/odishatv-khabar/media/media_files/2026/02/08/exam-2026-02-08-19-57-41.jpg)
EXAM Photograph: (OTV)
ପରୀକ୍ଷା ପରିଚାଳନା ନିୟମକୁ କଡ଼ାକଡ଼ି ପାଳନ କର
ଉଲ୍ଲଂଘନ କଲେ ହେବ ବଡ ଆକ୍ସନ୍
ସବୁ ଜିଲ୍ଲାପାଳ, ଏସପିଙ୍କ ସହ ବୋର୍ଡ ଓ ବିଭାଗୀୟ ଅଧିକାରୀଙ୍କୁ ସିଧା ସିଧା ଶୁଣାଇଛନ୍ତି ଚିଫ୍ ସେକ୍ରେଟାରୀ । ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ୧୮ରୁ ହେବ ପ୍ଲସ୍ ଟୁ ଏକଜାମ୍ । ଆଉ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କିଭଳି ସୁରୁଖୁରୁ ଏବଂ ଶାନ୍ତିଶୃଙ୍ଖଳାରେ ହେବ ସେ ନେଇ ତାର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଏଥିରେ ପରୀକ୍ଷାକୁ ନେଇ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସମସ୍ତ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ନୋଡାଲ ଅଧିକାରୀଙ୍କ ପାଖରେ ପରୀକ୍ଷା ପରିଚାଳନା ମାର୍ଗଦର୍ଶିକା ନିଶ୍ଚିତ ଭାବେ ରହିବା ସହ ଏହାକୁ ଅନୁସରଣ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ପରିଚାଳନା ସଂପର୍କିତ ନିୟମ ଉଲଙ୍ଘନ କଲେ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ୍ ୧୯୮୮ ଏବଂ ବିଏନଏସ୍ଏସ୍ ଅନୁଯାୟୀ ହେବ ଦୃଢ କାର୍ଯ୍ୟାନୁଷ୍ଠାନ।
ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ
ତେଣେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଏଥର ପ୍ରଶ୍ନପତ୍ର ପ୍ରଘଟ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ରରେ QR କୋର୍ଡ ଓ ୱାର୍ଟର ମାର୍କ ରହିବ । କ୍ବିଶ୍ଚେନ ହବ୍ ସହ ପରୀକ୍ଷା କେନ୍ଦ୍ରରେ AI କ୍ୟାମେରା ଲଗାଯିବ ।
ଚଳିତ ବର୍ଷ ପ୍ଲସ୍ ଟୁରେ ପରୀକ୍ଷା ଦେବେ ମୋଟ ୪ ଲକ୍ଷ ୧୬ ହଜାର ୬୨୩ ଜଣ ପରୀକ୍ଷାର୍ଥୀ । ଏମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୫୬ ହଜାର ୭୦୭ ଜଣ, ବାଣିଜ୍ୟରେ ୨୪ ହଜାର ୬୨୧, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୯୩୨ ଜଣ । ଏଥିପାଇଁ ୨୧୧ଟି ପରୀକ୍ଷା ପରିଚାଳନା ହବ୍ , ୧ ହଜାର ୩୫୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି।
ସେହିପରି ମାଟ୍ରିକରେ ୫ ଲକ୍ଷ ୪୬ ହଜାର ୮୭୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିସହ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମାକୁ ମିଶାଇ ମୋଟ ୫ ଲକ୍ଷ ୬୧ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଏଥିପାଇଁ ସମସ୍ତ ଜିଲ୍ଲାରେ ମୋଟ ୩୨୨ଟି ନୋଡାଲ ସେଣ୍ଟର, ୩ ହଜାର ୮୨ଟି ପରୀକ୍ଷା କେନ୍ଦ୍ର ଓ ୫୦ଟି ‘ଉତ୍ତର ପତ୍ର ମୂଲ୍ୟାଙ୍କନ କେନ୍ଦ୍ର’ ରହିଛି।
ଗତବର୍ଷ ବିଜ୍ଞାନ ପ୍ରଶ୍ନପତ୍ରରେ ୪ ନମ୍ବର କମ୍ ଥିବାରୁ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ତେବେ ଏଥର ଯେଭଳି ତାହାର ପୁନରାବୃତ୍ତି ନ ହେବ ତାଉପରେ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ୍।
ଏଥର ପ୍ଲସ ଟୁରେ ଅନଲାଇନ୍ ଖାତା ଦେଖାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବରୁ କହିସାରିଛି । ଏଣୁ ୪୦ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଲକ୍ଷ୍ୟ ରହିଛି । ସେହିପରି ମାଟ୍ରିକରେ ତ୍ରୁଟିଶୂନ୍ୟ ମୂଲ୍ୟାୟନ ସହ ଶୀଘ୍ର ଫଳାଫଳ ପ୍ରକାଶନ ଉପରେ ଜୋର୍ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)