Advertisment

Media Houses Vandalised: ଜାଳିଦେଲେ ଗଣମାଧ୍ୟମ ସଂସ୍ଥା: ଲୁଟିନେଲେ ୧୫୦ କମ୍ପ୍ୟୁଟର, ଖାଦ୍ୟ ସାମଗ୍ରୀ

ବାଂଲାଦେଶରେ କିଛି ଲୋକ ଢାକାରେ ଥିବା ‘ଦି ଡେଲି ଷ୍ଟାର’ ଏବଂ ‘ପ୍ରଥମ ଆଲୋ’ର କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି।

author-image
Chinmayee Sahoo
Media Houses Vandalised

Media Houses Vandalised Photograph: (OTV)

ପୁଣି ଜଳୁଛି ବାଂଲାଦେଶ। ସବୁଠି ଭୟଙ୍କର ସ୍ଥିତି। ପୋଡାଜଳା, ଭଙ୍ଗାରୁଜା ଆଉ ଲୁଟପାଟ। ବାଂଲାଦେଶରେ ଉଗ୍ର ରୂପ ନେଉଛି ହିଂସାତ୍ମକ ଆନ୍ଦୋଳନ। ଯୁବ ଛାତ୍ର ନେତା ସରିଫ୍‌ ଓସ୍‌ମାନ ହାଦିର ହତ୍ୟା ପରେ ବିଗିଡି ଯାଇଛି ଦେଶର ସୁରକ୍ଷା ବ୍ୟବସ୍ଥା। ଶେଖ୍ ହାସିନା ଓ ଭାରତ ବିରୋଧୀ ନାରା ଦେବା ସହ ହିନ୍ଦୁଙ୍କ ଉପରେ ଅତ୍ୟାଚାର ର ସୀମା ଟପିଛି। ବାଂଲାଦେଶରେ କିଛି ଲୋକ ଢାକାରେ ଥିବା ‘ଦି ଡେଲି ଷ୍ଟାର’ ଏବଂ ‘ପ୍ରଥମ ଆଲୋ’ର କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି। 

Advertisment

ବିଲ୍ଡିଂରେ ଭଙ୍ଗାରୁଜା କରିବା ସହ ସାମ୍ବାଦିକମାନଙ୍କୁ ଘଣ୍ଟା ଘଣ୍ଟା ଧରି ଭିତରେ ବନ୍ଦୀ କରି ରଖିଥିଲେ। ଆକ୍ରମଣ କରିବା ପରେ ଅତି କମରେ ୧୫୦ଟି କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣ ଲୁଟି ନେଇଥିଲେ ପ୍ରତିବାଦକାରୀ। ଅଫିସର କ୍ୟାଣ୍ଟିନ୍‌ରେ ମଧ୍ୟ ଭଙ୍ଗାରୁଜା କରାଯିବା ସହ ଖାଦ୍ୟ ସାମଗ୍ରୀ ବି ଲୁଟି ନେଇଛନ୍ତି।
ଜୁଲାଇ ବିଦ୍ରୋହର କର୍ମୀ ତଥା ବାଂଲାଦେଶରେ ଫେବୃଆରୀରେ ହେବାକୁ ଥିବା ନିର୍ବାଚନରେ ଲଢିବାକୁ ଥିବା ଆଶାୟୀ ସରିଫ ଓସମାନ ହାଦିଙ୍କ ମୃତ୍ୟୁ ଖବର ଆସିବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ତାଙ୍କ ଉପରକୁ ଗୁଳିଚାଳନା କରିବା ପରେ ସିଙ୍ଗାପୁରରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଡେଲି ଷ୍ଟାରର କାଜି ନଜରୁଲ ଇସଲାମ ଆଭେନ୍ୟୁ କାର୍ଯ୍ୟାଳୟରେ, ଆକ୍ରମଣକାରୀମାନେ ମଧ୍ୟରାତ୍ରିରେ ଜୋରଜବରଦସ୍ତ ପ୍ରବେଶ କରିଥିଲେ। ସେମାନେ ଫର୍ଣ୍ଣିଚର ଏବଂ ଗ୍ଲାସ୍ ଡୋର୍ ଭାଙ୍ଗି ଦେଇଥିଲେ। କମ୍ପ୍ୟୁଟର, କ୍ୟାମେରା ଏବଂ ହାର୍ଡଡ୍ରାଇଭ ନଷ୍ଟ କରିଦେଇଥିଲେ। ସହିଦ ଆବୁ ସୟଦ ଏବଂ ମୀର ମହଫୁଜୁର ରହମାନ ମୁଗ୍ଧୋଙ୍କ ପୋଷ୍ଟର ଚିରି ଦେଇଥିଲେ ଏବଂ ବିଲ୍ଡିଂରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଯୋଗୁଁ ୨୮ ଜଣ ସାମ୍ବାଦିକ ଏବଂ କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଧରି ଛାତ ଉପରେ ଆଶ୍ରୟ ନେବାକୁ ପଡିଥିଲା। କାର୍ଯ୍ୟାଳୟଟି ଗୁରୁତର କ୍ଷତିଗ୍ରସ୍ତ ହୋଇଥିଲା। ଡେଲି ଷ୍ଟାର ଏହାର ୩୪ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଏହାର ମୁଦ୍ରିତ ସଂସ୍କରଣ ପ୍ରକାଶ କରିପାରିନଥିଲା।

Advertisment

ପ୍ରଥମ ଆଲୋର କାରୱାନ ବଜାର ମୁଖ୍ୟାଳୟରେ, ଆକ୍ରମଣକାରୀମାନେ ରାତି ପ୍ରାୟ ୧୧.୧୫ ସମୟରେ ଆକ୍ରମଣ ଆରମ୍ଭ କରିଥିଲେ। ପ୍ରଥମେ ପୋଲିସ ସେମାନଙ୍କୁ ଅଟକାଇ ଦେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ପୁନର୍ବାର ଏକତ୍ରିତ ହୋଇ ପୂର୍ଣ୍ଣ ଆକ୍ରମଣ କରିଥିଲେ। ଝରକା, ଫର୍ଣ୍ଣିଚର, କମ୍ପ୍ୟୁଟର, ସିସିଟିଭି କ୍ୟାମେରା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନଗଦ ଲକର ଭାଙ୍ଗି ଦେଇଥିଲେ। ପୂରା ଦ୍ୱିତୀୟ ମହଲା ପର୍ଯ୍ୟନ୍ତ ଜଳି ଯାଇଥିଲା ବିଲ୍ଡିଂ। ଏହି ମିଡିଆ ଏଜେନ୍ସିର ଜଣେ କର୍ମଚାରୀ ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂ ଛାତରୁ ଆଉ ଏକ କୋଠାକୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଥିଲେ। ଖବରକାଗଜଟି ଏହାର ୨୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଶୁକ୍ରବାର ସଂସ୍କରଣ ପ୍ରକାଶ କରିପାରିଲା ନଥିଲା।

Bangladesh
Advertisment
Related Articles
Advertisment