେଇଛନ୍ତି । କୋଡିଏ ପଚିଶଟା ସାହୁକାର ଏକାଠି ହେଲେ ବେପାର କଥା ହେଲା ଭଳି ଆମେ ଏକାଠି ହେଲେ କଣ କଥା ହେବୁ ବୋଲି କହିଛନ୍ତି ସମ୍ବିତ । ରାଜନୀତି କଥା ହେଲୁ । ଏଥିରେ ବ୍ୟତିକ୍ରମ କିଛି ନାହିଁ ବୋଲି ସମ୍ବିତ କହିଛନ୍ତି ।
୨୦୧୨ ମେ’ ୨୯ ମିଡ୍ନାଇଟ୍ ଅପରେସନ ପଣ୍ଡ ହୋଇଯାଇଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଣ୍ଡନ ଯାଇଥିବା ବେଳେ ତାଙ୍କ ପରାମର୍ଶଦାତା ପ୍ୟାରୀମୋହନ ମହାପାତ୍ରଙ୍କ ଘରେ ଏକାଠି ହୋଇଥିଲେ ଅନେକ ବିଧାୟକ, ମନ୍ତ୍ରୀ । ତେବେ ମିଡ୍ନାଇଟ ଅପରେସନ ବିଫଳ ହୋଇଥିଲା ଏବଂ ନିଜ ଲଣ୍ଡନ ଗସ୍ତ କାଟଛାଣ୍ଟ କରି ଅଧାରୁ ଫେରି ଆସିଥିଲେ ନବୀନ । ଏବେ କିନ୍ତୁ ନବୀନ ଏଇଠି ନବୀନ ନିବାସରେ ଥିଲେ ବି ଭୁବନେଶ୍ବର ଉପକଣ୍ଠରେ ୫୫ରୁ ଅଧିକ ପୂର୍ବତନ ବିଧାୟକ ମେଳି କରିବା ଆଉ ଏକ ମେ’ ୨୯ ଆଡକୁ ଦଳକୁ ଟାଣି ନେଲା ଭଳି ମନେ ହେଉଛି । ଏଭଳି ଅବସ୍ଥାରେ ବିଜେଡି ଭବିଷ୍ୟତ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା ।
Pak Court Jails Ex-PM Imran & Bushra Bibi: ଇମ୍ରାନ ଖାନ୍ ଓ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲ୍ ଦଣ୍ଡାଦେଶ, ୧ କୋଟି ଜରିମାନା

Hindu Man Killed in Bangladesh: ଅସୁରକ୍ଷିତ ହିନ୍ଦୁ; ଯୁବକଙ୍କୁ ପିଟିପିଟି ମାରିଲେ, ଗଛରେ ଟାଙ୍ଗି ଦେଲେ

Media Houses Vandalised: ଜାଳିଦେଲେ ଗଣମାଧ୍ୟମ ସଂସ୍ଥା: ଲୁଟିନେଲେ ୧୫୦ କମ୍ପ୍ୟୁଟର, ଖାଦ୍ୟ ସାମଗ୍ରୀ

India squad announced for T20 World Cup: T20 ବିଶ୍ବକପ୍ ପାଇଁ ଟିମ ଇଣ୍ଡିଆ ଘୋଷଣା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)