Advertisment

Phulbani Tragedy: ପ୍ରାଣ ନେଇଗଲା ପିନ୍ କଣ୍ଟା , ୧୦ ଦିନ ହେଲା ଚିକିତ୍ସା ପରେ ଛାତ୍ରର ମୃତ୍ୟୁ

ନାଁ-ତୁଷାର ମିଶ୍ର, ବୟସ କହିଲେ ମାତ୍ର ୧୨ ବର୍ଷ। ପାଠ ପଢ଼ାରେ ଯେମିତି, ମଜାମସ୍ତିରେ ବି ସେମିତି। କେତେବେଳେ ନାଚିନାଚି ଘର ଚଟାଣ ଫଟେଇଦେଥିଲା ଆଉ କେତେବେଳେ ଗୀତ ଗାଇ ରିଲ୍ସ ଦୁନିଆରେ ବି ମାତିଥିଲା।

author-image
Manas Ranjan Mohanty
CHILD-PIN

CHILD-PIN Photograph: (OTV)

ନାଁ-ତୁଷାର ମିଶ୍ର, ବୟସ କହିଲେ ମାତ୍ର ୧୨ ବର୍ଷ। ପାଠ ପଢ଼ାରେ ଯେମିତି, ମଜାମସ୍ତିରେ ବି ସେମିତି। କେତେବେଳେ ନାଚିନାଚି ଘର ଚଟାଣ ଫଟେଇଦେଥିଲା ଆଉ କେତେବେଳେ ଗୀତ ଗାଇ ରିଲ୍ସ ଦୁନିଆରେ ବି ମାତିଥିଲା। ବଡ଼ ହେଲେ ବଡ଼ମଣିଷ ହେବାର ସ୍ବପ୍ନ ଦେଖିଥିଲା। ମାମୁଘରେ ରହି ପାଠ ପଢୁଥିଲା ଫୁଲବାଣୀ ଧୋବାତୋଟା ଆଦର୍ଶ ବିଦ୍ୟାଳୟରେ। ହେଲେ ଯେଉଁଠିକୁ ଜୀବନ ଗଢିବାକୁ ଯାଇଥିଲା ସେଇଠି ଯେ ଜୀବନ ଚାଲିଯିବ ଏକଥା କିଏ ବା ଜାଣିଥିଲା ? ସତେ ଯେମିତି ତୁଷାର ପାଇଁ ଇଏ ଭବିଷ୍ୟତ ଗଢା କାରଖାନା ନଥିଲା, ଥିଲା ଜୀବନର ଶେଷ ଷ୍ଟପେଜ୍। କାରଣ ଏଇ ସ୍କୁଲରେ ହିଁ ପିନ୍ କଣ୍ଟା ଖାଇ ଆଜି ଆରପାରିରେ ତୁଷାର।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୧୫ ତାରିଖରେ ସ୍କୁଲ୍ ନୋଟିସ୍ ବୋର୍ଡରେ ଲାଗିଥିବା ଏହି ପିନ୍ କଣ୍ଟାଟିକୁ ଭୁଲବଶତଃ ଖାଇଦେଇଥିଲା ତୁଷାର। ପରେ ଗୁରୁତର ଅବସ୍ଥାରେ କଟକ ଶିଶୁ ଭବନରେ ଦୀର୍ଘ ୧୦ ଦିନ କାଳ ଆଇସିୟୁରେ ମରଣ ସହିତ ଲଢିଲଢି ଶେଷରେ ହାରିଯାଇଥିଲା ସପ୍ତମ ଶ୍ରେଣୀର ପାଠୁଆ ପୁଅ। 



୧୨ ବର୍ଷର ତୁଷାର...କେତେ କଲବଲ ହୋଇନଥିଲା ସେଦିନ ! କେତେ ଛଟପଟ ହୋଇଥିଲା ଘଣ୍ଟାଘଣ୍ଟା ! ନେହୁରା ହୋଇଥିଲା ବାରମ୍ବାର !ହେଲେ କଅଁଳ ପିଲାଟିର କଥା ନା କିଏ ଶୁଣିଥିଲା ନା କିଏ ଡାକ୍ତରଖାନାକୁ ନେଇଥିଲା। ଏପରିକି ପରିବାର ଲୋକଙ୍କୁ ସୂଚନା ବି ଦେଲେନି। ଦାରିଙ୍ଗବାଡ଼ି ଥାନାରେ ତୁଷାରଙ୍କ ବାପାଙ୍କ ଅଭିଯୋଗ ପରେ ସାମ୍ନାକୁ ଆସିଛି ସ୍କୁଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାର ଚିତ୍ର। ପେଟରେ ପିନ୍ ଫୋଡ଼ି ହୋଇଯାଉଥିଲା, କଲବଲ କରୁଥିଲା। ଏନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବି ଜଣାଇଥିଲା ତୁଷାର । ହେଲେ ତୁଷାରକୁ ମିଛୁଆ କହି ଖାମଖିଆଲ୍ ଭାବେ ଏଡ଼ାଇଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ସ୍କୁଲରେ ସାରାଦିନ ଯନ୍ତ୍ରଣାରେ ଛଟପଟ ହୋଇ ଘରକୁ ଆସିବା ପରେ ପରିବାର ଲୋକ ଫୁଲବାଣୀ ଡାକ୍ତରଖାନାକୁ ନେଇ ଏକ୍ସରେ କରିବାରୁ ପିନ୍ କଣ୍ଟାଟି ଫୁସଫୁସରେ ଲାଗିଥିବା ଜଣାପଡ଼ିଥିଲା। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର, ପରେ କ୍ୟାପିଟାଲ୍ ହସପିଟାଲ୍ ଓ ଶେଷରେ କଟକ ଶିଶୁ ଭବନକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୨୬ ତାରିଖରେ ଆଖି ବୁଜିଦେଇଥିଲା ତୁଷାର। ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ।

 ତୁଷାରକୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି, ଅନେକ ସମୟ ଧରି ପିନଟି ଫୁସଫୁସରେ ରହିଥିବାରୁ ଅକ୍ସିଜେନ୍ ଯୋଗାଣରେ ସମସ୍ୟା ହୋଇଥିଲା । ଏଣୁ ପିନ୍ ବାହାରିବା ପରେ ବି ତୁଷାରର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଥିଲା। 

ଆଜି ବି ଦୁଆରୁ ଲିଭିନି ତୁଷାରର ବ୍ରତୋପନୟନର ଶୁଭ ଲେଖା। ହେଲେ ସବୁଦିନ ପାଇଁ ଲିଭିଯାଇଛି ପୁଅର ଜୀବନ ଦୀପ। ଯଦି ସେଦିନ ସ୍କୁଲ୍ କର୍ତ୍ତୃପକ୍ଷ ପିଲାଟିର କଥାକୁ ଧ୍ୟାନଦେଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥାନ୍ତେ ତେବେ ହୁଏତ ତୁଷାର ଆଜି ସମସ୍ତଙ୍କ ଗହଣରେ ଥାଆନ୍ତା। ତେବେ କାହିଁକି ଏତେ ବଡ଼ ଅବହେଳା କଲେ ସ୍କୁଲ କର୍ତ୍ତୃପକ୍ଷ ? ପିଲାଟି କହିବା ପର ବି କାହିଁକି ତାକୁ ଡାକ୍ତରଖାନାକୁ ନିଆଗଲାନି ? 

Advertisment
Advertisment
Related Articles
Advertisment