Advertisment

Heartbreaking Death: ଗୋଟିଏ ଜୁଇରେ ଜଳିଲେ ମାଆପୁଅ, କାନ୍ଦରେ ଫାଟି ପଡିଲା ସାରା ଅଞ୍ଚଳ

ଏକାଠି ଜଳିଛି ଜୁଇ । ଏକାସାଙ୍ଗରେ ଜଳିଛନ୍ତି ମାଆ-ପୁଅ । କାନ୍ଦୁଛି ଗାଁ, ମଶାଣି ବି କାନ୍ଦୁଛି... ପୁଅ ପଛେ ପଛେ ଚାଲିଯାଇଛି ମାଆ । କେମିତି ବା ବଞ୍ଚିଥାନ୍ତା ଏ ଅଭାଗିନୀ ମାଆ ।

author-image
Tapan Swain
Mother-Son-Death

Mother-Son-Death Photograph: (OTV)

ଯାହାକୁ ଅନ୍ତଫାଡି ଜନ୍ମ ଦେଇଥିଲା, ଯାହାକୁ ଘଡିଏ ନ ଦେଖିଲେ ରହିପାରୁନଥିଲା, ତାକୁ ଜୁଇରେ ଜଳିବାର ଦେଖିଥାନ୍ତା କେମିତି ! ସେଇଥିପାଇଁ ପୁଅର କୋକେଇ ଉଠିବା ଆଗରୁ ପୁଅ ପାଖରେ ଶୋଇପଡିଲା ମାଆ । ପୁଅର ଶବ ସହ ଶବ ହୋଇ ଚାଲିଗଲା ମଶାଣିକୁ । ଜୀବନ କେବେ କେବେ ଏମିତି ଆଘାତ ଦେଇଯାଏ, ଯାହାକୁ ଶବ୍ଦରେ ବୁଝାଇବା ଭାରି କଷ୍ଟ । ଦେଖୁନାହାନ୍ତି ଏ ଛୋଟିଆ ଗାଁ ଆଜି କେମିତି ନୀରବୀ ଯାଇଛି । ଏଠାରେ ଘଟିଛି ଏକ ଏମିତି ଘଟଣା, ଯାହା ସମସ୍ତଙ୍କ ହୃଦୟକୁ କଷ୍ଟ ଦେଇଛି ।

Advertisment

 ଭଦ୍ରକ ଧାମନଗର ବ୍ଲକ କୋରାକଦା ଗ୍ରାମର ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ । ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ ସତ୍ୟରଞ୍ଜନ । ଜୀବନ ଓ ମୃତ୍ୟୁ ମଧ୍ୟରେ ଲଢ଼ୁଥିବା ପୁଅ ପାଇଁ ମାଆ ମୀରା ତ୍ରିପାଠୀ ନିଜର ଗୋଟିଏ କିଡନୀ ଦେଇଥିଲେ । ଗ୍ରାମବାସୀ ଓ କିଛି ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ହେଲା । କିଛି ଦିନ ଯାଏଁ ପୁଅ ସୁସ୍ଥ ହୋଇ ଜୀବନଯାପନ କରିଥିଲା ।

୨ ବର୍ଷ ଧରି ମାଆ ଓ ପୁଅ ଦୁହେଁ ଏକାଠି ସଂଘର୍ଷ କରୁଥିଲେ ଖୁସିରେ ବଞ୍ଚିବା ପାଇଁ । ପୁଅ ହସିଲେ ମାଆ ହସୁଥିଲା । ପୁଅ ଖାଇଲେ ମାଆର ପେଟ ପୂରିଯାଉଥିଲା । ତାରି ମୁହଁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲା ମାଆ । ଆଉ ମାଆର ଯନ୍ତ୍ରଣା ଦେଖିଲେ କୋରି ହୋଇଯାଉଥିଲା ପୁଅର ହୃଦୟ । ଶରୀର ଦୁଇଟି ଥିଲା, ହେଲେ ତାଙ୍କର ଆତ୍ମା ଥିଲା ଗୋଟିଏ ।  

Advertisment

ମାଆ ପୁଅଙ୍କ ଏଇ ଚେନାଏ ଖୁସିରେ ଯେମିତି କାହାର ନଜର ଲାଗିଗଲା । ମଙ୍ଗଳବାର ସକାଳେ ହଠାତ୍ ସତ୍ୟରଞ୍ଜନ ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କଲେ । ଭୁବନେଶ୍ୱର ନେବା ବାଟରେ ସବୁଦିନ ପାଇଁ ଅଟକିଗଲା ତାଙ୍କର ନିଶ୍ୱାସ । ପରିବାର ବନ୍ଧୁ ପରିଜନ ମୃତଦେହ ନେଇ ଘରକୁ ଫେରିଲେ । ଆଉ ଆଖି ଆଗରେ ପୁଅର ନିସ୍ତେଜ ଶରୀରଟାକୁ ଦେଖି ମାଆ ବି ଅଚାନକ ନିସ୍ତେଜ ହୋଇଗଲା । ପୁଅର କୋକେଇ ପାଖରେ ଆଖି ବୁଜିଦେଲା । ଶେଷରେ ଯାଜପୁର ଜିଲ୍ଲାର ଦଶାଶ୍ଵମେଧ ଘାଟରେ ଏକାଠି ଜଳିଲା ମାଆପୁଅଙ୍କ ଜୁଇ ।

ଏହି ଘଟଣା ସମଗ୍ର ଧାମନଗର ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା  । ଗୁମୁରି ଗୁମୁରି କାନ୍ଦୁଛି ଗାଁ । ସାହିଭାଇ ସମସ୍ତଙ୍କ ମୁହଁରୁ ଲିଭିଯାଇଛି ହସ । ଧାମନଗର ଆଜି ନୀରବ କିନ୍ତୁ ଏହି ମା-ପୁଅ ଭଲପାଇବା ସବୁବେଳ ପାଇଁ ମନେ ରହିବ ।

Death bhadrak mother son death
Advertisment
Related Articles
Advertisment